ନିକଟରେ ଜାତୀୟ ଯୁବ ଉତ୍ସବ ଉଦ୍ୟାପିତ ହୋଇଯାଇଛି । ତାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓଡ଼ିଶାବାସୀଙ୍କୁ ବିଶେଷତଃ ଭୁବନେଶ୍ୱର ଓ ତା’ର ଆଖପାଖ ଅଞ୍ଚଳକୁ ମୁଗ୍ଧ ଓ ମୋହିତ କରିଦେଇଛି । ଆଡ଼ମ୍ବର ଦେଖି କେହି ବିଶ୍ୱାସ କରିବ ନାହିଁ ଯେ ଓଡ଼ିଶା ଭାରତର ସବୁଠାରୁ ଦରିଦ୍ରରାଜ୍ୟ ଯେଉଁଠାରେ ତେନ୍ଦୁଲକରଙ୍କ ରିପୋର୍ଟ ଅନୁସାରେ ୫୭.୨ ପ୍ରତିଶତ ଜନସାଧାରଣ ଓ ସାକ୍ସେନା ରିପୋର୍ଟ ଅନୁସାରେ ୮୪.୪୭ ପ୍ରତିଶତ ଜନସାଧାରଣ ଦାରିଦ୍ର୍ୟର ସୀମାରେଖା ତଳେ ଅଛନ୍ତି । (ଦ୍ରଷ୍ଟବ୍ୟ -ବରେନ୍ଦ୍ର କୃଷ୍ଣଧଳଙ୍କର ନିବନ୍ଧ- ଆସ ଅଭିବୃଦ୍ଧିକୁ ଧରିଚାଟିବା, ଧରିତ୍ରୀ ୧୨ ଜାନୁଆରୀ) ଏହି ସ୍ତରର ଦାରିଦ୍ର୍ୟ ଓଡ଼ିଶାରେ ଅଛିବୋଲି ବିଶ୍ୱାସ କରିବା ଆହୁରି କଷ୍ଟକର ହେବ ଯଦି ବିଭିନ୍ନ ଅଞ୍ଚଳରେ ମହୋତ୍ସବ ବା ପ୍ରସ୍ତାବିତ ମହୋତ୍ସବର ତାଲିକା କରି ବସିବା । ଝାରସୁଗୁଡ଼ା, ରାୟଗଡ଼ା, କୋଣାର୍କ, ଗୋପାଳପୁର, ପୁରୀ, ଗଜପତି, ଭବାନୀପାଟଣା, ବାଣପୁର-ଏହିଭଳି ପ୍ରତ୍ୟେକଦିନ ଗଣମାଧ୍ୟମରେ ନୂଆ ନୂଆ ସ୍ଥାନରେ ମହୋତ୍ସବର ସମ୍ବାଦ ପ୍ରକାଶିତ ହେଉଛି । ଏହି ମହୋତ୍ସବଗୁଡ଼ିକର ଆୟୋଜନ ପଛରେ ବଡ଼ ବଡ଼ କମ୍ପାନୀମାନେ ଅଛନ୍ତି ବୋଲି ଶୁଣାଯାଉଛି । ସ୍ଥାନୀୟ କିଛି ଥିଲାବାଲା ଲୋକ, ଟାଉଟର ଓ ଦଲାଲମାନଙ୍କ ଜରିଆରେ ଏହି ମହୋତ୍ସବଗୁଡ଼ିକର ଆୟୋଜନ ହେଉଛି । ଏହି ମହୋତ୍ସବଗୁଡ଼ିକୁ ବହୁବ୍ୟବସ୍ଥା ଦ୍ୱାରା ସମ୍ମାନିତ , ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱମାନେ ଆସି ସଭାମଣ୍ଡନ କରୁଛନ୍ତି । ଅସନ୍ତୁଷ୍ଟ ଯୁବଗୋଷ୍ଠୀକୁ ବିଭ୍ରାନ୍ତ କରିବାର ମୂଳ ଲକ୍ଷ୍ୟ ସାଧନ ଉଦେ୍ଧଶ୍ୟରେ ହିଁ ଏହା ହେଉଛି । ଉତ୍ସବର ଆଢ଼ୁଆଳରେ ସ୍ଥାନୀୟ ସଂଶାଧନକୁ ହାତେଇ ନେବାର ଉଦ୍ୟମ ହେଉଛି ।