ଶ୍ରୀ ହୀନ କାନ୍ତ

  • 17/09/2015

୧୬-୩୦ ଜୁନ୍, ୨୦୦୯

ଉପକୂଳ ଓଡ଼ିଶାରୁ କଂଗ୍ରେସ ଦଳର ଯେଉଁ ଲୋକସଭା ପ୍ରାର୍ଥୀଙ୍କୁ ବିଜୟଗୌରବ ପ୍ରାପ୍ତ ହୋଇଛି, ସେ ହେଉଛନ୍ତି ଶ୍ରୀକାନ୍ତ ଜେନା । କଂଗ୍ରେସ ବିରୋଧରେ ରାଜନୈତିକ ଜୀବନ ଆରମ୍ଭ କରିଥିବା ଶ୍ରୀକାନ୍ତ – କଂଗ୍ରେସର ସବୁଠାରୁ ପ୍ରଭାବଶାଳୀ ନେତା ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଜୟନ୍ତୀ ପଟ୍ଟନାୟକଙ୍କୁ ନିର୍ବାଚନରେ ପରାସ୍ତ କରି ଭାରତୀୟ ଅଣକଂଗ୍ରେସ ରାଜନୀତିରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରି ଥିଲେ ଓ କେନ୍ଦ୍ରରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଯାଏଁ ଉଠି ପାରିଥିଲେ । ସ୍ୱାଭାବିକ କଂଗ୍ରେସ ରାଜନୀତିରେ ବରିଷ୍ଠତା ଦୃଷ୍ଟିରୁ ସେ ବହୁତ ତଳେ । ତଥାପି ତାଙ୍କର ଦୀର୍ଘ ସଂସଦୀୟ ଜୀବନ ଓ ଏକଦା କ୍ୟାବିନେଟ ମନ୍ତ୍ରୀର ଅଭିଜ୍ଞତାର ପୃଷ୍ଠଭୂମିରେ ସେ ଯଦି ଏକ କ୍ୟାବିନେଟ ପାହ୍ୟା ମନ୍ତ୍ରୀପଦ ମନମୋହନ ସିଂହଙ୍କ ମନ୍ତ୍ରିମଣ୍ଡଳରେ ଆଶା କରୁଥିଲେ-ସେ କିଛି ଅସ୍ୱାଭାବିକ ଆଶା କରୁନଥିଲେ । କିନ୍ତୁ ମନମୋହନ ସିଂହ ତାଙ୍କୁ ଏକ ରାଷ୍ଟ୍ରମନ୍ତ୍ରୀ ପଦବୀ ହିଁ ଦେଲେ-ତାହା ପୁଣି ସଂସଦୀୟ ରାଜନୀତିରେ କୌଣସି ଅଭିଜ୍ଞତା ନଥିବା ଡିଏମ୍କେ ନେତା କରୁଣାନିଧିଙ୍କର ପୁଅ ଆଝଗିରିଙ୍କ ଅଧିନରେ । ସ୍ୱାଭାବିକ ଶ୍ରୀକାନ୍ତ ଏହି ପଦବୀକୁ ଗ୍ରହଣ କରିବା ପାଇଁ କୁଣ୍ଠିତ ହେଲେ-କଂଗ୍ରେସ ନେତୃତ୍ୱକୁ ନିଜର ଅସନ୍ତୋଷ ଜଣାଇଲେ-ସମୁଦାୟ ଘଟଣାକୁ ଲକ୍ଷ୍ୟ କରୁଥିବା ବ୍ୟକ୍ତିମାନଙ୍କ ଭିତରେ ବହୁ ଉକ୍ରଣ୍ଠା ସୃଷ୍ଟି କଲେ- ଯାହାର ଅବସାନ ହେଲା ୧୦ଜୁନ୍ ୨୦୦୯ଦିନ-ଯେତେବେଳେ ସେ ସେହି ପଦବୀରେ ଯୋଗ ଦେଲେ ଓ ଗଣମାଧ୍ୟମରୁ ସୂଚନାମିଳିଲା ଯେ ଶ୍ରୀକାନ୍ତ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ରକ୍ଷାକରି ଏପରି କରୁଛନ୍ତି- ତାଙ୍କର କଥା ପରେ ବିଚାର ହେବ ବୋଲି ପ୍ରତିଶ୍ରୁତି ପାଇଛନ୍ତି । ଏହି ସମ୍ବାଦରୁ କେହି କେହି ଏହି ଉପସଂହାରରେ ଉପନୀତ ହେଲେ ଯେ ଯଦି ମନମୋହନ ଶ୍ରୀକାନ୍ତଙ୍କ କଥାକୁ ବିଚାର ନକରନ୍ତି-ତା’ହେଲେ ସେ ମନ୍ତ୍ରୀପଦବୀରୁ ଓହରି ଆସିବେ । ତେବେ ଏ ସମୁଦାୟ ଘଟଣା ଯେ ଶ୍ରୀକାନ୍ତଙ୍କୁ ଶ୍ରୀହୀନ କରିଦେଇଛି-ଏଥିରେ ସନେ୍ଦହ ନାହିଁ । ଆମେ ଆଶା କରିପାରୁ ଯେ ଶ୍ରୀକାନ୍ତ ଖୁବ୍ ଶ୍ରୀଘ୍ର ଶ୍ରୀ ଫେରିପାଇବେ । ମନମୋହନ ତାଙ୍କ କଥା ବିଚାର କରିବେ ।
ଶ୍ରୀକାନ୍ତ ଉପରକୁ ଯିବେ କି ତଳେ ପଡ଼ିରହିବେ -ତା’ ଊଦ୍ଧ୍ୱର୍ରେ ଯେଉଁ ବ୍ୟାପକ ପ୍ରଶ୍ନଉଠୁଛି-ତାହା କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱର ରାଜ୍ୟ ନେତୃତ୍ୱ ପ୍ରତି ମନୋଭାବ ପ୍ରସଙ୍ଗରେ । ଗତ ନିର୍ବାଚନରେ ମାତ୍ର ଦୁଇଜଣ ସାଂସଦ ଓଡ଼ିଶାରେ କଂଗ୍ରେସ ଦଳକୁ ପ୍ରତିନିଧିତ୍ୱ କରୁଥିଲେ । ଚଳିତ ନିର୍ବାଚନରେ ଏହାର ସଂଖ୍ୟା ବୃଦ୍ଧିପାଇ ହେଲା ଛଅ । କିନ୍ତୁ ମନ୍ତ୍ରିମଣ୍ଡଳରେ ଓଡ଼ିଶାର ପ୍ରତିନିଧିତ୍ୱ ଅପରିବର୍ତ୍ତିତ ରହିଲା । ଚନ୍ଦ୍ରଶେଖର ସାହୁ ଗତଥର ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିଲେ । ଏଥର ଶ୍ରୀକାନ୍ତ ଜେନାଙ୍କୁ ଏହି ପାହ୍ୟାରେ ଯୋଗ ଦେବାପାଇଁ ବାଧ୍ୟ କରାଗଲା । କିନ୍ତୁ ବିଡ଼ମ୍ବନା ଯେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାର ଯଥାର୍ଥ ପ୍ରତିନିଧିତ୍ୱ ହୋଇନଥିବା ବିରୋଧରେ ନବୀନ ପଟ୍ଟନାୟକ ପ୍ରତିବାଦ କରିଥିବାବେଳେ-ରାଜ୍ୟ କଂଗ୍ରେସ ତରଫରୁ କୌଣସି ପ୍ରତିବାଦ ଶୁଣିବାକୁ ମିଳିଲା ନାହିଁ । ଏହା କେତେଦୂର କଂଗ୍ରେସର ଭାବମୂର୍ତ୍ତି ପାଇଁ ଶୁଭଙ୍କର, ବିଶେଷତଃ ବିଜେଡ଼ି ଭଳି ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳର ଉପସ୍ଥିତିରେ, ତାହା କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ବିଚାର କରିବା ଦରକାର ।
