୧୬-୩୧ ଜାନୁଆରୀ, ୨୦୧୦
ବାରଶହ ଶିଳ୍ପୀ ଦିନରାତି ଏକହୋଇ ବର୍ଷ ବର୍ଷ ଧରି କରିଥିବା ଅବିଶ୍ରାନ୍ତ ପରିଶ୍ରମ ପରେ ଯେତେବେଳେ କୋଣାର୍କର ମୁଣ୍ଡିମାରିବା ପାଇଁ ସେମାନେ ବାରମ୍ବାର ବିଫଳ ହେଲେ-ସେତେବେଳେ ଜନ୍ମପରେ ନିଜର ଶିଳ୍ପୀପିତାଙ୍କୁ ଦେଖିନଥିବା ଅପ୍ରାପ୍ତବୟସ୍କ କିଶୋର ଧର୍ମପଦ ପିତାକୁ ଦେଖିବାକୁ ଆସି, ନୈରାଶ୍ୟରେ ଆକ୍ରାନ୍ତ, ମ୍ରିୟମାଣ ଶିଳ୍ପୀକୁଳକୁ ଦେଖି,ସମସ୍ତଙ୍କୁ ହତଚକିତ କରି ସେ ପ୍ରସ୍ତାବ ଦେଲେ ଯେ କୋଣାର୍କର ମୁଣ୍ଡି ସେ ମାରିଦେଇ ପାରିବେ! ବାରଶହ ଶିଳ୍ପୀଙ୍କର ଅବିଶ୍ୱାସକୁ ଭୁଲ୍ ପ୍ରମାଣିତ କରି ସେ ମୁଣ୍ଡି ମାରିବାରେ ସଫଳହେଲେ । ଶିଳ୍ପୀକୁଳ ଉଲ୍ଲସିତ ହୋଇଉଠିଲେ । ହାଡ଼ଭଙ୍ଗା ପରିଶ୍ରମରୁ ସେମାନେ ଯେ ମୁକ୍ତ ହୋଇ ବର୍ଷ ବର୍ଷ ଧରି ବିଦେଶରେ କାଳାତିପାତ କରୁଥିବା ପରିବାରକୁ ସେମାନେ ଯେ ଏବେ ବାହୁଡ଼ିଯାଇ ପାରିବେ!
ପ୍ରଚଳିତ କିମ୍ବଦନ୍ତୀ ଅନୁସାରେ-ପ୍ରତ୍ୟାବର୍ତ୍ତନର ସମ୍ଭାବନା ଯେତେବେଳେ ଶିଳ୍ପୀକୁଳକୁ ଉଲ୍ଲସିତ କରୁଥିଲା-ସେତେବେଳେ ସେମାନଙ୍କ ମଧ୍ୟରୁ କେହି ଜଣେ ଶିଳ୍ପୀକୁଳ ଭିତରେ ଏକ ସଂଶୟ ସୃଷ୍ଟି କରିବାରେ ସଫଳ ହୋଇଗଲେ । ରାଜା ଯଦି ଜାଣିବାକୁ ପା’ନ୍ତି ଯେ କୋଣାର୍କର ପୂର୍ଣ୍ଣତା ଧର୍ମପଦ ଯୋଗୁଁ; ତା’ହାଲେ ନିୟୋଜିତ ବାରଶହ ଶିଳ୍ପୀଙ୍କର ମୁଣ୍ଡକାଟ ନିଶ୍ଚୟ-ଅର୍ଥାତ୍ ଧର୍ମପଦର ଜୀବନ-ବାରଶହ ଶିଳ୍ପୀଙ୍କର ମୃତୁ୍ୟ ସହ ପର୍ଯ୍ୟାୟବାଚୀ ହୋଇ ଠିଆ ହୋଇଗଲା ।
ଧର୍ମପଦ ମୁଣ୍ଡିମାରି ଓହ୍ଲାଇବା ପାଇଁ ଉଦ୍ୟତ ହୁଅନ୍ତେ, ତଳେଥିବା ଶିଳ୍ପୀକୁଳ ଧର୍ମପଦର କରାମତିକୁ ଗୋପନ ରଖିବାର ଶପଥ ନେଇ ଊଦ୍ଧ୍ୱର୍କୁ ଚାହିଁ-ସେମାନଙ୍କର ଆଶଙ୍କାଗୁଡ଼ିକୁ ଧର୍ମପଦ ଉଦେ୍ଧଶ୍ୟରେ ନିକ୍ଷେପ କରନ୍ତେ-ମୁକ୍ତିପାଇଁ ନିଜର ପରିବାରବର୍ଗ ସହ ମିଳିତ ହେବାପାଇଁ ବ୍ୟାକୁଳ ଗୁରୁଜନମାନଙ୍କୁ ନିରାଶ ନକରି ଧର୍ମପଦ ଚୂଡ଼ାଦେଶରୁ ସମୁଦ୍ର ଭିତରକୁ ଲମ୍ଫଦେବା ପାଇଁ ସହସା ନିଷ୍ପତ୍ତି ନେଲେ ଓ ଲମ୍ଫ ଦେଲେ ।
