ସମ୍ମାନ, ସମ୍ବାଦ ଓ ସତ୍ୟ

  • 17/09/2015

୧-୧୫ ଅକ୍ଟୋବର, ୨୦୦୯

ଅଚୁ୍ୟତ ସାମନ୍ତଙ୍କୁ ଦୁଇଟି ସମ୍ମାନଜନକ ପୁରସ୍କାର (ଧରିତ୍ରୀ,୧୭ ସେପ୍ଟେମ୍ବର ୨୦୦୯) ଓ founder of kiit shortlisted for national award (Orissa plus, The statesman,16th september 2009) ଶିରୋନାମା ଦ୍ୱୟରେ ପରିବେଷିତ ସମ୍ବାଦ ବିଷୟ ବସ୍ତୁର ସଠିକତା ଦୃଷ୍ଟିରୁ ବେଶ ଦୁର୍ବଳ ଓ ପାଠକକୁ ବିଭ୍ରାନ୍ତ କରିବାର ସମ୍ଭାବନା ବହନ କରୁଛି, ତାହା ହିଁ ଏହି ପୃଷ୍ଠାରେ ଦର୍ଶାଇବା ଉଦେ୍ଧଶ୍ୟ ।
ଏହା ସର୍ବବିଦିତ ଯେ କିଟ୍(KIIT) ଏକ ଟ୍ରଷ୍ଟ ଦ୍ୱାରା ପରିଚାଳିତ । ଏହି ଟ୍ରଷ୍ଟ୍ର ପ୍ରଥମ ସଭାପତି ହେଉଛନ୍ତି ପ୍ରଦ୍ୟମ୍ନବଳ ଯାହାଙ୍କର ମୃତୁ୍ୟପରେ ଏହି ଦାୟିତ୍ୱ ତୁଲାଉଛନ୍ତି ତାଙ୍କର ଧର୍ମପତ୍ନୀ ଶାଶ୍ୱତୀ ବଳ । ପ୍ରଥମ ସମ୍ପାଦକ ହେଉଛନ୍ତି ଅଚୁ୍ୟତ ସାମନ୍ତ । ସେହିଭଳି ପ୍ରଥମ ସଭ୍ୟମାନଙ୍କ ଭିତରେ ଥିଲେ ସାମ୍ବାଦିକ ଉମାପଦ ବୋଷ,ଗୋପାଳ ଚମ୍ପତି, ଅଧ୍ୟାପକ ପ୍ରଶାନ୍ତ ମିଶ୍ର, ଅଧ୍ୟାପକ ଚିତ୍ତରଂଜନ ମିଶ୍ର । ତେଣୁ ପ୍ରଦୁ୍ୟମ୍ନବଳ ହେଲେ ପ୍ରତିଷ୍ଠାତା ସଭାପତି, ଅଚୁ୍ୟତ ସାମନ୍ତ ହେଲେ ପ୍ରତିଷ୍ଠାତା ସମ୍ପାଦକ, ଅନ୍ୟମାନେ ହେଲେ ପ୍ରତିଷ୍ଠାତା ସଭ୍ୟ । ତେଣୁ ଅଚୁ୍ୟତ ସାମନ୍ତଙ୍କୁ କିଟ୍ଗୋଷ୍ଠୀର ଅନୁଷ୍ଠାନମାନଙ୍କର ପ୍ରତିଷ୍ଠାତା କହିବା (Dr Achyuta Samanta, the founder of KIIT group of Institutions) ହେଉଛି ଅର୍ଦ୍ଧସତ୍ୟ । ଏହା ପ୍ରଦୁ୍ୟମ୍ନ ବଳ ଓ ଅନ୍ୟାନ୍ୟ ପ୍ରତିଷ୍ଠାତା ସଭ୍ୟମାନଙ୍କର ଭୂମିକା ପ୍ରତି ଅନ୍ୟାୟ । ତେଣୁ କିଟ୍ ସମ୍ପର୍କିତ ସମ୍ବାଦମାନଙ୍କରେ ଅଚୁ୍ୟତ ସାମନ୍ତଙ୍କୁ ପ୍ରତିଷ୍ଠାତାସମ୍ପାଦକ ବା ଅନ୍ୟତମ ପ୍ରତିଷ୍ଠାତା ଭାବେ ଉଲ୍ଲେଖ କରାଯିବା ଉଚିତ ବୋଲି ସମ୍ବାଦ ପତ୍ରମାନେ ଜାଣିରଖିବା ଉଚିତ । ଏହା ହେଲେ ପାଠକ ବିଭ୍ରାନ୍ତ ହେବେନାହିଁ ।
