୧୬-୩୧ଅକ୍ଟୋବର, ୨୦୦୭
ଗାଁ ଗଣ୍ଡାରେ ଦାରିଦ୍ର୍ୟ ଅବ୍ୟାହତ ରହିବାର ଏକ କାରଣ ଭାବେ ମହାଜନି ପ୍ରଥାକୁ ଚିହ୍ନଟ କରାଯାଇଥିଲା । ସାଧାରଣ ଲୋକର ଶୋଷଣ ପାଇଁ ମହାଜନକୁ ଦାୟୀ କରାଯାଇଥିଲା । ଥରେ କରଜ ନେଉଥିବା ଲୋକଟି କିପରି ତାର ଜୀବଦ୍ଧଶାରେ କରଜ ମୁକ୍ତ ହେବାର ଆଉ କୌଣସି ସୁଯୋଗ ପାଇପାରୁ ନଥିଲା-ତାହାର ଏକାଧିକ ନିଦର୍ଶନ ବାସ୍ତବ ଜୀବନରୁ ଯାଇ ସାହିତ୍ୟର ପୃଷ୍ଠାରେ ସ୍ଥାନିତ ହେଉଥିଲା । ଏହି ପ୍ରଥାରୁ ଗାଁର ମଣିଷକୁ ମୁକ୍ତ କରିବା ପାଇଁ ବହୁ ସମାଜ ସୁଧାରକଙ୍କର ଆନେ୍ଦାଳନ ଦେଖିବାକୁ ମିଳୁଥିଲା । ଶୋଷଣ ଓ ମହାଜନି ଯେପରି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍, ତାହା ସାବ୍ୟସ୍ତ ହୋଇଥିଲା । ସେହି ମହାଜନି ଏବେ ଫେରୁଛି । ଉଦାର ଅର୍ଥନୈତିକ ପରିବେଶରେ ସରକାରୀ ମାନ୍ୟତା ନେଇ ଫେରୁଛି । କାରଣ ଇତ୍ୟବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ (Reserve Bank of India) ଦ୍ୱାରା ଗଠିତ ବୈଷୟିକ ବିଶେଷଜ୍ଞ କମିଟି (Expert Technical Group) ଗାଁ ଗଣ୍ଡାରେ ମହାଜନି (Rural usury) ର ବୈଧିକରଣ (Legitimisation) ପାଇଁ ପରାମର୍ଶ ଦେଇଛି । ଏଥିପାଇଁ ଏକ ବିଧେୟକ ଅଣାଯିବା ଆବଶ୍ୟକ ବୋଲି କହିଛି । କହିବା ବାହୁଲ୍ୟ ଯେ, ଏଯାବତ୍ ବହୁ ଅପବାଦ ବହନ କରୁଥିବା ମହାଜନିକୁ ସସମ୍ମାନେ ପ୍ରତିଷ୍ଠିତ କରାଇବାର ଉଦ୍ୟମ ହେଉଛି ।
ଭାରତୀୟ ସମାଜରୁ ମହାଜନି ସମ୍ପୂର୍ଣ୍ଣ ଲୋପ ହୋଇନଥିଲା କୌଣସି ସମୟରେ । କିନ୍ତୁ କୃଷକ ଆନେ୍ଦାଳନ, ନକ୍ସଲବାରୀ ଆନେ୍ଦାଳନ ଆଜିର ତୀବ୍ରତାକୁ ହ୍ରାସ କରିଦେବା ପାଇଁ ସତୁରି ଦଶକରେ ବ୍ୟାଙ୍କ୍ର ଜାତୀୟକରଣ ପ୍ରକ୍ରିୟାକୁ ବ୍ୟାପକ କରାଗଲା-ଗାଁ ଗଣ୍ଡାକୁ ବ୍ୟାଙ୍କ୍ସେବା ଯୋଗାଇବାର ବ୍ୟବସ୍ଥା ହେଲା- ଚାଷୀକୁ ଋଣ ସୁଲଭ ହେଲା । ଏହିଭଳି ସରକାରୀ ବ୍ୟବସ୍ଥା ଫଳରେ ୧୯୭୧ରୁ ୧୯୯୧ ମସିହା ଭିତରେ ଗ୍ରାମୀଣ ଋଣରେ ମହାଜନଙ୍କର ଅଂଶ ଶତକଡ଼ା ୩୬.