ନୀଲମ୍ ସଂଜୀବ ରେଡ୍ଡୀ ବନାମ ଭି.ଭି.ଗିରି- ରାଷ୍ଟ୍ରପତି ନିର୍ବାଚନ ପରେ -ଏତେ ବିତର୍କିତ ରାଷ୍ଟ୍ରପତି ନିର୍ବାଚନ ଦେଖାଯାଇ ନଥିଲା- ଯାହା ପ୍ରଣବ ମୂଖାର୍ଜୀ ବନାମ ପୂର୍ଣ୍ଣ ଏ.ସାଙ୍ଗ୍ମା ପ୍ରତିଦ୍ୱନ୍ଦ୍ୱିତାରେ ଦେଖାଯାଉଛି । ନିର୍ବାଚନୀ ହିସାବ ଅନୁସାରେ ପ୍ରଣବ ମୂଖାର୍ଜୀ, ପୂର୍ଣ୍ଣ ସାଙ୍ଗ୍ମାଙ୍କ ଠାରୁ ଯଥେଷ୍ଟ ଆଗରେ ଥିଲେ ମଧ୍ୟ ପୂର୍ଣ୍ଣ ସାଙ୍ଗ୍ମାଙ୍କ ଗୋଷ୍ଠୀ ପ୍ରଣବ ମୂଖାର୍ଜୀଙ୍କର ନାମାଙ୍କନ ପତ୍ରକୁ ଖାରଜ କରିଦେବାର ବିଫଳ ଉଦ୍ୟମର ଆଶ୍ରୟ ଇତ୍ୟବସରରେ ନେଇ ସାରିଛନ୍ତି । ଓଡ଼ିଶାରେ ଏହି ପ୍ରତିଦ୍ୱନ୍ଦ୍ୱିତା ଖୁବ୍ ଗୁରୁତ୍ୱ ପାଉଛି- କାରଣ ସାଂଗମାଙ୍କର ପ୍ରଥମ ପ୍ରସ୍ତାବକ ହେଉଛନ୍ତି ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସେ ପ୍ରତିଶୃତି ଦେଇଛନ୍ତି ଯେ ସମସ୍ତ ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ତାଙ୍କୁ ଭୋଟ ଦେବେ । ଏଠାରେ ସ୍ମରଣ କରାଯାଇପାରେ ଯେ ସାଙ୍ଗ୍ମା ହେଉଛନ୍ତି ଆଦିବାସୀ ନେତା- ଏହା ପ୍ରଥମେ ନବୀନବାବୁ ଗୁରୁତ୍ୱ ଦେଇ କହି, ସେ ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟତମ ପ୍ରାର୍ଥୀ ବୋଲି ଘୋଷଣା କରିଥିଲେ । ଏହା ପରେପରେ ସାଙ୍ଗ୍ମା ମହୋଦୟ ବିଭିନ୍ନ ରାଜନୈତିକ ଦଳରେ ଥିବା ଆଦିବାସୀ ସାଂସଦ ଓ ବିଧାୟକମାନଙ୍କୁ ନିଜଆଡକୁ ଟାଣିବାରେ ବେଶ୍ ସକ୍ରିୟ ହୋଇଛନ୍ତି । ଏହାପୂର୍ବରୁ କୌଣସି ରାଷ୍ଟ୍ରପତି ନିର୍ବାଚନରେ, ପ୍ରାର୍ଥୀମାନେ କୌଣସି ଜାତି,ଧର୍ମ ବା ସମ୍ପ୍ରଦାୟକୁ ଆୟୁଧ କରି ପ୍ରଚାରରେ ମାତି ନଥିଲେ । ସବୁଠାରୁ ମଜା କଥା ହେଉଛି ଯେ ଖାସି ଆଦିବାସୀ ସମ୍ପ୍ରଦାୟର ଜି.ଜି.ସ୍ୱେଲ (George Gilbert Swell) ଯେତେବେଳେ ଶଙ୍କର ଦୟାଲ ଶର୍ମାଙ୍କ ବିରୋଧରେ, ବିରୋଧୀ ଦଳ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ, ସେତେବେଳେ କଂଗ୍ରେସରେ ଥିବା ପୂର୍ଣ୍ଣ ସାଙ୍ଗ୍ମା ତାଙ୍କୁ ଭୋଟ ଦେଇନଥିଲେ । ସାଙ୍ଗ୍ମା ଏବେ କହି ପାରନ୍ତି ଯେ ସ୍ୱେଲ ମହୋଦୟ ଆଦିବାସୀଭାବେ ତାଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରି ନ ଥିଲେ । ସେ ଏହିଭଳି ଅନୁରୋଧ କରିଥିବାରୁ କଂଗ୍ରେସ ଦଳର ଜଣେ ଆଦିବାସୀ ନେତା ଅରବିନ୍ଦ ନେତାମ ଦଳରୁ ନିଲମ୍ବନକୁ ପରବାୟ ନ କରି ତାଙ୍କୁ ସମର୍ଥନ କରିବା ପାଇଁ ଆଗେଇ ଆସିଛନ୍ତି ।
ତେବେ କେତେ ଆଦିବାସୀ ପୂର୍ଣ୍ଣ ସାଙ୍ଗ୍ମା? ଓଡ଼ିଶାରେ ଗତ ଦଶବର୍ଷ ଭିତରେ ଜୀବନ ଜୀବିକା ପାଇଁ ଲଢୁଥିବା ଆଦିବାସୀ ସରକାରୀ ଗୁଳିରେ ପ୍ରାଣ ହରାଇଥିବାବେଳେ (ବିଶେଷତଃ ନବୀନ ସରକାରଙ୍କର ୧୨ବର୍ଷ ଶାସନ କାଳରେ ), ସାଙ୍ଗ୍ମା ଉଦ୍ବେଗ ପ୍ରକାଶ କରି ବିବୃତି ଦେଇଥିବା ସ୍ମରଣ କରି ହୁଏ ନାହିଁ । ବିବୃତ୍ତି ଦେଇଥିଲେ ନବୀନବାବୁ ଯେଉଁ ଏକନିଷ୍ଠ ସମର୍ଥନ ସାଙ୍ଗ୍ମାଙ୍କୁ ବର୍ତ୍ତମାନ ଜଣାଉଛନ୍ତି- ତାହା ହୁଏତ ସମ୍ଭବ ହୁଅନ୍ତାନାହିଁ । କିନ୍ତୁ ସାଙ୍ଗ୍ମା ତାଙ୍କ ନିଜ ପ୍ରଦେଶର ଓ ନିଜ ନିର୍ବାଚନ ମଣ୍ଡଳୀର ଆଦିବାସୀଙ୍କ ପାଇଁ ମଧ୍ୟ କିଛି କରିନାହାନ୍ତି ବୋଲି ତାଙ୍କ ଅଞ୍ଚଳରୁ ସ୍ୱର ଉଠିଛି । ଏହା ମେଘାଳୟର ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗ୍ମା କହିଛନ୍ତି । ସ୍ତମ୍ଭକାର ଜେ.ବି.ଲାମା (J.B.Lama) କୁହନ୍ତି ଯଦି ସେ କିଛି କରିଥାନ୍ତେ ତାହାଲେ ଗାରୋ ପାର୍ବତାଞ୍ଚଳ ଆଜି ସବୁଠାରୁ ବଡ ଉପଦ୍ରୁତ ଅଞ୍ଚଳ ହୋଇ ନଥାନ୍ତା । (The Statesman, 2/7/2012).
ପୂର୍ଣ୍ଣ ସାଙ୍ଗ୍ମା କିନ୍ତୁ ତାଙ୍କର ଉତ୍ତରପୁରୁଷକୁ ରାଜନୀତିରେ ସକ୍ରିୟକରାଇ-ନିଜ ପରିବାରକୁ ଇତ୍ୟବସରରେ ଏକ ସମ୍ପୂର୍ଣ୍ଣ ରାଜନୈତିକ ପରିବାରରେ ପରିଣତ କରିଛନ୍ତି । ସ୍ୱାଭାବିକ ବିଧାୟକ ପୁତ୍ର ଦ୍ୱୟ ଓ ସାଂସଦ ତଥା ମନ୍ତ୍ରୀ କନ୍ୟା-ପିତାଙ୍କ ପାଇଁ ଭୋଟ ପ୍ରଚାରରେ ମାତି ଯାଇଛନ୍ତି । କେଉଁ ସନ୍ତାନ ବା ନ ଚାହିଁବ ତାର ପିତା ଭାରତର ରାଷ୍ଟ୍ରପତି ହେଉ?