ସ୍ଲମଡଗ୍ ମିଲିୟନାୟାର୍-ଜୟ ହୋ!

  • 17/09/2015

ଏହା ଏକ ଚଳଚ୍ଚିତ୍ରର ନାଁ । ୨୦୦୮ବର୍ଷ ପାଇଁ ୮ଟି ଓସ୍କାର ପୁରସ୍କାର ପାଇ ଏକ ଚହଳ ସୃଷ୍ଟି କରିଛି । ଏହି ସଫଳତାକୁ ଭାରତୀୟମାନେ ସବୁଠାରୁ ଅଧିକ ଉପଭୋଗ କରୁଥିବାର ଗଣମାଧ୍ୟମରୁ ସୂଚନା ମିଳୁଛି । ପ୍ରାୟ ଦେଢ଼କୋଟି ଡଲାର (ବା ୭୫କୋଟି ଟଙ୍କା) ବ୍ୟୟରେ ଏହି ଚଳଚ୍ଚିତ୍ରଟି ବିଦେଶୀ ନିଦେ୍ର୍ଧଶକ ଡାନି ବୟେଲ ଓ ବିଦେଶୀ ପ୍ରଯୋଜକ ୱାର୍ନର ବ୍ରଦର୍ସଙ୍କ ଦ୍ୱାରା ନିର୍ମିତ ହୋଇଥିଲେ ହେଁ, ଏଥିରେ ଅଭିନୟ କରୁଥିବା କଳାକାରମାନେ ଜଣାଶୁଣା ଅନୀଲ କପୁରଙ୍କଠାରୁ ଆରମ୍ଭ କରି ବମ୍ବେ ସହରର ବସ୍ତି (ବାନ୍ଦ୍ରା ନିକଟସ୍ଥ ବେହରମପଦା)ର ଅଜ୍ଞାତ ଆଝାର ଓ ରୁବିନା ପର୍ଯ୍ୟନ୍ତ ସମସ୍ତେ ଭାରତୀୟ ହୋଇଥିବାରୁ, ସଙ୍ଗୀତକାର ଏ.ଆର୍.ରହମାନ, ଗୀତିକାର ଗୁଲ୍ଜାର ଭାରତୀୟ ହୋଇଥିବାରୁ, ଏହାର ଚିତ୍ରକଥା ବିକାଶସ୍ୱରୂପ ନାମକ ଜଣେ ଭାରତୀୟଙ୍କ ଦ୍ୱାରା ରଚିତ ଉପନ୍ୟାସ (Q & A)ଉପରେ ଆଧାରିତ ହୋଇଥିବାରୁ ଓ ସର୍ବୋପରି ଚଳଚ୍ଚିତ୍ର ନିର୍ମାଣର ସବୁ ବିଭାଗରେ ଭାରତୀୟମାନଙ୍କର ସମ୍ପୃକ୍ତି ଥିବାରୁ – ଏହି ଚଳଚ୍ଚିତ୍ର ଓସ୍କାର ପୁରସ୍କାର ପାଇବା ସ୍ୱାଭାବିକ ଓସ୍କାର ପୁରସ୍କାରର ଗୁରୁତ୍ୱ ବୁଝିଥିବା ଭାରତୀୟମାନଙ୍କ ମଧ୍ୟରେ ଚଳଚ୍ଚିତ୍ରଟି ପ୍ରତି ଏକ ମମତ୍ୱବୋଧ ସୃଷ୍ଟି କରିଛି ଓ ସେମାନେ ଉଲ୍ଲସିତ ହୋଇଛନ୍ତି । ବିଶେଷତଃ ଏକ ସମୟରେ ତିନିଜଣ ଭାରତୀୟ ସଙ୍ଗୀତକାର ରହମାନ, ଗୀତିକାର ଗୁଲଜାର ଓ ଧ୍ୱନିଯନ୍ତ୍ରୀ ରେସୁଲ ପୁକୁଟି ଏହି ପୁରସ୍କାର ଦ୍ୱାରା ସମ୍ମାନିତ ହେବା ବିଶ୍ୱ ସିନେମା ଇତିହାସରେ ଏକ ବିରଳ ଉପଲବ୍ଧô ବୋଲି ଭାରତୀୟମାନେ ମନେ କରୁଛନ୍ତି । ଏହା ପୂର୍ବରୁ ଯେଉଁ ଦୁଇଜଣ ଭାରତୀୟ ଏହି ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଥିଲେ – ସେମାନେ ହେଲେ ଭାନୁ ଆଥିଆ ‘ଗାନ୍ଧୀ’ ଚଳଚ୍ଚିତ୍ରରେ ବେଶଭୂଷା ଡିଜାଇନର ଭାବେ ଓ ସତ୍ୟଜିତ୍ ରାୟ ଜୀବନବ୍ୟାପୀ ସଫଳତା ପାଇଁ । ଏ ଦୁହେଁ ଯଥାକ୍ରମେ ୧୯୮୩ ଓ ୧୯୯୨ରେ ଏହିପରି ସମ୍ମାନ ପାଇଥିଲେ ।
ବସ୍ତିର ଗୋଟିଏ ଅଶିକ୍ଷିତ ପିଲା (ଜମାଲ ମାଲିକ ଅଭିନୟରେ ଦେବ ପଟେଲ) ଟି.ଭି. ଚ୍ୟାନେଲର ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରଶ୍ନଗୁଡ଼ିକର ସଠିକ ଉତ୍ତର ଦେଇ କୋଟିପତି ହୋଇଯିବାର ଏକ କଳ୍ପିତ ଘଟଣାକୁ ଆଧାର କରି ପ୍ରସ୍ତୁତ ଏହି ଚଳଚ୍ଚିତ୍ର ପ୍ରତିଟି ପ୍ରଶ୍ନର ଉତ୍ତର ପଛରେ ଥିବା କାହାଣୀଗୁଡ଼ିକୁ ଯେପରି ପରିବେଷଣ କରିଛନ୍ତି, ତାହା ବାସ୍ତବିକ ଖୁବ୍ ମାର୍ମିକ ହୋଇଛି । ଉଚ୍ଚକୋଟିର ଚିତ୍ରକଥା,ସମ୍ପାଦନା ଓ ନିଦେ୍ର୍ଧଶନାର ଏହା ଯେ ପରିଣତି – ସ୍ୱୀକାର କରିବାକୁ ହେବ । ତେଣୁ ଚିତ୍ରକଥା ପାଇଁ ସାଇମନ ବୁ୍ୟଫଏ, ସମ୍ପାଦନା ପାଇଁ କ୍ରିସ ଡିକେନ୍ସ ଓ ନିଦେ୍ର୍ଧଶନା ପାଇଁ ଡାନି ବଏଲ ଓସ୍କାର ପୁରସ୍କାର ପାଇବା ଯଥାର୍ଥ ବୋଲି ମନେହୁଏ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ହେଉଛି ଯେ ଓସ୍କାର ପୁରସ୍କାର ଦ୍ୱାରା ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସ୍ୱୀକୃତି ପାଇବା ପୂର୍ବରୁ ବିତରକ ପାଉ ନଥିବା ଏହି ଚଳଚ୍ଚିତ୍ର – ହଠାତ୍ ଭାରତୀୟ କର୍ପୋରେଟ ଜଗତର ନୟନ ପିତୁଳା ହୋଇଯାଇଛି । ଅନେକେ ଏତେଗୁଡ଼ିଏ ପୁରସ୍କାର ପାଇବା ପଛରେ ଏକ ସଫଳ ବ୍ୟବସାୟିକ ରଣନୀତି ରହିବାର ସନେ୍ଦହ କରୁଥିବା ବେଳେ ଏହି ଚଳଚ୍ଚିତ୍ରକୁ ସାମ୍ପ୍ରତିକ ବିଶ୍ୱ ଅର୍ଥନୀତିର ସଙ୍କଟକାଳରେ ଆଶାର ପ୍ରତୀକ ବୋଲି କର୍ପୋରେଟ ଜଗତ ବିଚାର କରୁଛି । ((‘Hope in the times of Slowdown’. The Economic Times, 24/2/2009) । ବହୁ ପ୍ରଚାରିତ ଆଇ.