୧ରୁ ଖସି ଆସିଲା ଶତକଡ଼ା ୧୭.୫କୁ । କିନ୍ତୁ ଉଦାରୀକରଣ ଆରମ୍ଭ ହୋଇଯିବା ମାତ୍ରେ, ବ୍ୟାଙ୍କ୍ଗୁଡ଼ିକୁ ଯେତେବେଳେ ଏକ ସମ୍ପୂର୍ଣ୍ଣ ବ୍ୟବସାୟିକ ସଂସ୍ଥା ଭାବେ ଦେଖିବାର ପର୍ଯ୍ୟାୟ ଆରମ୍ଭ ହେଲା ଓ ଏହା କେତେ ଲାଭ କରୁଛି ତାହା ଉପରେ ଗୁରୁତ୍ୱ ଦିଆଗଲା ଓ ଦେଖାଗଲା ଯେ, ଗାଁ ଗଣ୍ଡାରେ ବ୍ୟାଙ୍କ୍କୁ ଚଳାଇବା ଲାଭଜନକ ହେଉନାହିଁ- ସେତେବେଳେ ବ୍ୟାଙ୍କ୍ ଜରିଆରେ ସରକାରୀ ଋଣ ବ୍ୟବସ୍ଥାକୁ ନିରୁତ୍ସାହିତ କରିବାର ଉଦ୍ୟମ ମଧ୍ୟ ଆରମ୍ଭ ହେଲା । ବିଶ୍ୱବ୍ୟାଙ୍କ୍ ଯିଏକି ଉଦାରୀକରଣ ପର୍ଯ୍ୟାୟର ଜନକ – ସେ ତାର ରିପୋର୍ଟରେ ଦର୍ଶାଇଲା ଯେ, ଗ୍ରାମୀଣ ବ୍ୟାଙ୍କଗୁଡ଼ିକରେ ଦୁର୍ନୀତି ବ୍ୟାପକ ଯାହାର ପରିମାଣ ଦିଆଯାଉଥିବା ଋଣର ପ୍ରାୟଃ ଶତକଡ଼ା ୨୦ଭାଗ । ଏତଦ୍ୱାରା କ୍ଷତି କରୁଛି ବୋଲି ଅଭିଯୋଗର ଶିକାର ହେଉଥିବା ଗ୍ରାମୀଣ ବ୍ୟାଙ୍କ ବ୍ୟବସ୍ଥା ଅପବାଦର ଘେର ଭିତରକୁ ଚାଲିଆସିଲା । ଏସବୁ ଘଟିଲା/ଘଟୁଛି ଉଦାରୀକରଣ ପର୍ଯ୍ୟାୟରେ ଓ ଏହାର ପରିଣତି ହେଉଛି ଯେ, ଗ୍ରାମୀଣ ଋଣରେ ମହାଜନର ଅଂଶ ବୃଦ୍ଧି ପାଇଛି/ପାଉଛି । ସର୍ବଭାରତୀୟ ଋଣ ଓ ବିନିଯୋଗ ସର୍ବେକ୍ଷଣ (All India Debt and Investment survey)ଅନୁସାରେ ଏହି ଅଂଶ ୧୯୯୧ରେ ଶତକଡ଼ା ୧୭.୫ରୁ ୨୦୦୨ସୁଦ୍ଧା ଶତକଡ଼ା ୨୯.୬କୁ ବୃଦ୍ଧି ପାଇଛି । ରିଜର୍ଭବ୍ୟାଙ୍କର ରିପୋର୍ଟ ଅନୁସାରେ ଆନ୍ଧ୍ରପ୍ରଦେଶରେ ଏହି ଅଂଶ ଶତକଡ଼ା ୫୩.