ବିଜୟରୁ ବିନୟତୋଷ ଯାଏଁ

  • 17/09/2015

୧-୧୫ ସେପ୍ଟେମ୍ବର, ୨୦୦୯

ଅଗଷ୍ଟ ୧୫, ୨୦୦୯, ସ୍ୱାଧୀନତା ଦିବସ । ଏହି ଦିନ ଘଟିଲା ଏକ ଅପ୍ରତ୍ୟାଶିତ ଘଟଣା । ଏହାର କର୍ତ୍ତା ଥିଲେ ଧାରାବାହିକ ଭାବେ ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତ୍ୟେକ ବର୍ଷ ପରି ଏବର୍ଷ ସ୍ୱାଧୀନତା ଦିବସରେ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ଅଫିସରଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ ଉତ୍ସବରେ ହିଁ ଏହି ଘଟଣା ଘଟିଲା । ରାଷ୍ଟ୍ରପତି ପଦକ ନେବାକୁ ଆସିଥିବା ଆଇ.ପି.ଏସ୍ ଅଫିସର ବିନୟତୋଷ ମିଶ୍ରଙ୍କୁ ଗୃହମନ୍ତ୍ରୀଭାବେ ବିନୟତୋଷଙ୍କ ନାମକୁ ରାଷ୍ଟ୍ରପତି ପଦକ ପାଇଁ ସୁପାରିଶ କରିଥିବା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ କାହିଁକି ପଦକ ପ୍ରଦାନ କରିବାକୁ କୁଣ୍ଠିତ ହେଲେ? ୧୪ତାରିଖ ଦିନ ରିହରସାଲରେ ଯୋଗଦେଇ ପଦକ ନେବାପାଇଁ ଉଲ୍ଲସିତ ଚିତ୍ତରେ ପରିବାର ଓ ବନ୍ଧୁବାନ୍ଧବଙ୍କ ଗହଣରେ ପ୍ରସ୍ତୁତ ଥିବା ବିନୟତୋଷ ସ୍ୱାଧୀନତା ଦିବସରେ ଏପରି ଅପଦସ୍ଥ ହେବେ ବୋଲି ସ୍ୱପ୍ନରେ ସୁଦ୍ଧା ଭାବି ନଥିବେ । ତେଣୁ ସ୍ୱାଭାବିକ ସେ କ୍ଷୁବ୍ଧ ଓ ତାଙ୍କର ସହକର୍ମୀମାନ କ୍ଷୁବ୍ଧ । ବିରୋଧୀଦଳ କଂଗ୍ରେସର ନେତା ନରସିଂହ ମିଶ୍ରଙ୍କ ଭଳି (ଦ୍ରଷ୍ଟବ୍ୟ-Orissa Plus,The Statesman, 17 August 2009) କେହି କେହି ଏହାକୁ ରାଷ୍ଟ୍ରପତିଙ୍କ ପ୍ରତି ଅମର୍ଯ୍ୟାଦା ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ବିଜେପିନେତା ବିଜୟ ମହାପାତ୍ର ମଧ୍ୟ ଏପରି ଅପଦସ୍ଥ କରିବା ନିନ୍ଦନୀୟ ବୋଲି କହିଛନ୍ତି । (ଦ୍ରଷ୍ଟବ୍ୟ–The New Indian Express,17August 2009) । ଗଣମାଧ୍ୟମର ବ୍ୟାକୁଳ ପ୍ରତିନିଧିଙ୍କୁ ଏ ବିଷୟରେ କିଛି କହିବେ ନାହିଁ ବୋଲି ନବୀନ ମନା କରିଦେବା ଫଳରେ ଘଟଣାଟି ପଛରେ ବିଭିନ୍ନ ପ୍ରକାର କାରଣ ଅନୁମାନ କରାଯାଉଛି ।
ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ମୁଖ୍ୟମନ୍ତ୍ରୀ ଶେଷ ମୁହୂର୍ତ୍ତରେ ଅନୁଭବ କଲେ ଯେ ଜନସାଧାରଣ ଏହା ନଦେଖନ୍ତୁ ଯେ ସେ ବିନୟତୋଷଙ୍କୁ ପଦକ ପ୍ରଦାନ କରୁଛନ୍ତି କାରଣ ବିନୟତୋଷ ଯାଜପୁର ଏସ୍.