ମନମୋହନ ସିଂହଙ୍କର ଡ୍ରାଇଭିଂ ଲାଇସେନ୍ସ

  • 17/09/2015

୧-୧୬ ଫେବୃୟାରୀ, ୨୦୦୯

ମନମୋହନ ସିଂହ ବହୁ ବିଷୟରେ ପ୍ରଥମ । ସେ ଭାରତର ପ୍ରଧାନମନ୍ତ୍ରୀ ଯିଏ ଲୋକସଭାର ସଦସ୍ୟ ନୁହନ୍ତି ବରଂ ରାଜ୍ୟସଭାର ସଦସ୍ୟ । ଦଳ ସୋନିଆ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀଭାବେ ଚାହୁଁଥିବା ବେଳେ, ସୋନିଆ ଗାନ୍ଧୀ ମନମୋହନ ସିଂହଙ୍କୁ ଚାହିଁବାରୁ, ସେ ହେଲେ ପ୍ରଧାନମନ୍ତ୍ରୀ ଅର୍ଥାତ ପ୍ରଥମ ମନୋନୀତ ପ୍ରଧାନମନ୍ତ୍ରୀ । ସେ ବର୍ତ୍ତମାନ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ନିଜର ଡ୍ରାଇଭିଂ ଲାଇସେନ୍ସର ନବୀକରଣ ପାଇଁ ଆର୍.ଟି.ଓ. ଅଫିସକୁ ନିଜେ ଯାଇଛନ୍ତି । ଏହା ଭିନ୍ନକଥା ଯେ ସେଦିନ (୧୮ଜାନୁଆରୀ ୨୦୦୯) ରବିବାର ଥିଲା – ଛୁଟିଦିନ ସତ୍ତ୍ୱେ ଅଧିକାରୀମାନେ ଅଫିସ ଖୋଲାରଖିବା ପାଇଁ ବାଧ୍ୟ ହୋଇଥିଲେ ଓ ଏହା କେତେକ ମହଲରେ ସମାଲୋଚିତ ହୋଇଥିଲା (ଦ୍ରଷ୍ଟବ୍ୟ ସମ୍ପାଦକୀୟ ‘‘Gesture of Gimmick?’ – the Statesman 20January,2009) । ସବୁବେଳେ ସୁରକ୍ଷା ବଳୟ ଭିତରେ ରହୁଥିବା ରାଜନେତା ମାନେ ବେଳେବେଳେ ନିଜକୁ ସାଧାରଣ ମଣିଷ ବୋଲି ପ୍ରଦର୍ଶନ କରିବାର ବିଳାସ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି । ତୈଳସଙ୍କଟ ବେଳେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ତାଙ୍କ ବାସଭବନରୁ ଅଫିସକୁ ଘୋଡ଼ାଗାଡ଼ିରେ ଯିବା ଲୋକେ ପାଶୋରି ନାହାନ୍ତି । ମୁଖ୍ୟମନ୍ତ୍ରୀ ବିଜୁବାବୁ ତାଙ୍କ ବାସଭବନରୁ ସଚିବାଳୟକୁ ସାଇକେଲ ଚଢ଼ି ଆସିବାର ଉଦ୍ୟମକୁ ମଧ୍ୟ ଲୋକେ ପାଶୋରି ନାହାନ୍ତି । ଦିନୁଟିଏ ପାଇଁ ସାଧାରଣ ମଣିଷ ହେବାର ଏହିଭଳି ଉଦ୍ୟମ ଦ୍ୱାରା ସେମାନେ କେତେଦୂର ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛନ୍ତି, ତାହା ତ’କହିବା କଷ୍ଟକର – କିନ୍ତୁ ଏକ କଉତୁକିଆ, ଚର୍ଚ୍ଚିତ ଦୃଶ୍ୟଟିଏ ଯେ ଆମସମ୍ମୁଖରେ ପ୍ରଦର୍ଶନ କରୁଛନ୍ତି, ଏଥିରେ ସନେ୍ଦହ ନାହିଁ ।