ତାହାଲେ କ’ଣ ଧର୍ମପଦକୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟକଲା ଶିଳ୍ପୀକୁଳର ରାଜଦଣ୍ଡ ପ୍ରତି ଭୟ ଓ ଦୀର୍ଘଦିନ ପରେ ପରିବାର ସହିତ ମିଳିତ ହେବା ପାଇଁ ସେମାନଙ୍କର ବ୍ୟାକୁଳତା? ନା, ସେ ଆତ୍ମହତ୍ୟା କଲା ଏହା ଦେଖି- ଯେ ତା’ର ବାପ, କକା, ଶିଳ୍ପୀକୁଳ ଗୁରୁଜନ ବେଠି ଖଟିଖଟି କଙ୍କାଳସାର ହେଲେଣି । ରାଜାର ଶାସନରେ ବେଠି ଖଟିବା ହିଁ ନିର୍ଦ୍ଧାରିତ ଭବିଷ୍ୟତ ଯାହାକୁ ସେ କଦାପି ସ୍ୱୀକାର କରିପାରିବ ନାହିଁ ।
ଯଦି କବି ସଚ୍ଚି ରାଉତରା ତାଙ୍କର ମାନସ ଚକ୍ଷୁରେ କୋଣାର୍କଶିଳାରେ ‘ଶତକଙ୍କାଳ ଭଗ୍ନବୁକୁର ସ୍ତୁପ’ ଦେଖି ଭାବପ୍ରବଣ ହୋଇ ଲେଖିଲେ
‘ତୁମେ ତ ଦେଖିଛ ଶିଳାରେ ତାର ତ ରମ୍ୟକଳାର ରୂପ
ମୁଁ ଦେଖିଛି ତହିଁ ଶତକଙ୍କାଳ ଭଗ୍ନବୁକୁର ସ୍ତୁପ’
ସେତେବେଳେ ସ୍ୱଚକ୍ଷୁରେ ଧର୍ମପଦ ତାର ଗୁରୁଜନଙ୍କର ଅବସ୍ଥାଦେଖି ଓ ଏହି ଅବସ୍ଥା ହିଁ ତାର ଭବିଷ୍ୟତ ବୋଲି ଭାବି ଆତ୍ମହତ୍ୟା କରିବା ପାଇଁ କିଶୋର ମନରେ ନିଷ୍ପତ୍ତି ନେଇଥିବା ଅଧିକ ସ୍ୱାଭାବିକ ମନେହୁଏ ।
କହିବା ବାହୁଲ୍ୟ ଯେ ପ୍ରଚଳିତ କିମ୍ବଦନ୍ତୀରେ ଶିଳ୍ପୀକୁଳକୁ ଏକ ସ୍ୱାର୍ଥପର ଗୋଷ୍ଠୀଭାବେ ଚିତ୍ରିତ କରାଯାଇଥିବା ବେଳେ ଏଠାରେ ପ୍ରସ୍ତାବିତ ପରିବର୍ତ୍ତନ ଧର୍ମପଦକୁ ସାମନ୍ତବାଦୀ ଶାସନରେ ଚାଲିଥିବା ବେଠି/ବେପାରୀ ବ୍ୟବସ୍ଥା ବିରୁଦ୍ଧରେ ଏକ ପ୍ରତିବାଦୀ ମଣିଷଭାବେ ହିଁ ଠିଆ କରାଇଦିଏ । ଶୋଷଣ ବିରୁଦ୍ଧରେ ପ୍ରତିବାଦର ସ୍ୱର ଯେ ସବୁ ସମୟରେ ରହିଛି ତାହା ସାବ୍ୟସ୍ତ ହୁଏ ।