ଟି. କମ୍ପାନୀ ଇନ୍ଫୋସିସର ମୁଖ୍ୟ କାର୍ଯ୍ୟନିର୍ବାହୀ ନନ୍ଦନ ନିଲେକାନୀ ତ ଏହି ଚଳଚ୍ଚିତ୍ରରେ ସାଧାରଣ ଲୋକ (ଜମାଲ ମାଲିକ)ର ସ୍ୱପ୍ନ ସାକାର ହେଉଥିବା ଦୃଶ୍ୟ ଦ୍ୱାରା ଅଭିଭୂତ । ସାଧାରଣ ମଣିଷ, ଜମାଲଠାରେ ସେ ଦେଖୁନାହାନ୍ତି କ୍ରୋଧ-ଯେପରି ୧୯୭୦ ମସିହାରେ ସାଧାରଣ ମଣିଷ ଭିତରେ ଦେଖାଯାଉଥିଲା । ସେ ଆଶ୍ୱସ୍ତ ଯେ ଜମାଲ ତା’ର ଜନ୍ମକୁ ନେଇ ଗର୍ବିତ ଯଦିଓ ତା’ଚାରିପାଖର ଲୋକ ତାକୁ ‘ସ୍ଲମ୍ଡଗ୍’ ବୋଲି ସମ୍ବୋଧନ କରୁଛନ୍ତି । (The movie is at heart about aspiration and about dreams coming true. This ‘Common Man’ Jamal in not angry, like the Indian man of the 1970s – He is both hopeful and relentless, defiant and proud of the origins ever as the people around him call him a Slumdog)
କହିବା ବାହୁଲ୍ୟ ଯେ ସାଧାରଣ ଲୋକ ଭିତରେ ତା’ର ଦୁଃସ୍ଥିତି ପାଇଁ ବ୍ୟବସ୍ଥା ଉପରେ କ୍ରୋଧ ନଉପୁଜିବାର ସମ୍ଭାବନା ସେ ଜମାଲ ମାଲିକ ଭିତରେ ଦେଖୁଛନ୍ତି ଓ ଆଶ୍ୱସ୍ତ ହେଉଛନ୍ତି । ପ୍ରକୃତରେ କର୍ପୋରେଟ ବିଶ୍ୱ ପାଇଁ ଏହାଠାରୁ ବଳି ଆଶ୍ୱସ୍ତି କ’ଣ ବା ହୋଇପାରେ? ‘ସ୍ଲମ୍ଡଗ୍’ ଜମାଲ ମାଲିକ କୋଟିପତି ହୋଇଯିବା, ସାଧାରଣ ମଣିଷଟିଏ କୋଟିପତି ହେବାର ସ୍ୱପ୍ନ କିପରି ସାକାର ହୁଏ – ତା’ର ଏକ ଉଦାହରଣଭାବେ ପ୍ରଦର୍ଶିତ ହୋଇଥିଲେ ହେଁ-ଏହି ପରିବେଶରୁ ଆସିଥିବା ମଣିଷର ସଫଳତାକୁ ଯେ ବ୍ୟବସ୍ଥା ବିନା ସନେ୍ଦହରେ ଗ୍ରହଣ କରିପାରେ ନା – ତା’ର ମଧ୍ୟ ନିଚ୍ଛକ ଚିତ୍ର ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଛି । ତା’ନହେଲେ ଜମାଲ ମାଲିକ କୋଟିପତି ହେଲା ବୋଲି ଘୋଷଣା ହେବା ମାତ୍ରେ, ତାକୁ ପୁଲିସ ଧରି ନେଇଯାଉଥିବାର ଦୃଶ୍ୟ ଆମେ ଦେଖନ୍ତେ ନାହିଁ ଓ ଦେଖନ୍ତେ ନାହିଁ ପୁଲିସ୍ର ତା’ ପ୍ରତି ଦୁର୍ବ୍ୟବହାର । ପୁଲିସ ଜାଣିବାକୁ ଚାହିଁଛି ଯେ ଅଶିକ୍ଷିତ ଟୋକା ଜମାଲ ପ୍ରଶ୍ନଗୁଡ଼ିକର ସଠିକ୍ ଉତ୍ତର ଜାଣିଲା କିପରି?
