ବିଜୁ ବିଚାର ମଞ୍ଚ

  • 17/09/2015

୧୬-୩୧ ଅକ୍ଟୋବର ୨୦୧୧

ବିଜୁ ଜନତା ଦଳ ଭିତରେ ପ୍ରାୟଃ ଏକ ଘରକିଆ ହୋଇଥିବା ଦଳର ନାମମାତ୍ର ଉପସଭାପତି ଡାକ୍ତର ଦାମୋଦର ରାଉତ- ଇତ୍ୟବସରରେ ବିଜୁ ବିଚାର ମଞ୍ଚ ବୋଲି ଏକ ଅନୁଷ୍ଠାନର ଉଦ୍ଘାଟନ କରାଇଛନ୍ତି । ଉଦ୍ଘାଟକ ହୋଇଛନ୍ତି- ବିଜୁ ବାବୁଙ୍କର ଅତ୍ୟନ୍ତ ଅନ୍ତରଙ୍ଗ, ଶିଶୁ ନବୀନକୁ କାଖେଇଥିବା ବର୍ଷିଆନ୍ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ । ଡାକ୍ତର ଦାମୋଦର ରାଉତ ସମ୍ପୂର୍ଣ୍ଣ ଭାବରେ ରାଜନୈତିକ ବ୍ୟକ୍ତି ହୋଇଥିଲେ ହେଁ- ଏହି ମଞ୍ଚ ସମ୍ପୂର୍ଣ୍ଣ ଅଣରାଜନୈତିକ ବୋଲି ସେ ଦାବି କରନ୍ତି । ଅବଶ୍ୟ ଏହି ଅବସରରେ ସେ କହିବାକୁ ପାଶୋରି ନାହାନ୍ତି ଯେ ଆଜି ବିଜୁ ଜନତା ଦଳର, ବିଜୁବାବୁଙ୍କୁ ଆଦୌ ଜାଣିନଥିବା ବ୍ୟକ୍ତି- ଏପରିକି ତାଙ୍କୁ ଅପମାନିତ କରିଥିବା ବ୍ୟକ୍ତିମାନେ ପ୍ରବେଶ କରି ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଅକ୍ତିଆର କରିଛନ୍ତି । ଏହି ମଞ୍ଚ ସ୍କୁଲ ଇତ୍ୟାଦି ଶିକ୍ଷାନୁଷ୍ଠାନମାନଙ୍କୁ ଯାଇ ବିଜୁବାବୁଙ୍କ ବିଚାର ସମ୍ପର୍କରେ ପିଲାମାନଙ୍କୁ ଜଣାଇବାର କାର୍ଯ୍ୟ ହାତକୁ ନିଅନ୍ତୁ ବୋଲି ବିଜୁ ଜନତା ଦଳର ପ୍ରକୃତ ସୁପ୍ରିମୋ ପ୍ୟାରୀମୋହନ ମହାପାତ୍ର ପରାମର୍ଶ ଦେଇଛନ୍ତି । କହିବା ବାହୁଲ୍ୟ ଯେ ବିଜୁ ବିଚାର ମଞ୍ଚର ଗଠନ- ରାଜନୈତିକ ପରିବେଶକୁ ବେଶ୍ ରୋଚକ କରିଛି । ଆଗାମୀଦିନରେ ସମାଲୋଚନା, ପ୍ରତି ସମାଲୋଚନାର ଜୁଆର ଭଟ୍ଟା ଭିତରେ ସବୁ ମନୋରମ ଦୃଶ୍ୟମାନ ଦେଖିବାକୁ ମିଳିବ ବୋଲି ଆଶା ।
ବିଜୁ ବାବୁଙ୍କର ଦାମୋଦର ରାଉତଙ୍କ ପ୍ରତି ଅତ୍ୟନ୍ତ ଅନୁକମ୍ପା ଥିଲା- ଏହା ବାସନ୍ତୀ ବାରା ଉପାଖ୍ୟାନକୁ ସ୍ମରଣ କରିପାରୁଥିବା ଯେକୌଣସି ବ୍ୟକ୍ତି ସ୍ୱୀକାର କରିବ । ଦାମବାବୁ ବିଜୁବାବୁଙ୍କ ଦ୍ୱିତୀୟ ମନ୍ତ୍ରିମଣ୍ଡଳରେ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ଭାବେ ଜଣେ ପ୍ରଭାବୀ ମନ୍ତ୍ରୀଥିଲେ ଯେତେବେଳେ ପ୍ୟାରୀମୋହନ ମହାପାତ୍ର ଜଣେ ସରକାରୀ ଅଫିସର ଭାବେ ବିଜୁବାବୁଙ୍କର ପ୍ରମୁଖ ସଚିବ ଥିଲେ । ତେଣୁ ଦାମବାବୁଙ୍କର
