୧୬-୩୧ ସେପ୍ଟେମ୍ବର, ୨୦୦୯
୧୯୯୮ ମସିହାରେ ପୋଖରାନ୍ଠାରେ ପରୀକ୍ଷାମୂଳକ ଭାବେ ଆଣବିକ ବୋମା ବିସ୍ଫୋରଣ ଭାରତକୁ ଏକ ଆଣବିକ ଶକ୍ତି ରାଷ୍ଟ୍ରଭାବେ ପ୍ରତିଷ୍ଠିତ କରିଦେଲା ବୋଲି ସରକାରୀ ସ୍ତରରେ ଦାବିକୁ ଆମେ ସ୍ମରଣ କରିପାରିବା । ଯଦିଓ ସେ ସମୟରେ ପଶ୍ଚିମଦେଶର ବିଶେଷଜ୍ଞମାନେ ଏହି ଦାବି ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିଲେ, ଯାହା ଅବଶ୍ୟ ଆମର ଦାୟିତ୍ୱବୋଧ ସମ୍ମୁଖରେ ଫୁସୁରି ଯାଇଥିଲା । କିନ୍ତୁ ଏହି ମାତ୍ର କିଛିଦିନ ତଳେ ଏହି ପରୀକ୍ଷାମୂଳକ ବିସ୍ଫୋରଣ ସହ ପ୍ରତ୍ୟକ୍ଷଭାବରେ ସମ୍ପୃକ୍ତ ଭାରତ ସରକାରଙ୍କର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (DRDO)ର ମୁଖ୍ୟ ପରାମର୍ଶଦାତା ଡଃ କେ.ସନ୍ଥନାମ ଯେତେବେଳେ କହୁଛନ୍ତି ଯେ ଉକ୍ତ ବିସ୍ଫୋରଣ ଆଶାନୁରୂପ ନଥିଲା ବରଂ ଫୁସୁରି ଯାଇଥିଲା (The tests were a fizzle) ସେତେବେଳେ ଏହି ପରୀକ୍ଷାମୂଳକ ବିସ୍ଫୋରଣର ସଫଳତାକୁ ନେଇ ଏଯାବତ୍ ହୋଇଆସିଥିବା ଦାବି ନିଶ୍ଚିତ ବିତର୍କିର୍ତ ହୋଇପଡ଼ିଛି ।
ସ୍ୱାଭାବିକ ସନ୍ଥନାମଙ୍କର ଏ ରହସ୍ୟ ଉନ୍ମୋଚନକୁ ଭିତ୍ତିହୀନ ବୋଲି ସର୍ବପ୍ରଥମେ କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଏପିଜେ କାଲାମ,କାରଣ ସେ ସେହି ସମୟରେ ପ୍ରତିରକ୍ଷା ବିଭାଗର ପରାମର୍ଶଦାତା ଥିଲେ ଓ ଭାରତର ଆଣବିକ ଯୋଜନାକୁ ଆଗେଇନେବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଥିଲେ । କଲାମଙ୍କ ବ୍ୟତୀତ ସନ୍ଥନାମଙ୍କର ବୟାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସେ ସମୟରେ ବୈଜ୍ଞାନିକ ଦଳର ନେତୃତ୍ୱ ନେଉଥିବା ଆର.ଚିଦାମ୍ବରମ । ଏ ମହାଶୟ ପରବର୍ତ୍ତୀ ସମୟରେ ଆଣବିକ ଶକ୍ତି କମିଶନର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ । କିନ୍ତୁ ସନ୍ଥନମଙ୍କ ସପକ୍ଷରେ କିଛି ଓଜନିଆ ବୈଜ୍ଞାନିକ ବାହାରି ବିତର୍କକୁ ବେଶ୍ ଉଷ୍ମ କରିଦେଇଛନ୍ତି ।
