୧-୧୬ ଜାନୁଆରୀ, ୨୦୦୮
ଗୋଧ୍ରା ନରହତ୍ୟା ପାଇଁ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରି ନିର୍ବାଚନରେ ପରାସ୍ତ କରିବାର ସମସ୍ତ ପ୍ରୟାସ ବୃଥା ହେବା ବଙ୍ଗଳାରେ ବୁଦ୍ଧଦେବ ଓ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ପାଇଁ ଆଶ୍ୱସ୍ତିର ବିଷୟ ନିଶ୍ଚୟ । ନନ୍ଦିଗ୍ରାମ ନରହତ୍ୟା ବା କଳିଙ୍ଗନଗର ନରହତ୍ୟା ଏହି ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ଗାଦିଚୁ୍ୟତ କରିବାରେ ସମର୍ଥ ହେବନାହିଁ ବୋଲି ସେମାନେ ନରେନ୍ଦ୍ର ମୋଦୀଙ୍କ ବିଜୟରୁ ଭରସା ପାଉଥିବେ ଓ କିଛିଟା ଶଙ୍କାଶୂନ୍ୟ ମଧ୍ୟ ହେଉଥିବେ । ନନ୍ଦିଗ୍ରାମରେ ବୁଦ୍ଧଦେବ ବା ଭୁବନେଶ୍ୱରରେ ନବୀନ ପଟ୍ଟନାୟକଙ୍କ ବିଶାଳ ସଭାର ଆୟୋଜନ ସେମାନଙ୍କର ନିରାଶ ଭାବର ଅଭିବ୍ୟକ୍ତି ନୁହେଁ ତ? ଯେଉଁ ଘଟଣା ମନୁଷ୍ୟର ହୃଦୟକୁ ଆନେ୍ଦାଳିତ କରିଦେଇଛି- ମନୁଷ୍ୟ ସମାଜକୁ ସ୍ତବ୍ଧ କରିଦେଇଛି, ଏତେ କ୍ଷୋଭ, ବିକ୍ଷୋଭ, ପ୍ରତିବାଦ ସୃଷ୍ଟି କରୁଛି, ସେ ଘଟଣା କିନ୍ତୁ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରୁନାହିଁ – ତାହା ହିଁ ବିସ୍ମୟର ବିଷୟ । ଯେଉଁମାନେ ଏହିଭଳି ହୃଦୟ ବିଦାରକ ଘଟଣା ପାଇଁ ଦାୟୀ-ସେମାନେ କ୍ଷମତାରେ ରହୁଛନ୍ତି, ରହିପାରୁଛନ୍ତି; ଏହା କେବଳ ଜାତୀୟ ବା ପ୍ରାଦେଶିକ ସ୍ତରରେ ହେଉନାହିଁ – ବା ଏକ ଅନଗ୍ରସର ଭୂଖଣ୍ଡରେ ହେଉନାହିଁ-ଏହା ସବୁଠାରୁ ବିକଶିତ ରାଷ୍ଟ୍ର ଆମେରିକାରେ ମଧ୍ୟ ହୋଇଛି – ତା’ ନହେଲେ ଇରାକକୁ ଧ୍ୱସ୍ତବିଧ୍ୱସ୍ତ କରିଥିବା, ସମଗ୍ର ମାନବ ସମାଜ ସାମନାରେ ଅପରାଧୀ ଜର୍ଜବୁଶ୍ ଆମେରିକାରେ ପୁନର୍ବାର ରାଷ୍ଟ୍ରପତି ହେଲେ କିପରି? ମୋଦିଙ୍କ ବିଜୟ ପ୍ରମାଣ କରୁଛି ଯେ- ଯେଉଁ ଘଟଣା ଦ୍ୱାରା ସଚେତନ ଚିନ୍ତାଶୀଳ ବ୍ୟକ୍ତିମାନେ ପ୍ରଭାବିତ ହେଉଛନ୍ତି – ତାହାର ପ୍ରଭାବର ବ୍ୟାପ୍ତି ସୀମିତ । ବୋଧହୁଏ ବିଭିନ୍ନ ସମସ୍ୟା ଘେରରେ ଥିବା ମଣିଷପାଇଁ ଏହି ଘଟଣା ଖୁବ୍ ବେଶୀ ଗୁରୁତ୍ୱପୂର୍ଣ୍ଣ ନୁହେଁ । ତେଣୁ ତା’ର ଅନ୍ୟ ସମସ୍ୟା ଗୁଡ଼ିକର ସମାଧାନର ଯଦି ପ୍ରତିଶ୍ରୁତି ନେତା ଦେଇପାରୁଛି – ତା’ ହେଲେ ସମର୍ଥନର ପ୍ରତିଶ୍ରୁତି ସେ ପାଇବ । ବୋଧହୁଏ ଏହି କୌଶଳ ବର୍ତ୍ତମାନର ରାଜନେତା ମାନେ ପ୍ରୟୋଗ କରୁଛନ୍ତି ।
ଅବଶ୍ୟ ମୋଦୀ, ବୁଦ୍ଧଦେବ ଓ ନବୀନଙ୍କୁ ଗୋଟିଏ ମାପକାଠିରେ ମାପିବା ସେମାନଙ୍କ ପ୍ରତି ଅନ୍ୟାୟ ହେବ । କାରଣ ଗୋଧ୍ରାକାଣ୍ଡ ପାଇଁ ମୋଦୀ ଅନୁତପ୍ତ ନ ହୋଇଥିବା ବେଳେ ବୁଦ୍ଧଦେବ ଅନ୍ତତଃ ନନ୍ଦିଗ୍ରାମ ଘଟଣା ପାଇଁ ଓ ନବୀନ କଳିଙ୍ଗନଗର ଘଟଣା ପାଇଁ ଅନୁତପ୍ତ ବୋଲି ଗଣମାଧ୍ୟମରେ କହିଛନ୍ତି । କେତେଦୂର ଏହି ଅନୁତାପ ଆନ୍ତରିକ, ତାହା ଭିନ୍ନ କଥା ।