ବହୁ ପ୍ରଚାରିତ ଆଇ.ଟି.କମ୍ପାନୀ ଇନ୍ଫୋସିସ୍ ଟେକ୍ନୋଲୋଜି ଇତ୍ୟବସରରେ (ଫେବୃୟାରୀ,୨୦୦୯) ଇନଫୋସିସ୍ ସାଇନ୍ସ ଫାଉଣ୍ଡେସନ୍ ନାମରେ ଏକ ନ୍ୟାସ ଗଠନ କରିଛନ୍ତି, ଯାହାର ଘୋଷିତ ଉଦେ୍ଧଶ୍ୟ ହେଉଛି ବିଜ୍ଞାନ ଓ ସମାଜବିଜ୍ଞାନରେ ଗବେଷଣାକୁ ପ୍ରୋତ୍ସାହିତ କରିବା । ଏଥିପାଇଁ ପାଞ୍ଚଟି ବିଭାଗରେ ଗବେଷକଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ହୋଇଛି । ସମୁଦାୟ ପୁରସ୍କାର ଅର୍ଥ ଦୁଇକୋଟି ପଚାଶ ଲକ୍ଷ ଟଙ୍କା ଅର୍ଥାତ୍ ପ୍ରତ୍ୟେକ ବିଭାଗରେ ପୁରସ୍କାର ଅର୍ଥର ପରିମାଣ ପଚାଶଲକ୍ଷ ଟଙ୍କା-ଭାରତରେ ଏଯାବତ୍ ଦିଆଯାଉଥିବା ଯେକୌଣସି ପୁରସ୍କାରଠାରୁ ଅଧିକ ଅର୍ଥ । ୩୦ନଭେମ୍ବର ୨୦୦୯ଦିନ ଏହି ପୁରସ୍କାର ବିଜେତାମାନଙ୍କର ନାମ ଘୋଷଣା କରାଯାଇଛି । ଯାହା ଶୁଦ୍ରକର ଦୃଷ୍ଟି ଆକର୍ଷଣ କରିଛି ତାହା ହେଉଛି ସମାଜବିଜ୍ଞାନ ବିଭାଗରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଜ୍ୟେଷ୍ଠକନ୍ୟା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ପ୍ରଫେସର (୨୦୦୪ ମସିହାଠାରୁ) ଡକ୍ଟର(ଶ୍ରୀମତୀ) ଉପିନ୍ଦର ସିଂହଙ୍କୁ ଇନ୍ଫୋସିସ୍ ପୁରସ୍କାର ପାଇଁ ଅର୍ଥନୀତିଜ୍ଞ ଅଭିଜିତ ବିନାୟକ ବାନାର୍ଜୀଙ୍କ ସହ ଯୁଗ୍ମ ବିଜେତା ଭାବେ ଘୋଷଣା କରିବା । ଶ୍ରୀମତୀ ଉପିନ୍ଦର ସିଂହ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପ୍ରଫେସର ନିଯୁକ୍ତି ପାଇବା ପୂର୍ବରୁ ପ୍ରାୟଃ ଦୁଇଦଶନ୍ଧିରୁ ଊଦ୍ଧ୍ୱର୍କାଳ ଦିଲ୍ଲୀର ସେଣ୍ଟ୍ ଷ୍ଟିଫେନ୍ସ କଲେଜରେ ଅଧ୍ୟାପନା କରିଥିଲେ । ଏହା ବୋଧହୁଏ ଏକ ସଂଯୋଗ ଯେ ବର୍ଷ ୨୦୦୪ ମନମୋହନ ସିଂହଙ୍କର ପରିବାର ପାଇଁ ଏକ ସଫଳତାର ବର୍ଷ ଥିଲା- ପିତା ମନମୋହନ ଭାରତବର୍ଷର ପ୍ରଧାନମନ୍ତ୍ରୀ ଭାବେ ମନୋନୀତ (୨୪ ମଇ ୨୦୦୪) ହେବାବେଳେ କନ୍ୟା ଉପିନ୍ଦର ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ ନିଯୁକ୍ତି ପାଇଲେ । ଉପିନ୍ଦରଙ୍କର ଗବେଷଣା ଯାହା ଭିତ୍ତରେ ସେ ୧୯୯୧ମସିହାରେ ଡକ୍ଟରେଟ ଉପାଧି ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ – ତାହା ଓଡ଼ିଶାର ଇତିହାସ ସମ୍ପର୍କିତ-ଯାହାର ଶିରୋନାମା ହେଉଛି ‘Kings, Brahmans and Temples in Orissa: an epigraphic study (300-1147CE)’ ତେଣୁ ଉପିନ୍ଦର ଇନ୍ଫୋସିସ୍ ପୁରସ୍କାର ବାବଦ ୨୫ଲକ୍ଷ ଟଙ୍କା ପାଇବା ଅନେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ହେବା ଅସ୍ୱାଭାବିକ ନୁହେଁ । ଅବଶ୍ୟ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗରେ ଥିବା ଓଡ଼ିଆ ପ୍ରଫେସର ଭୈରବୀ ପ୍ରସାଦ ସାହୁ ପ୍ରାଚୀନ ଓଡ଼ିଶାର ଇତିହାସରେ ଏକ ସକ୍ରିୟ ଗବେଷକଭାବେ ବହୁଦିନରୁ ଜଣାଶୁଣା ।
ଶ୍ରୀମତୀ ଉପିନ୍ଦର ସିଂହ ଏହି ପୁରସ୍କାର ପାଇଁ ଯେଉଁ ବିଚାରକମଣ୍ଡଳୀ ଦ୍ୱାରା ଯୋଗ୍ୟ ବିବେଚିତ ହେଲେ, ତା’ର ଅଧ୍ୟକ୍ଷ ଥିଲେ ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍ । ଅମର୍ତ୍ତ୍ୟ ସେନ୍ ଓ ମନମୋହନ ସିଂହ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗରେ (Delhi School of Economics)୧୯୬୯ରୁ ୧୯୭୧ପର୍ଯ୍ୟନ୍ତ ସହକର୍ମୀ ଥିଲେ । ସେତେବେଳେ ଉପିନ୍ଦରଙ୍କର ବୟସ ୧୦ବା ୧୨ବର୍ଷ ହୋଇଥିବ ।
ଏହି ପ୍ରସଙ୍ଗରେ ଆଉ ଏକ ସୂଚନା ଏଠାରେ ଦେବା ଉଚିତ ହେବ ଯେ ଚଳିତବର୍ଷ ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଇନ୍ଫୋସିସ୍ ସହ ଅଧ୍ୟକ୍ଷ (Co-chairman) ନନ୍ଦନ ନିଲେକାନୀଙ୍କୁ ପ୍ରସ୍ତାବିତ Unique Identification Authority of India (UIDAI)ର ଅଧ୍ୟକ୍ଷ ଭାବେ ଯୋଗ ଦେବାପାଇଁ ଆମନ୍ତ୍ରିତ କରିଥିଲେ ଓ ଏହି ପଦବୀ କେନ୍ଦ୍ରର କ୍ୟାବିନେଟ ମନ୍ତ୍ରୀଙ୍କ ପାହ୍ୟାର ହେବ ବୋଲି ଘୋଷଣା କରିଥିଲେ । କହିବା ବାହୁଲ୍ୟ ଯେ ବହୁ ଆନନ୍ଦ ଉଲ୍ଲାସର ସହ ନନ୍ଦନ ନିଲେକାନୀ ଏହି ପଦବୀରେ ଯୋଗ ଦେଇଛନ୍ତି ।
ଏହି ସବୁର ପୃଷ୍ଠଭୂମିରେ ଉପିନ୍ଦର ସିଂହଙ୍କର ଚୟନ ନିରୋଳା ମେଧାଭିତ୍ତକ-ଏହା ଅନେକେ ବିଶ୍ୱାସ କରିବାକୁ ପ୍ରସ୍ତୁତ ହେବେ ନାହିଁ । ପ୍ରତିଭାବାନ ସନ୍ତାନସନ୍ତତିଙ୍କୁ ପୁରସ୍କାରରୁ ବଞ୍ଚôତ କରାଯିବ- ଯେହେତୁ ସେମାନଙ୍କର ବାପା ମା କ୍ଷମତାରେ ଅଛନ୍ତି?- ଏ ପ୍ରଶ୍ନ ମଧ୍ୟ ହେବା ସ୍ୱାଭାବିକ । ଶୁଣାଯାଏ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ତାଙ୍କ ପୁଅକୁ ସେ ପାଇଥିବା ଏକ କମ୍ପାନୀ ଚାକିରୀକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ପରାମର୍ଶ ଦେଇଥିଲେ- କାରଣ ତାଙ୍କର ନିରପେକ୍ଷତା ଏହାଦ୍ୱାରା ପ୍ରଭାବିତ ହୋଇପାରେ ବା ଏହିଭଳି ସନେ୍ଦହ ଜନମାନସରେ ହୋଇପାରେ ବୋଲି ତାଙ୍କର ଆଶଙ୍କା ହୋଇଥିଲା ।
