ଶୋଭାଯାତ୍ରାର ଶୋଭା

  • 17/09/2015

୧-୧୫ ମାର୍ଚ୍ଚ, ୨୦୧୧

ଶୋଭାଯାତ୍ରା ଯେ ପ୍ରଭାବୀ ହୋଇପାରେ- ଏହା ମାନବ ଅଧିକାର ପାଇଁ ଲଢ଼ୁଥିବା ବ୍ୟକ୍ତିମାନେ କେତେଦୂର ଉପଲବ୍ଧô କରିଛନ୍ତି ତାହା ଅନୁସନ୍ଧାନ ସାପେକ୍ଷ ହେଲେ ମଧ୍ୟ, ଏହାର ଯେ ଏକ ନିଶ୍ଚିତ ପ୍ରଭାବ ରହିଛି- ଏହିଭଳି ଧାରଣା ଦ୍ୱାରା ଆକ୍ରାନ୍ତ ହୋଇନଥିଲେ ଆଇ.ଏ.ଏସ୍. (IAS) ଅଫିସର ମାନେ, ମାଲକାନଗିରି ଅପହୃତ ଜିଲ୍ଲାପାଳଙ୍କର ମୁକ୍ତି ପାଇଁ ଭୁବନେଶ୍ୱରର ରାଜରାସ୍ତାରେ ଶୋଭାଯାତ୍ରାରେ ବାହାରିବା – ଆମେ ଦେଖିନଥାନ୍ତେ । (ଦ୍ରଷ୍ଟବ୍ୟ: ଧରିତ୍ରୀ, ୨୦/୨/୨୦୧୧, ପୃ-୧୧) । ଏହାପୂର୍ବରୁ ଅଣ ଆଇ.ଏ.ଏସ୍ ଅଫିସରଙ୍କର ଅପହରଣ ହୋଇଥିଲେ ମଧ୍ୟ,ଏଭଳି ଶୋଭାଯାତ୍ରା କଦାପି ଦୃଶ୍ୟ ହୋଇନଥିଲା । କିନ୍ତୁ ଶ୍ରୀଯୁକ୍ତ ଭିନିଲ କ୍ରିଷ୍ଣାଙ୍କର ମୁକ୍ତି ପାଇଁ, ସାରାରାଜ୍ୟରେ ବିଶେଷତଃ ସେ ତାଙ୍କର ସ୍ୱଳ୍ପ ଚାକିରୀ ଜୀବନରେ କାର୍ଯ୍ୟ କରିଥିବା ବିଭିନ୍ନ ଅଞ୍ଚଳରେ, ଯେପରି ଶୋଭାଯାତ୍ରାମାନ ହେଉଛି (ଯଦିଓ କେହି କେହି ଏହାକୁ ପ୍ରାୟୋଜିତ ବୋଲି ଅପବାଦ ଦେଉଛନ୍ତି), ସେଥିରୁ ଶ୍ରୀଯୁକ୍ତ କ୍ରିଷ୍ଣା ଯେ ଜଣେ ଜନପ୍ରିୟ ଅଧିକାରୀ ତାହା ଜଣାପଡ଼ୁଛି । ସେ ଆଦିବାସୀଙ୍କ ପାଇଁ କାମ କରୁଥିଲେ, ତେଣୁ ମାଓବାଦୀମାନେ ସେମାନଙ୍କର କିଛି କ୍ଷତି ନଘଟାଇ ମୁକ୍ତ କରିଦେବା ଉଚିତ ହେବବୋଲି ବିଧାନସଭାରେ ସବୁଦଳର ସଭ୍ୟ ଯେଉଁ ଆବେଦନ କରିଥିଲେ (ଦ୍ରଷ୍ଟବ୍ୟ: ଧରିତ୍ରୀ, ୨୦/୨/୨୦୧୧, ପୃ-୯) ତାହାକୁ ମାଓବାଦୀମାନେ ଖାରଜ କରିନାହାନ୍ତି । ପ୍ରଜାକୋର୍ଟରେ ବିଚାର କରି କ୍ରିଷ୍ଣାଙ୍କୁ ନିଦେ୍ର୍ଧାଷ ବୋଲି ରାୟଦେଇ ମାଓବାଦୀମାନେ ତାଙ୍କୁ ମୁକ୍ତ କରିଛନ୍ତି । ଏହି ସମୁଦାୟ ଘଟଣା ସେହି ଆଇ.ଏ.