୧-୧୫ ଅକ୍ଟୋବର ୨୦୧୧
ସବୁ ଦୋକାନର ଜଣେ ପ୍ରତିଷ୍ଠାତା ଥାନ୍ତି । ଦୋକାନ ଭିତରକୁ ପଶିଗଲେ ପ୍ରାୟଃ ଗୋଟିଏ ଫଟ (ଦେବାଦେବୀଙ୍କ ଫଟ ବ୍ୟତୀତ) ଓ ଫଟ ଉପରେ ଫୁଲମାଳ ପଡ଼ିଥିବାର ଦେଖୁ ଓ ନିଶ୍ଚିତ ଉପସଂହାରରେ ଉପନୀତ ହେଉ ଯେ ଫଟରେ ବନ୍ଧା ହୋଇଥିବା ମଣିଷ ଜଣକ ଏହି ଦୋକାନର ପ୍ରତିଷ୍ଠାତା । ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଏହି ଶବ୍ଦର ବ୍ୟବହାର ମଧ୍ୟ ଆମେ ଦେଖୁ । କିନ୍ତୁ ଜଣେବ୍ୟକ୍ତିକୁ ପ୍ରତିଷ୍ଠାତାଭାବେ ସ୍ୱୀକୃତି ସବୁବେଳେ ସମାଜ ହିଁ ଦେଇଥାଏ ଓ ତାଙ୍କୁ ଏହିଭଳି ସ୍ମରଣ କରିଥାଏ । ପ୍ରାଣନାଥ ପଟ୍ଟନାୟକ, ଉପେନ୍ଦ୍ର ନାଥ ପ୍ରଧାନ, ଦୀନବନ୍ଧୁ ସାହୁ, ଶ୍ରୀପତି ନନ୍ଦ, ବିକଳାନନ୍ଦ କର, ଛକଡ଼ି ମହାନ୍ତି, ଯୋଗେଶ ରାଉତ, ପରମାନନ୍ଦ ମହାପାତ୍ର ଆଦିଙ୍କୁ ଆମେ ଯଥାକ୍ରମେ ଖୋର୍ଦ୍ଧା, ସୋରୋ, କେନ୍ଦ୍ରାପଡ଼ା, ଜଗତସିଂହପୁର, ସାଲେପୁର, ଭଦ୍ରକ, ବାଙ୍କୀ, ବୋଲଗଡ଼ଠାରେ ହୋଇଥିବା ମହାବିଦ୍ୟାଳୟଗୁଡ଼ିକର ପ୍ରତିଷ୍ଠାତା ଭାବେ ସ୍ମରଣ କରୁ । ଏହିଭଳି ଓଡ଼ିଶାର ବହୁ ଅଞ୍ଚଳରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସ୍ଥାପନା ପଛରେ ବ୍ୟକ୍ତିମାନେ ଥିବେ ଯେଉଁମାନେ ଗ୍ରାମୀଣ, ଗରିବ ପିଲାମାନଙ୍କୁ ଉଚ୍ଚଶିକ୍ଷା ଉପଲବ୍ଧ କରାଇ ପାରିଥିଲେ- ଯାହାଫଳରେ କୃତଜ୍ଞ ସମାଜ ତାଙ୍କୁ ପ୍ରତିଷ୍ଠାତାର ସ୍ୱୀକୃତି ଦେଉଥିଲା । ଏମାନେ କେହି ନିଜକୁ ନିଜେ ପ୍ରତିଷ୍ଠାତା ଦାବି କରିବା ବା ସେହିଭଳି ନିଜକୁ ଗଣମାଧ୍ୟମରେ ପ୍ରଚାରିତ କରିବାର ନଜିର ଆମେ ଦେଖୁନାହୁଁ । କିନ୍ତୁ ଶିକ୍ଷାର ବ୍ୟବସାୟୀକରଣ ପରେ, ଯେତେବେଳେ ପାଠଦୋକାନମାନ ଚାରିଆଡ଼େ ଖୋଲିଲା, ବୈଷୟିକ ଶିକ୍ଷା ଦେବା ନାଁରେ ପ୍ରଚୁର ଅର୍ଥ ଆୟର ବାଟ ଖୋଲାଗଲା, ସୌଖୀନ ହୋଟେଲ, ସୁଦୃଶ୍ୟ ରମ୍ୟ ଭବନମାନ ତିଆରି ହେଲା, ସେତେବେଳେ ଏହି ଦୋକାନଗୁଡ଼ିକର ମାଲିକମାନଙ୍କୁ ଗ୍ରାସ କଲା ନିଜକୁ ପ୍ରତିଷ୍ଠାତା ବୋଲାଇବାର ନିଶା । ଆଧୁନିକ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଯୁଗରେ, ନିଜ ନିଜର ଅନୁଷ୍ଠାନର ୱେବ୍ସାଇଟ (Website) କରି ନିଜକୁ ସେଥିରେ ‘ପ୍ରତିଷ୍ଠାତା’ବୋଲି ସୂଚାଇ ଦିଆଗଲା । କିନ୍ତୁ ଏହା ଯେ ଏକ ପଦବୀ ଭଳି ବ୍ୟବହାର କରାଯାଇପାରେ, ତା’ର ଦୃଷ୍ଟାନ୍ତ ମିଳେ କିଟ୍ (KIIT)ର ଅଚୁ୍ୟତ ସାମନ୍ତଙ୍କ ଦ୍ୱାରା ଲିଖିତ ଏକ ପତ୍ରରୁ । ଏହି ପତ୍ର ସେ ଲେଖିଥିଲେ ବିଭିନ୍ନ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଥିଲେ ୨୮ଅଗଷ୍ଟ ୨୦୧୧ସନ୍ଧ୍ୟା ସାତଟାବେଳେ ହୋଟେଲ ସ୍ୱସ୍ତି ପ୍ଲାଜାକୁ ଆସିବାପାଇଁ । ଆଲୋଚ୍ୟ ବିଷୟ ଥିଲା ପ୍ରସ୍ତାବିତ ‘୯୯ତମ ଭାରତୀୟ ବିଜ୍ଞାନ କଂଗ୍ରେସ’- ଯାହା କିଟ୍ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ଓ ଭାରତ ସରକାରଙ୍କ ପ୍ରତିଷ୍ଠାନ ନାଇସର (NISER: National Institute of Science Education and Research)ର ମିଳିତ ଉଦ୍ୟମରେ ଅନୁଷ୍ଠିତ ହେବ । ଏହି ପତ୍ରରେ ଅଚୁ୍ୟତ ସାମନ୍ତ ନିଜର ଦସ୍ତଖତ ତଳେ ନିଜକୁFounder-KIIT and KISS ଅର୍ଥାତ ପ୍ରତିଷ୍ଠାତା-କିଟ୍ ଏବଂ କିସ୍ ବୋଲି ସୂଚାଇଛନ୍ତି ।
ଯେଉଁମାନେ KIIT ଏବଂ KISSର ମୂଳ ଇତିହାସ ବିଷୟରେ ଜାଣିଛନ୍ତି- ସେମାନେ ଅବଶ୍ୟ ଏହି ଉଦ୍ୟମ ପଛରେ ପ୍ରଦୁ୍ୟମ୍ନ କିଶୋର ବଳଙ୍କ ଅବଦାନକୁ ସ୍ମରଣ କରୁଛନ୍ତି । ଯଦି ପ୍ରତିଷ୍ଠାତାଭାବେ କାହାକୁ ସ୍ୱୀକୃତି ଦିଆଯିବା କଥା, ତାହା ସ୍ୱର୍ଗତ ପ୍ରଦୁ୍ୟମ୍ନ କିଶୋର ବଳଙ୍କୁ ହିଁ ଦିଆଯିବା କଥା ବୋଲି ସେମାନେ ଅନୁଭବ କରୁଛନ୍ତି । କାରଣ ଯେଉଁ KIIT society (Registation No.4268-91, June 1992) KIITର ପ୍ରତିଷ୍ଠା କରିଥିଲେ ତାହାର ସଭାପତି ଥିଲେ ପ୍ରଦୁ୍ୟମ୍ନ କିଶୋର ବଳ, ଉପସଭାପତି