୧୬-୩୧ ମଇ ୨୦୧୨
ମାସେ ନପୁରୁଣୁ କାର୍ଟୁନ୍କୁ ନେଇ ଆଉ ଏକ ବିବାଦ ମୁଣ୍ଡ ଟେକିଛି । ଏବେ ପଶ୍ଚିମବଙ୍ଗରେ ନୁହେଁ, ବିବାଦ ଦିଲ୍ଲୀରେ-ସଂସଦରେ । ଯେଉଁ କାର୍ଟୁନ୍କୁ ନେଇ ବିବାଦ ତାହା ଅଙ୍କାଯାଇଥିଲା ସମ୍ବିଧାନ ପ୍ରଣୟନ ହେବା ପୂର୍ବରୁ । ଆଙ୍କିଥିଲେ ପ୍ରସିଦ୍ଧ କାର୍ଟୁନିଷ୍ଟ କେଶବ ଶଙ୍କର ପିଲାଇ ବା ଶଙ୍କର । ଏହା ଶଙ୍କରସ୍ ୱିକ୍ଲି (Shankar’s Weekly)ରେ ପ୍ରକାଶିତ ହୋଇଥିଲା ୨୮ଅଗଷ୍ଟ ୧୯୪୯ ମସିହାରେ । କାର୍ଟୁନ୍ଟି ହୋଇଥିଲା ସମ୍ବିଧାନର ପ୍ରଣେତା ଡକ୍ଟର ବି.ଆର.ଆମ୍ବେଦକର ଓ ଜବାହାରଲାଲ ନେହେରୁଙ୍କୁ ନେଇ । ଗେଣ୍ଡା (Snail) ଉପରେ ଆମ୍ବେଦକର ବସିଛନ୍ତି ଓ ଗୋଟିଏ ଛାଟ ଧରି ଗେଣ୍ଡାକୁ ଅଡ଼େଉଛନ୍ତି ଓ ତାଙ୍କ ପଛରେ ଜବାହାରଲାଲ ଛାଟ ଉଞ୍ଚାଇ ଠିଆ ହୋଇଛନ୍ତି । ସମ୍ବାଦ ହେଉଛି ଯେ ସମ୍ବିଧାନ ପ୍ରଣୟନର ଧିମାଗତି ଓ ଏହାକୁ ତ୍ୱରିତ କରିବା ପାଇଁ ଜବାହାରଲାଲଙ୍କର ବ୍ୟଗ୍ରତା । ବିଡ଼ମ୍ବନା ଯେ ଯେତେବେଳେ ଭାରତୀୟ ସଂସଦ ତା’ର ହୀରକ ଜୟନ୍ତୀ ପାଳନ କରିବାର ଦ୍ୱାରଦେଶରେ (ମେ ୧୩, ୨୦୧୨), ସେତିକିବେଳେ (ମେ ୧୧, ୨୦୧୨) ଏହି କାର୍ଟୁନ୍କୁ ନେଇ ସଂସଦରେ ଉଠିଛି ଝଡ଼ । ୨୦୦୬ ମସିହାରୁ ଏନ୍.ସି.ଇ.ଆର.ଟି (NCERT)ର ଏକାଦଶ ଶ୍ରେଣୀ ପୁସ୍ତକ Indian Constitution At workରେ ସ୍ଥାନିତ ଏହି କାର୍ଟୁନ୍ ଆମ୍ବେଦକରଙ୍କ ପ୍ରତି ଅସମ୍ମାନବୋଲି ଗର୍ଜିଛନ୍ତି ବିଏସ୍ପି(BSP), ଏସ୍.ପି (S.P), ଏଆଇଡିଏମ୍କେ (AIDMK), ସିପିଆଇ(CPI) ଏବଂ ବିଦୁତଲାଇ ଚିରୁଥାଇଗାଲ କାଛି(Viduthalai Chiruthaigal Katchi (VCK))ର ମାନ୍ୟବର ସଭ୍ୟମାନେ । (ଦ୍ରଷ୍ଟବ୍ୟ: The New Indian Express, 12 May 2012) ବି.ଏସ୍.