ସ୍ୱତନ୍ତ୍ର ପାହ୍ୟା ମାନ୍ୟତା

  • 17/09/2015

ଓଡ଼ିଶା ୧୯୩୬, ଏପ୍ରିଲା ପହିଲା ଦିନ ସ୍ୱତନ୍ତ୍ର ପ୍ରଦେଶର ସ୍ୱୀକୃତି ପାଇବାର ୭୫ବର୍ଷ ପରେ ଶୁଭୁଛି ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ପାଇଁ ଓଡ଼ିଶା ସରକାରଙ୍କର ଦାବି । ଏହି ଦାବି ୧୯୬୯ମସିହାରେ ଗାଡ଼ଗିଲ ଫର୍ମୁଲା ପ୍ରଚଳନ ହେବା ପରଠାରୁ ଉଠୁଥିଲା ବୋଲି କୁହାଯାଉଛି । କିନ୍ତୁ ନବୀନବାବୁଙ୍କ ସରକାରଙ୍କ ସମୟରେ ଏହି ଦାବି ଯେପରି ଉଠୁଛି ଓ ଏହି ଦାବି ରାଜନୈତିକ ଉଦେ୍ଧଶ୍ୟ ପ୍ରଣୋଦିତ ବୋଲି ଯେପରି ବିରୋଧୀ ଦଳମାନେ ଅଭିଯୋଗ କରୁଛନ୍ତି- ସେଭଳି ପୂର୍ବରୁ କେଭେ ଦେଖାଯାଇ ନଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହିଭଳି ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବି କରୁଥିବା ରାଜ୍ୟଗୁଡ଼ିକର ତାଲିକାରେ ଓଡ଼ିଶା ବ୍ୟତୀତ ଅଛନ୍ତି ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ରାଜସ୍ଥାନ । ଏଯାବତ୍ ଭାରତରେ ୨୯ଟି ରାଜ୍ୟ ଭିତରୁ ୧୧ଟି ରାଜ୍ୟ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପାଇଛନ୍ତି । ୭ଟି ଉତ୍ତରପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରମ, ନାଗାଲାଣ୍ଡ, ତ୍ରିପୁରା, ସିକିମ, ଉତ୍ତରାଖଣ୍ଡ, ଜାମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶ ।
ଓଡ଼ିଶା ସରକାର ଆଜି କ୍ଷୁବ୍ଧ କାରଣ ଓଡ଼ିଶାର ସ୍ୱତନ୍ତ୍ର ପାହ୍ୟ ମାନ୍ୟତାର ଦାବିକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଦେଇଥିବା ବେଳେ ବିହାର ରାଜ୍ୟର ଦାବିକୁ ବିଚାର କରୁଛନ୍ତି ବୋଲି ଘୋଷଣା କରିଛନ୍ତି ।
ତେବେ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପାଇଲେ ରାଜ୍ୟର ଲାଭ କ’ଣ?
ଗୋଟିଏ ବଡ଼ ଲାଭ ହେଉଛି କେନ୍ଦ୍ରରୁ ଯୋଜନା ବାବଦ ମିଳୁଥିବା ଆର୍ଥିକ ସାହାଯ୍ୟର ଋଣ (Loan) ଓ ଅନୁଦାନ (grants)ର ଅନୁପାତରେ ଏକ ବିରାଟ ପରିବର୍ତ୍ତନ । ସାଧାରଣ ରାଜ୍ୟଗୁଡ଼ିକରେ ଏହି ଅନୁପାତ ୭୦:୩୦ଥିବା ବେଳେ, ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଗୁଡ଼ିକରେ ଏହା ୧୦:୯୦ । ଅର୍ଥାତ ସ୍ୱତନ୍ତ୍ର ପାହ୍ୟା ରାଜ୍ୟଗୁଡ଼ିକ ସମୁଦାୟ ଯୋଜନା ବାବଦ ଆର୍ଥିକ ସାହାଯ୍ୟର ଶତକଡ଼ା ୧୦ଋଣ ସୂତ୍ରରେ ପାଇଥାନ୍ତି ଓ ଶତକଡ଼ା ୯୦ପାଇଥାନ୍ତି ଅନୁଦାନ ଭାବେ । ସ୍ୱାଭାବିକ ଶତକଡ଼ା ୭୦ ଋଣଭାର ସ୍ଥାନରେ ମାତ୍ର ଶତକଡ଼ା ୧୦ ଋଣ ଭାର ଅଧିକ ସହନୀୟ, ତେଣୁ ଅଧିକ ଆକର୍ଷଣୀୟ ।
ଏହାଛଡ଼ା ଏହି ରାଜ୍ୟଗୁଡ଼ିକରେ ଯେଉଁମାନେ ଶିଳ୍ପ ପ୍ରତିଷ୍ଠା କରିବେ, ସେମାନେ ଉପôାଦନ ଶୁଳ୍କ (excise duty)ବାବଦ ପାଇବେ ରିହାତି; ଯାହା ଫଳରେ ସାଧାରଣ ରାଜ୍ୟରେ ପ୍ରତିଷ୍ଠିତ ସମାନ ଶିଳ୍ପ ତୁଳନାରେ ସେମାନଙ୍କର ସ୍ଥିତି ଅଧିକ ଅନୁକୂଳ ହେବ ଦେଶୀ ଓ ବିଦେଶୀ ବଜାରରେ ।
ନବୀନବାବୁଙ୍କ ଶାସନକାଳରେ ଯେଉଁଭଳି ଶିଳ୍ପଗୁଡ଼ିକ ସହ ବୁଝାମଣା ପତ୍ର ଦସ୍ତଖତ ଚାଲିଛି ଓ ସେମାନଙ୍କୁ ବହୁ କିସମର ରିହାତିର ପ୍ରତିଶ୍ରୁତି ଦିଆଯାଇଛି-ତାହା ସହିତ ଉପôାଦନ ଶୁଳ୍କ ଉପରେ ରିହାତି-ଶିଳ୍ପଗୁଡ଼ିକ ପାଇଁ ଯେ ‘ସୋନେ ପେ ସୁହାଗା’ ସଦୃଶ-ଏହା କିଏ ବା ଅସ୍ୱୀକାର କରିବ? ତେଣୁ ଓଡ଼ିଶାର ପାଣି, ପବନକୁ ଦୂଷିତ କରୁଥିବା, ଖଣି, ଖାଦାନ, ଜଙ୍ଗଲ ଜମିକୁ ଶାଗମାଛ ମୂଲରେ ଅକ୍ତିଆର କରୁଥିବା ଓ ସାଧାରଣ ଲୋକଙ୍କର ଜୀବନ ଜୀବିକାକୁ ହନନ କରୁଥିବା ଶିଳ୍ପଗୁଡ଼ିକର ସ୍ୱାର୍ଥରେ ହିଁ ଯେ ଉଠୁଛି ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ପାଇଁ ମାନ୍ୟତାର ଦାବି- ଏଭଳି ସନେ୍ଦହକୁ ଅମୂଳକ ବୋଲି କୁହାଯାଇ ନପାରେ ।
-ଶୁଦ୍ରକ

Print Friendly, PDF & Email