ଆଦିବାସୀ ହେବାର ଅଭିଳାଷ

  • 17/09/2015

୧୬-୩୧ ଅଗଷ୍ଟ ୨୦୧୧

ତାଳଚେର (ଯାହା ସମ୍ପ୍ରତି ଡେଙ୍ଗୁ ଜ୍ୱରପାଇଁ କୁଖ୍ୟାତ ଓ ପୃଥିବୀର ସାମାନ୍ୟ କମ୍ପନରେ ଲୁପ୍ତ ହୋଇଯିବାର ଆଶଙ୍କାରେ ତ୍ରସ୍ତ), ସେହି ଅଞ୍ଚଳର ଏକଦା ପ୍ରତିଷ୍ଠିତ ବ୍ରାହ୍ମଣ ପରିବାରରେ ଜନ୍ମିତ, ଯୁବାବସ୍ଥାରେ ସାମ୍ୟବାଦୀ, ବୃତ୍ତ ଜୀବନରେ ବ୍ୟବସ୍ଥାର ଜାଗ୍ରତପ୍ରହରୀ (ଆଇ.ଏ.ଏସ୍. ଅଫିସର) ଓ ତା’ପରେ ବିଜୁଜନତା ଦଳର ପ୍ରକୃତ ପକ୍ଷେ (de facto) ସୁପ୍ରିମୋ (Supremo), ସହିଦନଗର କକେଇ (uncle) ଶ୍ରୀଯୁକ୍ତ ପ୍ୟାରୀମୋହନ ମହାପାତ୍ର ଇତ୍ୟବସରରେ, ତାଙ୍କର ପରିଣତ ବୟସରେ, ଏକ ଚମକପ୍ରଦ ଅଭିଳାଷ ବ୍ୟକ୍ତ କରିଛନ୍ତି । ତାଙ୍କ ଭାଷାରେ, ‘ସେ ତାଙ୍କର ସମଗ୍ର ଚାକିରୀଜୀବନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କଟାଇଛନ୍ତି, ତେଣୁ ଯଦି ପୁନର୍ଜନ୍ମ ନିଅନ୍ତି, ତେବେ ସେ ଆଦିବାସୀଟିଏ ହେବେ । କାରଣ ସାଧାରଣବର୍ଗର ଲୋକେ ଆଦିବାସୀମାନଙ୍କୁ ଅଧିକ ନିର୍ଯାତନା ଦେଉଥିବାରୁ ସେ ଏହି ବର୍ଗରେ ଜନ୍ମ ନେବାକୁ ଚାହୁଁନାହାନ୍ତି ।’ (ଧରିତ୍ରୀ-ଅଗଷ୍ଟ ୮, ୨୦୧୧, ପୃ-୧୩) ଏହି ଅଭିଳାଷ ସେ ବ୍ୟକ୍ତ କରିଛନ୍ତି ଭୁବନେଶ୍ୱରସ୍ଥିତ ବହୁ ପ୍ରଚାରିତ ଆଦିବାସୀ ଆବାସିକ ବିଦ୍ୟାଳୟ ‘କିସ୍’ (KISS)ର ଅତ୍ୟାଧୁନିକୀକରଣ ଉତ୍ସବରେ । ଏହି ଜନ୍ମରେ ସେ ଯେଉଁ ବର୍ଗରେ ତାଙ୍କର ଜୀବନ କଟାଇ ଆସିଛନ୍ତି-ତାହା ଆଦିବାସୀଙ୍କୁ ନିର୍ଯାତନା ଦେଉଛି ବୋଲି ସ୍ୱୀକାରକରି ନିର୍ଯାତିତ ବର୍ଗରେ ଜନ୍ମ ହେବାପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଯଦି ତାଙ୍କର ଏହି ଅଭିଳାଷ ପୂରଣ ହୁଏ, ତା’ହେଲେ ପ୍ୟାରୀବାବୁଙ୍କର ବର୍ତ୍ତମାନର ଜନ୍ମ ଓ ପରବର୍ତ୍ତୀ ଜନ୍ମ ତାଙ୍କୁ ଉଭୟ ଶୋଷକ ଓ ଶୋଷିତର ଅଭିଜ୍ଞତା ଦ୍ୱାରା ଭୂଷିତ କରି ତାଙ୍କୁ ଏକ ସମ୍ପୂର୍ଣ୍ଣ ମଣିଷ କରିଦେବ, ଏଥିରେ ସନେ୍ଦହ ନାହିଁ । କିନ୍ତୁ ବର୍ତ୍ତମାନର ଭୂମିକାରେ ପ୍ୟାରୀବାବୁ ଯେଉଁ ବେଗରେ ବଡ଼ ବଡ଼ ଦେଶୀ ବିଦେଶୀ କମ୍ପାନୀମାନଙ୍କୁ ନିମନ୍ତ୍ରଣ କରି ଓଡ଼ିଶା ମାଟିରୁ ଆଦିବାସୀ ଉଚ୍ଛେଦର କାରଣ ହୋଇଛନ୍ତି, ତାହା ଦେଖିଲେ ପ୍ୟାରୀବାବୁଙ୍କର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜନ୍ମହେବାର ସମ୍ଭାବନା କ୍ରମଶଃ କ୍ଷୀଣ ହୋଇଯାଉଛି । ଏହି ପରିସ୍ଥିତିରେ ତାଙ୍କର ଅଭିଳାଷ ଯଦି ପୂରଣ ହୁଏ, ତା’ହେଲେ ସେ ମୁଣ୍ଡା ସାହି, ସାଲିଆ ସାହି ବା ଭୁବନେଶ୍ୱରରେ ଏହିପରି କୌଣସି ବସ୍ତିଅଞ୍ଚଳରେ ମୁଣ୍ଡ ଗୁଞ୍ଜିଥିବା ଆଦିବାସୀ ପରିବାରରେ ଜନ୍ମ ନେଇପାରନ୍ତି । ଶୁଦ୍ରକର ଆନ୍ତରିକ କାମନା ଯେ ପ୍ୟାରୀବାବୁଙ୍କର ଏହି ଇଚ୍ଛା ପୂରଣ ହେଉ । ଏହି ଜନ୍ମରେ ତାଙ୍କର ପୃଷ୍ଠପୋଷକତାରେ ବିକଶିତ ହେଉଥିବା ‘କିସ୍’ (KISS)ର ଆବାସିକ ବିଦ୍ୟାଳୟରେ ତାଙ୍କର ପରବର୍ତ୍ତୀ ଜୀବନର ବାଲ୍ୟକାଳ ଅତିବାହିତ ହେଉ । -ଶୁଦ୍ରକ

Print Friendly, PDF & Email