ଏଥିରେ ପ୍ରଦର୍ଶିତ ହୋଇଛି ବସ୍ତି ବାସିନ୍ଦା ଭିତରେ ଥିବା ସ୍ୱପ୍ନ ଓ ସେ ସଶରୀରେ ଦେଖିବା ପାଇଁ ଜମାଲ ଭିତରେ ଥିବା ସ୍ୱପ୍ନ ସାକାର ହୋଇଛି – କିନ୍ତୁ ଏଥିପାଇଁ ସେ ଯାଇଛି ବିଷ୍ଠାଗଦା ଭିତର ଦେଇ । ବିଷ୍ଠାରେ ପଡ଼ିଥିବା କୌଣସି ଦ୍ରବ୍ୟକୁ ଉଠାଇବା ଘୃଣ୍ୟ ବୋଲି ବିଚାର ହେଉଥିବା ସଂସ୍କୃତିରେ ଏ ଦୃଶ୍ୟ, ମନୁଷ୍ୟ ସ୍ୱପ୍ନ ଆଗରେ ତା’ର ଆତ୍ମସମ୍ମାନ ଯେ ନିରର୍ଥକ ତାହାହିଁ ସାବ୍ୟସ୍ତ କରୁଛି ।
ଜମାଲର କୌଣସି ଔପଚାରିକ ଶିକ୍ଷା ନାହିଁ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ସେ ତା’ର ବିଭିନ୍ନ ଅଭିଜ୍ଞତାରୁ ହିଁ ଶିଖିଛି-ଯାହା କେଉଁଠି ଘୃଣ୍ୟ, କେଉଁଠି ଦୁଃଖଦ, କେଉଁଠି ହିଂସ୍ର । ବଡ଼ଲୋକଙ୍କ ପିଲାଙ୍କ ଭଳି ତା’ର ଉତ୍ତର ପୁସ୍ତକଜ୍ଞାନରୁ ଆସି ନାହିଁ । ଏହା ବୋଧହୁଏ ଏହି ଚଳଚ୍ଚିତ୍ରର ସବୁଠାରୁ ବଡ଼ ସମ୍ବାଦ । ତଥାକଥିତ ଆଧୁନିକ ଶିକ୍ଷା ପାଇନଥିବା ବ୍ୟକ୍ତି ପାଖରେ ବହୁ ଜଟିଳ ପ୍ରଶ୍ନର ଉତ୍ତର ଯେ ଥାଇପାରେ – ଯାହା ସେ ଅଭିଜ୍ଞତାରୁ ହାସଲ କରିଥାଇପାରେ-ଏହାହିଁ ଜାଣତରେ ହେଉ ବା ଅଜାଣତରେ ହେଉ, ଚଳଚ୍ଚିତ୍ରର ଏକ ଉଲ୍ଲେଖନୀୟ ବାର୍ତ୍ତା ବୋଲି କୁହାଯାଇପାରେ । ତେଣୁ ଏହି ବାର୍ତ୍ତାକୁ ଯଦି ଚଳଚ୍ଚିତ୍ରର ପ୍ରଶଂସା ବିଭୋର କର୍ପୋରେଟ ଜଗତ ପ୍ରକୃତରେ ଗ୍ରହଣ କରନ୍ତି ତା’ହେଲେ ସେମାନେ ଆମର ସାଧାରଣ ଲୋକଙ୍କୁ ଜୀବନ ଜୀବିକାରୁ ଉଚ୍ଛେଦ କରିବାର