୧୬-୩୧ ଜୁଲାଇ, ୨୦୦୯
ଶେଷକୁ ବାଲୁକାଶିଳ୍ପୀ ସୁଦର୍ଶନ ବେଦାନ୍ତ ପ୍ରକଳ୍ପରେ ସାମିଲ ହେଲେ । ରାଜ୍ୟର ଜଳ, ଜଙ୍ଗଲ, ଜମି ତଥା ପରିବେଶକୁ ନଷ୍ଟ କରୁଥିବା ଓ ବହୁଲୋକଙ୍କୁ ବିସ୍ଥାପନ କରୁଥିବା ଅଭିଯୋଗ ଯେତେବେଳେ ବେଦାନ୍ତ ବିରୁଦ୍ଧରେ ଉଚ୍ଚସ୍ୱରରେ ଶୁଭୁଛି-ସେତେବେଳେ ସୁଦର୍ଶନ ବେଦାନ୍ତର ଜନସମ୍ପର୍କ ପରାମର୍ଶଦାତା ଭାବେ ଯୋଗ ଦେଇଛନ୍ତି । (ଦ୍ରଷ୍ଟବ୍ୟ-ସମାଜ, ୨ଜୁଲାଇ ୨୦୦୯, ପୃ-୧୦) । ଏହି ନିଯୁକ୍ତି ପାଇଁ ଆନନ୍ଦରେ ବିଭୋର ସୁଦର୍ଶନ କହିଛନ୍ତି ଯେ ‘ଏହି ପ୍ରକଳ୍ପ ଯେପରି ଓଡ଼ିଶା ତଥା ସମଗ୍ର ଭାରତରେ ଶିକ୍ଷାକୁ ଏକ ନୂତନ ଦିଗ୍ଦର୍ଶନ ଓ ପରିଚୟ ପ୍ରଦାନ କରିବ , ସେ ସେଥିପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ ।’ ବେଦାନ୍ତ ନିୟମଗିରିରେ ଆଲୁମିନିୟମ କାରଖାନା ବସାଇବାର ଉଦ୍ୟମ ଆରମ୍ଭ କଲାଦିନଠାରୁ ଉଚ୍ଚ ଶିକ୍ଷାପ୍ରାପ୍ତ, ଉଚ୍ଚ ବେତନଭୋଗୀ ଦ୍ୱିପାଦ ବିଶିଷ୍ଟ ଜୀବମାନଙ୍କୁ ଯେ ନିଜ ଆଡ଼କୁ ଆକୃଷ୍ଟ କରିବାରେ ଯଥେଷ୍ଟ ସଫଳ ହୋଇଛି-ଏହା କହିବା ବାହୁଲ୍ୟ ମାତ୍ର । ଏହି ଶ୍ରେଣୀର ଅବସରପ୍ରାପ୍ତ ଅର୍ଥବ୍ୟାକୁଳ ବ୍ୟକ୍ତିମାନଙ୍କୁ ସହଜରେ ନିଜର କରିପାରିଛି ବେଦାନ୍ତ । ତାଲିକାକଲେ ବେଶ୍ ବଡ଼ ହେବ । ଡାକ୍ତର, ଲେଖକ, ପ୍ରଶାସକ,କଳାକାର, ଅଧ୍ୟାପକ ଆଦି ଯେଉଁ ସଂଖ୍ୟାରେ ଭିଡ଼ ଜମାଇଛନ୍ତି -ତାହା ଦେଖିଲେ ଭଙ୍ଗୁର ବାଲୁକାଶିଳ୍ପୀ ସୁଦର୍ଶନ ଏହି ଭିଡ଼ରେ ଏକାକାର ହୋଇଯିବା ଆଦୌ ଆଶ୍ଚର୍ଯ୍ୟଜନକ ମନେହୁଏ ନାହିଁ । କିଛିଦିନ ତଳେ ସୁଦର୍ଶନ ଚାକିରୀ, ଜାଗା ଆଦି ନ ପାଇଥିବାରୁ ଗଣମାଧ୍ୟମରେ ଯେପରି ତାଙ୍କର କ୍ଷୋଭ ବ୍ୟକ୍ତ କରିଥିଲେ ତାହା ଦେଖି ଆମ୍ଭେ ଏହି ସ୍ତମ୍ଭରେ (ଦ୍ରଷ୍ଟବ୍ୟ- ‘ସମଦୃଷ୍ଟି’, ଜାନୁଆରୀ ୧-୧୫,୨୦୦୯) ଯେଉଁ ସନେ୍ଦହ ପ୍ରକାଶ କରିଥିଲୁ-ସେ ସନେ୍ଦହ ସତ୍ୟରେ ପରିଣତ ହୋଇଛି । ସୁଦର୍ଶନ ବେଦାନ୍ତ ଦ୍ୱାରା ପୋଷ୍ୟ ହୋଇଛନ୍ତି । ଏଥିପାଇଁ ଯେ ଏତେ ବିଳମ୍ବ ହୋଇଗଲା-ତାହାହିଁ ଆମ୍ଭକୁ ବିସ୍ମିତ କରୁଛି । ଆମେ ଆଶାବାନ ଯେ ୮୦୦୦ଏକର ସମୁଦ୍ରକୂଳିଆ ଜମି ବେଦାନ୍ତ ଦଖଲ କରିନେଲେ-ନିଶ୍ଚିତ ଏକ ବେଳାଭୂମିଟିଏ ସୃଷ୍ଟି କରିବ ଯେଉଁଠି ସୁଦର୍ଶନ ତାଙ୍କର ବାଲୁକାଶିଳ୍ପର ଉକ୍ରର୍ଷତା ପ୍ରତିପାଦିତ କରିବା ପାଇଁ ଏକ ଏକାନ୍ତ ପରିବେଶ ପାଇବେ । କିନ୍ତୁ ଏହା ପୂର୍ବରୁ ବହୁ ବିଶିଷ୍ଟବ୍ୟକ୍ତିଙ୍କର ବାଲୁକାମୂର୍ତ୍ତି (ଯେପରି ବାରାକ୍ ଓବାମା, ମାଇକେଲ ଜ୍ୟାକସନ୍)କରି ଦର୍ଶକମାନଙ୍କର ଦୃଷ୍ଟି ଆକର୍ଷଣ କରୁଥିବା ସୁଦର୍ଶନ ନିଶ୍ଚିତଭାବେ ଅନୀଲ ଅଗ୍ରୱାଲଙ୍କର ଏକ ବାଲୁକାମୂର୍ତ୍ତି ଗଢ଼ି ତାଙ୍କର କୃତଜ୍ଞତା ଜଣାଇବେ-ଏହା ମଧ୍ୟ ଆମେ ଆଶା କରିପାରିବା । -ଶୁଦ୍ରକ