‘ଖୋଲା ବିଚାର’ ପ୍ରତି ସଂକୀର୍ଣ୍ଣ ବିଚାର

  • 17/09/2015

୧-୧୫ ଏପ୍ରିଲ ୨୦୧୨

ସମ୍ବାଦପତ୍ର ଧରିତ୍ରୀର ଏକ ମୁଖ୍ୟ ଆକର୍ଷଣ ଥିଲା ମଙ୍ଗଳବାର ସଂଖ୍ୟାରେ ପ୍ରକାଶ ପାଉଥିବା ବରେନ୍ଦ୍ରକୃଷ୍ଣ ଧଳଙ୍କର ସ୍ତମ୍ଭ ‘ଖୋଲା ବିଚାର’ । ଏହା ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଉଥିଲା ଓ ଯେଉଁ ପ୍ରସଙ୍ଗମାନ ଏହି ସ୍ତମ୍ଭରେ ଆଲୋଚିତ ହେଉଥିଲା ତାହା ମୁଖ୍ୟତଃ ଥିଲା ଅମଲାତନ୍ତ୍ର, ରାଜନୈତିକ ନେତୃତ୍ୱ ଓ ବିଭିନ୍ନକ୍ଷେତ୍ରରେ ମୁଣ୍ଡ ଟେକିଥିବା ମାଫିଆମାନଙ୍କ ବିରୋଧରେ ନିର୍ଭୀକ ଅଭିବ୍ୟକ୍ତି । କହିବା ବାହୁଲ୍ୟ ଯେ, ଧରିତ୍ରୀର ନିର୍ଭୀକ ସାମ୍ବାଦିକତା- ବରେନ୍ଦ୍ର ବାବୁଙ୍କର ଖୋଲା ବିଚାର ସ୍ତମ୍ଭ ଦ୍ୱାରା ହିଁ ପ୍ରତିଫଳିତ ହେଉଥିଲା । କିନ୍ତୁ ଗତ ଦୁଇମାସରୁ ଊଦ୍ଧ୍ୱର୍ ହେବ (୧୭/୧/୨୦୧୨ରୁ ଏଯାବତ୍) ବରେନ୍ଦ୍ର ବାବୁଙ୍କର ଖୋଲା ବିଚାର ସ୍ତମ୍ଭ ଧରିତ୍ରୀ ପୃଷ୍ଠାରେ ଆଉ ଦୃଶ୍ୟ ହେଉନାହିଁ । ଏହାର କାରଣ ଜାଣିବା ପାଇଁ ଶୁଦ୍ରକ ଉତ୍ସୁକ ହୁଅନ୍ତେ- ଜଣେ ଅଭିଜ୍ଞ ସାମ୍ବାଦିକ – ଏହା ପଛରେ କୀଟ୍ର ଅଚୁ୍ୟତ ସାମନ୍ତ ଅଛନ୍ତି ବୋଲି ସୂଚନା ଦେଲେ । ଧରିତ୍ରୀର ନିର୍ଭୀକ ସମ୍ପାଦକ ତଥାଗତ, ଅଚୁ୍ୟତଙ୍କ ଦ୍ୱାରା ପ୍ରଭାବିତ ହୋଇ ବରେନ୍ଦ୍ରକୃଷ୍ଣ ଧଳଙ୍କୁ ତାଙ୍କ ସମ୍ବାଦପତ୍ର ପୃଷ୍ଠାରୁ ନିଶ୍ଚିହ୍ନ କରିଦେବେ- ଏହାକୁ ହଜମ କରିବା ଶୁଦ୍ରକ ପାଇଁ କଷ୍ଟକର ଥିଲା । କିନ୍ତୁ ବନ୍ଧୁ ସାମ୍ବାଦିକଙ୍କର ସୂଚନାକୁ ଅଣଦେଖା କରିବା ମଧ୍ୟ ସମ୍ଭବ ହେଉନଥିଲା । ଶୁଦ୍ରକର ଅନୁସନ୍ଧାନ ସାମ୍ବାଦିକଙ୍କର ସୂଚନାକୁ ବୋଧହୁଏ ସାବ୍ୟସ୍ତ କରୁଥିଲା ।