ଶ୍ରୀକାନ୍ତଙ୍କୁ ଅପଦସ୍ଥ କରିବାପଛରେ-ତାଙ୍କଦ୍ୱାରା ଏକଦା ପରାଜିତ ପ୍ରଭାବଶାଳୀ କଂଗ୍ରେସ ନେତା ମାନଙ୍କର ହାତ ଥାଇପାରେ । କିନ୍ତୁ ଶ୍ରୀକାନ୍ତ ଯେ ସମୂଳେ ଏହି ପଦବୀକୁ ପ୍ରତ୍ୟାଖ୍ୟାନ ନକରି ସୋନିଆ ଗାନ୍ଧୀ ଆରମ୍ଭ କରିଥିବା ପ୍ରତ୍ୟାଖ୍ୟାନଭିତ୍ତକ ‘ତ୍ୟାଗ’ର ଗୌରବରୁ ବଞ୍ଚôତ ହୋଇଛନ୍ତି, ଏହା କହିବା ବାହୁଲ୍ୟମାତ୍ର । ସ୍ମରଣ କରାଯାଇପାରେ ଯେ ୨୦୦୪ ନିର୍ବାଚନପରେ କଂଗ୍ରେସ ଦଳର ସାଂସଦମାନେ ସୋନିଆଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାପାଇଁ କିପରି ଅନୁନୟ ବିନୟ କରୁଥିଲେ ଓ ସେ ଏହାକୁ ପ୍ରତ୍ୟାଖ୍ୟାନ କରି-କିପରି ଏକ ‘ତ୍ୟାଗ’ର ପରମ୍ପରା କଂଗ୍ରେସଦଳ ଭିତରେ ସୃଷ୍ଟି କଲେ । ଶ୍ରୀକାନ୍ତ ଏହି ପରମ୍ପରାର ସୁଯୋଗ ନେଇ ପାରିଥାନ୍ତେ । ଓଡ଼ିଶାରେ କଂଗ୍ରେସ ଦଳର ସାଙ୍ଗଠନିକ ଭିତ୍ତକୁ ସୁଦୃଢ଼ କରିବାପାଇଁ ନିଜକୁ ସମର୍ପିତ କରିବେ ବୋଲି ସୋନିଆ ଓ ମନମୋହନଙ୍କୁ ପ୍ରତିଶ୍ରୁତି ଦେଇ ପାରିଥାନ୍ତେ ଓ କଂଗ୍ରେସ ଦଳରେ ପ୍ରଥମରୁ ରହି ଆସିଥିବା ହେମାନନ୍ଦ ବିଶ୍ୱାଳଙ୍କୁ କ୍ୟାବିନେଟ ପାହ୍ୟା ମନ୍ତ୍ରୀ କରିବା ପାଇଁ ପ୍ରସ୍ତାବ ଦେଇପାରିଥାନ୍ତେ । ଏହା ଶ୍ରୀକାନ୍ତଙ୍କର ସ୍ୱାଭିମାନ ପାଇଁ କେବଳ ଅନୁକୂଳ ହୋଇନଥାନ୍ତା, କଂଗ୍ରେସର‘ତ୍ୟାଗ’ପରମ୍ପରା ସହ ସଙ୍ଗତି ରକ୍ଷା କରିଥାନ୍ତା ଓ ଉଦାରତାର ଏକ ବଳିଷ୍ଠ ଉଦାହରଣ ହୋଇଥାନ୍ତା । ଯେଉଁମାନେ କହୁଛନ୍ତି-ଶ୍ରୀକାନ୍ତ ଜିତିକି ହାରିଗଲେ-ସେମାନେ ହୁଏତ ଏଭଳି କହିବାର ସୁଯୋଗ ପାଇନଥାନ୍ତେ ।

Print Friendly, PDF & Email