ମନମୋହନ ସିଂହ ହଠାତ୍ ନିଜର ଡ୍ରାଇଭିଂ ଲାଇସେନ୍ସର ନବୀକରଣ ପାଇଁ ସଚେତନ ହୋଇପଡ଼ିବା, ତାଙ୍କର ପ୍ରଧାନମନ୍ତ୍ରୀତ୍ୱର ନବୀକରଣ ନହେବାର ସମ୍ଭାବନାକୁ ଇଙ୍ଗିତ କରୁନାହିଁ ତ? ସୋନିଆ ପୁତ୍ର ରାହୁଳଙ୍କୁ କଂଗ୍ରେସ ଦଳ ତରଫରୁ ଭାବି ପ୍ରଧାନମନ୍ତ୍ରୀ ଭାବେ ଯେଉଁଭଳି ଅହର୍ନିଶ ପରିବେଷଣ କରାଚାଲିଛି – ତାହାର ପୃଷ୍ଠଭୂମିରେ ଉପରୋକ୍ତ ଆଶଙ୍କା ଯେ ଭିତ୍ତହୀନ ନୁହେଁ – ତାହା ଅନେକ ନିଶ୍ଚିତ କହିବେ । କିନ୍ତୁ ଯାହା ଅନେକଙ୍କୁ ବିବ୍ରତ କରିବ ତାହା ହେଉଛି ମେଡ଼ିକାଲ ଫିଟନେସ ସାର୍ଟିଫିକେଟ ଦେଇ ନିଜର ଡ୍ରାଇଭିଂ ଲାଇସେନ୍ସକୁ ନବୀକରଣ କରିଥିବା ମନମୋହନ- ମାତ୍ର ଦୁଇଦିନ ପରେ ଏମ୍ସରେ ଦାଖଲ ହୁଅନ୍ତି ଛାତିରେ ଯନ୍ତ୍ରଣା ଅନୁଭବ କରି ଓ ପରିଣାମସ୍ୱରୂପ ଅତ୍ୟନ୍ତ ଜଟିଳ ଏଗାରଘଣ୍ଟାବ୍ୟାପୀ ଅସ୍ତ୍ରୋପଚାର ହୁଏ ତାଙ୍କ ହୃତ୍ପିଣ୍ଡରେ । ଯଦି ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଉଥିବା ମେଡ଼ିକାଲ ଫିଟ୍ନେସ ସାର୍ଟିଫିକେଟ ମାତ୍ର ଦୁଇଦିନ ପରେ ସନେ୍ଦହ ଘେରକୁ ଆସିପାରେ – ତା’ହେଲେ ସାଧାରଣ ଲୋକଙ୍କୁ ଯେଉଁ ଫିଟନେସ ସାର୍ଟିଫିକେଟ ଦିଆଯାଉଛି, ତା’ର ଓଜନ ବା କେତେ? ସେଇଥିପାଇଁ ବୋଧହୁଏ ସଫଳ ଅସ୍ତ୍ରୋପଚାର ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କୁ ଯେଉଁଭଳି ଯନôର ସହକାରେ ଡାକ୍ତରମାନେ ଚିକିତ୍ସା କଲେ ସେହିଭଳି ସାଧାରଣ ଲୋକଙ୍କୁ କରିବେ ବୋଲି ତାଙ୍କର ଆଶା । ଅନେକେ ଅବଶ୍ୟ ଏହିଭଳି ମେଡ଼ିକାଲ ଫିଟନେସ୍ ସାର୍ଟିଫିକେଟକୁ ବ୍ୟଙ୍ଗ କରି ସତ୍ୟମ୍କୁ ଅଡ଼ିଟରମାନେ ଦେଇଥିବା ସାର୍ଟିଫିକେଟ ସହ ତୁଳନା କରୁଛନ୍ତି । ବିଶେଷତଃ ଯେହେତୁ ଆମର ପ୍ରଧାନମନ୍ତ୍ରୀ ଜଣେ ଅର୍ଥଶାସ୍ତ୍ରୀ ଓ ଘରୋଇକରଣ, ଉଦାରୀକରଣ ତଥା ଜଗତୀକରଣର ସର୍ବଶ୍ରେଷ୍ଠ ପୁରୋଧା ।
ତେବେ ମନମୋହନଙ୍କ ଉପରେ ଅସ୍ତ୍ରୋପଚାର ସଫଳ ହୋଇଛି-ଏହା ଏକ ସୁଖବର । ପୁନଶ୍ଚ ଏହି ସଫଳ ଅସ୍ତ୍ରୋପଚାର ଓଡ଼ିଆ ଡାକ୍ତର ରମାକାନ୍ତ ପଣ୍ଡାଙ୍କର ନେତୃତ୍ୱରେ ହୋଇଛି – ତାହା ପ୍ରତ୍ୟେକ ଓଡ଼ିଆ ପାଇଁ ଏକ ବିଶେଷ ସୁଖବର ।

Print Friendly, PDF & Email