ଥିଲେ ଗୋପାଳ ଚମ୍ପତି । ଅଚୁ୍ୟତସାମନ୍ତ ଥିଲେ ସମ୍ପାଦକ । ପ୍ରଶାନ୍ତ ମିଶ୍ର ଥିଲେ କୋଷାଧ୍ୟକ୍ଷ । ପ୍ରାଣକୃଷ୍ଣ ମିଶ୍ର, ବୈଦ୍ୟନାଥ ମିଶ୍ର, ଊମାପଦ ବୋଷ, ଚିତ୍ତରଞ୍ଜନ ମିଶ୍ର, ଶାଶ୍ୱତୀ ବଳ, ସଂଗ୍ରାମକେଶରୀ ମଲ୍ଲିକ ଓ ଏସ୍.ସି. ସିଂହ ଥିଲେ ସଭ୍ୟ । ସୋସାଇଟିର ପ୍ରଥମ କର୍ମକର୍ତ୍ତା ଭାବେ ଏମାନେ ପ୍ରତ୍ୟେକେ ହେଉଛନ୍ତି ଜଣେ ଜଣେ ପ୍ରତିଷ୍ଠାତା । କିନ୍ତୁ ଆଜିକା ଦିନରେ ବିଶେଷତଃ ଗଣମାଧ୍ୟମରେ KIIT ଓKISSପ୍ରତିଷ୍ଠାତା ସମ୍ପାଦକ ଆଜି ନିଜକୁ ଏକମାତ୍ର ପ୍ରତିଷ୍ଠାତା ଭାବେ ଉତ୍ଥାପିତ କରିଛନ୍ତି ଓ ଏହାକୁ ଏକ ପଦବୀଭଳି ବ୍ୟବହାର କରୁଛନ୍ତି ଯାହାର କୌଣସି ଆଇନଗତ ସ୍ୱୀକୃତି ନାହିଁ । ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ଆଇନରେ (UGC,(IUD) Regulations 2010) ‘Founder’ ବା ପ୍ରତିଷ୍ଠାତା ଭଳି କୌଣସି ପଦବୀ ନାହିଁ । ଏହାର ସର୍ବୋଚ୍ଚ କର୍ତ୍ତୃପକ୍ଷ ହେଉଛି ବୋର୍ଡ଼ ଅଫ ମ୍ୟାନେଜମେଣ୍ଟ ଯାହାର ଅଧ୍ୟକ୍ଷ ହେଉଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି । ତେଣୁ ନିଜେ ନିଜକୁ ପ୍ରତିଷ୍ଠାତା ବୋଲି ଘୋଷଣା କରି ସ୍ୱର୍ଗତ ପ୍ରଦୁ୍ୟମ୍ନ ବଳଙ୍କ ଭଳି ବ୍ୟକ୍ତିତ୍ୱକୁ ତଥା ଅନ୍ୟ ସାଥୀମାନଙ୍କର ଅବଦାନକୁ ଗୌଣ କରିଦେବା ଏକ ଗ୍ରହଣୀୟ ଦୃଷ୍ଟାନ୍ତ ନୁହେଁ । ଏଭଳି ଉଦ୍ୟମରେ ଅନ୍ୟମାନଙ୍କର ଅବଦାନକୁ ପୋଛିଦେବାର ମାନସିକତା ହିଁ ପ୍ରକଟିତ ହୁଏ । ତେବେ ଅଚୁ୍ୟତ ନିଜକୁ ପ୍ରତିଷ୍ଠାତା ସମ୍ପାଦକ ଲେଖିଲେ ତାହା ତଥ୍ୟ ସମର୍ଥିତ ହେବ ଓ ବିତର୍କ ଊଦ୍ଧ୍ୱର୍ରେ ରହିବ । ନିଜ ଜୀବଦ୍ଧଶାରେ ନିଜକୁ ପ୍ରତିଷ୍ଠାତା କରିବାର ମୋହରୁ ମୁକ୍ତ ରହିବା ମାନସିକ ସ୍ୱାସ୍ଥ୍ୟ ପାଇଁ ଅନୁକୁଳ ଠିକ୍ ଯେପରି କୌଣସି ନିଶାଦ୍ରବ୍ୟର ଅଭ୍ୟାସରୁ ମୁକ୍ତ ରହିବା ଦୈହିକ ସ୍ୱାସ୍ଥ୍ୟ ପାଇଁ ଅନୁକୂଳ । -ଶୁଦ୍ରକ