୧୬-୩୧ ନଭେମ୍ବର, ୨୦୦୯
ଓଡ଼ିଆ ସାହିତି୍ୟକ ରମାକାନ୍ତ ରଥ, ରାଜେନ୍ଦ୍ର କିଶୋର ପଣ୍ଡା, ମନୋଜ ଦାସ, ଗୌରହରି ଦାସ ଓ ବିଭୂତି ପଟ୍ଟନାୟକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ତରଫରୁ ମୁଣ୍ଡ ପିଛା ଦେଢ଼ ଲକ୍ଷ ଟଙ୍କାର ଅନୁଦାନ ଏକ ବିତର୍କର ବଳୟ ଭିତରେ ପ୍ରବେଶ କରିଛି! ଏହି ଅନୁଦାନ ଦୁଃସ୍ଥ ସାରସ୍ୱତ ସାଧକମାନଙ୍କ ପାଇଁ ଉଦ୍ଧିଷ୍ଟ ବୋଲି ଧାରଣା ସୃଷ୍ଟି କରି, ଉଲ୍ଲିଖିତ ସାହିତି୍ୟକମାନଙ୍କୁ ଏହି ଅନୁଦାନ ଦିଆଯିବାକୁ ପ୍ରଶ୍ନ କରିବା ଗୋଟିଏ ଦୃଶ୍ୟ ହୋଇଥିବାବେଳେ (ଦ୍ରଷ୍ଟବ୍ୟ ସାପ୍ତାହିକ ସୁବାର୍ତ୍ତା-ଅକ୍ଟୋବର ୨୫-୩୧-୨୦୦୯ର ଅଗ୍ରଲେଖ ସ୍ତମ୍ଭ),ଯେଉଁମାନେ ଅନୁସନ୍ଧାନ କରି ବୁଝିଛନ୍ତି ଯେ ଏହି ଅନୁଦାନ ପ୍ରକୃତରେ ଓଡ଼ିଆ ଭାଷା ଓ ସାହିତ୍ୟରେ ଗବେଷଣା ପାଇଁ ଉଦ୍ଧିଷ୍ଟ, ସେମାନେ ଉଲ୍ଲିଖିତ ସୃଜନଶୀଳ ସାହିତି୍ୟକଙ୍କର ଗବେଷଣାରେ ଦକ୍ଷତାକୁ ପ୍ରଶ୍ନ କରୁଛନ୍ତି । ଭାଷା ଓ ସାହିତ୍ୟରେ ଥିବା ଦକ୍ଷ ଗବେଷକମାନେ ନ ପାଇ ଏମାନେ କିପରି ପାଇଲେ ବୋଲି ସେମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । କିନ୍ତୁ ସେମାନେ ଆଦୌ ଆଶ୍ଚର୍ଯ୍ୟ ହେଉନାହାନ୍ତି ଯେଉଁମାନେ ଓଡ଼ିଶାରେ ପୁରସ୍କାର ବା ଅନୁଦାନ ପ୍ରଦାନର ପ୍ରକ୍ରିୟା ସହ ପରିଚିତ ଅଛନ୍ତି ଓ ଗ୍ରହୀତାମାନଙ୍କର କ୍ରମିକତାକୁ ସ୍ମରଣ କରିପାରୁଛନ୍ତି ।
ଓଡ଼ିଆ ଶିକ୍ଷିତ ସମାଜ ଏକ ସ୍ତରୀକୃତ ସମାଜ । ଏହି ସମାଜରେ ସବୁଠାରୁ ଉପରେ ଅଛନ୍ତି ଭାରତୀୟ ପ୍ରଶାସନିକ ସେବାର ଅଧିକାରୀମାନେ । ତେଣୁ ତାଙ୍କଠାରେ ସାମାନ୍ୟଗତ ସୃଜନୀ ଦୃଶ୍ୟମାନ ହେଲେ ତାହା ଅଚିରେ ଏକ ବିରାଟ ଆକାରରେ ପ୍ରସାରିତ ଓ ପ୍ରଚାରିତ ହେବା ଆଦୌ ଅସମ୍ଭବ ନୁହେଁ । ଏହି ପ୍ରଚାର ଓ ପ୍ରସାର ଫଳରେ ସେମାନେ ଯେ ସବୁବେଳେ ଆଗରେ ରହିବେ, ଏଥିରେ ସନେ୍ଦହ ନାହିଁ । ତେଣୁ ଯେକୌଣସି ପୁରସ୍କାର ପ୍ରଥମେ ସେମାନଙ୍କର ଥଳିରେ ପଡ଼ିସାରିଲା ପରେ ଯାଇ ଅନ୍ୟମାନଙ୍କର ପାଳି ପଡ଼ିବ, ଏହିଭଳି ପରିସ୍ଥିତି ସହ ପୁରସ୍କାରକାମୀ ଓଡ଼ିଆ ସାହିତି୍ୟକମାନେ ବୁଝାମଣା କରିଦେଲେ-ଆଉ ଅଶାନ୍ତିର ଅବକାଶ ରହିବ ନାହିଁ ।
ଓଡ଼ିଶାର ସାମ୍ପ୍ରତିକ ସାମାଜିକ-ସାଂସ୍କୃତିକ ଜୀବନରେ ଯେଉଁ ‘ପ୍ରତିଭା’ମାନେ ଶକ୍ତିଶାଳୀ, ପ୍ରଭାବଶାଳୀ ଓ କ୍ଷମତାଶାଳୀ; ତାଙ୍କରି ଭାଗ୍ୟରେ ହିଁ ସମସ୍ତ ପୁରସ୍କାର ସମ୍ମାନ, ସାହାଯ୍ୟ/ ଅନୁଦାନପ୍ରାପ୍ତି ଲେଖାହୋଇଛି । ସେହି ଭିଡ଼ ଭିତରେ ଦୁଃସ୍ଥ ସାରସ୍ୱତ ସାଧକମାନଙ୍କ ପାଇଁ ଏକାଡ଼େମୀର ସ୍ୱୀକୃତି ଯଦି ଝୁଲୁଥିବା ପାଚିଲା ବେଲ ସଦୃଶ ବୋଲି କେହି କେହି ମନ୍ତବ୍ୟ କରୁଛନ୍ତି-ସେମାନେ ବୋଧହୁଏ ଭୁଲ୍ କହୁନାହାନ୍ତି ।