ରାଜା ରଙ୍କ!

  • 17/09/2015

୧-୧୫ ଜାନୁଆରୀ ୨୦୧୨

ଇତ୍ୟବସରରେ ଏକ ସମ୍ବାଦ ‘ନବୀନଙ୍କ ପୂର୍ବରୁ ପ୍ୟାରୀଙ୍କ ଆଶୀର୍ବାଦ ନେଇଛନ୍ତି ରଣେନ୍ଦ୍ର’ ଶିରୋନାମାରେ ପ୍ରକାଶ ପାଇଛି (ଦ୍ରଷ୍ଟବ୍ୟ: ଧରିତ୍ରୀ, ୨୫/୧୨/୨୦୧୧) । ଏହି ସମ୍ବାଦ ସେମାନଙ୍କର ଧାରଣାକୁ ଓଲଟପାଲଟ କରିଦେଇଛି ଯେଉଁମାନେ ଭାବୁଥିଲେ ଯେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ ରାଜା ସ୍ୱାଇଁ, ଗତ ଅଢ଼େଇବର୍ଷ ଧରି ଯେଉଁ ମାନସିକ ଯନ୍ତ୍ରଣା ଦେଇ ଗତି କରିଛନ୍ତି ସେ ଏଥିପାଇଁ ଦାୟୀ ବ୍ୟକ୍ତିମାନଙ୍କ ସହ କଦାପି ସାଲିସ କରିବେ ନାହିଁ- ତାଙ୍କର ବ୍ୟକ୍ତିତ୍ୱକୁ ବଜାୟ ରଖିବେ । ବରଂ ଏହି ସମ୍ବାଦରେ ପ୍ରକାଶିତ ନିମ୍ନୋକ୍ତ ଦୁଇଟି ବାକ୍ୟ- ତାଙ୍କର ବ୍ୟକ୍ତିତ୍ୱକୁ ସମ୍ମାନ ଦେଉଥିବା ବ୍ୟକ୍ତିମାନଙ୍କ ପାଇଁ ଯନ୍ତ୍ରଣାଦାୟକ ହେଉଛି । ପ୍ରଥମ ବାକ୍ୟ ହେଉଛି- ‘ରଣେନ୍ଦ୍ର ବିଜେଡ଼ି ଟିକେଟ ପାଇବା ପାଇଁ ଯେଭଳି ବିକଳ ହୋଇ ଯେଉଁ ସବୁ ସ୍ତରକୁ ଯାଇଛନ୍ତି ସେଥିରୁ ଜଣାପଡ଼ୁଛି ସେ ପୁଣି ଦଳର ଆଶୀର୍ବାଦ ପାଇବେ ।’ ଦ୍ୱିତୀୟ ବାକ୍ୟ ହେଉଛି, ‘ରଣେନ୍ଦ୍ର ଉତ୍ସବସ୍ଥଳରେ ନବୀନଙ୍କ ପ୍ରତି ଯେଭଳି ଆଚରଣ ଦେଖାଇଲେ, ସେ ବିଜେଡ଼ି ଟିକେଟ ପାଇବା ପାଇଁ କେତେ ବ୍ୟାକୁଳ ତାହା ସ୍ପଷ୍ଟ ବାରି ହୋଇପଡ଼ୁଥିଲା ।’ ଉତ୍ସବଟି ଥିଲା ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଯେଉଁଠାରେ ନବୀନ ପଟ୍ଟନାୟକ ଥିଲେ ମୁଖ୍ୟ ଅତିଥି ଓ ରାଜା ସ୍ୱାଇଁ ପୁରାତନ ଛାତ୍ର ଭାବେ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ରାଜା ସ୍ୱାଇଁ- ବିକଳ ହେବା ବା ବ୍ୟାକୁଳ ହେବା-ତାଙ୍କର ବ୍ୟକ୍ତିତ୍ୱ ସହ ଖାପ ଖାଏନା- ଏହାହିଁ ତାଙ୍କର ପ୍ରଶଂସକମାନେ ଏଯାବତ୍ ଜାଣିଥିଲେ ।
ରାଜନୀତିରେ କେହି କାହାର ସବୁଦିନ ପାଇଁ ଶତ୍ରୁ ଓ ମିତ୍ର ନୁହନ୍ତି- ଏକ ପରିପକ୍ୱ ଧାରଣା ବୋଲି ଯେଉଁମାନେ ବୁଝିଛନ୍ତି ଓ ସଂଘର୍ଷ, ମାନସିକ ଯନ୍ତ୍ରଣା ଇତ୍ୟବସରରେ ରାଜା ସ୍ୱାଇଁଙ୍କର ରାଜନୈତିକ ପରିପକ୍ୱତାକୁ ବଢ଼ାଇ ଦେଇଥିବ ବୋଲି ବିଚାର କରନ୍ତି, ସେମାନେ ରାଜା ସ୍ୱାଇଁଙ୍କର ଆଚରଣରେ ହୁଏତ କୌଣସି ବିସଂଗତି ଦେଖୁନଥିବେ । ଯେକୌଣସି ସାଧାରଣ ରାଜନୈତିକ ବ୍ୟକ୍ତି ଏହିଭଳି ଆଚରଣ କରିବା ଅସ୍ୱାଭାବିକ ନୁହେଁ ବୋଲି ସେମାନେ ବିଚାର କରୁଥିବେ ।
ତେବେ ରାଜା ସ୍ୱାଇଁ କେତେ ଦୂର ସଫଳ ହେବେ, ତାହା ଭିନ୍ନ କଥା । ‘ଆଠଗଡ଼ରେ ବିଜେଡ଼ିର ସମାନ୍ତରାଳ ପ୍ରତିଷ୍ଠା ଦିବସ’ (ଧରିତ୍ରୀ, ୨୭/୧୨/୨୦୧୧)ପଢ଼ି ଶୁଦ୍ରକଙ୍କର ଧାରଣା ହେଉଛି ଯେ ରାଜା ସ୍ୱାଇଁଙ୍କ ପାଇଁ ସଫଳତା ହାସଲ ଏତେ ସହଜ ନୁହେଁ । ବିଧାକୟପଦବୀ ହରାଇଥିବା ରମେଶ ରାଉତଙ୍କ ସଭାରେ ବିଜେଡ଼ି ଜିଲ୍ଲା ସଭାପତି ଧର୍ମାନନ୍ଦ ବେହେରା, ଆଠଗଡ଼ ବ୍ଲକ୍ ବିଜେଡ଼ି ସଭାପତି ମାଗୁଣି ରାଉତ ଯୋଗ ଦେବା ଦର୍ଶାଇଦେଇଛି ଯେ ରାଜା ସ୍ୱାଇଁଙ୍କୁ ଗତ ନିର୍ବାଚନରେ ବିଧାୟକ ପଦରୁ ବଞ୍ଚôତ କରିଥିବା ବ୍ୟକ୍ତିମାନେ ବେଶ୍ ସକ୍ରିୟ । ଶୁଦ୍ରକର ଭୟ ଯେ ଏକଦା ଧାମନଗର ବିଧାୟକ ମାନସ ମଲ୍ଲିକଙ୍କର ଦୁର୍ଦ୍ଧଶାର ପୁନରାବୃତ୍ତ ରାଜା ସ୍ୱାଇଁଙ୍କ କ୍ଷେତ୍ରରେ ହେବ ନାହିଁ ତ । -ଶୁଦ୍ରକ

Print Friendly, PDF & Email