ବିଜୁବାବୁଙ୍କ ପ୍ରତି ଆନୁଗତ୍ୟ ସ୍ୱାଭାବିକ । କିନ୍ତୁ ବିଜୁ ପଟ୍ଟନାୟକଙ୍କର ବିଚାର ସମ୍ପର୍କରେ ତାଙ୍କର ଧାରଣା କେତେ ଗଭୀର- ତାହା ଓଡ଼ିଶାର ଜନସାଧାରଣ ଜାଣିପାରିବେ ଯଦି ସେ ବିଜୁଙ୍କ ବିଚାରଉପରେ ଏକ ପୁସ୍ତକ ରଚନା କରିପାରନ୍ତି । କାରଣ ବିଜୁବାବୁ ନିଜେ କିଛି ଲେଖିଥିବାର ଦୃଷ୍ଟାନ୍ତ- ନାହିଁ । ତାଙ୍କର ଭାଷଣଗୁଡ଼ିକୁ ବିଶେଷତଃ ବିଧାନସଭାରେ ବା ଲୋକସଭାରେ, ସଂଗ୍ରହ କରିବାର ଦାୟିତ୍ୱ ଦାମବାବୁ ନିଅନ୍ତୁ । ବିଭିନ୍ନ ରାଜନେତା, ପ୍ରଶାସକ ଓ ବିଜୁବାବୁଙ୍କୁ ଜାଣିଥିବା ବ୍ୟକ୍ତିମାନେ ବିଜୁବାବୁଙ୍କ ଉପରେ ଲେଖିଥିବା ପୁସ୍ତକଗୁଡ଼ିକୁ ସଂଗ୍ରହ କରି, ଅଧ୍ୟୟନ କରି ତାଙ୍କର ବିଚାରଗୁଡ଼ିକୁ ଏକାଠି କରିବାର ଉଦ୍ୟମ କରନ୍ତୁ । ବିଜୁବାବୁ ଜଣେ ଦୁଃସାହସୀ ଓ ଖେଳୁଆଡ଼ ମନୋଭାବର ମଣିଷଥିଲେ । ସାମ୍ନା-ସାମ୍ନି ମୁକାବିଲା ହିଁ ତାଙ୍କ ବିଚାରର ବୈଶିଷ୍ଟ୍ୟ ଥିଲା । ଏହି ବିଚାରକୁ ଯେ ବିଜୁ ଜନତା ଦଳ ଆରମ୍ଭ ହେଉ ହେଉ କବର ଦିଆଯାଇଛି- ଏହା କହିବା ଆଦୌ ଅତିଶୟୋକ୍ତି ହେବନାହିଁ । ବିଜୁ ଜନତା ଦଳର ଅନ୍ୟତମ ପ୍ରତିଷ୍ଠାତା ବିଜୟ ମହାପାତ୍ରଙ୍କୁ ଯେପରି ଅପଦସ୍ଥ କରାଗଲା- ତାହା ଉପରୋକ୍ତ ବିଜୁ ବିଚାରର ଯେ ପରିପନ୍ଥୀ- ତାହା ଆଜି ବିଜୁ ବିଚାରକୁ ନେଇ ମଞ୍ଚ ଗଢ଼ିଥିବା ଦାମବାବୁ ନିଶ୍ଚିତ ହୃଦୟଙ୍ଗମ କରୁଥିବେ ଯେ ସେ ସମୟରେ ତାଙ୍କର ନୀରବତା ବିଜୁ ବିଚାରକୁ କବର ଦେବାରେ ସାହାଯ୍ୟ କରିଛି । ଏହା ଯଦି ସେ ପ୍ରକାଶ୍ୟରେ ସ୍ୱୀକାର କରନ୍ତି- ତା’ହେଲେ ବିଜୁବିଚାର ପ୍ରତି ତାଙ୍କର ପ୍ରକୃତ ଅନୁରକ୍ତି ସାବ୍ୟସ୍ତ ହେବ ଓ ମଞ୍ଚ ଗଢ଼ିବା ସମସ୍ତ ସନେ୍ଦହର ଊଦ୍ଧ୍ୱର୍ରେ ରହିବ ।
-ଶୁଦ୍ରକ

Print Friendly, PDF & Email