ସନ୍ତାନସନ୍ତତିଙ୍କ ପାଇଁ ପିତାମାତାଙ୍କର ଦୁର୍ବଳତା ସ୍ୱାଭାବିକ । ଏହାର ସୁଯୋଗ ଯେ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ନେବାପାଇଁ ଉଦ୍ୟମ କରନ୍ତି , ବିଶେଷତଃ ଯେତେବେଳେ ପିତାମାତା କ୍ଷମତାସୀନ – ଏହା କହିବା ଅନାବଶ୍ୟକ । କିନ୍ତୁ ଏହିଭଳି ପରିସ୍ଥିତି ହିଁ କ୍ଷମତାସୀନ ବାପା ମାଙ୍କ ପାଇଁ ପରୀକ୍ଷାର ସମୟ । ଯେଉଁ କ୍ଷମତାସୀନ ଅଭିଭାବକ ଯେକୌଣସି ସନେ୍ଦହର ଊଦ୍ଧ୍ୱର୍ରେ ରହିବାକୁ ଚାହାନ୍ତି- ସେମାନେ ନିଶ୍ଚିତ ଭାବରେ ଏଭଳି ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ନିଜର ସନ୍ତାନସନ୍ତତିଙ୍କୁ ସେମାନଙ୍କର ସମସ୍ତ ଯୋଗ୍ୟତା ସତ୍ତ୍ୱେ, ପ୍ରଭାବିତ କରିଥାନ୍ତି । ଉପିନ୍ଦରଙ୍କ କ୍ଷେତ୍ରରେ ଏହା ହୋଇଛି କି ନାହିଁ ଶୁଦ୍ରକ ଜାଣେନାହିଁ । କିନ୍ତୁ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହି ପୁରସ୍କାର ଜାନୁଆରୀ ୪ତାରିଖ (୨୦୧୦)ଦିନ ଏକ ବିଶେଷ ସମାରୋହରେ ପ୍ରଦାନ କରିବେ ବୋଲି ଘୋଷିତ ସମ୍ବାଦରୁ ଜଣାପଡ଼ୁଛି ଯେ ଏପରି ଉଦ୍ୟମ ମନମୋହନ ଯଦି ବି କରିଥାନ୍ତି- ତା’ହେଲେ ସଫଳ ନିଶ୍ଚିତ ହୋଇନାହାନ୍ତି ।
ଇନ୍ଫୋସିସ୍ର ଏତାଦୃଶ କୌଶଳ ଅନ୍ୟାନ୍ୟ ଘରୋଇ କମ୍ପାନୀମାନେ ଅନୁକରଣ କରିବା ଅସମ୍ଭବ ନୁହେଁ । ଭାରତରେ ଯେଉଁ ହାରରେ ବିଲିୟନାୟାର (ଅନୁ୍ୟନ ୫୦୦୦କୋଟି ଟଙ୍କା ସମ୍ପତ୍ତର ମାଲିକ)ଙ୍କ ସଂଖ୍ୟା ବଢ଼ିଚାଲିଛି, (ଗତବର୍ଷ ଥିଲେ ୨୭-ଚଳିତବର୍ଷ ସେମାନଙ୍କର ସଂଖ୍ୟା ୫୨) ସେମାନେ ପ୍ରତ୍ୟେକେ ଗୋଟିଏ ଗୋଟିଏ ନ୍ୟାସ ସୃଷ୍ଟି କରି ବିପୁଳ ଅର୍ଥରାଶିର ପୁରସ୍କାର ବ୍ୟବସ୍ଥା କରିପାରନ୍ତି ଓ କ୍ଷମତାସୀନଙ୍କର ସନ୍ତାନସନ୍ତତିଙ୍କଠାରେ ପ୍ରତିଭା ଠାବ କରି ପୁରସ୍କୃତ କରିପାରନ୍ତି । ଏହି ପ୍ରବାହରେ ଯଦି ଲାଞ୍ଜିଗଡ଼ ଠାରେ ପରିବେଶକୁ ବିପନ୍ନ କରୁଥିବା ଓ ସ୍ଥାନୀୟ ଅଧିବାସୀଙ୍କର ବଞ୍ଚôବାର ଅଧିକାରକୁ ହନନ କରୁଥିବା ବେଦାନ୍ତ କମ୍ପାନୀ ଉତ୍ସାହିତ ହୋଇ ଆମେରିକାରେ ମାନବ ଅଧିକାର ପାଇଁ ଲଢ଼ୁଥିବା ମନମୋହନ ସିଂହଙ୍କର କନିଷ୍ଠା କନ୍ୟା ଅମ୍ରିତ ସିଂହଙ୍କୁ ତାଙ୍କର ଉତ୍ସର୍ଗୀକୃତ ମାନବସେବା ପାଇଁ ପୁରସ୍କୃତ କରିବାର ଉଦ୍ୟମ କରେ- ତା’ହେଲେ ଆମେ ଆଦୌ ଆଶ୍ଚର୍ଯ୍ୟ ହେବା ନାହିଁ ।