ଆତ୍ମହତ୍ୟା ଓଲଟାଏ ସତ୍ତା

  • 17/09/2015

ଆଫ୍ରିକା ମହାଦେଶର ଏକ ଛୋଟିଆ (ଏକ କୋଟି ଚାରିଲକ୍ଷ ଜନସଂଖ୍ୟା ଓ ଏକଲକ୍ଷ ପଞ୍ଚଷଠି ହଜାର ବର୍ଗ କି.ମି. କ୍ଷେତ୍ରଫଳ) ରାଷ୍ଟ୍ର ଟୁ୍ୟନିସିଆରେ ବିପ୍ଳବ(ମଲ୍ଲୀ ବିପ୍ଳବ- Jasmine Revolutions) ଏପରି ସଂକ୍ରାମକ ହୋଇଛି ଯେ, ତାହା ଇଜିପ୍ଟ, ଲିବ୍ୟା,ୟେମେନ୍, ବାହାରିନ୍, ଇରାନ୍, ଇରାକ୍, ଜୋର୍ଡାନ୍ ଆଦି ଆରବ ରାଷ୍ଟ୍ରଗୁଡ଼ିକର ସତ୍ତାଧିକାରୀଙ୍କ ପାଇଁ ଆତଙ୍କର କାରଣ ହୋଇଛି । ଟୁ୍ୟନିସିଆର ରାଷ୍ଟ୍ରପତି ଜାଇନ ଏଲ୍ ଆବେଦିନ୍ ବେନ୍ ଅଲ୍ଲି ଓ ଇଜିପ୍ଟର ରାଷ୍ଟ୍ରପତି ହୋସନି ମୁବାରକ ସତ୍ତାର ଚୁ୍ୟତ ହେଲେଣି । ଲିବିୟାର ଗଦାଫି ପ୍ରବଳ ଚାପରେ । କିନ୍ତୁ ଗୋଟିଏ ଛୋଟ ଘଟଣା ଓ କେତୋଟି ଆତ୍ମହତ୍ୟାର ଏତେ ସୁଦୂରପ୍ରସାରୀ ପରିଣତି ହୋଇପାରେ, ତାହାହିଁ ବାସ୍ତବିକ ଆଶ୍ଚର୍ଯ୍ୟର ବିଷୟ ।
ଟୁ୍ୟନିସିଆ ରାଷ୍ଟ୍ରର ରାଜଧାନୀ ତୁନିସ ସହରଠାରୁ ୩୦୦କି.ମି. ଦକ୍ଷିଣରେ ଥିବା ସିଦି ବଉଜିଦ(Sidi Bouzid) ସହରରେ ଘଟିଥିଲା ଏହି ଘଟଣା । ଠେଲାଗାଡ଼ି ଧରି ଫଳ ବିକୁଥିବା ମହମ୍ମତ ବଉଜିଜି (Mohamad Bouzizi)ର ଠେଲା ଗାଡ଼ି ଓ ଫଳକୁ ଡିସେମ୍ବର ୧୭, ୨୦୧୦ଦିନ ଜବତକରେ ପୁଲିସ-ଅଭିଯୋଗ ବିନା ଲାଇସେନ୍ସରେ ବେପାର । ବଉଜିଜି ଉପରେ ଜୋରିମାନା ଲଦି ଦିଆଯାଏ । ତାକୁ ପୁଲିସ ବାଡ଼ାଏ- ତା’ମୁହଁରେ ଛାପ ପକାଏ ଓ ତା’ର ଦିବଂଗତ ବାପାଙ୍କ ଉଦେ୍ଧଶ୍ୟରେ ଅପମାନଜନକ ଶବ୍ଦ ବ୍ୟବହାର କରେ । ଏହି ଅପମାନକୁ ସହ୍ୟ ନକରିପାରି ପୁଲିସ ବିରୋଧରେ ଅଭିଯୋଗ କରିବାକୁ ବଉଜିଜି ଯାଏ ସ୍ଥାନୀୟ ମୁ୍ୟନିସିପାଲଟି ଅଧିକାରୀଙ୍କ ପାଖକୁ । କିନ୍ତୁ ଦେଖାଦିଅନ୍ତି ନାହିଁ ଅଧିକାରୀ । ଅପମାନିତ ବଉଜିଜି ଏହାକୁ ବରଦାସ୍ତ କରିପାରେ ନାହିଁ । ଫେରି ନିଜ ଉପରେ ଅଗ୍ନିସଂଯୋଗ କରିଦିଏ । ଯାହାଦ୍ୱାରା ଜଣେ ଉତ୍ତେଜିତ ହୁଏ ଓ ଦଙ୍ଗା ଆରମ୍ଭ ହୋଇଯାଏ । କିନ୍ତୁ ପ୍ରଶାସନର ଶକ୍ତ ନିୟନ୍ତ୍ରଣ ଯୋଗୁଁ ଏହାର ପ୍ରଚାର ଉପରେ ଅଙ୍କୁଶ ସତ୍ତ୍ୱେ, ଫେସ୍ବୁକ୍ (Face Book), ୟୁ ଟୁ୍ୟବ(You Tube) ଭଳି ସାମାଜିକ ମାଧ୍ୟମ (Social media) ଦେଇ ଏହାର ପ୍ରଚାର ହୁଏ । ବଉଜିଜିଙ୍କୁ ଡାକ୍ତରଖାନା ନିଆଯାଏ । ଜନଅସନ୍ତୋଷ ଇତ୍ୟବସରରେ ଏତେ ବଢ଼ିଯାଇଥାଏ ଯେ ତାକୁ ପ୍ରଶମିତ କରିବା ଉଦେ୍ଧଶ୍ୟରେ ରାଷ୍ଟ୍ରପତି ଜାଇନ ଏଲ୍ ଆବେଦିନ ବେନ୍ ଅଲ୍ଲି (Zineed Abidine Ben Ali) ବଉଜିଜିଙ୍କୁ ଦେଖିବା ପାଇଁ ଡାକ୍ତରଖାନା ଆସନ୍ତି । ଜାନୁଆରୀ ୪ତାରିଖ ଦିନ ବଉଜିଜିର ମୃତୁ୍ୟହୁଏ । ୨୨ ଡିସେମ୍ବର ଦିନ ଲହସିନ ନାଜି (Lahseen Naji) ବିଦୁ୍ୟତ ସ୍ପର୍ଶରେ ଆତ୍ମହତ୍ୟା କରେ କ୍ଷୁଧା ଓ ବେରୋଜଗାରୀ ବିରୋଧରେ ପ୍ରତିବାଦ କରି । ରାମଜି ଅଲ୍ ଆବୋଣ୍ଡି (Ramzi Al Abbondi) ଆତ୍ମହତ୍ୟା କରେ ମାଇକ୍ରୋ ଫାଇନାନ୍ସ ଋଣ ଦ୍ୱାରା ଭାରାକ୍ରାନ୍ତ ହୋଇ । ଏହି ଆତ୍ମହତ୍ୟାର ଦୃଶ୍ୟ ଓ ସମ୍ବାଦ ଟୁ୍ୟନିସିଆର ଜନସାଧାରଣଙ୍କୁ କ୍ଷୁବ୍ଧ କରେ । ବିକ୍ଷୋଭ ଏତେ ତୀବ୍ରହୁଏ ଯେ ରାଷ୍ଟ୍ରପତି ୧୪ଜାନୁଆରୀ ୨୦୧୧ଦିନ ଟୁ୍ୟନିସିଆ ଛାଡ଼ି ପଳାନ୍ତି । ଶକ୍ତିଶାଳୀ ଆମେରିକାର ବେନ୍ ଅଲ୍ଲୀଙ୍କ ପ୍ରତି ସମର୍ଥନ ମଧ୍ୟ ତାଙ୍କୁ ସତ୍ତାରେ ରଖାଇପାରେ ନାହିଁ ।
କହିବାବାହୁଲ୍ୟ ଯେ ବଉଜିଦି ଭଳି ସବୁଦିନେ ଅପମାନିତ ହେଉଛନ୍ତି ଆମ ରାସ୍ତାଘାଟରେ ଠେଲାଗାଡ଼ିରେ ବେପାର କରୁଥିବା କ୍ଷୁଦ୍ର ବ୍ୟବସାୟୀ । ଅପମାନ ସହି ନପାରି ଆତ୍ମହତ୍ୟା କରିବାର ଦୃଷ୍ଟାନ୍ତ ମଧ୍ୟ ରହିଛି । ଅନାହାରରୁ ମୃତୁ୍ୟ, ବେକାରୀରୁ ଆତ୍ମହତ୍ୟା, ଋଣଭାର ସହ୍ୟ ନକରିପାରି ଚାଷୀର ଆତ୍ମହତ୍ୟା ଆମ ଦେଶରେ ପ୍ରାୟ ସାଧାରଣ ଘଟଣା । ଅଥଚ ଆମେ ଟୁ୍ୟନିସିଆରେ ସଙ୍ଗଠିତ ବିପ୍ଳବଠାରୁ ଯେ ବହୁଦୂରରେ-ଏହା କହିବା ବାହୁଲ୍ୟ ମାତ୍ର ।
-ଶୁଦ୍ରକ

Print Friendly, PDF & Email