ଅପହରଣ ପ୍ରସଙ୍ଗ

  • 17/09/2015

୧୬-୩୦ ଏପ୍ରିଲ ୨୦୧୨

ମାଓବାଦୀଙ୍କ ଦ୍ୱାରା ହୋଇଥିବା ଅପହରଣ ଗଣମାଧ୍ୟମକୁ ବେଶ୍ ଆଚ୍ଛାଦିତ କରିରଖିଛି । ବିଧାନସଭା ଚାଲିଥିବା ସମୟରେ ହୋଇଥିବା ଏହି ଅପହରଣ-ବିଧାନସଭାର ଆଲୋଚନାରେ ଏପରି ପ୍ରମୁଖତା ଲାଭ କଲା ଯେ ଅନୁମୋଦନରେ ଜିନ୍ଦଲ କମ୍ପାନୀର ଜମି ଅଧିଗ୍ରହଣକୁ କେନ୍ଦ୍ର କରି ହୋଇଥିବା ବିକ୍ଷୋଭ ଓ ବିକ୍ଷୋଭକାରୀଙ୍କ ଉପରେ ଅମାନୁଷିକ ବଳପ୍ରୟୋଗ ପ୍ରସଙ୍ଗ ସମ୍ପୂର୍ଣ୍ଣ ଅଣଦେଖା ହୋଇଗଲା । ଜନପ୍ରତିନିଧିମାନେ ଅନୁଗୋଳବାସୀଙ୍କ ଉପରେ ମାଡ଼ ବିରୋଧରେ କୌଣସି ମତାମତ ରଖିବାର ସୁଯୋଗ ପାଇଲେ ନାହିଁ-ଏହା ଜିନ୍ଦଲ କମ୍ପାନୀ ପାଇଁ ଆଶ୍ୱସ୍ତିର କାରଣ ହୋଇଥିବ ନିଶ୍ଚୟ ।
ଏହି ଅପହରଣ ପ୍ରସଙ୍ଗରୁ ଜଣାପଡ଼ିଲା ଯେ, ଓଡ଼ିଶାରେ ସଂଗ୍ରାମରତ ମାଓବାଦୀଙ୍କ ମଧ୍ୟରେ ଦୁଇଟି ଗୋଷ୍ଠୀ ଅଛନ୍ତି- ଯେଉଁମାନଙ୍କ ମଧ୍ୟରେ ମତପାର୍ଥକ୍ୟ ପ୍ରତି ଗଣମାଧ୍ୟମ ଇଙ୍ଗିତ କରୁଛି । ସବ୍ୟସାଚୀ ପଣ୍ଡାଙ୍କ ନେତୃତ୍ୱରେ ଓଡ଼ିଶା ଗୋଷ୍ଠୀ (Odisha State organising Committee of the CPI (Maoist)) ଦୁଇ ଇଟାଲୀୟଙ୍କୁ ମାର୍ଚ୍ଚ ୧୪ରେ କନ୍ଧମାଳ ଜିଲ୍ଲାରେ ଅପହରଣ କରିଥିବାବେଳେ ମାର୍ଚ୍ଚ ୨୪ତାରିଖ ଦିନ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗୋଷ୍ଠୀ (Andhra-Odisha Border Special Zone Committee)ର ସଭ୍ୟ ମାଓବାଦୀମାନେ ଲକ୍ଷ୍ମୀପୁର ବିଜେଡ଼ି ବିଧାୟକ ଝିନ ହିକ୍କାଙ୍କୁ ଅପହରଣ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସବ୍ୟସାଚୀଙ୍କ ନେତୃତ୍ୱରେ ଓଡ଼ିଶା ଗୋଷ୍ଠୀ ଉଭୟ ଇଟାଲୀୟଙ୍କୁ ମୁକ୍ତ କରିଦେଇଥିବା ବେଳେ, ଝିନ ହିକ୍କା ଏଯାବତ୍ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗୋଷ୍ଠୀର କବ୍ଜାରେ ଅଛନ୍ତି । ସରକାର ଏହି ପଣବନ୍ଦୀମାନଙ୍କୁ ମୁକୁଳାଇବା ପାଇଁ ୨୭ଜଣ କାରାବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗୋଷ୍ଠୀର ମାଓବାଦୀମାନଙ୍କୁ କିନ୍ତୁ ପ୍ରଭାବିତ କରିପାରି ନାହିଁ ।
