ରାଷ୍ଟ୍ରଦୂତ ମୀରାଶଙ୍କର, ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ହରଦୀପ ସିଂହ ପୁରୀ ଓ ସଦ୍ୟ କାଲିଫର୍ଣ୍ଣିଆସ୍ଥିତ ଏକ ଟ୍ରାଇଭେଲି ବିଶ୍ୱବିଦ୍ୟାଳୟରୁ ପରିତ୍ୟକ୍ତଙ୍କ ପ୍ରତି ଆମେରିକା ସରକାରଙ୍କର ବ୍ୟବହାରରେ ଆମଦେଶର କ୍ଷମତାସୀନ ରାଜନେତାମାନେ କ୍ଷୁବ୍ଧ ବୋଲି ଗଣମାଧ୍ୟମ ସାମ୍ନାରେ ଯେତେ କହିଲେ ମଧ୍ୟ ଜନସାଧାରଣ ଏହି କ୍ଷୋଭକୁ ଲୋକ ଦେଖାଣିଆ ବୋଲି କହିବାରୁ କ୍ଷାନ୍ତ ହେଉନାହାନ୍ତି । ଶାଢ଼ୀ ପରିହିତା ମୀରାଶଙ୍କରଙ୍କ ଶରୀର ଥାପୁଡ଼େଇ ଯାଞ୍ଚ କରିବା, ହରଦୀପଙ୍କୁ ଯାଞ୍ଚ ପାଇଁ ପଗଡ଼ି ଖୋଲିବାକୁ କହିବା ବା ପରିତ୍ୟକ୍ତ ଛାତ୍ରମାନଙ୍କର ଗତିବିଧି ଉପରେ ନଜର ରଖିବା ପାଇଁ ତାଙ୍କଗୋଡ଼ରେ ଯନ୍ତ୍ର ଖଞ୍ଜିବା ଯେଉଁ ପରିମାଣର ବିରୋଧଭାବ ଆମ ଦେଶରେ ବିଶେଷତଃ ଆମର କ୍ଷମତାସୀନ ପ୍ରତିନିଧିମାନଙ୍କ ଭିତରେ ସୃଷ୍ଟି କରିପାରିଥାନ୍ତା- ତାହା କରିପାରି ନାହିଁ । କରନ୍ତା ବା କିପରି? ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଆମେରିକାର ସାନ୍ନିଧ୍ୟ ପାଇ ଯେଉଁ ପରିମାଣରେ କୃତ୍ୟ କୃତ୍ୟ ହୋଇଯାଇଛନ୍ତି- ତାହାର ପ୍ରମାଣ ଗତ ଦୁଇଦଶନ୍ଧି ଧରି ପାଇସାରିଲା ପରେ ଆମେରିକାରେ ଅପଦସ୍ଥ ହେବାକୁ ଭାରତୀୟଙ୍କର ସୌଭାଗ୍ୟ ବୋଲି ସେ ଯେ ମନେ ମନେ ଭାବୁନଥିବେ କିଏ କହିବ? ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କୁ ଗୋରା ଟିକଟ ଯାଞ୍ଚ ଅଧିକାରୀ ରେଳଡବାରୁ ଓହ୍ଲାଇ ଦେଇ ଅପଦସ୍ଥ କରିଥିଲା । ଏହି ବ୍ୟକ୍ତିଗତ ଅପଦସ୍ଥ ଅବସ୍ଥା ଦକ୍ଷିଣ ଆଫ୍ରିକାରେ ଭାରତୀୟ ସମୁଦାୟ ଭାରତୀୟକୁ ଅପଦସ୍ଥ ଭାବେ ବିଚାର କଲା । ବ୍ୟାପକହେଲା ବ୍ରିଟିଶବିରୋଧୀ ମାନସିକତା- ଯାହାର ପରିଣତିରେ ଭାରତ ହେଲା ସ୍ୱାଧୀନ । ଏହି ଐତିହାସିକ ପୃଷ୍ଠଭୂମିରେ ପ୍ରଶ୍ନ ସ୍ୱାଭାବିକ ମନକୁ ଆସେ ଯେ କେତେଦୂର ଅପଦସ୍ଥ ହେଲେ ଭାରତ ଆମେରିକାର ସାମ୍ରାଜ୍ୟବାଦ ପ୍ରଭାବରୁ ନିଜକୁ ସ୍ୱାଧୀନ କରିବ?
-ଶୁଦ୍ରକ