୧୬-୩୦ ମାର୍ଚ୍ଚ, ୨୦୦୯
‘ସମଦୃଷ୍ଟି’ର ଚତୁର୍ଥ ସ୍ୱନକ୍ଷତ୍ର ପାଳନ ଅବସରରେ (୧ମାର୍ଚ୍ଚ,୨୦୦୯)ସଭାପତିତ୍ୱ କରୁଥିବା ଶ୍ରୀ ବୀରେନ୍ଦ୍ର କୁମାର ନାୟକ ତାଙ୍କର ଅଭିଭାଷଣରେ କହିଲେ, ‘ପନ୍ଦରବର୍ଷ ତଳେ ବିକଳ୍ପ ସନ୍ଧାନୀ ମଞ୍ଚ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ଗୋଷ୍ଠୀଗୁଡ଼ିକ ଭିତରେ ସମ୍ପର୍କ ସ୍ଥାପନର ଯେଉଁ ଉଦ୍ୟମ ଆରମ୍ଭ କରିଥିଲା ତାହାକୁ ‘ସମଦୃଷ୍ଟି’ ପାକ୍ଷିକ ପତ୍ରିକା ଏକ ସଫଳ ମାଧ୍ୟମଟିଏ ଯୋଗାଇଛି । ଶ୍ରୀଯୁକ୍ତ ପ୍ରଦୁ୍ୟମ୍ନବଳ, ଦେବୀପ୍ରସାଦ ଦାଶ ଓ ବୀରେନ୍ଦ୍ର ନାୟକଙ୍କର ଆବାହକତ୍ୱରେ ଏହି ମଞ୍ଚ ଆରମ୍ଭ ହୋଇଥିଲା ୧୯୯୪ମସିହା ଏପ୍ରିଲ ପହିଲାରେ । ଇତ୍ୟବସରରେ ପ୍ରଦୁ୍ୟମ୍ନ ବଳଙ୍କର ଦେହାନ୍ତ ହୋଇଯାଇଛି (୧୯୯୯ ମସିହା ଡିସେମ୍ବର ମାସରେ) । ଏପ୍ରିଲ ପହିଲା ସଭା କିନ୍ତୁ ଏଯାବତ୍ ନିୟମିତ ଚାଲିଛି ଯଦିଓ ଏହି ସଭାମାନଙ୍କରେ ଆଲୋଚିତ ବିଷୟର ବିବରଣୀ ଓ ପ୍ରବନ୍ଧ ସଂକଳନର ବାର୍ଷିକ ପ୍ରକାଶନ ୨୦୦୩ମସିହା ପରେ ବନ୍ଦ ହୋଇଯାଇଛି । ଓଡ଼ିଆ ଓ ଓଡ଼ିଶା ସମୀକ୍ଷା ଶିରୋନାମାରେ ପ୍ରକାଶିତ ଏହି ବାର୍ଷିକ ସଂଖ୍ୟାଗୁଡ଼ିକ ଛାତ୍ର, ଗବେଷକ ଓ ବିକଳ୍ପ ସନ୍ଧାନୀମାନଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଛି । କିନ୍ତୁ ବିକଳ୍ପ ସନ୍ଧାନୀ ମଞ୍ଚର ଯାହା ଅନନ୍ୟତା, ତାହା ହେଉଛି ଏହାର ଅଣ ଆନୁଷ୍ଠାନିକତା । ସଙ୍ଗଠନର ଆନୁଷ୍ଠାନିକୀକରଣ ନହୋଇ ସଙ୍ଗଠନଟି ଯେ ଚାଲିପାରେ ଓ ଆନୁଷ୍ଠାନିକତାର ଊଦ୍ଧ୍ୱର୍ରେ ରହି ଯେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇ ପାରେ, ତାହା ହିଁ ସାବ୍ୟସ୍ତ କରିବା ପାଇଁ ଚେଷ୍ଟା କରିଆସୁଛି ବିକଳ୍ପ ସନ୍ଧାନୀ ମଞ୍ଚ । ଦେଢ଼ଦଶନ୍ଧି ଅତିବାହିତ ହୋଇଥିଲେ ହେଁ ଏହିଭଳି ପରୀକ୍ଷା କରିବାରେ ବିକଳ୍ପ ସନ୍ଧାନୀ ମଞ୍ଚ ଯେ ଏଯାବତ୍ ଏକମାତ୍ର ସଙ୍ଗଠନ ହୋଇ ରହିଛି – ତାହା ଏହି ପରୀକ୍ଷାର ପ୍ରଭାବହୀନତାକୁ ହିଁ ଦର୍ଶାଉଛି । ସଙ୍ଗଠନ ଓ ଅଣଆନୁଷ୍ଠାନିକତାର ଏକୀକରଣ ସମ୍ଭବ ନୁହେଁ ବୋଲି ଧାରଣାକୁ ବିକଳ୍ପ ସନ୍ଧାନୀ ମଞ୍ଚର ପରୀକ୍ଷା ଦୋହଲାଇ ପାରିନାହିଁ । ବୋଧହୁଏ ସେତେବେଳେ ଯାଇ ବିକଳ୍ପ ସନ୍ଧାନୀ ମଞ୍ଚର ପରୀକ୍ଷା ଗ୍ରହଣୀୟ ହେବ, ଯେତେବେଳେ ମୁଖ୍ୟଧାରାକୁ ବିରୋଧ କରୁଥିବା ବ୍ୟକ୍ତି ଓ ସଙ୍ଗଠନମାନେ ଆନୁଷ୍ଠାନିକତାକୁ ମୁଖ୍ୟଧାରାର ସଂସ୍କୃତି ଭାବେ ବିଚାର କରିବେ । ଏହି ସମୟ ଆସିନାହିଁ ନିଶ୍ଚିତ । ବୀରେନ୍ଦ୍ରବାବୁଙ୍କୁ ଏହିଭଳି ସ୍ଥିତି ଆସିବା ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିବ ।