କଟକଣା

  • 17/09/2015

୧୬-୩୧ ମାର୍ଚ୍ଚ ୨୦୧୨

ବିଜେଡ଼ି ଦଳ ପ୍ରତି ପଞ୍ଚାୟତ ଓ ଜିଲ୍ଲା ପରିଷଦ ନିର୍ବାଚନରେ ଉଲ୍ଲସିତ ସମର୍ଥନ ମିଳିବାପରେ ବିଜେଡ଼ିର ନିରଙ୍କୁଶ ନେତା ନବୀନ ପଟ୍ଟନାୟକ, ଆଦିବାସୀ ଅଞ୍ଚଳ ଭିତରକୁ ବିଦେଶୀ ପର୍ଯ୍ୟଟକଙ୍କର ପ୍ରବେଶ ଉପରେ ପ୍ରସ୍ତାବିତ କଟକଣାକୁ ଅନୁମୋଦନ କରିଛନ୍ତି । ଏହା ଗଣମାଧ୍ୟମରେ ବେଶ୍ ପ୍ରଚାରିତ ମଧ୍ୟ କରାଯାଇଛି । ଆଣ୍ଡାମାନ ନିକୋବର ଦ୍ୱୀପରେ ଜରୱା ସମ୍ପ୍ରଦାୟର ଆଦିବାସୀମାନଙ୍କ ଦ୍ୱାରା ନୃତ୍ୟର ଭିଡ଼ିଓ ଚିତ୍ର ଉତ୍ତୋଳନ ଓ ଏହାର ପ୍ରସାରଣ ବିବାଦୀୟ ହୋଇପଡ଼ିବା, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରବେଶ ଉପରେ କଟକଣା ଜାରି କରିବା ପାଇଁ ଏକ ଚମକ୍ରାର ବାହାନା ଯୋଗାଇଦେଇଛି, ଏହାର ସୁଯୋଗ ଯେ ସହସା ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି-ଏହା କହିବା ବାହୁଲ୍ୟ ମାତ୍ର । ଏହିଭଳି ସୁଯୋଗ ନେବାରେ ସେ ଯଦି ଭାରତବର୍ଷର ପ୍ରଥମ ହୋଇଥାନ୍ତି, ତା’ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ ଓଡ଼ିଶାର ଖଣି, ଖାଦାନ, ଜଙ୍ଗଲଭରା ଅଞ୍ଚଳ ଆଦିବାସୀର-ଯାହା ଆଜି ଦେଶୀ ବିଦେଶୀ ଘରୋଇ କମ୍ପାନୀମାନଙ୍କ କବଳରେ । ଆଦିବାସୀ ଏହାର ପ୍ରଭାବରେ ବିସ୍ଥାପିତ, ତା’ର ଜୀବନ ଜୀବିକା ବିପନ୍ନ । ନିୟମଗିରିରେ ତା’ର ଦୁର୍ଦ୍ଧଶା-ଆଜି ସାରାବିଶ୍ୱରେ ପ୍ରଚାରିତ । ଯାହାଫଳରେ କମ୍ପାନୀମାନଙ୍କ ଭାବମୂର୍ତ୍ତି ଉପରେ ପଡ଼ୁଛି ପ୍ରତିକୂଳ ପ୍ରଭାବ । ନବୀନ ବାବୁଙ୍କ ଅନୁମୋଦିତ କଟକଣା ଫଳରେ ଏହା ଆଉ ସମ୍ଭବ ହେବନାହିଁ । ଯେଉଁ ବିଦେଶୀ ସାମ୍ବାଦିକମାନେ ଆସି ଖଣି, ଶିଳ୍ପଦ୍ୱାରା ବିସ୍ଥାପିତ ଆଦିବାସୀମାନଙ୍କର ଫଟୋଚିତ୍ର ଉତ୍ତୋଳନ କରି ଆଦିବାସୀଙ୍କର ଦୁର୍ଦ୍ଧଶା ପ୍ରତି ଆନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିବାରେ ଓ କମ୍ପାନୀମାନଙ୍କର ଶୋଷଣ ବିରୋଧରେ ଜନମତ ସୃଷ୍ଟି କରିବାରେ ସହାୟକ ହେଉଥିଲେ-ସେହି ସାମ୍ବାଦିକମାନଙ୍କ ପାଇଁ ଏହି ଅଞ୍ଚଳମାନଙ୍କରେ ପ୍ରବେଶ ଆଉ ସମ୍ଭବ ହେବନାହିଁ । ତେବେ ବିଦେଶୀ ପର୍ଯ୍ୟଟକଙ୍କ ନାଁରେ ପ୍ରଚଳନ କରାଯାଇଥିବା ଏହି କଟକଣା ଯେ ଦେଶୀ ପର୍ଯ୍ୟଟକଙ୍କ ପାଇଁ ଲାଗୁ ହେବନାହିଁ- ଏହା କିଏ କହିବ? -ଶୁଦ୍ରକ

Print Friendly, PDF & Email