୧୯୭୪ ମସିହାରେ ସଂଘଟିତ ହୋଇଥିବା ପ୍ରଥମ ପରୀକ୍ଷାମୂଳକ ଆଣବିକ ବିସ୍ଫୋରଣ ସହ ସମ୍ପୃକ୍ତଦୁଇ ପ୍ରସିଦ୍ଧ ବୈଜ୍ଞାନିକ ହୋମି ସେଠ୍ନା ଏବଂ ପି.କେ.ଆୟାଙ୍ଗାର ସନ୍ଥନାମ ସତ୍ୟ କହୁଛନ୍ତି ବୋଲି ବୟାନ ଦେଇଛନ୍ତି । ସନ୍ଥନାମଙ୍କ ବୟାନ ଭିତ୍ତହୀନ ବୋଲି କହୁଥିବା ଏପିଜେ କଲାମଙ୍କ ସମ୍ପର୍କରେ ସେଠ୍ନା କୁହନ୍ତି, ‘ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଜଣେ ବୈଜ୍ଞାନିକ ନୁହଁନ୍ତି । ସନ୍ଥନାମ ଜଣେ ପଦାର୍ଥବିଜ୍ଞାନୀ । ସେ ଜାଣନ୍ତି ସେ କ’ଣ କହୁଛନ୍ତି ।…. କଲାମ ପଦାର୍ଥବିଜ୍ଞାନ ବିଷୟରେ କ’ଣ ଜାଣନ୍ତି? ସେ ଯାହା ଇଚ୍ଛା ତାହା କରିପାରିବେ କାରଣ ସେ ଥିଲେ ରାଷ୍ଟ୍ରପତି ଓ ରାଜନୈତିକ ବ୍ୟକ୍ତି ।… ରାଷ୍ଟ୍ରପତି ହୋଇଥିବାରୁ ତାଙ୍କର ପ୍ରତିଷ୍ଠା ବଢ଼ିଛି । ଆଣବିକ ଶକ୍ତି ସହ ନିଜକୁ ଯୋଡ଼ୁଛନ୍ତି ଅଧିକା ପ୍ରତିଷ୍ଠା ଲାଭର ଆଶାରେ । ( Former President APJ Kalam was not a scientist and Santhanam is a physicist and he knew what he was talking… what does Kalam understand about physics? He can say anything as he was President and a politician… By being a President he appeared to wear the stature, He relied on atomic energy to gain additional stature ( The times of India 1st Sept 2009)
ଯାହା ପ୍ରକୃତରେ ହୋଇନାହିଁ- ତାହା ହୋଇଛି ବୋଲି କହିଥିବା ଅଭିଯୋଗ ରାଜନୈତିକ ବ୍ୟକ୍ତିମାନଙ୍କ ବିରୋଧରେ ଉଠିଲେ ପ୍ରାୟଃ କେହି ବିସ୍ମିତ ହୁଅନ୍ତି ନାହିଁ । କିନ୍ତୁ ଏହିଭଳି ଅଭିଯୋଗ ଏପିଜେ କଲାମଙ୍କ ବିରୋଧରେ ଉଠିବା ଯିଏ କି ବୈଜ୍ଞାନିକ ଭାବେ ଭାରତ ସରକାରଙ୍କର ସମସ୍ତ ପଦ୍ମପୁରସ୍କାର ପାଇ ଶେଷରେ ଭାରତରତ୍ନରେ ଭୂଷିତ ହୋଇଛନ୍ତି, ସ୍ୱାଭାବିକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ସେମାନେ ତ ନିଶ୍ଚିତ ମ୍ରିୟମାଣ ହୋଇପଡ଼ିବେ ଯେଉଁମାନେ କଲାମଙ୍କୁ ଏକ ଅତୁଳନୀୟ ବିଜ୍ଞାନୀ ବ୍ୟକ୍ତିତ୍ୱର ମାନ୍ୟତା ଦିଅନ୍ତି ।
ବୈଜ୍ଞାନିକ ହୋମି ସେଠ୍ନା, ପିକେ ଆୟାଙ୍ଗାର ଯେ କେବଳ ଏପିଜେ କଲାମଙ୍କର ସନ୍ଥନାମଙ୍କୁ ବିରୋଧ କରିବାନେଇ ପ୍ରଶ୍ନ କରିଛନ୍ତି- ସେପରି ନୁହେଁ-ଭାରତୀୟ ସେନାର ପଦାତିକ ବାହିନୀର ପୂର୍ବତନ ମୁଖ୍ୟ ଜେନେରାଲ ଭିପି ମାଲିକ ମଧ୍ୟ ଏପିଜେ କଲାମଙ୍କର ଯୁକ୍ତିରେ ସନ୍ତୁଷ୍ଟ ନୁହଁନ୍ତି ବୋଲି ବୟାନ ଦେଇଛନ୍ତି । ତାଙ୍କମତରେ ସନ୍ଥନାମ କଲାମଙ୍କ ଦଳର ହିଁ ଏକ ଅଙ୍ଗଥିଲେ । ତେଣୁ ସନ୍ଥନାମ ଯେତେବେଳେ କହୁଛନ୍ତି ଯେ ବିସ୍ଫୋରଣ ଫୁସୁରି ଯାଇଥିଲା-ଏହା ଆମକୁ ହତ୍ବାକ୍ କରିଦେଇଛି । ପୁଣି ସେ ତାପଜ -ଆଣବିକ ଅସ୍ତ୍ର ସମ୍ପର୍କରେ ମନ୍ତବ୍ୟ କରୁଛନ୍ତି । ତେଣୁ କଲାମଙ୍କର ବକ୍ତବ୍ୟ ସନ୍ତୋଷଜନକ ହେଉନାହିଁ । (Let us not forget that Santhanam was part of Kalam’s team. And it came as quite a shock with Santhanam himself mentioning That it was a fizzle. Of course again he was referring to the thermo nuclear weapon. So Kalam’s statement was not quite convincing ( New Indian Express-7.9.09)
ଫୁସୁରି ଯାଉଥିବା ଆଣବିକ ଅସ୍ତ୍ରଶସ୍ତ୍ରକୁ ଅସ୍ତ୍ରାଗାରରେ ରଖି ଆମେ ନିଜକୁ ଏକ ଆଣବିକ ରାଷ୍ଟ୍ର ବୋଲି ଦାବି କରିବା ଓ ଆଣବିକ ରାଷ୍ଟ୍ରଗୁଡ଼ିକ ଯେଉଁ ଚୁକ୍ତିଦ୍ୱାରା ଆବଦ୍ଧ, ସେହି ଚୁକ୍ତିଦ୍ୱାରା ଆମେ ଆବଦ୍ଧ ହେବା ବିଜ୍ଞତାର ପରିଚୟ ହେବନାହିଁ ବୋଲି ସନ୍ଥନାମ ଓ ତାଙ୍କର ସପକ୍ଷବାଦୀମାନେ ଯୁକ୍ତି କରନ୍ତି ।
କହିବା ବାହୁଲ୍ୟଯେ ଏହି ବିତର୍କରେ ଉଭୟ ସପକ୍ଷବାଦୀ ଓ ବିରୋଧୀଙ୍କର ଉଦେ୍ଧଶ୍ୟ ଯେ ଏକ ଶକ୍ତିଶାଳୀ ଆଣବିକ ରାଷ୍ଟ୍ରଭାବେ ଭାରତର ପରିଚିତିକୁ ପ୍ରତିଷ୍ଠିତ କରାଇବା-ଏଥିରେ ସନେ୍ଦହ ନାହିଁ । କିନ୍ତୁ ଯେଉଁମାନେ ଏକ ଆଣବିକ ଅସ୍ତ୍ରଶସ୍ତ୍ର ବିହୀନ ପୃଥିବୀ ଦେଖିବାର ବ୍ୟାପକ ଲକ୍ଷ୍ୟ ମନ ଭିତରେ ପୋଷଣ କରନ୍ତି- ସେମାନଙ୍କ ପାଇଁ ଉକ୍ତ ବିତର୍କ ନିଶ୍ଚିତ ଅର୍ଥହୀନ ।