ପାକିସ୍ଥାନରେ ଗଣିତନ୍ତ୍ର

  • 03/09/2015

ବେନାଜିର ଭୁଟ୍ଟୋଙ୍କର ହତ୍ୟା ଏକ ଅତ୍ୟନ୍ତ ଦୁଃଖଦ ଘଟଣା । ସେ ଆସିଥିଲେ ବହୁଦିନ ପରେ ନିଜ ଦେଶ ପାକିସ୍ଥାନକୁ – ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ । ସେହିଭଳି ନୱାଜ ସରିଫ ମଧ୍ୟ ଆସିଛନ୍ତି, ମୁଶାରଫ ତାଙ୍କର ସେନାଧ୍ୟକ୍ଷର ପୋଷାକ ମଧ୍ୟ ଓହ୍ଲାଇ ଦେଇଛନ୍ତି । ଯେପରି ସମସ୍ତେ ହେଉଥିଲେ ସଜବାଜ ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ । ଏହିସମୟରେ ସବୁଠାରୁ ଆକର୍ଷଣୀୟ ବେନାଜିର ଭୁଟ୍ଟୋଙ୍କୁ ଏହି ଆୟୋଜନରୁ ହଟାଇ ଦେବା ପାଇଁ କିଏ ଷଡ଼ଯନ୍ତ୍ର କଲା – ତାହା କେଭେ ବି ଉଦ୍ଘାଟିତ ହୋଇପାରିବ – ଏ ବିଶ୍ୱାସ ବର୍ତ୍ତମାନ କରିହେଉ ନାହିଁ । ତାଙ୍କର ମୁତୁ୍ୟର କାରଣ ଅଧିକରୁ ଅଧିକ ରହସ୍ୟମୟ ହୋଇପଡ଼ୁଛି ବୋଲି ଗଣମାଧ୍ୟମରେ ବାରମ୍ବାର କୁହାଯାଉଛି । ଅଲ୍-କାଏଦା ଯାହାକୁ ସରକାରୀ ସ୍ତରରେ ମୁଖ୍ୟତଃ ଦାୟୀ କରାଯାଉଛି – ସେମାନେ ମହିଳାଙ୍କୁ ହତ୍ୟା କରିବା ଧର୍ମବିରୋଧୀ ବୋଲି କହି – ଏହି ହତ୍ୟା ପାଇଁ ସେମାନେ ଦାୟୀ ନୁହନ୍ତି ବୋଲି କହୁଛନ୍ତି । ପ୍ରକୃତ କାରଣ ପାକିସ୍ଥାନ ସରକାର ଦ୍ୱାରା ଉଦ୍ଘାଟିତ ହୋଇପାରିବ ନାହିଁ ବୋଲି ବେନାଜିରଙ୍କ ସ୍ୱାମୀ ଅସିଫ ଅଲ୍ଲି ଜର୍ଦାରୀ ବାରମ୍ବାର ବିବୃତି ଦେଇଛନ୍ତି ଓ ଆନ୍ତର୍ଜାତିକ ସଙ୍ଗଠନ ଦ୍ୱାରା ତଦନ୍ତ ହେବ ବୋଲି ଦାବୀ କରୁଛନ୍ତି । ତେବେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଆସିଥିବା ବେନାଜୀର ଭୁଟ୍ଟୋଙ୍କର ନିଜ ଲୋକମାନେ ବେନାଜୀରଙ୍କର ୧୯ବର୍ଷର ପୁତ୍ର ବିଲାୱାଲ ଭୁଟ୍ଟୋ ଜର୍ଦାରୀଙ୍କୁ ପାକିସ୍ଥାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ କରିବା ଦ୍ୱାରା କେଉଁପ୍ରକାର ଗଣତନ୍ତ୍ରର ସୂଚନା ମିଳୁଛି – ତାହା ଅନୁମେୟ । ତେବେ ଆଜିକାର ଗଣତନ୍ତ୍ରରେ ରାଜତନ୍ତ୍ର ଭଳି ରକ୍ତ ସମ୍ପର୍କୀୟ ଉତ୍ତରାଧିକାରୀମାନଙ୍କର ଗୁରୁତ୍ୱ ସବୁଠାରେ ବଢ଼ୁଥିବାରୁ -ଗଣତନ୍ତ୍ର ଏକ ନୂତନ ପରିଭାଷା ଅପେକ୍ଷା କରୁଛି ।

Print Friendly, PDF & Email