୧-୧୫ ମଇ ୨୦୧୨
କାର୍ଟୁନ୍ ଏକ ମରିଯାଉଥିବା କଳା (cartoon is a dying art) ବୋଲି ଯେତେବେଳେ ହାତଗଣତି କାର୍ଟୁନିଷ୍ଟ (cartoonist)ମାନେ କହୁଛନ୍ତି ସେତିକିବେଳେ କାର୍ଟୁନ୍ ପ୍ରତି ଜନସାଧାରଣଙ୍କର କୌତୁହଳକୁ ବଢ଼ାଇଥିବାରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରକୃତରେ ‘ଧନ୍ୟବାଦାର୍ହ’ । ମମତାଙ୍କ ଉପରେ ଏକ କାର୍ଟୁନ୍କୁ ବିଭିନ୍ନ ଲୋକଙ୍କ ଦୃଷ୍ଟିକୁ ଇଣ୍ଟରନେଟ୍ ମାଧ୍ୟମରେ ଆଣିଥିବା ‘ଦୋଷ’ରେ ଅଭିଯୁକ୍ତ ଯାଦବପୁର ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ଅଧ୍ୟାପକ ଅମ୍ବିକେଶ ମହାପାତ୍ରଙ୍କୁ, ମମତାଙ୍କ ନେତୃତ୍ୱରେ ତୃଣମୂଳ ସରକାର, ଗିରଫ କରି ଗୋଟିଏ ରାତି ଯଦି କାରାଗାରରେ ବନ୍ଦ କରିନଥାନ୍ତେ- ତା’ହେଲେ କାର୍ଟୁନ୍ ପ୍ରତି ଯେଉଁ କୌତୁହଳ ଗଣମାଧ୍ୟମରେ ଦୃଶ୍ୟମାନ ହେଉଛି- ତାହା ଆଦୌ ଦୃଶ୍ୟ ହୁଅନ୍ତା ନାହିଁ । ଏତଦ୍ବ୍ୟତୀତ ଏହାର ପ୍ରତିକ୍ରିୟାରେ ଯେଉଁ ସଂଖ୍ୟାରେ କାର୍ଟୁନ୍ମାନ ଅଙ୍କନ କରାଯାଉଛି- ତାହା ମଧ୍ୟ ହୁଅନ୍ତା ନାହିଁ । ତେଣୁ ଯେଁଉମାନେ କାର୍ଟୁନର ହିତକାଂକ୍ଷୀ ଓ ଏହାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରନ୍ତି, ସେମାନେ ନିଶ୍ଚୟ ମମତାଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇବେ ଓ ଅମ୍ବିକେଶଙ୍କୁ ସହିଦର ମାନ୍ୟତା ଦେବେ ।
କିନ୍ତୁ ଅନେକ ମମତାଙ୍କ ଏହିଭଳି ଆଚରଣରେ ଫାସିବାଦର ପଦଧ୍ୱନି ଶୁଣୁଛନ୍ତି । ତିନି ଦଶନ୍ଧିରୁ ଊଦ୍ଧ୍ୱର୍ ସାମ୍ୟବାଦୀ ଶାସନ ପରେ ଫାସିବାଦ ଆସିବା ନିଶ୍ଚିତ ଭାବରେ ଏକ ବିଡ଼ମ୍ବନା- ବିଶେଷତଃ ଯେତେବେଳେ ରାଜ୍ୟ ହେଉଛି ପଶ୍ଚିମବଙ୍ଗ-ଯେଉଁଠାରେ ଅଧିବାସୀଙ୍କର ବୌଦ୍ଧିକ ସ୍ତର ଓ ରାଜନୈତିକ ଚେତନା ଅନ୍ୟ ରାଜ୍ୟମାନଙ୍କର ଅଧିବାସୀମାନଙ୍କ ତୁଳନାରେ ବେଶ୍ ଅଧିକ । ବସ୍ତିଉଚ୍ଛେଦକୁ ବିରୋଧ କରି ଗିରଫ ହୋଇଥିବା Indian Institute of Science Education and Research (IISER)ର ତରୁଣ ଅଧ୍ୟାପକ ପାର୍ଥ ରାୟଙ୍କ ଅନୁସାରେ ତ ପଶ୍ଚିମବଙ୍ଗରେ ମାଡ଼ିଆସୁଛି ଅନ୍ଧାର ଯୁଗ ।
ଏହିଭଳି ଉପଲବ୍ଧô- ମମତା କ୍ଷମତାସୀନ ହେବାର ଏକ ବର୍ଷ ନପୁରୁଣୁ- ପଶ୍ଚିମବଙ୍ଗ ବୁଦ୍ଧିଜୀବୀଙ୍କୁ ଆକ୍ରାନ୍ତ କରିବା ନିଶ୍ଚିତଭାବରେ ଏକ ସୁଖକର ଦୃଶ୍ୟ । ମମତାଙ୍କୁ ଧନ୍ୟବାଦ ଯେ ସେ ତାଙ୍କର ଏକଛତ୍ରବାଦୀ ଆଚରଣଗୁଡ଼ିକୁ ଅବିଳମ୍ବେ ବଙ୍ଗଳାର ବୁଦ୍ଧିଜୀବୀମାନଙ୍କ ସମ୍ମୁଖରେ ଉନ୍ମୁକ୍ତ କରିଦେଲେ । ମମତାଙ୍କୁ ଧନ୍ୟବାଦ ଯେ ସେ ଜଣାଇଦେଲେ ଯେ ଯଦି ସିପିଏମ୍ ସରକାର ଥିଲା ଏକଛତ୍ରବାଦୀ-ତା’ହେଲେ ତାଙ୍କ ସରକାର କଦାପି ପଛରେ ରହିବ ନାହିଁ । ତେବେ ଫରକ ଏତିକି ଯେ ସିପିଏମ୍ର ଥିଲା ପଲିଟିବୁ୍ୟରୋ ଯାହା ମମତା ହିଁ ନିଜେ ତାଙ୍କ ଦଳର ‘ପଲିଟିବୁ୍ୟରୋ’- ତାଙ୍କ କଥାରେ ହିଁ ପତ୍ର ହଲିବ ବା ହଲିବ ନାହିଁ ।
-ଶୁଦ୍ରକ