୧୬-୩୦ଜୁଲାଇ ୨୦୦୭
ରାଷ୍ଟ୍ରପତି ପଦ – ସମସ୍ତ ପ୍ରକାର ବିତର୍କର ଉଦ୍ଧ୍ୱର୍ରେ ରହୁ-ଏହି କଥା ବାରମ୍ବାର ଦୋହରାଉଥିବା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ପ୍ରତିଭା ପାଟିଲଙ୍କ ବିରୁଦ୍ଧରେ ଯେଉଁଭଳି ପ୍ରଚାର ଆରମ୍ଭ କରିଛି-ତାହା ବାସ୍ତବିକ ଦୁର୍ଭାଗ୍ୟଜନକ । ଏହାର ପ୍ରତିକ୍ରିୟାରେ କଂଗ୍ରେସ ପାର୍ଟି ଅନ୍ୟତମ ପ୍ରାର୍ଥୀ ଭୈରୋ ସିଂ ଶେଖାୱତ୍ଙ୍କ ବିରୁଦ୍ଧରେ ଯେଉଁ କେତୋଟି ପ୍ରଶ୍ନ ଉଠାଇଛି ତାହା ମଧ୍ୟ ଦୁର୍ଭାଗ୍ୟଜନକ । କାରଣ ଉଭୟ ପ୍ରାର୍ଥୀ ହେବା ପୂର୍ବରୁ ଉଚ୍ଚ ସାମ୍ବିଧାନିକ ପଦବୀର ଅଧିକାରୀ ଥିଲେ । ପ୍ରତିଭା ପାଟିଲ ରାଜସ୍ଥାନର ରାଜ୍ୟପାଳ ଭାବେ ଓ ଭୈରୋ ସିଂ ଶେଖାୱତ ଉପରାଷ୍ଟ୍ରପତି ଭାବେ । ଯାହା ଏବେ ଏମାନଙ୍କ ବିରୋଧରେ ପ୍ରକାଶିତ ହେଉଛି, ତାହା ଏଯାବତ୍ ସେମାନଙ୍କ ସମ୍ପର୍କରେ କେହି ଉଠାଇ ନଥିଲେ । ବରଂ ପ୍ରତିଭା ପାଟିଲଙ୍କୁ ରାଜସ୍ଥାନର ରାଜ୍ୟପାଳ ଭାବେ ପାଇ ଭାରତୀୟ ଜନତା ପାର୍ଟିର ତୁଙ୍ଗ ନେତାମାନେ ବିଜେପି ଶାସିତ ରାଜସ୍ଥାନରେ କିପରି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ପଦବୀରେ ମହିଳାମାନେ ଆସୀନ-ତାର ନଜିର ଦେଇ ଗର୍ବ କରୁଥିଲେ । ସେହିଭଳି ଭୈରୋ ସିଂ ଶେଖାୱତ ସବୁ ରାଜନୈତିକ ଦଳର ପ୍ରିୟ ବୋଲି ବେଶ ପ୍ରଚାରିତ ହୋଇଥିôଲେ । ତେଣୁ ଏହି ଦୁଇ ପ୍ରର୍ଥୀଙ୍କୁ ନେଇ ଏହିଭଳି ବିତର୍କ ହେବାର ପରିଣତି ହେଉଛି ଯେ ଏହି ଦୁହିଁଙ୍କ ଭିତରୁ ଯିଏବି ଜିତିବେ ରାଷ୍ଟ୍ରପତି ପଦ ଜଣେ ‘କଳଙ୍କିତ’ ବ୍ୟକ୍ତିଙ୍କ ପାଖକୁ ଗଲାବୋଲି ସାବ୍ୟସ୍ତ ହେବ-ବିଜେପି ଦୃଷ୍ଟିରେ ହେଉ ବା କଂଗ୍ରେସ ଦୃଷ୍ଟିରେ ହେଉ । ଏହିଭଳି ଧାରଣା ଲୋକଙ୍କ ଭିତରକୁ ଗଡ଼ିବ । ଏହା କେତେଦୂର ରାଷ୍ଟ୍ରପତିର ପଦମର୍ଯ୍ୟାଦା ପାଇଁ ଅନୁକୂଳ ତାହା ନୀତି ନୈତିକତାର ଦ୍ୱାହି ଦେଉଥିବା ବିଜେପି ଓ ଏହିଭଳି ବିତର୍କ ଆରମ୍ଭ କରିଥିବା ବିଜେପି ଚିନ୍ତା କରିବା ଉଚିତ । ପୋଖତ ନେତାମାନଙ୍କର ଦାୟିତ୍ୱହୀନତାର ବାସ୍ତବିକ ପଟାନ୍ତର ନାହିଁ । କିନ୍ତୁ ରାଜନୈତିକ ଦଳମାନଙ୍କ ଭିତରେ ଏତାଦୃଶ କାଦୁଅ ଫିଙ୍ଗାରେ ଯେ ପ୍ରାର୍ଥୀ ଦ୍ୱୟ ପରସ୍ପରର ବିରୋଧରେ କୌଣସି ମନ୍ତବ୍ୟ ଦେଇନାହାନ୍ତି-ତାହାହିଁ ଏହି ଦୁଇ ପ୍ରାର୍ଥୀଙ୍କର ସ୍ୱମର୍ଯ୍ୟାଦାକୁ ସୂଚିତ କରିଦିଏ । ଏହାର୍ହି ବୋଧହୁଏ ଏକ ବିରାଟ ଆଶ୍ୱାସନା, ଆମଭଳି ସାଧାରଣ ଲୋକଙ୍କ ପାଇଁ । ଏହି ଭଳି ସଂଯମତା ଭିତରେ ବୋଧହୁଏ ରହିଛି ପ୍ରତିଶ୍ରୁତି ଯେ ଏହି ଦୁହିଁଙ୍କ ମଧ୍ୟରୁ ଯିଏ ରାଷ୍ଟ୍ରପତି ହେଲେ ମଧ୍ୟ ସେମାନେ ରାଷ୍ଟ୍ରପତି ପଦର ଗାରିମାକୁ ଭୂଲୁଣ୍ଠିତ କରିବେ ନାହିଁ ।
ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ କନ୍ଦଳ ଓ ରାଷ୍ଟ୍ରପତି କାଲାମଙ୍କର ଅଣରାଜନୈତିକ ପୃଷ୍ଠଭୂମି ଯୋଗୁଁ ତାଙ୍କର ପ୍ରାର୍ଥୀତ୍ୱ ସମର୍ଥନୀୟ ବୋଲି କେତେକ ରାଜନୈତିକ ଦଳ ଯୁକ୍ତି କରିବା ବୋଧହୁଏ ଏହି ଧାରଣା ଉପରେ ପର୍ଯ୍ୟବସିତ ଯେ ଅଣରାଜନୈତିକ ବ୍ୟକ୍ତି ନିରପେକ୍ଷ ହେବେ । ତେବେ ଅଣରାଜନୈତିକ ବ୍ୟକ୍ତି କିଏ? ଜଣେ ବୃତ୍ତଭୋଗୀ, ଚାକିରିଆ ବା ସ୍ୱଉପାର୍ଜନୀ ବ୍ୟବସାୟୀ । କହିବା ବାହୁଲ୍ୟ ଯେ ଏମାନେ ନିଜର ବୃତ୍ତ ବା ବ୍ୟବସାୟର ସୁରକ୍ଷା ପାଇଁ ସବୁବେଳେ କ୍ଷମତାସୀନ ରାଜନୈତିକ ଦଳର କୃପାପ୍ରାର୍ଥୀ ହୋଇଥାନ୍ତି । ପଦୋନ୍ନତି ବା ବ୍ୟବସାୟର ବ୍ୟାପ୍ତି ଓ ଉନ୍ନତି ପାଇଁ କ୍ଷମତାସୀନ ଓ ପ୍ରଭାବୀ ରାଜନ÷ତିକ ଦଳର ଅବଲମ୍ବନ ଲୋଡ଼ିଥାନ୍ତି । ତେଣୁ ଏହି ‘ଅଣରାଜନୈତିକ’ ବ୍ୟକ୍ତିମାନେ ରାଜନୈତିକ ବ୍ୟକ୍ତିମାନଙ୍କର ତୁଷ୍ଟିକରଣ ପାଇଁ ଅଭାବନୀୟ କୌଶଳମାନ ପ୍ରୟୋଗ କରିଥାନ୍ତି । ରାଜନୈତିକ ବ୍ୟକ୍ତିଙ୍କୁ ତୃପ୍ତ କରି ଉତ୍ତରୋତ୍ତର ଉନ୍ନତି ପଥରେ ଆଗେଇ ଯାଇଥିବା ସଫଳ ବ୍ୟକ୍ତିକୁ ଅଣରାଜନୈତିକ ବ୍ୟକ୍ତି ଭାବେ ଆଖ୍ୟାୟିତ କରି ସର୍ବୋଚ୍ଚ ପଦପଦବୀରେ ଗ୍ରହଣ କଲେ ଯେ ଆମେ ପ୍ରକୃତ ପକ୍ଷେ ଏକ ନିରପେକ୍ଷ ବ୍ୟକ୍ତିଟିଏ ପାଇବା ସେପରି ନୁହେଁ । ପ୍ରକୃତ ଅର୍ଥରେ ନିରପେକ୍ଷ ବ୍ୟକ୍ତି-ନିରୋଳା ସାଧକ ଉପରିସ୍ଥ ଓ ବିଶେଷ ଭାବେ କ୍ଷମତାସୀନ ରାଜନୈତିକ ବ୍ୟକ୍ତିଙ୍କର କୃପାଭାଜନ ନ ହୋଇପାରିଲେ ଯେ କଦାପି ଉଚ୍ଚ ପଦ ପଦବୀର ଅଧିକାରୀ ହୋଇପାରିବ ନାହିଁ, ଏହା ଆଜି ଏକ ଅବିସମ୍ବାଦିତ ସତ୍ୟ । ତେଣୁ ବୃତ୍ତଜଗତରେ ହେଉ ବା ବ୍ୟବସାୟ ଜଗତରେ ହେଉ ସଫଳ ବ୍ୟକ୍ତିକୁ ଅଣରାଜନୈତିକ ବୋଲି କହିବା ସତ୍ୟର ଅପଳାପ ହେବ । ରାଜନୈତିକ ଚାପକୁ ଏମାନେ ଯେଉଁ ଆନୁଗତ୍ୟର ସହ ପାଳନ କରିବେ, ତାହା ହୁଏତ ଏକ ଲୋକଭିତ୍ତ ସୁଦୃଢ଼ଥିବା ଏକ ରାଜନୈତିକ ବ୍ୟକ୍ତି ନ କରିପାରେ । ତେଣୁ ଅଣରାଜନୈତିକ ବ୍ୟକ୍ତିଙ୍କର ସନ୍ଧାନ ନ ହୋଇ-ପ୍ରକୃତ ଲୋକଭିତ୍ତ ଥିବା ରାଜନୈତିକ ବ୍ୟକ୍ତିମାନଙ୍କର ସନ୍ଧାନ ହେଉ । କିନ୍ତୁ ବିଡ଼ମ୍ବନା ଯେ ରାଜନୈତିକ ଦଳଗୁଡ଼ିକର ମାଲିକମାନେ-ଲୋକଭିତ୍ତଥିବା ରାଜନୈତିକ ବ୍ୟକ୍ତିମାନଙ୍କୁ ଆଜି ଗୁରୁତ୍ୱ ଦିଅନ୍ତି ନାହିଁ-ଯାହାର ପରିଣାମସ୍ୱରୂପ ଆଜି ରାଜନୈତିକ ଦଳମାନଙ୍କରେ ଦୁର୍ବଳ ଲୋକଭିତ୍ତ ଥିବା ବ୍ୟକ୍ତି ବା କୌଣସି ଲୋକଭିତ୍ତ ନଥିବା ବ୍ୟକ୍ତିମାନଙ୍କର ପତିଆରା ଖୁବ ବେଶୀ । ଏକ ବଳିଷ୍ଠ ଗଣତନ୍ତ୍ର ପାଇଁ ଏହାଯେ ଆଦୌ ଶୁଭସୂଚନା ନୁହେଁ, ତାହା ଆମକୁ ମନେ ରଖିବାକୁ ହେବ । ଲୋକଭିତ୍ତ ଥିବା ରାଜନୈତିକ ବ୍ୟକ୍ତି – ବୃତ୍ତଭୋଗୀ ଓ ବ୍ୟବସାୟୀ ବ୍ୟକ୍ତିଠାରୁ ଅଧିକ ଲୋକାଭିମୁଖୀ ଦୃଷ୍ଟିକୋଣର ଅଧିକାରୀ ଓ ତେଣୁ ଅଧିକ ଗ୍ରହଣୀୟ ବୋଲି ମଧ୍ୟବିତ୍ତବର୍ଗ ସ୍ୱୀକାର କରିବା ଉଚିତ ।