ବରେନ୍ଦ୍ର ବାବୁଙ୍କର ଶେଷଲେଖା ପ୍ରକାଶିତ ହୋଇଥିଲା ୧୦/୧/୨୦୧୨(ମଙ୍ଗଳବାର) ଦିନ । ଲେଖାର ଶିରୋନାମା ଥିଲା ‘ବିଜ୍ଞାନ କଂଗ୍ରେସ କ’ଣ ପାଇଁ, କାହାପାଇଁ’ । ଏହି ନିବନ୍ଧଟିରେ ବରେନ୍ଦ୍ର ବାବୁ ଲେଖିଥିଲେ କୀଟ୍ ପରିସରରେ ଓ କୀଟ୍ର ପୃଷ୍ଠପୋଷକତାରେ ଅନୁଷ୍ଠିତ ହୋଇଯାଇଥିବା ଭାରତୀୟ ବିଜ୍ଞାନ କଂଗ୍ରେସର ୯୯ତମ ଅଧିବେଶନ ପ୍ରସଙ୍ଗରେ । ଯେଉଁଭଳି ଭାବରେ ନିମନ୍ତ୍ରିତ ଅତିଥିମାନେ ଏହି ଅଧିବେଶନକୁ ଉପେକ୍ଷା କଲେ, ଆସି ପ୍ୟାନେଲ ଡିସକସନ ଇତ୍ୟାଦିରେ ଅଂଶଗ୍ରହଣ ନକରି ବୁଲାବୁଲି ପାଇଁ ବାହାରିଗଲେ- ତାହାକୁ ଦେଖି ସେ ଲେଖିଲେ, ‘ଦ୍ୱିତୀୟ ଦିନ ଏହି ବହୁଚର୍ଚ୍ଚିତ ବିଜ୍ଞାନ କଂଗ୍ରେସ ଏକ ଫ୍ଲପ୍ ସୋରେ ପରିଣତ ହେଲା’ ସେ ପ୍ରତିଧ୍ୱନିତ କଲେ ସେହି ବ୍ୟକ୍ତିମାନଙ୍କର ପ୍ରଶ୍ନକୁ ଯେଉଁମାନେ ଏ ସମସ୍ତ ଅନ୍ତଃସାର ଶୂନ୍ୟ ଜାକଜମକ ଦେଖି ପ୍ରଶ୍ନ କରିଥିଲେ,‘ଏ ଯେଉଁ ବିଜ୍ଞାନ କଂଗ୍ରେସ ଭୁବନଶ୍ୱେରଠାରେ ଅନୁଷ୍ଠିତ ହେଲା, ଏଥିରେ ଓଡ଼ିଶାର ଲାଭ କ’ଣ ହେଲା?’ ସେ ମଧ୍ୟ ଏଥିରେ ବ୍ୟକ୍ତ କରିଥିଲେ ତାଙ୍କର ଆହତ ସ୍ୱାଭିମାନର ବ୍ୟଥାକୁ ଯାହା ଉପୁଜିଥିଲା ମହାମହୋପାଧ୍ୟାୟ ପଠାଣି ସାମନ୍ତଙ୍କର ସ୍ମୃତିପ୍ରତି ଅବଜ୍ଞା ଦେଖି । ସେ ଲେଖିଲେ, ‘ଆମର ତ ମନେହୁଏ ଭାରତୀୟ ବିଜ୍ଞାନ କଂଗ୍ରେସ ଅଧିବେଶନ ସ୍ଥାନକୁ ପଠାଣି ସାମନ୍ତ ନଗର ନାମରେ ନାମିତ କରାଯାଇ ତାଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରାଯିବା ଉଚିତ ଥିଲା । ନଗର ତ ଦୂରର କଥା, ତାଙ୍କ ନାମରେ ତୋରଣଟିଏ ମଧ୍ୟ ନଥିଲା, କାରଣ ସେ ଥିଲେ ଓଡ଼ିଆ । ଯେଉଁମାନେ ଏହି ଉତ୍ସବର ଦାୟିତ୍ୱରେ ଥିଲେ ସେମାନେ ସମ୍ଭବତଃ ଅଣଓଡ଼ିଆ ଅଥବା ଏ ଜାତିର ନମସ୍ୟ ପୁରୁଷଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ।’ ନିଜର ଭାବମୂର୍ତ୍ତି ବଢ଼ାଇବା ପାଇଁ ଏହି ଆୟୋଜନ କରିଥିବା କୀଟ୍ର ସମ୍ପାଦକ ଅଚୁ୍ୟତ ସାମନ୍ତଙ୍କୁ ବରେନ୍ଦ୍ର ବାବୁଙ୍କର ଏତାଦୃଶ ମନ୍ତବ୍ୟ କିପରି ବା ଭଲ ଲାଗିଥାନ୍ତା । ତା’ପର ମଙ୍ଗଳବାର (ଅର୍ଥାତ ୧୭/୧/୨୦୧୨) ବରେନ୍ଦ୍ର ବାବୁଙ୍କର ଖୋଲା ବିଚାର ସ୍ତମ୍ଭ ଆଉ ଦୃଶ୍ୟ ହେଲାନାହିଁ । ବରଂ ସେହି ପୃଷ୍ଠାରେ ‘ପାଠକ ଶ୍ରେଷ୍ଠ ବିଚାରକ’ ସ୍ତମ୍ଭରେ ପ୍ରକାଶ ପାଇଲା ଏକ ସମ୍ପାଦକଙ୍କୁ ପତ୍ର ଯାହା ତାପôର୍ଯ୍ୟପୂର୍ଣ୍ଣ । ଏହି ପତ୍ର ଲେଖିଥିଲେ, କଟକ ବକ୍ସିବଜାର ଠିକଣା ଦେଇ କେହି ଜଣେ ରାଧାମାଧବ ସାମନ୍ତରାୟ । ‘ନକାରାତ୍ମକ ଲେଖା’ ଶିରୋନାମାରେ ଏହି ପତ୍ରଟି ପ୍ରକାଶିତ ହୋଇଥିଲା । ବରେନ୍ଦ୍ର ବାବୁଙ୍କର ଉପରୋକ୍ତ ଲେଖା ବିରୁଦ୍ଧରେ ପ୍ରତିକ୍ରିୟା ବହନ କରୁଥିଲା ଏହି ପତ୍ର । ସବାଶେଷରେ ରାଧାମାଧବ ଲେଖିଥିଲେ, ‘ଏଭଳି ନକାରାତ୍ମକ ଲେଖା ଭବିଷ୍ୟତରେ ସ୍ଥାନ ଦେଲେ ମୁଁ ମୋର ପ୍ରିୟ ଖବରକାଗଜ ଧରିତ୍ରୀକୁ ପାଠ ନକରିବା ପାଇଁ କଷ୍ଟକର ନିଷ୍ପତ୍ତ ନେବାକୁ ବାଧ୍ୟ ହୋଇପାରେ’ । ଏହା ପରଠାରୁ ଏଯାବତ୍ ବରେନ୍ଦ୍ର ବାବୁଙ୍କର ସ୍ତମ୍ଭ ଆଉ ପ୍ରକାଶ ପାଉନାହିଁ । ଶ୍ରେଷ୍ଠ ବିଚାରକ ପାଠକ ରାଧାମାଧବଙ୍କ ବିଚାରକୁ ସମ୍ମାନ ଦେଇ ଧରିତ୍ରୀ ବରେନ୍ଦ୍ର ବାବୁଙ୍କର ଖୋଲାବିଚାର ସ୍ତମ୍ଭକୁ ନିଶ୍ଚିହ୍ନ କରିଦେଇଛି । ଅମଲାତନ୍ତ୍ର, ରାଜନୈତିକ ନେତୃତ୍ୱ ଓ ମାଫିଆମାନେ ଯେଉଁ ସ୍ତମ୍ଭକୁ ଉପôାଟନ କରିପାରିନଥିଲେ, ତାହା ଉପôାଟନ ହେଲା- କୀଟ୍କୁ ପ୍ରକାରାନ୍ତରେ ପ୍ରଶ୍ନକରିବା ଯୋଗୁଁ । ଅନେକ ଘଟଣାକୁ ‘ଧରିତ୍ରୀ ପ୍ରଭାବ’ ବୋଲି ଗର୍ବର ସହ ଧରିତ୍ରୀ ପୃଷ୍ଠାରେ ଉଲ୍ଲେଖ କରାଯାଉଥିବା ସମ୍ବାଦ ସହ ପରିଚିତ ଆଖି, କୀଟ୍ସମର୍ଥକ ପାଠକଙ୍କ ପ୍ରଭାବରେ ଧରିତ୍ରୀ ପୃଷ୍ଠାରୁ ବରେନ୍ଦ୍ର କୃଷ୍ଣ ନିଶ୍ଚିହ୍ନ ହୋଇଯିବା ବାସ୍ତବିକ ଏକ ଚକ୍ଷୁ ଉନ୍ମେଷକାରୀ ଘଟଣା । ଧରିତ୍ରୀର ନିର୍ଭୀକ ସାମ୍ବାଦିକତାର ଏ କରୁଣ ପରିଣତିି! ସତେଯେପରି ବରେନ୍ଦ୍ରବାବୁ ଭବିଷ୍ୟତବାଣୀ କରୁଥିଲେ ଯେତେବେଳେ ସେ, ଅବଶ୍ୟ ଏକ ଭିନ୍ନ ପ୍ରସଙ୍ଗରେ, ଶିରୋନାମାଟିଏ ଲେଖିଲେ (ଧରିତ୍ରୀ, ୩/୧/୨୦୧୨), ‘ପ୍ରଭୁ ଶ୍ରୀ ଜଗନ୍ନାଥ ମୁଖା ଖୋଲିଦେବେ ।’
-ଶୁଦ୍ରକ

Print Friendly, PDF & Email