ଇତ୍ୟବସରରେ ସବ୍ୟସାଚୀଙ୍କ ପନôୀ ଶ୍ରୀମତୀ ଶୁଭଶ୍ରୀ ଓରଫ ମିଲି ପଣ୍ଡା ସାକ୍ଷ୍ୟପ୍ରମାଣ ଅଭାବରୁ, ପ୍ରାୟତଃ ୨ବର୍ଷ ୩ମାସ ଧରି ବନ୍ଦୀ ଜୀବନ କାଟିବା ପରେ ୧୦ ଏପ୍ରିଲ, ୨୦୧୨ଦିନ ବିଚାରାଳୟ ଦ୍ୱାରା ନିଦେ୍ର୍ଧାଷ ବୋଲି ଘୋଷିତ ହୋଇଛନ୍ତି ଓ ଜେଲ୍ରୁ ମୁକ୍ତ ହୋଇଛନ୍ତି । ଅନେକ ଦିନରୁ ସଂରକ୍ଷିତ ଏହି ରାୟ ସେହି ସମୟରେ ପ୍ରକାଶ ପାଇଛି ଯେତେବେଳେ ସରକାର ପଣବନ୍ଦୀଙ୍କ ମୁକ୍ତି ବଦଳରେ ଶୁଭଶ୍ରୀଙ୍କୁ ଅନ୍ୟ ଚାରିଜଣଙ୍କ ସହ ମୁକ୍ତ କରିବେ ବୋଲି ଘୋଷଣା କରିଛନ୍ତି । ଏହା କ’ଣ କେବଳ ଏକ ସଂଯୋଗ? ଏହି ପ୍ରଶ୍ନରେ ଦଂଶିତ ହେବା ଅସ୍ୱାଭାବିକ ନୁହେଁ । ତେବେ ସରକାରଙ୍କର ଅନୁଗ୍ରହରେ ନୁହେଁ- ବରଂ ବିଚାରାଳୟ ଦ୍ୱାରା ନିଦେ୍ର୍ଧାଷ ପ୍ରମାଣିତ ହୋଇ ଯେ ଶୁଭଶ୍ରୀ ମୁକ୍ତହେଲେ- ଏହା ନିଶ୍ଚିତଭାବରେ ତାଙ୍କ ପାଇଁ ଏକ ବଡ଼ ଉପଲବ୍ଧô ହୋଇଥିବ ।
ଅପରପକ୍ଷରେ ସରକାରଙ୍କ ପାଇଁ ଏହା ଏକ ବିରାଟ ଆଶ୍ୱସ୍ତିର ବିଷୟ ହୋଇଥିବ-ଯେତେବେଳେ ଶୁଭଶ୍ରୀ ଗଣମାଧ୍ୟମରେ କହୁଥିଲେ ଯେ, ସେ ତାଙ୍କ ପସନ୍ଦର ରାଜନୈତିକ ଦଳରେ ଯୋଗଦେବେ ବା ଏକ ସ୍ୱତନ୍ତ୍ରଦଳ ଗଢ଼ିବେ (ଧରିତ୍ରୀ- ୧୧/୪/୨୦୧୨) । ତାଙ୍କର ଆହ୍ୱାନ ଯେ ମାଓବାଦୀମାନେ ହିଂସା ପରିହାର କରନ୍ତୁ (Maoists should shun violence- New Indian Express, 11/4/2012)-ସରକାରଙ୍କୁ ଆହୁରି ଅଧିକ ଆଶ୍ୱସ୍ତ କରୁଥିବ । ପୁନଶ୍ଚ ‘ସବ୍ୟସାଚୀ ଯେଉଁଠି ଥାନ୍ତୁ- ଭଲରେ ଥାନ୍ତୁ’ (ଧରିତ୍ରୀ-୧୧/୪/୨୦୧୨)କହି ଶୁଭଶ୍ରୀ ଜଣାଇ ଦେଇଛନ୍ତି ଯେ, ସେ ସବ୍ୟସାଚୀଙ୍କ ରାଜନୀତିଠାରୁ ସେ ଏକ ଭିନ୍ନ ରାଜନୀତି ହିଁ କରିବେ । କେହି କେହି ଏହାକୁ ସରକାରଙ୍କ ପାଇଁ ସରଣ୍ଡରଠାରୁ ବଡ଼ ସଫଳତା ବୋଲି ଅଭିହିତ କରିବା ଅସ୍ୱାଭାବିକ ନୁହେଁ । ଏହି ପ୍ରସଙ୍ଗରେ ଦୁଇଟି ଉଲ୍ଲେଖଯୋଗ୍ୟ ଦୃଶ୍ୟ ହେଲା ଯେ ବିଜେଡ଼ିସୁପ୍ରିମୋ ନବୀନ ପଟ୍ଟନାୟକ, ତାଙ୍କ ଦଳ ଭିତରୁ କୌଣସି ରାଜନୈତିକ ବ୍ୟକ୍ତିକୁ ମଧ୍ୟସ୍ଥତା ପାଇଁ ପସନ୍ଦ ନକରିବା ଓ ବିଜେଡ଼ିର ଚାଣକ୍ୟ ତଥା କୋରାପୁଟରେ ବେଶ୍ ପ୍ରଭାବଶାଳୀ ପ୍ୟାରୀମୋହନ ମହାପାତ୍ର ସମ୍ପୂର୍ଣ୍ଣ ନୀରବ ରହିବା । ତେବେ ଝିନ ହିକ୍କା ଯଦି ମୁକ୍ତ ହୋଇଯାନ୍ତି-ତା’ହେଲେ ନବୀନବାବୁ ଚାଣକ୍ୟ ବିନା ଯେ ରାଜ୍ୟ ଚଳାଇପାରିବେ- ଏହା ପ୍ରମାଣିତ ହୋଇଯିବବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି । ତେବେ ଏ ପର୍ଯ୍ୟନ୍ତ ଶୁଦ୍ରକ ବୁଝିବାରେ ସମର୍ଥ ହେଲାନାହିଁ ଯେ କାହିଁକି ଝିନ ହିକ୍କା ରାତି ଗୋଟାଏବେଳେ, ସେ ବାଟଦେଇ ଫେରୁଥିଲେ, ଯେଉଁ ବାଟଟି ମାଓବାଦୀ ଅଧ୍ୟୁଷିତ? -ଶୁଦ୍ରକ

Print Friendly, PDF & Email