ପି. ମୁଖ୍ୟ ମାୟାୱତୀ ତ ଘୋଷଣା କରିଦେଲେ ଯେ ଯଦି ୩ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନହୁଏ ତା’ହେଲେ ସେ ସଂସଦକୁ ଅଚଳ କରିଦେବେ । ତୃଣମୂଳ କଂଗ୍ରେସ ତ ଏହି କାର୍ଟୁନ୍କୁ ପୁସ୍ତକରେ ସ୍ଥାନଦେବା ଏକ ଅପରାଧ ଓ ଅତ୍ୟନ୍ତ ଲଜ୍ଜାଜନକ ବୋଲି ମନ୍ତବ୍ୟ କଲେ । ଆର.ଜେ.ଡ଼ି (R.J.D)ମୁଖ୍ୟ ଲାଲୁପ୍ରସାଦ ଏହି କାର୍ଟୁନର ପ୍ରକାଶନକୁ ଏକ ଦୁଃଖଦ ଘଟଣା କହିଥିବା ବେଳେ, ଏଲ୍.ଜେ.ପି (L.J.P)ର ମୁଖ୍ୟ ରାମବିଳାସ ପାଶୱାନ, ଏସ୍.ସି./ଏସ୍.ଟି ଆକ୍ଟ ଅନୁସାରେ, ଏହି କାର୍ଟୁନ୍କୁ ପୁସ୍ତକରେ ସ୍ଥାନ ଦେବା କ୍ଷେତ୍ରରେ ଯେଉଁମାନେ ଦାୟୀ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଲେ ।
ଏହି ପ୍ରସଙ୍ଗକୁ ନେଇ ସଂସଦରେ ଏତେ ହଟ୍ଟଗୋଳ ସୃଷ୍ଟିହେଲା ଯେ, ମାନବ ସମ୍ବଳ ବିକାଶ ମନ୍ତ୍ରୀ କପିଳ ସିବଳ ଏହି କାର୍ଟୁନ୍ ପୁସ୍ତକରେ ସ୍ଥାନିତ ହେବା ଠିକ୍ ହୋଇନାହିଁ ବୋଲି ସ୍ୱୀକାର କରିବା ସହିତ-ଏଥିପାଇଁ କ୍ଷମାପ୍ରାର୍ଥନା କଲେ । ଯଦିଓ ସେ ଏହା ସୂଚାଇଦେବାକୁ ବିଳମ୍ବ କଲେନାହିଁ ମେ ୨୦୦୬ରେ ସେ ମାନବସମ୍ବଳ ବିକାଶ ମନ୍ତ୍ରୀ ନ ଥିଲେ । ସେ ମଧ୍ୟ ନିଦେ୍ର୍ଧଶ ଦେଲେ ଏନ୍.ସି.ଇ.ଆର୍.ଟିକୁ ଏହି ବହିର ବିତରଣ ବନ୍ଦ କରିବାକୁ ଓ ଆଗାମୀବର୍ଷଠାରୁ ଏହି କାର୍ଟୁନ୍କୁ ପୁସ୍ତକରେ ସ୍ଥାନିତ ନକରିବାକୁ । ଏହି ହଟ୍ଟଗୋଳ ଭିତରେ ପୁସ୍ତକ ପ୍ରଣୟନ କମିଟିରୁ ଦୁଇ ସଦସ୍ୟ ଯଥା ଯୋଗେନ୍ଦ୍ର ଯାଦବ ଓ ସୁଭାଷ ପାଲସିକର ମଧ୍ୟ ଇସ୍ତଫା ଦେଇଦେଲେ ।
