୧୬-୩୦ଜୁଲାଇ ୨୦୦୭
ଶାସନ ସହ ସମ୍ପୃକ୍ତ ଅଫିସରମାନେ ଏକ କ୍ଲବ କରି ସେଠାରେ ଆମୋଦ ପ୍ରମୋଦରେ କିଛି ସମୟ ଅତିବାହିତ କରିବା ଏକ ଔପନିବେଶିକ ପରମ୍ପରା । ବ୍ରିଟିଶ ଶାସନରେ ଗୋରା ଅଫିସରମାନେ ଏହିଭଳି କ୍ଲବ ଆରମ୍ଭ କରିଥିଲେ ଭାରତଭୂଇଁରେ । ନିଜଦେଶର ଲୋକଙ୍କ ସହ ଏକତ୍ରୀତ ହୋଇ କର୍ମକ୍ଲାନ୍ତ କେତୋଟି ମୁହୂର୍ତ୍ତକୁ ଅତିବାହିତ କରିବା ପାଇଁ ବିଭିନ୍ନ ଆମୋଦ ପ୍ରମୋଦରେ । ଏହିଭଳି ଗୋରାମାନଙ୍କର କ୍ଲବ ଭିତରକୁ କଳାଲୋକଙ୍କର ପ୍ରବେଶ ପ୍ରାୟ ନିଷେଧ ଥିଲା । ସେମାନେ ଶାସକ, ତେଣୁ ସେମାନେ ଭିନ୍ନ । ସେମାନଙ୍କର ବର୍ଣ୍ଣ ଭିନ୍ନ, ତେଣୁ ସେମାନେ ବିଚ୍ଛିନ୍ନ ହୋଇରହିବେ, ଏହି ସମ୍ବାଦ ଦେଉଥିଲା ସେମାନଙ୍କ କ୍ଲବ୍ । କିନ୍ତୁ ସେମାନଙ୍କର କ୍ଲବ୍କୁ ଏକ ବ୍ୟବସାୟୀ ସଂସ୍ଥାରେ ପରିଣତ କରିଥିବେ, ଯଦିଓ ସେମାନେ ଏକ ବିରାଟ ବଣିକ ଜାତିର ଥିଲେ ଦାୟାଦ । ତାହାର କୌଣସି ଦୃଷ୍ଟାନ୍ତ ଏଯାବତ୍ ମିଳିନାହିଁ ।
ଭାରତ ସ୍ୱାଧୀନ ହେଲା । ଗୋରା ଶାସକ ସେମାନଙ୍କ ଦେଶକୁ ଫେରିଗଲେ । କିନ୍ତୁ କ୍ଲବ୍ ପରମ୍ପରା ରହିଗଲା । ସ୍ୱାଧୀନ ଭାରତର ଶାସନରେ ଥିବା ଅଫିସରମାନେ ସେହି ଔପନିବେଶିକ ପରମ୍ପରାକୁ କାଏମ ରଖିଲେ । ସେତେବେଳେ ଅଫିସରମାନଙ୍କର କ୍ଲବ୍ରେ ବ୍ୟବସାୟୀ ମାନେ ସଭ୍ୟ ହେଉଥିଲେ କି ନାହିଁ ତାହା ଅନୁସନ୍ଧାନ-ସାପେକ୍ଷ । କିନ୍ତୁ ସ୍ୱାଧୀନ ଭାରତରେ ଗଣତନ୍ତ୍ରକୁ ସମ୍ମାନ ଦେଇ ବୋଧହୁଏ ଏହି କ୍ଲବଗୁଡ଼ିକ ସେମାନଙ୍କର ଦ୍ୱାରକୁ ଉନ୍ମୁକ୍ତ କରିଦେଲେ ବଡ଼ବଡ଼ ବ୍ୟବସାୟୀମାନଙ୍କ ପାଇଁ । ଅଫିସର୍ସ୍ କ୍ଲବ୍ ରୂପାନ୍ତରିତ ହେଲା ବି ଲୋକଙ୍କର କ୍ଲବ୍- ଏଲିଟ୍ କ୍ଲବ୍ରେ । ଏହି ବିବର୍ତ୍ତନ ଫଳରେ କ୍ଲବ ହୋଇଗଲା ବ୍ୟବସାୟୀ-ଅଫିସରଙ୍କର ଏକ ମଧୁଚନ୍ଦ୍ରିକାର ଆଳୟ । ନିଷ୍ପତ୍ତ ସହଜ ହୋଇଗଲା ପିଆଲାର ବାସ୍ନାରେ । ଅଫିସର ପାଇଲେ ସୁଯୋଗ ବେନାମୀ ବ୍ୟବସାୟୀ ହେବାରେ । ସେ ସମସ୍ତ କଟକଣାକୁ ବିଦ୍ରୁପ କଲେ ନିରଙ୍କୁଶ ହୋଇଗଲେ । ତାହାହେଲେ କ୍ଲବ୍କୁ ବ୍ୟବସାୟିକ ପ୍ରତିଷ୍ଠାନ କରିଦେଲେ କେମିତି ହୁଅନ୍ତା? ନିଶ୍ଚୟ ଏହା ସଦସ୍ୟ ଅଫିସରମାନଙ୍କୁ ଜୁଟିଥିବ । ସେଇଥିପାଇଁ ବୋଧେ ଭୁବନେଶ୍ୱର କ୍ଲବ ହୋଇଗଲା କମ୍ପାନୀ ଓ ଯେତେବେଳେ ସମସ୍ତେ ମାତିଛନ୍ତି ଖଣି ପଛରେ, ସେତେବେଳେ ସେ କାହିଁକି ବା ପଛରେ ପଡ଼ନ୍ତା! ତେଣୁ ଯେଉଁମାନେ ଭୁବନେଶ୍ୱର କ୍ଲବରେ ବିବର୍ତ୍ତନ ଦେଖୁଛନ୍ତି, ସେମାନେ ଏତଦ୍ୱାରା ଆଦୌ ଆଶ୍ଚର୍ଯ୍ୟ ହୋଇନାହାନ୍ତି- ଏହା ଯେ ପ୍ରଘଟ ହୋଇଗଲା ସବୁ ଶକ୍ତିଶାଳୀ ଅଫିସରମାନଙ୍କର କ୍ଲବ ସହ ସମ୍ପୃକ୍ତି ସତ୍ତ୍ୱେ – ତାହା ହିଁ ଆଶ୍ଚର୍ଯ୍ୟର କଥା । ଲୋକେ ଏହାଦ୍ୱାରା ଜାଣିଲେ ଯେ ଯେଉଁମାନେ ଖଣି ଲିଜ୍ ଦେବା ପାଇଁ ନିଷ୍ପତ୍ତ ନେବେ, ସେମାନେ ହିଁ ଖଣି ଲିଜ୍ ପାଇଁ ପ୍ରାର୍ଥୀ । ଦୁର୍ନୀତିର ଏହାଠାରୁ ବଳି ଚରମ ଉଦାହରଣ କ’ଣ ହୋଇପାରେ? ଉଚ୍ଚପଦସ୍ଥ ଅଫିସରମାନଙ୍କ ଦ୍ୱାରା ଆଚରଣବିଧିର ଉଲ୍ଲଂଘନ, କେଉଁ ପର୍ଯ୍ୟାୟରେ ପହଞ୍ଚିଛି, ତାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡ଼ୁଛି । ଯେକୌଣସି ଅନ୍ୟରାଜ୍ୟ ହୋଇଥିଲେ ଏହି ଘଟଣା ଗଣମାଧ୍ୟମରେ ବିରାମହୀନ ପ୍ରଚାରିତ ହୋଇଥାନ୍ତା ଓ ସରକାରୀ କଳ ପାଇଁ ଏକ ଆହ୍ୱାନ ଭାବେ ଦଣ୍ଡାୟମାନ ହୋଇଥାନ୍ତା । କିନ୍ତୁ, ଓଡ଼ିଶାରେ ଏହା ହେବ ନାହିଁ-ଏହା ହିଁ ଓଡ଼ିଶାର ଦୁର୍ଭାଗ୍ୟ । ତେବେ କେନ୍ଦ୍ର ସରକାରଙ୍କର ତରଫରୁ ଏ ସମ୍ପର୍କରେ ଯେ ଅନୁସନ୍ଧାନ ଆରମ୍ଭ ହୋଇଛି, ତାହାର ଏକ ତାତ୍ତ୍ୱିକ ପରିସମାପ୍ତି ଘଟିବ ବୋଲି ଆଶା କରାଯାଇପାରେ । ଏହାହେଲେ ଅଫିସରମାନଙ୍କର ଔଦ୍ଧତ୍ୟ ଉପରେ ଏକ ଅଙ୍କୁଶ ଲାଗିବ ।