ପ୍ରତିଶୋଧ ନେଲା କୋକାକୋଲା

  • 18/09/2015

କି୍ରକେଟ ତାରକା ସଚିନ ତେନ୍ଦୁଲକର ରାଜ୍ୟସଭା ସଦସ୍ୟଭାବେ ମନୋନୀତ ହେବା-ଗଣମାଧ୍ୟମରେ ଚର୍ଚ୍ଚାର ଏକ ସ୍ରୋତ ଫିଟାଇ ଦେଇଛି । ଏହାଦ୍ୱାରା ୩୯ବର୍ଷ ବୟସ୍କ ସଚିନଙ୍କର ଖେଳ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବବୋଲି ଅନେକେ ମତ ପୋଷଣ କରୁଥିବା ବେଳେ ରାଜ୍ୟସଭା ସଦସ୍ୟମାନେ ସଚିନଙ୍କର ଭୂମିକା ସେଭଳି ଚମକପ୍ରଦ ହେବ ନାହିଁ ବୋଲି କେହି କେହି ମନ୍ତବ୍ୟ କରିଛନ୍ତି । ବିତର୍କଠାରୁ ନିରାପଦ ଦୂରତା ରକ୍ଷା କରୁଥିବା ହୁସିଆର ସଚିନ କୌଣସି ଏକ ବିଷୟରେ ସ୍ପଷ୍ଟମତ ପୋଷଣ କରିଥିବା, କେହି ଦେଖିନାହିଁ । ଏପରିକି ଖେଳ ସମ୍ପର୍କରେ ମଧ୍ୟନୁହେଁ । ତେଣୁ ରାଜ୍ୟସଭାରେ ସଚିନ କ୍ରିକେଟ ପଡ଼ିଆରେ ସଚିନଙ୍କ ପରି ଆଦୌ ଆକର୍ଷଣୀୟ ହେବେନାହିଁ । କିନ୍ତୁ କଂଗ୍ରେସ ମୁଖପାତ୍ର ମନୀଷ ତିୱାରୀଙ୍କ ଅନୁସାରେ ମନୋନୀତ ସଦସ୍ୟମାନଙ୍କର ସ୍ୱୀକୃତି ନେଇସାରିଲା ପରେ ଯାଇ ନାମର ଘୋଷଣା କରାଯାଇଥାଏ । ତେଣୁ ସଚିନ ରାଜ୍ୟସଭା ସଦସ୍ୟତା ପାଇଁ ସ୍ୱୀକୃତି ଯେ ଦେଇଛନ୍ତି ଏଥିରେ ସନେ୍ଦହ ନାହିଁ । ତେଣୁ ଯେଉଁମାନେ ଆଶଙ୍କା କରୁଛନ୍ତି ଯେ ଏହାଦ୍ୱାରା ତାଙ୍କ ଖେଳ ପ୍ରଭାବିତ ହେବ, ତାହା ସଚିନଙ୍କ ଦୃଷ୍ଟିରେ ବୋଧେ ଠିକ୍ ନୁହେଁ । ଖେଳ ଅପେକ୍ଷା- ରାଜ୍ୟସଭା ସଦସ୍ୟତା ତାଙ୍କ ପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଭାବିଥିବାରୁ- ସଦସ୍ୟତା ପାଇଁ ସ୍ୱୀକୃତି ଦେଇଛନ୍ତି । ଏହା ଏକ ସମ୍ମାନ ବୋଲି ସେ ନିଶ୍ଚୟ ବିଚାର କରୁଛନ୍ତି ।
କିନ୍ତୁ ସଚିନଙ୍କର ଖେଳାଳୀଭାବେ ଯୋଗ୍ୟତା ବ୍ୟତିରେକ, ଯେଉଁମାନେ ସଚିନଙ୍କୁ ମୃଦୁପାନୀୟ କୋକକୋଲାଙ୍କ କମ୍ପାନୀର ବ୍ରାଣ୍ଡ୍ ଆମ୍ବାସାଡ଼ାର (Brand Ambasador) ଭାବେ ଚିହ୍ନନ୍ତି – ସେମାନେ ସଚିନଙ୍କର ରାଜ୍ୟସଭା ସଦସ୍ୟତାକୁ କୋକାକୋଲାର ବିଜୟଭାବେ ବିଚାର କରିବା ସ୍ୱାଭାବିକ । କାରଣ ୨୦୦୩ ମସିହାରୁ ସଂସଦର କ୍ୟାଣ୍ଟିନରେ ମୃଦୁପାନୀୟ-କୋକାକୋଲା ଓ ପେପ୍ସି କୋଲାର ବ୍ୟବହାର ଉପରେ ନିଷେଧାଜ୍ଞା ଏଯାବତ୍ ବଳବତ୍ତର ରହିଛି । ଏହି ନିଷେଧାଜ୍ଞା କୋକାକୋଲା ପାଇଁ ଯେ ଅବମାନନା, ଏଥିରେ ସନେ୍ଦହ ନାହିଁ । ତେଣୁ କୋକାକୋଲାର ବ୍ରାଣ୍ଡ୍ ଆମ୍ବାସାଡ଼ାର ସଚିନ ତେନ୍ଦୁଲକର ରାଜ୍ୟସଭାରେ ମନୋନୀତ ସଭ୍ୟଭାବେ ପ୍ରବେଶ କରିବା-କୋକାକୋଲାକୁ ତା’ପ୍ରତି ଅବମାନନା ବିରୋଧରେ ପ୍ରତିଶୋଧର ଆତ୍ମତୃପ୍ତି ଦେଉଥିବ । କେବଳ ଦେଖିବାକୁ ରହିଲା ଯେ ଗତବର୍ଷ କୋକାକୋଲା ସହିତ ୩ବର୍ଷ ପାଇଁ ୨୦କୋଟି ଟଙ୍କାର ଚୁକ୍ତି ଦସ୍ତଖତ କରିଥିବା ସଚିନ ରାଜ୍ୟସଭା ସଦସ୍ୟର ପରିଚିତି ପରେ ଏହି ପରିମାଣକୁ ବୃଦ୍ଧି କରିବା ପାଇଁ କୋକାକୋଲା ଠାରେ ଦାବି କରୁଛନ୍ତି କି ନାହିଁ । ଆହୁରି ମଧ୍ୟ ଦେଖିବାକୁ ରହିଲା ଯେ ସଚିନଙ୍କର ମନୋନୟନ ଦ୍ୱାରା ଉତ୍ଫୁଲ୍ଲିତ ସାଂସଦମାନେ କୋକାକୋଲା ଉପରୁ ନିଷେଧାଜ୍ଞା କେବେ ଉଠାଉଛନ୍ତି ।
-ଶୁଦ୍ରକ

Print Friendly, PDF & Email