ବର୍ତ୍ତମାନ ଦେଖିବା ଅଚୁ୍ୟତ ସାମନ୍ତଙ୍କୁ ଦୁଇଟି ସମ୍ମାନଜନକ ପୁରସ୍କାର ଶିରୋନାମାରେ ପରିବେଶିତ ସମ୍ବାଦରେ କେଉଁ ଦୁଇଟି ପୁରସ୍କାର ସମ୍ପର୍କରେ କୁହାଯାଇଛି । କୁହାଯାଇଛି ‘ବୈଷୟିକ ଶିକ୍ଷା ଓ ସମାଜସେବା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମାନର ଅଧିକାରୀ ହୋଇଥିବା ଡଃ ଅଚୁ୍ୟତ ସାମନ୍ତ ୟୁକେ ଇଣ୍ଡିଆ ବିଜିନେସ୍ ପୁରସ୍କାର ୨୦୦୯ ଏବଂ ଆନ୍ତର୍ଜାତୀୟ ୱାଇଜ୍ ପୁରସ୍କାର ପାଇବାଲାଗି ମନୋନୀତ ହୋଇଛନ୍ତି । ୱାଇଜ୍ ପୁରସ୍କାର ସମ୍ପର୍କରେ କୁହାଯାଇଛି, ନିର୍ଣ୍ଣାୟକ ତାଲିକାରେ ୧୬ ଜଣଙ୍କୁ ରଖାଯାଇଛି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରାଯିବ । ଏହି ଦୁଇଜଣଙ୍କ ମଧ୍ୟରେ ସାମନ୍ତ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇପାରିଛନ୍ତି । ଆହୁରି କୁହାଯାଇଛି ‘ସେପ୍ଟେମ୍ବର ଶେଷସପ୍ତାହରେ ଦୋହାଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମନ୍ତଙ୍କୁ ସମ୍ମାନଜନକ ୱାର୍ଲଡ ଇନୋଭେଶନ ସମିଟ୍ ଫର ଏଜୁକେଶନ (ୱାଇଜ୍)୨୦୦୯ ପୁରସ୍କାର ପ୍ରଦାନ କରାଯିବ ।’
ଏହିପରି ସମ୍ବାଦର ପୃଷ୍ଠଭୂମିରେ ୟୁକେ ଇଣ୍ଡିଆ ବିଜିନେସ୍ ପୁରସ୍କାର ସମ୍ପର୍କରେ ସୂଚନା ଦେଇଥିବା ୱେବସାଇଟhttp.ukindia.fco.gov.uk/en/doing-business/ukti awards 2009 କୁ ଯାଇ ଆମ୍ଭେ କେଉଁଠାରେ ଅଚୁ୍ୟତ ସାମନ୍ତଙ୍କର ନାମ ପାଇଲୁନାହିଁ । କର୍ପୋରେଟ ସୋସିଆଲ ରେସପନ୍ସବିଲିଟି (corporate social responsibility) ବିଭାଗରେ ଅବଶ୍ୟ କିଟ୍ (kiit)ର ନାମ ଟାଟା ଷ୍ଟିଲ ଓ ହିନ୍ଦୁସ୍ତାନ ଇଉନିଲିଭର ସହ ସହପ୍ରତିଦ୍ୱନ୍ଦ୍ୱୀ ଭାବେ ତାଲିକାଭୁକ୍ତ ହୋଇଥିବାର ଦେଖିଲୁ । ଏହି ୩ ପ୍ରତିଦ୍ୱନ୍ଦ୍ୱୀଙ୍କ ଭିତରେ ଟାଟାଷ୍ଟିଲ ହିଁ ଶେଷକୁ ପୁରସ୍କୃତ ହେଲା ୧୭ ସେପ୍ଟମ୍ବର ୨୦୦୯ ଦିନ ମୁମ୍ବାଇଠାରେ ଏକ ଅନୁଷ୍ଠିତ ଉତ୍ସବରେ ଏହି ପୁରସ୍କାରକୁ ଟାଟାଷ୍ଟିଲ ତରଫରୁ ତାଙ୍କର ଦୁଇ କର୍ମଚାରୀ ପାର୍ଥ ସେନଗୁପ୍ତ ଓ ସତୀଶ ପିଲାଇ ହିଁ ଗ୍ରହଣ କଲେ । ଅର୍ଥାତ୍ ଟାଟା ଷ୍ଟିଲ ପୁରସ୍କୃତ ହେବା ରତନ ଟାଟା ପୁରସ୍କୃତ ହେବା ଏକା କଥା ନୁହେଁ । କିନ୍ତୁ ଧରିତ୍ରୀର ଉପରୋକ୍ତ ସମ୍ବାଦକୁ ଯଦି କେହି ଅନୁକରଣ କରିବ-ସେ ଲେଖିବ ‘ରତନଟାଟାଙ୍କୁ ସମ୍ମାନଜନକ ପୁରସ୍କାର ।’ ଏହା ସମ୍ବାଦପତ୍ରର ବିଶ୍ୱସନୀୟତା ଓ ପରିପକ୍ୱତା ଉପରେ ଏକ ଦୀର୍ଘ ପ୍ରଶ୍ନ ଚିହ୍ନ ଲଗାଇଦେବ । ସମ୍ବାଦପତ୍ରଗୁଡ଼ିକ ଯେକୌଣସି ଅନୁଷ୍ଠାନର ପ୍ରଚାର-ପ୍ରସାର ବିଭାଗର ଅଂଶ ନୁହନ୍ତି-ତାହା ସେମାନେ ସମ୍ବାଦ ପରିବେଷଣରେ ସଠିକତା ପ୍ରତି ଦୃଷ୍ଟିଦେଇ ପ୍ରମାଣ ଦେବା ଉଚିତ । ଅବଶ୍ୟ ସମ୍ବାଦଗୁଡ଼ିକ ଯଦି ଅଘୋଷିତ ବିଜ୍ଞାପନ ହୋଇଥାଏ, ତା’ହେଲେ ତ’ କଥା ଭିନ୍ନ ।
ତେବେ ଏହି ପୁରସ୍କାର ପାଇଁ କିଟ୍ ଟାଟା ଷ୍ଟିଲ ଓ ହିନ୍ଦୁସ୍ତାନ ଇଉନିଲଭର ଭଳି ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ସହ ସହପ୍ରତିଦ୍ୱନ୍ଦ୍ୱୀ ଭାବେ ସ୍ଥାନିତ ହେବା ଅର୍ଥ କିଟ୍ ଏକ ବ୍ୟବସାୟିକ ପ୍ରତିଷ୍ଠାନ ଭାବେ ମାନ୍ୟତା ପାଇବ । ଲକ୍ଷ୍ମୀ-ସରସ୍ୱତୀ ଏକାଠି ହୋଇ ପାରିବେ ନାହିଁ ବୋଲି ଯେଉଁମାନଙ୍କର ଭ୍ରମ ରହିଛି – ସେ ଭ୍ରମ ବିରୋଧରେ କିଟ୍ ଏକ ବଳିଷ୍ଠ ଉଦାହରଣଭାବେ ଆଜି ଦଣ୍ଡାୟାମାନ ହୋଇଛି ବୋଲି କହିବା ଆଜି ଆଉ ପ୍ରମାଣ ଅପେକ୍ଷା କରେନାହିଁ ।
ୱାଇଜ ପୁରସ୍କାର ସମ୍ପର୍କରେ ସୂଚନା ଦେଉଥିବା ୱେବସାଇଟ http//www.wise-gartar.com/en/shortlistକୁ ଯାଇ ଆମ୍ଭେ ଦେଖିଲୁ ଯେ ଇନୋଭେସନ (innovation) ଅର୍ଥାତ ନବ୍ୟ ଢାଞ୍ଚାଗଠନ ବା ପ୍ରବର୍ତ୍ତନ ବିଭାଗରେ ୧୬ଜଣ ପ୍ରତିଦ୍ୱନ୍ଦ୍ୱୀଙ୍କ ଭିତରେ ସାମନ୍ତଙ୍କର ନାମ ଅଛି, ଏହି ୧୬ଜଣଙ୍କ ଭିତରୁ କେଉଁ ଦୁଇଜଣ ସର୍ବଶେଷରେ ପୁରସ୍କୃତ ହେବେ, ତାହା ୩୦ସେପ୍ଟେମ୍ବର ୨୦୦୯ ରେ ଘୋଷଣା କରାଯିବ ବୋଲି ୱେବସାଇଟ www.wise-gartar.orgରେ ଉଲ୍ଲେଖ ହୋଇଛି । ଏବଂ ଏହି ଦୁଇଜଣଙ୍କୁ ୧୬ରୁ ୧୮ନଭେମ୍ବର ପର୍ଯ୍ୟନ୍ତ ଦୋହାଠାରେ ୱାଇଜ (WISE)ତରଫରୁ ହେବାକୁ ଥିବା ସମ୍ମିଳନୀରେ ପୁରସ୍କୃତ କରାଯିବ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି ।