ଉଦ୍ୟମରୁ ବିରତ ହେବେ । ଏହି ଚଳଚ୍ଚିତ୍ରକୁ ଯଦି କେହି ଏକ ଆବେଗମୟ ପ୍ରେମକାହାଣୀ ଆଧାରିତ ଚଳଚ୍ଚିତ୍ର ବୋଲି କୁହେ, ତା’ହେଲେ ଏହା ବୋଧହୁଏ ଏକ ଅବାସ୍ତବ ଉକ୍ତି ହେବନାହିଁ । ଜମାଲ ଓ ଲତିକା ମଧ୍ୟରେ କୈଶୋର ଆକର୍ଷଣ ଯେ ବହୁ ଘାତ ପ୍ରତିଘାତ, ସାମୟିକ ବିଚ୍ଛେଦ ପରେ ଯେ ନିର୍ବାପିତ ହୋଇନାହିଁ – ତାହାର ଅତ୍ୟନ୍ତ ସମ୍ବେଦନଶୀଳ ପ୍ରଦର୍ଶନ ହୋଇଛି ଏହି ଚଳଚ୍ଚିତ୍ରରେ ।
ସଂଘର୍ଷରେ ହାରିଯାଉଥିବା ମଣିଷ, ସାମାଜିକ ଅନ୍ୟାୟର ଶିକାର ମଣିଷ, ହାରିବା ହିଁ ଯାହାର ନିୟତି ତାକୁ ଇଂରାଜୀରେ ଅଣ୍ଡରଡଗ (underdog) ବୋଲି କୁହାଯାଏ । ସ୍ଲମ (Slum) ବା ସହରତଳିରେ ରହୁଥିବା ମଣିଷ ହିଁ ହେଉଛି ଅଣ୍ଡର୍ ଡଗ୍ । ବହୁ ସ୍ୱପ୍ନ ଦେଖି, ଉଚ୍ଚଆଶା ନେଇ ତା’ର ନିଜ ଜନ୍ମସ୍ଥାନରୁ ସହରକୁ ଆସି ଯେତେବେଳେ ଏକ ନିମ୍ନମାନର ଜୀବନଧାରଣ ସହ ସାଲିସ କରି ବାଧ୍ୟହୁଏ ରହିବାକୁ ସ୍ଲମ୍ରେ – ସେତେବେଳେ ସେ ହୋଇଯାଏ ସ୍ଲମ୍ଡଗ୍ । ତେଣୁ ସ୍ଲମଡଗର ସଫଳତାକୁ ଅଭିଧାନ ସ୍ୱୀକୃତି ଦିଏନାହିଁ । ସ୍ଲମ୍ଡଗ ମିଲିୟନାୟାର (କୋଟିପତି) ହେବା ଅଭିଧାନସମ୍ମତ ନୁହେଁ । କିନ୍ତୁ ଚଳଚ୍ଚିତ୍ରରେ ପରସ୍ପରବିରୋଧୀ ଅର୍ଥ ବହନ କରୁଥିବା ଏହି ଦୁଇଶବ୍ଦକୁ ଏକାଠି କରି ସାଧାରଣ ଲୋକ ପାଇଁ ଯେ ସ୍ୱପ୍ନର ଏକ ଚମକ୍ରାର ବିଜ୍ଞାପନଟିଏ କରାଯାଇପାରିଛି – ଏହା ଆମକୁ ସ୍ୱୀକାର କରିବାକୁ ହେବ ।

Print Friendly, PDF & Email