୧-୧୫ ଏପ୍ରିଲ, ୨୦୧୧
ଆମର ମନୋନୀତ ପ୍ରଧାନମନ୍ତ୍ରୀ ଇତ୍ୟବସରରେ ଏହି ଉକ୍ତିଟିକୁ ଭୁଲ୍ ବୋଲି ପ୍ରମାଣିତ କରିଛନ୍ତି । ମୋହାଲିଠାରେ ଚାଲିଥିବା ଭାରତ-ପାକିସ୍ଥାନ ମଧ୍ୟରେ ବିଶ୍ୱକପ ସେମି ଫାଇନାଲ ଖେଳ ଚାଲୁଥିବାବେଳେ ଖେଳ ଦେଖୁ ଦେଖୁ ଦୁଇଦେଶର ପ୍ରଧାନମନ୍ତ୍ରୀ ଦ୍ୱୟ ମନମୋହନ ସିଂହ ଓ ୟୁସୁଫ ରାଜା ଗିଲାନୀ ପରସ୍ପର ସହ ମିଳିତ ହେବା ଓ ଏହା କ୍ରିକେଟ କୂଟନୀତି ଭାବେ ଗଣମାଧ୍ୟମରେ ଆଖ୍ୟାୟିତ ହେବା ସୂଚିତ କରୁଛି ଯେ କୂଟନୀତି ଖେଳଘର କଥା ହୋଇପାରେ । ଯଦିଓ ମୁଖ୍ୟ ବିରୋଧୀଦଳ କୂଟନୀତି ଓ କ୍ରିକେଟକୁ ମିଶାଇବାର ଏତାଦୃଶ ପ୍ରକ୍ରିୟାକୁ ସମାଲୋଚନା କରିଛି । (ଦ୍ରଷ୍ଟବ୍ୟ-ଏପ୍ରିଲ ୧, The Statesman) କିନ୍ତୁ ଯଦି ଆମେ ସ୍ୱୀକାରକରୁ ଯେ ଖେଳକୁ ପୂର୍ବେ ଯେପରି ହାଲୁକାଭାବେ ଗ୍ରହଣ କରାଯାଉଥିଲା- ଏବେ ସେପରି କରାଯାଉ ନାହିଁ, ବରଂ ଖେଳକୁ ଖୁବ୍ ଗମ୍ଭୀରତାର ସହ ଗ୍ରହଣ କରାଯାଉଛି- ସେତେବେଳେ ଉପରୋକ୍ତ ଉକ୍ତି ତା’ର ପ୍ରାସଙ୍ଗିକତା ହରାଉଛି ବୋଲି କୁହାଯାଇ ପାରିବ । ପୁନଶ୍ଚ ମନମୋହନ ସିଂହଙ୍କର ଉଦାର ଅର୍ଥନୈତିକ ପରିବେଶରେ କ୍ରିକେଟ ଯେ ଏକ ବିରାଟ ବ୍ୟବସାୟରେ ପରିଣତ ହୋଇ, ବ୍ୟବସାୟର ସମସ୍ତ ପ୍ରକାର ଗାମ୍ଭୀର୍ଯ୍ୟ ଦ୍ୱାରା ଭୂଷିତ ହୋଇଛି- ଏହା ଯେ କେହି ସ୍ୱୀକାର କରିବ । ପୁଣି କ୍ରିକେଟ ଖେଳର ଫଳାଫଳରେ ଅନିଶ୍ଚିତତା ଓ ଭାରତ-ପାକିସ୍ଥାନ କୂଟନୈତିକ ସମ୍ପର୍କରେ ଅନିଶ୍ଚିତତାକୁ ଲକ୍ଷ୍ୟ କଲେ- ଭାରତ-ପାକିସ୍ଥାନ ମଧ୍ୟରେ କୂଟନୈତିକ ଆଲୋଚନା-କ୍ରିକେଟ ଖେଳର ମାହୋଲରେ ହେବା ଆଦୌ ବିଚିତ୍ର ମନେହୁଏ ନାହିଁ ।
– ଶୁଦ୍ରକ