କହିବା ବାହୁଲ୍ୟ ଯେ ୧୭ ସେପ୍ଟେମ୍ବର ୨୦୦୯ଦିନ ଧରିତ୍ରୀରେ ପ୍ରକାଶିତ ଉଲ୍ଲିଖିତ ସମ୍ବାଦ ‘ୱାଇଜ’ପୁରସ୍କାର ସମ୍ପର୍କିତ ୱାଇଜ ସଂସ୍ଥାର ୱେବସାଇଟରେ ପ୍ରଦତ୍ତ ସମ୍ବାଦ ଭିତରେ ରହିଛି ଅନେକ ପାର୍ଥକ୍ୟ । ଯେଉଁମାନେ ପ୍ରକୃତ ତଥ୍ୟ ନ ଜାଣିପାରିବେ, ସେମାନେ ଧରିତ୍ରୀର ସମ୍ବାଦ ଦ୍ୱାରା ନିଶ୍ଚିତ ବିଭ୍ରାନ୍ତ ହେବେ, ଏଥିରେ ସନେ୍ଦହ ନାହିଁ ।
ଏଠାରେ ଉଲ୍ଲେଖକରିବା ପ୍ରାସଙ୍ଗିକ ହେବ ଯେ ୩୦ସେପ୍ଟମ୍ବର ୨୦୦୯ଦିନ ପୁରସ୍କାରର ଘୋଷଣା ହୋଇଛି । ଅଚୁ୍ୟତ ସାମନ୍ତ ତାଲିକାଭୁକ୍ତ ହୋଇଥିବା ଇନୋଭେସନ୍ ବିଭାଗରେ୧୬ଜଣଙ୍କ ମଧ୍ୟରୁ ଯେଉଁ ଦୁଇଜଣ ସର୍ବଶେଷରେ ପୁରସ୍କୃତ ହେବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେମାନେ ହେଲେ ଆମେରିକାର ପିଟର ଲେଭି (Peter Levy) ଓ ବ୍ରାଜିଲର ଡେଲିଓ ମୋରାଇସ୍ (Delio moraix) ତେଣୁ ଧରିତ୍ରୀ ଲେଖିବା ଯେ ‘ଏହି ଦୁଇଜଣଙ୍କ ମଧ୍ୟରେ ସାମନ୍ତ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି’-ସତ୍ୟଠାରୁ କେତେଦୂରରେ ତାହା ପାଠକ ଅନୁମାନ କରିପାରିବେ । ଏହିଭଳି ବିଭ୍ରାନ୍ତକାରୀ ସମ୍ବାଦ ପ୍ରକୃତ ସତ୍ୟ ଉଦ୍ଘାଟନ ପୂର୍ବରୁ ସାମୟିକ ପ୍ରଶସ୍ତି ପାଇଁ ବାତାବରଣଟିଏ ସୃଷ୍ଟି କରିପାରେ । କିନ୍ତୁ ପ୍ରକୃତ ସତ୍ୟ ଉଦ୍ଘାଟନ ପରେ ଏହାର ଦୀର୍ଘକାଳୀନ ପରିଣତି ଯେ ପ୍ରଶସ୍ତିକାମୀ ବ୍ୟକ୍ତି ଓ ଅନୁଷ୍ଠାନର ଭାବମୂର୍ତ୍ତି ପାଇଁ ଅନୁକୂଳ ହେବ ନାହିଁ -ତାହା ନିଶ୍ଚିତ । ପ୍ରଚାର ବ୍ୟାକୁଳତାରେ ଆମେ ସମସ୍ତେ ଅଳ୍ପବହୁତେ ଆକ୍ରାନ୍ତ-ବିଶେଷତଃ ଯେତେବେଳେ ବଢ଼ି ଚାଲିଛି ଟି.ଭି. ଚ୍ୟାନେଲ ଓ ସମ୍ବାଦପତ୍ରର ସଂଖ୍ୟା- କିନ୍ତୁ ଏହି ପ୍ରଚାର ବ୍ୟାକୁଳତା ଏକ ବ୍ୟାଧିରେ ପରିଣତ ହେଲେ ଏହା ଉଭୟ ବ୍ୟକ୍ତି ଓ ଅନୁଷ୍ଠାନର ଭବିଷ୍ୟତକୁ ବିପ୍ନନ କରିପାରେ । ତେଣୁ ମିଥ୍ୟାଶ୍ରିତ ବିଜ୍ଞାପନ ଦ୍ୱାରା ଭାବମୂର୍ତ୍ତ ବଢ଼ାଇବାର ଉଦ୍ୟମରୁ ବ୍ୟକ୍ତି ଓ ଅନୁଷ୍ଠାନ ଗୁଡ଼ିକ କ୍ଷାନ୍ତ ରହିବେ- ଏହାହିଁ ଶୁଦ୍ରକର ଆଶା ।

Print Friendly, PDF & Email