କହି ଜାଣିଲେ କଥା ସୁନ୍ଦର

  • 17/09/2015

ଏହି ଉକ୍ତିଟିର ଖିଲାଫ କରି ରାଜସ୍ଥାନର ପଞ୍ଚାୟତ ରାଜ ମନ୍ତ୍ରୀ ଅମୀନ ଖାନ ମନ୍ତ୍ରୀପଦରୁ ଇସ୍ତଫା ଦେବାପାଇଁ ବାଧ୍ୟ ହୋଇଛନ୍ତି । କଂଗ୍ରେସ ଦଳର ଏହି ମନ୍ତ୍ରୀ ମହାଶୟ ଦଳୀୟ କର୍ମୀଙ୍କୁ ଦଳ ପ୍ରତି ଆନୁଗତ୍ୟର ଗୁରୁତ୍ୱ ବୁଝାଇବାକୁ ଯାଇ (I only wanted to explain to the congress workers that one should remain loyal to the party) କହିଦେଲେ ଯେ ପ୍ରତିଭା ପାଟିଲ ୧୯୭୭ମସିହାରେ ଇନ୍ଦିରା ଗାନ୍ଧୀଙ୍କ ଘରେ ରୋଷେଇ କରିବା ଏବଂ ବାସନ ମାଜି ତାଙ୍କର ଆନୁଗତ୍ୟର ପ୍ରମାଣ ଦେଇଥିବାରୁ ଆଜି ଭାରତର ରାଷ୍ଟପ୍ରତି ହୋଇପାରିଲେ । ଆନୁଗତ୍ୟର ଏତେ ବିଶଦ ପରିପ୍ରକାଶ ନକରି କେବଳ ଯଦି ଅମୀନ ଖାନ ସାହେବ କହିଥାନ୍ତେ ଯେ ପ୍ରତିଭା ପାଟିଲ ରାଷ୍ଟ୍ରପତି ହେବା ପଛରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତି ଅନୁଗତ୍ୟ ହିଁ ଦାୟୀ- ତା’ହେଲେ କଥାଟି ସୁନ୍ଦର ହୋଇଥାନ୍ତା-ଏବଂ ଅନେକେ ଏହାକୁ ଏକ ନୂଆକଥା ବୋଲି ମଧ୍ୟ ବିଚାର କରିନଥାନ୍ତେ । ଦଳୀୟ ରାଜନୀତିରେ ନେତୃତ୍ୱ ପ୍ରତି ଆନୁଗତ୍ୟ ନରହିଲେ କର୍ମୀଟିଏ ଯେ ଉପରକୁ ଉଠିପାରିବ ନାହିଁ- ଏହା ନିଶ୍ଚିତ । କୈଫିୟତରେ ଅମୀନ ଖାନ୍ ମହାଶୟ ଅବଶ୍ୟ କହିଛନ୍ତି ଯେ ସେ ଦଳୀୟ କର୍ମୀଙ୍କୁ ଦର୍ଶାଇବାକୁ ଚାହିଁଥିଲେ ଯେ ପ୍ରତିଭା ପାଟିଲ କଂଗ୍ରେସ ଦଳର ଜଣେ ଅତ୍ୟନ୍ତ ନିଷ୍ଠାପର କର୍ମୀ (I meant to tell the worker that the president was a dedicated congress worker) ଆନୁଗତ୍ୟର ପରିପ୍ରକାଶ କିପରି କରାଯାଏ ତାହା ନିଶ୍ଚିତ ଭାବରେ ଭିତରର କଥା-ଅତ୍ୟନ୍ତ ଗୋପନୀୟ ଓ ଘରୋଇ । ଏହାକୁ ସର୍ବସାଧାରଣରେ ପ୍ରକାଶ କରିବା ଅସୁନ୍ଦର । ଏହିଭଳି ଏକ ଅସୁନ୍ଦର କାର୍ଯ୍ୟ ଅମୀନ ଖାନ୍ କରିଥିଲେ ହେଁ-କ୍ଷମତା ରାଜନୀତିରେ ଆନୁଗତ୍ୟର ଅଭିବ୍ୟକ୍ତି କେଉଁ କେଉଁ ରୂପରେ କରାଯାଇପାରେ- ତାହାର ଏକ ଝଲକ ଦେଇ ସେ ବହୁ ଜିଜ୍ଞାସୁଙ୍କର କୌତୁହଳକୁ ପ୍ରଶମିତ କରିଥିବାରୁ ସେମାନେ ନିଶ୍ଚିତ ଅମୀନଙ୍କୁ ସଲାମ କରୁଥିବେ । ସ୍ୱାଭାବିକ, ଆନୁଗତ୍ୟର ଅପ୍ରଘଟନୀୟ ଅଭିବ୍ୟକ୍ତିକୁ ପାଥେୟ କରି ଉପରକୁ ଉଠିଥିବା ମଣିଷମାନେ ଅମୀନଙ୍କୁ ଶମ୍ପୁଥିବେ । -ଶୁଦ୍ରକ

Print Friendly, PDF & Email