ନନ୍ଦିନୀ ଶତପଥୀ- ଓଡ଼ିଶାର ଏଯାବତ୍ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ- ଯଦିଓ ସେ ନିଜକୁ ଏକ ମହିଳା ଅପେକ୍ଷା ଜଣେ ବ୍ୟକ୍ତିଭାବେ ପରିଚିତ ହେବାକୁ ଅଧିକ ପସନ୍ଦ କରୁଥିଲେ । ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ କାଳରେ ସେ ନିଜକୁ ଜଣେ ଖୁବ୍ ଟାଣୁଆ ମୁଖ୍ୟମନ୍ତ୍ରୀ ଭାବେ ପ୍ରତିପାଦିତ କରିପାରିଥିଲେ । ସେ ଜଣେ ନିର୍ଭୀକ ନେତ୍ରୀ ଥିଲେ- ଏହା କହିବା ବାହୁଲ୍ୟ ମାତ୍ର । ତାଙ୍କର ଜନ୍ମଦିନ ଇତ୍ୟବସରରେ ପାଳିତ ହୋଇଯାଇଛି- ବିଭିନ୍ନ ଅଞ୍ଚଳରେ । କିନ୍ତୁ ଯେଉଁ ଦୁଇଟି ସବୁଠାରୁ ଅଧିକ ଦୃଷ୍ଟି ଆକର୍ଷଣକାରୀ- ତାହା ହେଉଛି ସାଂସଦ ଓ ଧରିତ୍ରୀର ସମ୍ପାଦକ ତଥାଗତ ଶତପଥୀଙ୍କ ଦ୍ୱାରା ତାଙ୍କ ମା’ଙ୍କର ଜନ୍ମଦିନ ୯ଜୁନ୍ରେ ପାଳନ ଓ ୭ତାରିଖ ଦିନ ପୌତ୍ର ସୁପର୍ଣ୍ଣୋ ଶତପଥୀଙ୍କ ଦ୍ୱାରା ନନ୍ଦିନୀ ଦିବସ ଉପଲକ୍ଷେ ଏକ ଅନୁଷ୍ଠାନ । ପୌତ୍ର ସୁପର୍ଣ୍ଣୋଙ୍କ ଦ୍ୱାରା ପରିଚାଳିତ ଅନୁଷ୍ଠାନରେ ସାଂସଦ ମଣିଶଙ୍କର ଆୟାର ଉପସ୍ଥିତ ଥିବାବେଳେ-ପୁତ୍ର ତଥାଗତଙ୍କ ପରିଚାଳିତ ଅନୁଷ୍ଠାନରେ ବିଜୁ ଜନତା ଦଳ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀତ୍ୱପାଇଁ ଆଶାୟୀ ପି.ଏ.ସାଙ୍ଗ୍ମାଙ୍କର କନ୍ୟା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଆଗାଥା ସାଙ୍ଗ୍ମା ଉପସ୍ଥିତ ଥିଲେ ।
କିନ୍ତୁ ବିଡ଼ମ୍ବନା ଯେ ନନ୍ଦିନୀ ପ୍ରତିଷ୍ଠିତ ‘ଧରିତ୍ରୀ’ ଖବରକାଗଜରେ ପୌତ୍ର ସୁପର୍ଣ୍ଣାଙ୍କ ଦ୍ୱାରା ପରିଚାଳିତ ମଣିଶଙ୍କର ଆୟାରଙ୍କ ଦ୍ୱାରା ଉଦ୍ବୋଧିତ ଏହି ଅନୁଷ୍ଠାନ ସମ୍ପର୍କରେ ଧାଡ଼ିଟିଏ ସୁଦ୍ଧା ପ୍ରକାଶ ପାଇଲା ନାହିଁ । -ଶୁଦ୍ରକ