୧୬-୩୦ ମେ, ୨୦୦୯
ଅରିଜିତ୍ ପଶାୟତ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ପଦରୁ ଇତ୍ୟବସରରେ ଅବସର ନେଇଛନ୍ତି (ଧରିତ୍ରୀ-୧୨/୫/୨୦୦୯) । କେହି କେହି କହିବା ଆରମ୍ଭ କରିଛନ୍ତି ଯେ ଅରିଜିତ ପଶାୟତ ବହୁଦିନ ଯାଏଁ ସର୍ବୋଚ୍ଚ ନ୍ୟାୟାଳୟର ଓଡ଼ିଆ ବିଚାରପତି ଭାବେ ପରିଚିତି ବହନ କରିଚାଲିବେ । ତାଙ୍କ ପରେ ମଧ୍ୟପ୍ରଦେଶ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଅନଙ୍ଗ ପଟ୍ଟନାୟକ ସର୍ବୋଚ୍ଚ ନ୍ୟାୟାଳୟର ଓଡ଼ିଆ ବିଚାରପତି ଭାବେ ନିଯୁକ୍ତି ପାଇବାର ଯେଉଁ ସମ୍ଭାବନା ଦେଖା ଦେଇଥିଲା-ତାହା ଫଳବତୀ ହେଲା ନାହିଁ । ତାଙ୍କ ଠାରୁ ବରିଷ୍ଠତାରେ ତଳେଥିବା ବିଚାରପତି ମାନେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଉନ୍ନୀତହେଲେ ସିନା, ଅନଙ୍ଗ ପଟ୍ଟନାୟକ ଯାଇପାରିଲେ ନାହିଁ । ମାଡ଼୍ରାସ ହାଇକୋର୍ଟରେ ଅବସ୍ଥାପିତ ଆଉ ଜଣେ ଦକ୍ଷ ବିଚାରପତି ପ୍ରଫୁଲ୍ଲଚନ୍ଦ୍ର ମିଶ୍ର ସର୍ବୋଚ୍ଚ ନ୍ୟାୟାଳୟକୁ ଯିବା ପୂର୍ବରୁ ଅବସର ସମୟ ତାଙ୍କର ଆସିଯିବ ବୋଲି ଜାଣିବାଶୁଣିବା ଲୋକ କହୁଛନ୍ତି । ଆଉ ଯେଉଁ ଓଡ଼ିଆ ବିଚାରପତିମାନେ ଉଚ୍ଚନ୍ୟାୟାଳୟ ମାନଙ୍କରେ କାର୍ଯ୍ୟରତ ଅଛନ୍ତି-ତାଙ୍କର ସ୍ଥାନ ସର୍ବଭାରତୀୟ ବିଚାରପତି ବରିଷ୍ଠତାରେ ବେଶ୍ ତଳେଥିବାରୁ କେବେ ତାଙ୍କର ପାଳିପଡ଼ିବ ବା ପାଳିପଡ଼ିଲେ ସେମାନଙ୍କର ଭାଗ୍ୟ ଅନଙ୍ଗ ପଟ୍ଟନାୟକଙ୍କ ଭଳି ନହେବ-ତାହା କିଏ କହିବ? ଏହି ସବୁପ୍ରକାର ଅବସ୍ଥାକୁ ଦୃଷ୍ଟିରେ ରଖି ଅରିଜିତ ପଶାୟତ ଶେଷ ଓଡ଼ିଆ ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତି ବୋଲି ଚରମ ମନ୍ତବ୍ୟ କେହି କେହି ଦେଉଛନ୍ତି । ଅରିଜିତ ପଶାୟତଙ୍କର ଦୀର୍ଘ ତିନିଦଶନ୍ଧିରୁ ଊଦ୍ଧ୍ୱର୍ ବିଚାରପତି କାଳରେ ତାଙ୍କର ପ୍ରଦତ୍ତ ରାୟ ଗୁଡ଼ିକର ଏକ ସଂକଳନ କରିବାରେ ତାଙ୍କର ଅବସର ସମୟ ଅତିବାହିତ କରିବେ ବୋଲି ଆମେ ଆଶା କରିପାରିବା । ଏହିଭଳି ସଂକଳନ ହେଲେ, ରାୟଗୁଡ଼ିକ ସାମ୍ପ୍ରତିକ ସାମାଜିକ-ଅର୍ଥନୈତିକ ଓ ସାଂସ୍କୃତିକ ପୃଷ୍ଠଭୂମିରେ ଅନୁଶୀଳନ କରିବା ପାଇଁ ଗବେଷକମାନେ ଯଥେଷ୍ଟ ଖୋରାକ ପାଇବେ ।
ଓଡ଼ିଶା ପୁଲିସ ବିଭାଗର ବରିଷ୍ଠ ଅଫିସର ବିଦ୍ୟାଭୂଷଣ ମହାନ୍ତିଙ୍କ ଉପରୁ ନିଲମ୍ବନ ଆଦେଶ ଓଡ଼ିଶା ସରକାର ୧୨/୫/୨୦୦୯ ଦିନ ପ୍ରତ୍ୟାହାର କରି ନେଇଛନ୍ତି । (ଦ୍ରଷ୍ଟବ୍ୟ – ଧରିତ୍ରୀ, ୧୩/୫/୨୦୦୯) ୧୩/୫/୨୦୦୯ଦିନରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଜର୍ମାନ ଯୁବତୀ ବଳାକ୍ରାର ମାମଲାରେ ଅଭିଯୁକ୍ତ ପୁତ୍ର ବୀତିହୋତ୍ର ଫେରାର ହୋଇଯିବା ପରେ ସେ ଆଇନର ରୋଷର ଶିକାର ହେଲେ । ପୁତ୍ର ଫେରାର ହୋଇଯିବାରେ ବିଦ୍ୟାଭୂଷଣଙ୍କୁ ଦାୟୀ କରି ରାଜସ୍ଥାନ ଜେଲ୍ରେ ରଖିବା ପରେ – ଓଡ଼ିଶା ସରକାର ତାଙ୍କୁ ନିଲମ୍ବିତ କଲେ । ଏହି ଘଟଣା ଏକଦା ଗଣମାଧ୍ୟମର ବହୁଚର୍ଚ୍ଚିତ ଘଟଣାଭାବେ ଦୃଶ୍ୟମାନ ହୋଇଥିଲା । ଦୀର୍ଘ ୧ବର୍ଷ ୯ମାସ ନିଲମ୍ବିତ ହୋଇ ରହିବା ପରେ ସେ ଏବେ ଅବସ୍ଥାପିତ ହେଲେ । ଓଡ଼ିଶାରେ ଜେଲ ସୁଧାର କାର୍ଯ୍ୟକ୍ରମରେ ବିଦ୍ୟାଭୂଷଣଙ୍କର ଅବଦାନକୁ ଯେଉଁମାନେ ସ୍ମରଣକରନ୍ତି-ସେମାନେ ନିଶ୍ଚୟ ବିଦ୍ୟାଭୂଷଣ ଜେଲ୍ରେ ରହିବାକୁ ଏକ ବିଡ଼ମ୍ବନା ବୋଲି ମନେ କରନ୍ତି ।