୪ରେ ପହଞ୍ଚôଛି । ଆନ୍ଧ୍ର ସରକାରଙ୍କର କୃଷକ କଲ୍ୟାଣ କମିଶନ୍ର ଏକ ରିପୋର୍ଟ ଅନୁସାରେ, ଏକ ତୃତୀୟାଂଶ କୃଷିଋଣ ଉପରେ ସୁଧର ହାର ଶତକଡ଼ା ୪୫ରୁ ଅଧିକ । ମୁଖ୍ୟଧାରାର ଗଣମାଧ୍ୟମରେ ବହୁ ପ୍ରଶଂସିତ ଲଘୁଋଣ (Microfinance) ବ୍ୟବସ୍ଥାରେ ସୁଧର ହାର ଶତକଡ଼ା ୪୦ରୁ ଅଧିକ ବୋଲି ସରକାରୀ ନିରୀକ୍ଷକଙ୍କ ଦ୍ୱାରା ପ୍ରଘଟ ହୋଇଛି । କହିବା ବାହୁଲ୍ୟ ଯେ, ଆନ୍ଧ୍ରପ୍ରଦେଶରେ ହିଁ କୃଷକର ଆତ୍ମହତ୍ୟା ସାରାବିଶ୍ୱକୁ ସ୍ତମ୍ଭୀଭୂତ କରିଛି । ମହାଜନିରେ ବୃଦ୍ଧି, କୃଷକର ଆତ୍ମହତ୍ୟା ପାଇଁ ଦାୟୀ ବୋଲି କୁହାଯିବା ଅବାନ୍ତର ମନେହୁଏ ନାହିଁ । ଅନ୍ତତଃ ଏହା ପ୍ରଶାସନ ମନେ କରେ ବୋଲି ରିଜର୍ଭବ୍ୟାଙ୍କର ଏକ ରିପୋର୍ଟରୁ ଜଣାପଡ଼େ ଯେତେବେଳେ ଲେଖାଯାଏ ଯେ, ‘The concern of the police was that suicides had been taking place because of the preserve tactics adopted by money lenders’ (ମହାଜନମାନଙ୍କର ଚାପରେ କୃଷକ ଆତ୍ମହତ୍ୟା ଘଟୁଛି – ଏହା ନେଇ ପୁଲିସ ଚିନ୍ତିତ) କିନ୍ତୁ ଅର୍ଥନୈତିକ ‘ସଂସ୍କାର’ର ୯୦ଦଶକରୁ ଯେଉଁ ପର୍ଯ୍ୟାୟ ଆରମ୍ଭ ହୋଇଛି ସେଥିରେ ଆମର ଅର୍ଥନୀତିକ ଓ ଅର୍ଥ ପରିଚାଳନାରେ ବିଶେଷଜ୍ଞମାନେ ମହାଜନି ବ୍ୟବସ୍ଥାରେ ମହାଜନ ଓ ଖାତକ ମଧ୍ୟରେ ବ୍ୟକ୍ତି-ବ୍ୟକ୍ତି ସମ୍ପର୍କ, ଅଣଔପଚାରିକ କାରବାର, ଯେକୌଣସି ସମୟରେ ଋଣ ପାଇବାର ସୁଯୋଗ, ଆଦି ଦେଖି ଅଭିଭୂତ ହୋଇପଡ଼ିଛନ୍ତି । ମହାଜନ ହିଁ ଯେକୌଣସି ସମୟରେ, ଯେ କୌଣସି ସ୍ଥାନରେ, ଯେକୌଣସି ପରିମାଣର ଅର୍ଥ ଯୋଗାଇଦେବାରେ ସେମାନେ ଏକ ଖାତକ ଅନୁକୂଳ ବ୍ୟବସ୍ଥାର ଉଷ୍ମତା ପାଇଛନ୍ତି । ଏହା ଫଳରେ ହିଁ, ଏହି ବିଶେଷଜ୍ଞମାନଙ୍କ ଦୃଷ୍ଟିରେ, ମହାଜନର ସ୍ଥିତି ଗାଁମାନଙ୍କରେ ସୁଦୃଢ଼ ହୋଇଛି – ବ୍ୟାଙ୍କର ଭୂମିକା କ୍ରମଶଃ ଗୌଣ ହୋଇଯାଉଛି । ତେଣୁ ସେମାନଙ୍କର ପରାମର୍ଶ ହେଉଛି – ଏହିଭଳି ଏକ ମହାଜନି ବ୍ୟବସ୍ଥାକୁ ଉତ୍ସାହିତ କରାଯାଉ । ଏହାକୁ ବୈଧ ବୋଲି ଧରାଯାଉ । ଏଥିପାଇଁ ଏକ ବିଧେୟକ-ବ୍ୟବସ୍ଥାପିକାରେ ଅଣାଯାଉ । ବ୍ୟାଙ୍କ୍ଗୁଡ଼ିକ ଏହି ମହାଜନମାନଙ୍କ ଜରିଆରେ ହିଁ ଗାଁ ଗଣ୍ଡାରେ ଋଣ ଦିଅନ୍ତୁ । ବିଜୟା ବ୍ୟାଙ୍କ୍ର ଅଧ୍ୟକ୍ଷ ଓ ପରିଚାଳନା ନିଦେ୍ର୍ଧଶକଙ୍କର ମତରେ, ‘ମହାଜନମାନଙ୍କ ସହ ସହବନ୍ଧନ ହେଲେ କୃଷକ ଓ ଗ୍ରାମୀଣ ଖାତକଙ୍କ ପାଖରେ ପହଞ୍ଚôବା ପାଇଁ ବ୍ୟାଙ୍କ୍ର କାରବାର ବ୍ୟୟ ନିଶ୍ଚିତ ହ୍ରାସ ପାଇବ । ଗ୍ରାମୀଣ ଅର୍ଥନୀତିରେ ଆୟ ବୃଦ୍ଧି ପାଉଛି । ଯଦି ମହାଜନ ଏହି ଆୟକୁ ବ୍ୟାଙ୍କ୍ଆଡ଼କୁ ମୁହେଁଇ ଦେଇପାରେ, ତା’ହେଲେ ବ୍ୟାଙ୍କ୍ର ବେପାର ମଧ୍ୟ ହେବ ।’ ଋଣର ଏକ ବିରାଟ ବଜାର ଗାଁରେ ଅଛି-ତାହା ବ୍ୟାଙ୍କ୍ ପରିଚାଳକ ଓ ବେପାରୀ ଅର୍ଥନୀତିଜ୍ଞମାନେ ଉପଲବ୍ଧô କରିଲେଣି । ଏକ ସର୍ବେକ୍ଷଣରୁ ଜଣାଯାଏ ଏହାର ପରିମାଣ ପ୍ରାୟଃ ୫୪ହଜାର କୋଟି ଟଙ୍କା । ପ୍ରଥମ ସବୁଜ ବିପ୍ଳବ ଆରମ୍ଭ ହେବା ସହିତ ଋଣ ବଜାର ଗୁରୁତ୍ୱ ପାଇଲା-ଦ୍ୱିତୀୟ ସବୁଜ ବିପ୍ଳବରେ ଏହି ବଜାରର ଅଭାବନୀୟ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି । ପ୍ରଥମ ସବୁଜ ବିପ୍ଳବ ଦ୍ୱାରା ସୃଷ୍ଟ ଋଣ ବଜାର ଥିଲା ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନଙ୍କ ନିୟନ୍ତ୍ରଣରେ – ଦ୍ୱିତୀୟ ସବୁଜ ବିପ୍ଳବରେ ଏହି ବଜାର ରହିବ ମହାଜନମାନଙ୍କର ନିୟନ୍ତ୍ରଣରେ ।
ଯେଉଁମାନେ ଗାଁରୁ ଦାରିଦ୍ର୍ୟ ଓ ବୈଷମ୍ୟ ନିରାକରଣ ପାଇଁ ଏକଦା ବେସାଲିସ ସଂଗ୍ରାମ କରିଥିଲେ ଓ ବେଶ୍ କିଛି ସଫଳ ହୋଇଥିଲେ , ସେମାନେ ଏହିଭଳି ପରିସ୍ଥିତିକୁ ଦେଖି ଅଶ୍ରୁ ସମ୍ବରଣ ନକରି ରହିପାରୁ ନଥିବେ । ଏକ ନବ୍ୟ ସାମନ୍ତବାଦ ପୁଣି ଗାଁ ଗଣ୍ଡାରେ ପ୍ରତିଷ୍ଠିତ ହେବାର ସମ୍ଭାବନା ଦେଖି ବ୍ୟଥିତ ହୋଇ ପଡ଼ୁଥିବେ ।
(ତଥ୍ୟ ଓ ମତ-ମନ୍ତବ୍ୟଗୁଡ଼ିକ Analytical Monthly Review Vol.5 No 6, Septemner 2007ର ସମ୍ପାଦକୀୟରୁ ନିଆଯାଇଛି)