ଏସ୍. ଅଫିସରମାନଙ୍କୁ ସାବଧାନ କରାଇଦେଇଛି-ଯେଉଁମାନେ ଆଦିବାସୀଙ୍କ ପାଇଁ କାମ କରୁନାହାନ୍ତି ଏବଂ ଏ ସମ୍ବାଦ ମଧ୍ୟ ଦେଇଛି ଯେ ସେମାନଙ୍କ ପାଇଁ ସାଧାରଣ ଲୋକଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ କେହି ମୁହଁ ଖୋଲିବେନାହିଁ, ଯଦି କ୍ରିଷ୍ଣାଙ୍କ ପରି ତାଙ୍କର ଅପହରଣ ହୁଏ! କିଛିଦିନ ପୂର୍ବେ ମାଓବାଦୀଙ୍କ ସହ ସମ୍ପର୍କ ଅଭିଯୋଗରେ ଦଣ୍ଡିତ ବିନାୟକ ସେନ୍ଙ୍କୁ ସରକାରୀ ଜେଲ୍ରୁ ମୁକ୍ତିଦାବିରେ ଭୁବନେଶ୍ୱରର ରାଜରାସ୍ତାରେ ଏକ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା । ସରକାରୀ ଅଫିସର କ୍ରିଷ୍ଣାଙ୍କ ପାଇଁ ଯେପରି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଶୋଭାଯାତ୍ରା ହୋଇପାରିଲା- ତାହା ବିନାୟକ ସେନ୍ଙ୍କ ପାଇଁ ହୋଇପାରିନଥିଲା । ଅବଶ୍ୟ ବିନାୟକ ସେନ୍ଙ୍କର ଆନ୍ତର୍ଜାତିକ ଖ୍ୟାତି ଥିବାରୁ ତାଙ୍କପାଇଁ ବିକ୍ଷୋଭ ଓ ଶୋଭଯାତ୍ରା ଭାରତର ପ୍ରମୁଖ ସହରମାନଙ୍କରେ ହୋଇଥିଲା । ନୋବେଲପ୍ରାଇଜ୍ ବିଜେତାମାନଙ୍କ ଦସ୍ତଖତରେ ଏକ ନିବେଦନ ପତ୍ର ମଧ୍ୟ ସରକାରଙ୍କୁ ଦିଆଯାଇଥିଲା । ଏହା ସତ୍ତ୍ୱେ ବିନାୟକ ଜେଲ୍ରେ ଅଛନ୍ତି । ଜାମିନ ଆବେଦନ ଗୋଟିଏ ପରେ ଗୋଟିଏ ଖାରଜ ହୋଇଚାଲିଛି ।
ଇଜିପ୍ଟର ତାହରିର ଛକରେ ଇଜିପ୍ଟବାସୀଙ୍କୁ ରାଷ୍ଟ୍ରପତି ହୋସ୍ନି ମୁବାରକଙ୍କର ତିରିଶ ବର୍ଷ ଶାସନରୁ ମୁକ୍ତି ଦେବା ପାଇଁ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ମାତ୍ର ୧୮ଦିନ ଭିତରେ ଇଜିପ୍ଟବାସୀଙ୍କୁ ମୁକ୍ତିର ଆନନ୍ଦ ଦେଇଛି । ୟେମେନ୍ , ବାହାରିନ, ଲିବିୟାରେ ମଧ୍ୟ ଶୋଭାଯାତ୍ରା ଓ ବିକ୍ଷୋଭ ଚାଲିଛି ଶାସକଠାରୁ ଶାସିତକୁ ମୁକ୍ତି ଦେବାପାଇଁ ।
କହିବା ବାହୁଲ୍ୟ ଯେ ସବୁ ଶୋଭାଯାତ୍ରା ମୁକ୍ତିପାଇଁ । ତାହା ଜିଲ୍ଲାପାଳ କ୍ରିଷ୍ଣାଙ୍କର ମୁକ୍ତି ପାଇଁ ହେଉ, ବିନାୟକ ସେନ୍ଙ୍କର ମୁକ୍ତିପାଇଁ ହେଉ ବା ଦେଶର ଜନଗଣଙ୍କୁ ଶାସକର ଶାସନରୁ ମୁକ୍ତି ପାଇଁ ହେଉ- ସବୁଠି, ସବୁବେଳେ ମୁକ୍ତି ପାଇଁ ହିଁ ଶୋଭାଯାତ୍ରା । ଏହାହିଁ ଶୋଭାଯାତ୍ରାର ଶୋଭା । ମୁକ୍ତିପାଇଁ ଶୋଭାଯାତ୍ରା ଯଦି ପ୍ରାୟୋଜିତ ନହୋଇ ସ୍ୱତଃସ୍ଫୂର୍ତ୍ତ ,ତା’ହେଲେ ତାହାର ଶୋଭାହୁଏ ବାସ୍ତବ ।
-ଶୁଦ୍ରକ

Print Friendly, PDF & Email