ପି ଥିବାବେଳେ ୨୦୦୬ ମସିହା ଜାନୁଆରୀ ୨ତାରିଖ ଦିନ କଳିଙ୍ଗନଗରରେ ଗୁଳିକାଣ୍ଡ ହୋଇଥିଲା ଓ ୧୪ଜଣ ଆଦିବାସୀ ପ୍ରାଣ ହରାଇଥିଲେ । ଯଦି ବିନୟତୋଷଙ୍କୁ ନବୀନ ପଟ୍ଟନାୟକ ପଦ ଦେଉଛନ୍ତି ତା’ହେଲେ ଆଦିବାସୀଙ୍କର ଭାବନାକୁ ଆଘାତ ଲାଗିବ-ଏହାହିଁ ବୋଧହୁଏ ନବୀନବାବୁ ଅନୁଭବ କରିଥିବେ । (ଦ୍ରଷ୍ଟବ୍ୟ-The Statesman, 17August 2009) ଏହା ସତ୍ୟ ଯେ କଳିଙ୍ଗନଗର ବିସ୍ଥାପନବିରୋଧୀ ଜନମଞ୍ଚ ଗୁଳିକାଣ୍ଡବେଳେ ସମ୍ପୃକ୍ତ ଅଧିକାରୀ, କଲେକ୍ଟର, ଏସ୍.ପିଙ୍କ ସମେତ ସମସ୍ତଙ୍କୁ ଦଣ୍ଡିତ କରିବାପାଇଁ ସରକାରଙ୍କର ନିକଟରେ ଦାବି ରଖିଥିଲେ ଯାହା ଆଜିପର୍ଯ୍ୟନ୍ତ କାଏମ ରହିଛି ।
ତେବେ ଏହିଭଳି ଅଭାବନୀୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ଯେ ଏକ ଉଦ୍ୟମ ହୋଇଥିଲା ତା’ର ସୂଚନା ଗଣମାଧ୍ୟମରେ ପ୍ରକାଶିତ ସମ୍ବାଦରୁ ମିଳେ । ପଦକ ପ୍ରଦାନ ଉତ୍ସବ ପୂର୍ବରୁ ଜଣେ ବରିଷ୍ଠ ପୁଲିସ ଅଫିସର ବିନୟତୋଷଙ୍କୁ ହଲ୍ ଛାଡ଼ି ଚାଲିଯିବାକୁ ଅନୁରୋଧ କରିଥିଲେ ଓ ପଦକଟି ତାଙ୍କ ନିକଟକୁ ପଠାଇ ଦିଆଯିବ ବୋଲି କହିଥିଲେ । କିନ୍ତୁ ବିନୟତୋଷ ଏଥିରେ ରାଜିହେଲେ ନାହିଁ ବରଂ ମୁଖ୍ୟ ଶାସନ ସଚିବଙ୍କର ଦୃଷ୍ଟି ଆକର୍ଷଣ କଲେ ଓ ହଲ୍ରେ ବସିରହିଲେ ।
ସରକାରଙ୍କ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ଯୁକ୍ତି ଅନୁସାରେ ଓଡ଼ିଶା ସରକାର ନୁହେଁ ବରଂ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକୁ୍ୟରିଟି ଫୋର୍ସ (CISF)ହିଁ ଏହି ପଦକ ବିନୟତୋଷଙ୍କୁ ଦବାକଥା କାରଣ ବିନୟତୋଷ ବର୍ତ୍ତମାନ CISFକୁ ଡେପୁଟେଶନରେ ଯାଇଛନ୍ତି ଓ ବୋକାରୋରେ ଅବସ୍ଥାପିତ ହୋଇଛନ୍ତି ।
କିନ୍ତୁ ଯେଉଁମାନେ ନବୀନଙ୍କର ପାଦତଳୁ ମଶିଣା ଟାଣିଦେବା ବା ପଛପଟୁ ଚେୟାର ଟାଣିଦେବାର କୈଶୋର ଚପଳତା ସହ ପରିଚିତ, ସେମାନେ ବୋଧହୁଏ ଏହିଭଳି ଘଟଣା ଦ୍ୱାରା ଆଦୌ ଆଶ୍ଚର୍ଯ୍ୟ ହେଉନଥିବେ । ଏହାକୁ ଏକ ରଣନୀତି ଭାବେ ସେ ରାଜନୀତିରେ ସଫଳ ପ୍ରୟୋଗ କରିଛନ୍ତି, ଯାହାର ଶିକାର ହୋଇଛନ୍ତି ରାଜନୀତିରେ ପୁରୁଖା ବିଜୟ ମହାପାତ୍ର, ନଳିନୀ ମହାନ୍ତି, ବ୍ରଜ ତ୍ରିପାଠୀ, ସୁରେନ୍ଦ୍ର ନାୟକ, ରାଜା ସ୍ୱାଇଁ ଆଦି । ଏହି ପୃଷ୍ଠଭୂମିରେ ବିନୟତୋଷଙ୍କର ଅଭିଜ୍ଞତା ଆଦୌ ଅପ୍ରତ୍ୟାଶିତ ନୁହେଁ । ତେବେ ୬୦ବର୍ଷ ଅତିକ୍ରାନ୍ତ କରିଥିବା ବୃଦ୍ଧ ଯଦି କୈଶୋର ଚପଳତା ବାରମ୍ବାର ପ୍ରଦର୍ଶନ କରନ୍ତି, ତା’ହେଲେ ଏକ ବିଜ୍ଞ ମନସ୍ତତ୍ତ୍ୱବିତ୍ ହିଁ ଏହାର ପ୍ରକୃତ କାରଣ ଉଦ୍ଘାଟନ କରିପାରିବେ ।

Print Friendly, PDF & Email