୧-୧୫ ଡିସେମ୍ବର ୨୦୧୧
ମାଓବାଦୀଙ୍କ ବିରୋଧରେ ପଶ୍ଚିମବଙ୍ଗର ତୃଣମୂଳ ସରକାରଙ୍କର କଠୋର ମନୋଭାବ- ପୂର୍ବତନ ସିପିଏମ୍ ସରକାର ବିରୋଧରେ ତୃଣମୂଳର ସମର୍ଥକ ସାଜିଥିବା ଓ ମମତାଙ୍କ ନେତୃତ୍ୱରେ ତୃଣମୂଳ ସରକାର ଗଠନ ଦ୍ୱାରା ଉଲ୍ଲସିତ ହୋଇଥିବା ବହୁ ପ୍ରଗତିଶୀଳ ବୁଦ୍ଧିଜୀବୀଙ୍କୁ ଯେ ନୈରାଶ୍ୟଗ୍ରସ୍ତ କରିଛି-ତାହା ଗଣମାଧ୍ୟମରେ ପ୍ରକାଶିତ ବିଭିନ୍ନ ସମ୍ବାଦରୁ ସୂଚନା ମିଳେ । ଏପରିକି ତୃଣମୂଳ ସାଂସଦ କବି ଓ ଗାୟକ କବିର ସୁମନ ଆତ୍ମସମର୍ପଣ କରିଥିବା ମାଓବାଦୀ ଜାନାରୀ ବାସ୍କେ ଓ ମୃତ କିଶାନଜୀଙ୍କୁ ଚରିତ୍ରଭାବେ ନେଇ ଗୀତ ରଚନାକରି, ତାଙ୍କର କ୍ଷୋଭ ଓ ନୈରାଶ୍ୟକୁ ସମ୍ବରଣ କରିପାରି ନାହାନ୍ତି । ଏହା ମମତା ବାନାର୍ଜୀଙ୍କୁ ଅସୁଖୀ କରିଛି । ମମତାଙ୍କର ଧାରଣା ଯେ ଏହି ପ୍ରଗତିଶୀଳ ବୁଦ୍ଧିଜୀବୀମାନେ ଚରମ ବାମପନ୍ଥୀମାନଙ୍କୁ ସମର୍ଥନ କରୁଛନ୍ତି । ସେମାନଙ୍କୁ ଆଶ୍ରୟ ଦେଇଛନ୍ତି । ତାଙ୍କରି ଭାଷାରେ; ମୁଁ ଗତ ଛ’ମାସ ଧରି ଏ ସମ୍ପର୍କରେ କିଛି କହିନାହିଁ । କିନ୍ତୁ ସବୁଥିରେ ଗୋଟିଏ ସୀମା ଅଛି ।’ (I have not said any thing in the past six months, but there has to be limit.) (Zeenews.com, 26/11/11) ନଭେମ୍ବର ୨୩ ଏବଂ ୨୪ତାରିଖ ଦିନ କଲିକତା ସ୍ଥିତ ମେଟ୍ରୋ ଚାନେଲ ଅଞ୍ଚଳ (Metro Channel area)ରେ ଧାରଣା ଓ ଅନଶନ ବିକ୍ଷୋଭ ପାଇଁ ଆବେଦନ କରିଥିବା ଏପିଡ଼ିଆର (APDR-Association for Protection of Democratic Rights)-ପଶ୍ଚିମବଙ୍ଗ ସରକାରଙ୍କ ଠାରୁ ଅନୁମତି ନ ପାଇବା ହିଁ ତୃଣମୂଳ ସରକାର ଓ ଏହାର ପ୍ରଗତିଶୀଳ ବୁଦ୍ଧିଜୀବୀ ସମର୍ଥକଗୋଷ୍ଠୀ ଭିତରେ କୁହୁଳିଥିବା ବିଦ୍ୱେଷକୁ ପଦାକୁ ନେଇଆସିଲା । ସତାଅଶି ବର୍ଷ ବୟସ୍କା ପ୍ରଖ୍ୟାତ ଲେଖିକା ମହାଶ୍ୱେତା ଦେବୀ ଏପିଡ଼ିଆର୍ର ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ଅଗଣତାନ୍ତ୍ରିକ ଓ ଏହାକୁ ତୁରନ୍ତ ପ୍ରତ୍ୟାହାର କରିଦେବା ପାଇଁ ସାମ୍ବାଦିକ ସମ୍ମିଳନୀରେ ଦାବୀ ଜଣାଇଲେ । କହିଲେ ଏହିଭଳି ଅବସ୍ଥା ପଶ୍ଚିମବଙ୍ଗରେ ଗତ ୬୪ବର୍ଷ ମଧ୍ୟରେ ଉପୁଜିନଥିଲା-ଯାହା ଏବେ ଘଟିଲା । ସାଧାରଣ ଲୋକଙ୍କର ପ୍ରତିବାଦ କରିବାର ଅଧିକାରକୁ ଅପହରଣ କରାଗଲା ।’ ତାଙ୍କଦୃଷ୍ଟିରେ ତୃଣମୂଳ ସରକାର, ଜନ ଆନେ୍ଦାଳନର ପରିଣତି । ତାଙ୍କର କ୍ଷୋଭ ଯେ, ଏହି ତୃଣମୂଳ ସରକାର ଲୋକଙ୍କର ପ୍ରତିବାଦ କରିବାର ଅଧିକାରକୁ ହନନ କରୁଛି । ମମତାଙ୍କ ଉଦେ୍ଧଶ୍ୟରେ ସେ କହିଲେ, ‘ସେ ଏହିଭଳି ନିଦେ୍ର୍ଧଶକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ-ଯଦି ତାଙ୍କଭିତରେ କିଛି ସମ୍ବେଦନଶୀଳତା ରହିଛି ।’ ଏକଦା ମମତା ବାନାର୍ଜୀଙ୍କୁ ସର୍ବୋତ୍ଭାବେ ସମର୍ଥନ କରୁଥିବା ମହାଶ୍ୱେତା, ମମତାଙ୍କ ସରକାର ବିରୋଧରେ କଠୋର ମନ୍ତବ୍ୟ କରିବେ, ତାହା ମମତାଙ୍କ ପାଇଁ ଥିଲା ଅପ୍ରତ୍ୟାଶିତ । ତେଣୁ ସେ ମହାଶ୍ୱେତା ଯାହା କହୁଛନ୍ତି ତାହା ତାଙ୍କ ନିଜର କଥା ନୁହେଁ ବୋଲି କହିପାରିଲେ । ଏହା ସହିତ ସେ ମହାଶ୍ୱେତାଙ୍କର ବୟସାଧିକ୍ୟ ପ୍ରତି ଦୃଷ୍ଟି ଆକର୍ଷଣ କରି- ବିଚାର ଦୃଷ୍ଟିରୁ ସେ ତାଙ୍କର ସମ୍ମାନାଷ୍ପଦ ବୋଲି କହି ମହାଶ୍ୱେତାଙ୍କର ମନ୍ତବ୍ୟକୁ ଗମ୍ଭୀରତା ସହ ନନେବା ପାଇଁ ଏକ ପରୋକ୍ଷ ସୂଚନା ଦେଇଦେଲେ । ବର୍ଷକତଳେ କିସ୍(KISS)କୁ ତୀର୍ଥ କହିଥିବା ମହାଶ୍ୱେତା ଦେବୀଙ୍କର ବର୍ତ୍ତମାନର ପ୍ରତିକ୍ରିୟାରେ ବୟସାଧିକ୍ୟର ଛାପ ଦୃଶ୍ୟ ହେବା ସ୍ୱାଭାବିକ ନୁହେଁ । କିନ୍ତୁ ପ୍ରଗତିଶୀଳ ବୁଦ୍ଧିଜୀବୀ ଓ କ୍ଷମତାସୀନ ସରକାର ପାଦ ମିଳାଇ ସବୁ ସମୟ ପାଇଁ ଚାଲିପାରିବେ-ତାହାହିଁ ପଶ୍ଚିମବଙ୍ଗରେ ଉପୁଜିଥିବା ପରିସ୍ଥିତିରୁ ସୂଚନା ମିଳେ । ଦକ୍ଷିଣପନ୍ଥୀ ତୃଣମୂଳ ସରକାର ସହିତ ପାଦ ଅମେଳ ହୋଇଯିବ-ଏତେ ଶୀଘ୍ର-ତାହା କେହି ଆଶା କରୁନଥିଲେ ମଧ୍ୟ-ଏହା ହିଁ ତତ୍ତ୍ୱ ଦୃଷ୍ଟିରୁ ଭବିତବ୍ୟ- ଏହା ସ୍ୱୀକାର କରିବାକୁ ହେବ । -ଶୁଦ୍ରକ