ସବୁଠାରୁ ତାପôର୍ଯ୍ୟପୂର୍ଣ୍ଣ ବିଷୟ ହେଉଛି ଯେ ଏହି କୋଳାହଳ ଭିତରେ ବିଜେପି ସାଂସଦମାନେ ଗୃହମନ୍ତ୍ରୀ ଚିଦାମ୍ବରମଙ୍କ ପୁଅ ବିରୋଧରେ ଆଣିଥିବା ଦୁର୍ନୀତି ଅଭିଯୋଗ ଆଡ଼େଇ ହୋଇଗଲା । ଯଦି ଆମେ ଏହାକୁ ଅଣଦେଖା ନକରୁ ଯେ ତାମିଲନାଡ଼ୁର ଠଉକ ଦଳର ଏକ ମାତ୍ର ସାଂସଦଙ୍କ ଦ୍ୱାରା ହିଁ ସର୍ବପ୍ରଥମେ କାର୍ଟୁନ୍ ପ୍ରସଙ୍ଗ ଉଠି ଏପରି ଝଡ଼ ସୃଷ୍ଟି କଲା ଯାହା ସହିତ ସ୍ୱର ମିଳାଇବାକୁ ପଛାଇଲେ ନାହିଁ ଉପା ସରକାରରେ ଥିବା ସହଯୋଗୀ ଦଳ ଓ ଏହାର ସମର୍ଥକ ଦଳ, ସେତେବେଳେ ମନରେ ସନେ୍ଦହ ଉଠିବା ସ୍ୱାଭାବିକ ଯେ କାର୍ଟୁନ୍ ପ୍ରସଙ୍ଗ ଆମ୍ବେଦକରଙ୍କ ପ୍ରତି ଅସମ୍ମାନର ବ୍ୟଥାରୁ ଉତ୍ଥାପିତ ହୋଇଥିଲା ନା ଚିଦାମ୍ବରମ୍ଙ୍କୁ ବିରୋଧୀ ବିଜେପିର ଆକ୍ରମଣରୁ ମୁକୁଳେଇବା ପାଇଁ ଉତ୍ଥାପିତ ହୋଇଥିଲା?
କାରଣ ୨୦୦୬ମସିହାରୁ ଏନ୍.ସି.ଇ.ଆର.ଟି ପୁସ୍ତକରେ ସ୍ଥାନିତ ଏହି କାର୍ଟୁନ୍ ଏଯାବତ୍ କୌଣସି ପ୍ରତିକ୍ରିୟା କୌଣସି ମହଲରେ ସୃଷ୍ଟି କରିନଥିଲା । ଏହି କାର୍ଟୁନ୍ ୬୨ବର୍ଷ ତଳେ ଯେତେବେଳେ ଅଙ୍କା ଯାଇଥିଲା ଓ ପ୍ରକାଶିତ ହୋଇଥିଲା ସେତେବେଳେ ଆମ୍ବେଦକର ବଞ୍ଚôଥିଲେ । ଏହି କାର୍ଟୁନ୍ ବିରୋଧରେ ତାଙ୍କର ପ୍ରତିକ୍ରିୟାର କୌଣସି ଦୃଷ୍ଟାନ୍ତ ଆମେ ପାଉନା । ଜବାହାରଲାଲ ତ ଶଙ୍କରଙ୍କୁ କହିଥିଲେ, ‘ମୋତେ ଛାଡ଼ିବ ନାହିଁ- ଶଙ୍କର’ । (Do not spare me shankar) । ଜବାହାରଲାଲଙ୍କର ୧୫୦୦ ବ୍ୟଙ୍ଗଚିତ୍ର ଆଙ୍କିଥିଲେ ଶଙ୍କର । ଶଙ୍କର ଏତେ ପ୍ରିୟ କାର୍ଟୁନିଷ୍ଟ ଥିଲେ ଯେ, ରାଜନୈତିକ ନେତାମାନେ ତାଙ୍କୁ ଅନୁରୋଧ କରୁଥିଲେ ସେମାନଙ୍କ ଉପରେ ବ୍ୟଙ୍ଗଚିତ୍ର କରିବା ପାଇଁ । ‘କାହିଁକି ଆମର ବ୍ୟଙ୍ଗଚିତ୍ର ବାହାରୁ ନାହିଁ?’- ବୋଲି ପ୍ରଶ୍ନ କରୁଥିଲେ ଶଙ୍କରଙ୍କୁ । ଶଙ୍କରଙ୍କୁ ଭାରତସରକାର ପଦ୍ମବିଭୂଷଣ ଦ୍ୱାରା ସମ୍ମାନିତ କରିଥିଲେ ୧୯୭୬ମସିହାରେ । ତେଣୁ ହଠାତ୍ ଏହି କାର୍ଟୁନ୍କୁ ଆମ୍ବେଦକରଙ୍କ ପ୍ରତି ଅସମ୍ମାନ ବୋଲି ଅଭିଯୋଗକରି ସଂସଦକୁ ଅଚଳ କରିଦେବାର ଧମକ ପଛରେ ପ୍ରକୃତ କାରଣ କ’ଣ ତାହା ଅନୁସନ୍ଧାନ ସାପେକ୍ଷ । ତେବେ ଏହା ନିଶ୍ଚିତ ଯେ, ଆମ୍ବେଦକର ଯଦି ବଞ୍ଚôଥାନ୍ତେ ତା’ହେଲେ ଏହିଭଳି ବିବାଦ ଆଦୌ ଉପୁଜି ନଥାନ୍ତା । ଭାରତୀୟ ସମ୍ବିଧାନର ଧାରା ୧୯କୁ ଖର୍ବ କରିବାର ସମସ୍ତ ଉଦ୍ୟମକୁ ଏହି ପ୍ରାତଃ ସ୍ମରଣୀୟ ସମ୍ବିଧାନପ୍ରଣେତା ବିରୋଧ କରିଥାନ୍ତେ- ଏଥିରେ ସନେ୍ଦହ ନାହିଁ ।
ତେବେ ଆମ୍ବେଦକର କାର୍ଟୁନ୍କୁ ନେଇ ବିତର୍କ ଫଳରେ ତୃଣମୂଳ କଂଗ୍ରେସର ଏକାକୀତ୍ୱ ଭାଙ୍ଗିଛି । କିଛିଦିନ ତଳେ ଏକ କାର୍ଟୁନ୍ ଚିତ୍ରକୁ କେନ୍ଦ୍ରକରି ଏହାକୁ ବିତରଣ କରିଥିବା ଯାଦବପୁର ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅମ୍ବିକେଶ ମହାପାତ୍ରଙ୍କୁ ଯେତେବେଳେ ତୃଣମୂଳ ସରକାର ଗିରଫ କଲେ- ସେତେବେଳେ କାର୍ଟୁନ୍ବିରୋଧୀ ପଦକ୍ଷେପ ନେବାରେ ତୃଣମୂଳ କଂଗ୍ରେସ ଥିଲା ଏକମାତ୍ର ଦଳ ଓ କାର୍ଟୁନ୍ ପ୍ରସଙ୍ଗରେ ଏହା ଥିଲା ଭାରତ ମାଟିରେ ପ୍ରଥମ ଘଟଣା । ଏବେ ବହୁ ରାଜନୈତିକ ଦଳ କାର୍ଟୁନ୍ ବିରୋଧୀ ହୋଇପାରନ୍ତି ବୋଲି ସୂଚନା ମିଳିଲାଣି । ତେଣୁ କାର୍ଟୁନିଷ୍ଟଙ୍କ ପାଇଁ ଖରାପ ସମୟ ଆସୁଛି । ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଫାସିବାଦୀ ମାନସିକତା ବୃଦ୍ଧିପାଉଛି, ଅସହିଷ୍ଣୁତା ବୃଦ୍ଧିପାଉଛି, ଖୋଲାମନରେ ହସିପାରୁଥିବା ନେତାଙ୍କର ସଂଖ୍ୟା ତୀବ୍ରଗତିରେ ହ୍ରାସ ପାଉଛି । କେତୋଟି ରେଖାକୁ ତ ନେଇ କାର୍ଟୁନ୍ । କିନ୍ତୁ ବର୍ତ୍ତମାନ ରାଜନୈତିକ ଦଳଗୁଡ଼ିକର ଏହା ପ୍ରତି ଯେଉଁଭଳି ଅସହିଷ୍ଣୁତା ବୃଦ୍ଧିପାଉଛି ତାହା ସୂଚାଇଦେଉଛି- ଆଗାମୀ ଦିନରେ ରାଜନୀତିର ରୂପରେଖ କ’ଣ ହେବ ।- ପ୍ରଶ୍ନ ସ୍ୱାଭାବିକ ମନରେ ଉଠୁଛି- ଆମ୍ବେଦକରଙ୍କର ସମ୍ବିଧାନ ତା’ର ମୌଳିକତାକୁ ରକ୍ଷା କରିପାରିବ ତ? -ଶୁଦ୍ରକ