ସଚିବାଳୟ ବଗିଚାରେ ପାରିଜାତ ଫୁୁଲର ବାସ୍ନାକୁ ଆଘ୍ରାଣ କରି ଆନନ୍ଦରେ ବିଭୋର ନବୀନ ଟି.ଭି. ପରଦାରେ ଦୃଶ୍ୟମାନ ହେବା- ଓଡ଼ିଶାର ଦର୍ଶକମାନଙ୍କ ପାଇଁ ଏକ ବିରଳ ଦୃଶ୍ୟ । କାରଣ ଗଣମାଧ୍ୟମ ସାମ୍ନାକୁ ଆସିବା ବା ନିଜର ଲୁକ୍କାୟିତ ଲଳିତ ପ୍ରବୃତ୍ତିକୁ ସର୍ବସାଧାରଣରେ ପ୍ରଦର୍ଶିତ କରିବାର ପ୍ରବଣତା ନବୀନଙ୍କଠାରେ ଏଯାବତ୍ ଦେଖାଯାଇ ନଥିଲା । ପ୍ୟାରୀଙ୍କୁ ନିଲମ୍ବନ କରିବାପରେ, ନିଜ ଭିତରେ ଲୁଚାଇ ରଖୁଥିବା ନବୀନ, ଏହି ପ୍ରବଣତାକୁ ସଚେତନ ଭାବେ ପ୍ରକାଶ୍ୟ କରିବା ‘ମୁଁ ଆଦୌ ବିଚଳିତ ନୁହେଁ’ ଭଳି ସମ୍ବାଦ ବହନକରୁଛି ବୋଲି କହିବା ଅତିଶୟୋକ୍ତି ହେବନାହିଁ । ଏହି ସମ୍ବାଦ ମଧ୍ୟ ମିଳୁଛି, ଏକଦା ନବୀନ ନିବାସରେ ଇତ୍ୟବସରରେ ଅନୁଷ୍ଠିତ ହୋଇଯାଇଥିବା ଏକ ଦୃଷ୍ଟି ଆକର୍ଷଣକାରୀ ଭୋଜିଭାତର ଆୟୋଜନରୁ । ଏହି ଆୟୋଜନ ହୋଇଥିଲା ରାଷ୍ଟ୍ରପତି ପ୍ରାର୍ଥୀ ପି.ଏ.ସାଙ୍ଗ୍ମାଙ୍କ ପାଇଁ ସମର୍ଥନ ସଂଗ୍ରହରେ ଆସିଥିବା ସାଙ୍ଗ୍ମା ତନୟ କନ୍ରାଡ଼ଙ୍କୁ ଆପ୍ୟାୟିତ କରିବା ଉଦେ୍ଧଶ୍ୟରେ । ଏହି ଆସରରେ ଶତାଧିକ ବିଜେଡ଼ି ବିଧାୟକ ଓ ସାଂସଦ ଉପସ୍ଥିତ ଥିବା ବେଳେ, ପୁରାତନ ହିନ୍ଦି ସଙ୍ଗୀତର ମୂର୍ଚ୍ଛନାରେ ବାତାବରଣ ବେଶ୍ ଉପଭୋଗ୍ୟ ହେଉଥିଲା । ଗତ ୧୨ବର୍ଷ ଧରି ନବୀନ ନିବାସରେ ଏକାକୀ ନିରବତାକୁ ଉପଭୋଗ କରୁଥିବା ନବୀନ, ନବୀନନିବାସକୁ ଏକ କୋଳାହଳମୟ ପରିସରରେ ପରିଣତ କରିଦେଲେ ଓ ଏହାକୁ ଉପଭୋଗ କରୁଥିଲେ-ତାହା ସମସ୍ତଙ୍କୁ ବିସ୍ମିତ କରୁଥିଲା । କେହି କେହି ଏହି ରୂପାନ୍ତରଣକୁ ପ୍ୟାରୀ ନିଲମ୍ବନ ପରେ, ଏକ ଉଦ୍ବିଗ୍ନ ମାନସିକତାର ଅଭିବ୍ୟକ୍ତି ବୋଲି କହୁଥିଲେ । ଏହି ଅବସରରେ ନବୀନ ହସୁଥିଲେ । କିନ୍ତୁ ସେମାନଙ୍କ ମୁହଁରେ ହସ ଦିଶୁନଥିଲା ଯେଉଁମାନେ ମାସକତଳେ ଅତ୍ୟନ୍ତ ଉଲ୍ଲସିତ ଓ ଉତ୍ସାହିତ ଦିଶୁଥିଲେ; ପ୍ୟାରୀ ନିଲମ୍ବନରେ କଣ୍ଟାଗଲା ବୋଲି ଆଶ୍ୱସ୍ତ ହେଉଥିଲେ । ଆଜି ସେମାନଙ୍କ ଭିତରେ ଅଶ୍ୱସ୍ତି- କାରଣ ନବୀନ ଯେତେ ଗଡ଼ାଇ ଚାଲିଛନ୍ତି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳା । ତଥାପି ସେମାନେ ରହିଛନ୍ତି ସତର୍କ ଓ ଘୋଷି ଚାଲିଛନ୍ତି ନବୀନଙ୍କ ପ୍ରତି ସେମାନଙ୍କର ଆନୁଗତ୍ୟ-କାଳେ ହାଡ଼ଟା ତାଙ୍କୁ ଫୋପାଡ଼ିବେ ନବୀନ ।
-ଶୁଦ୍ରକ