ବିଜ୍ଞାପନ ଓ ସମ୍ବାଦପତ୍ରର ସ୍ୱାଧୀନତା

  • 17/09/2015

ବିଜ୍ଞାପନଦାତାଙ୍କ କବଳରେ ଗଣମାଧ୍ୟମ ଏକ ଚିନ୍ତାର ବିଷୟ ହୋଇ ଦେଖାଦେଲାଣି । ନିରପେକ୍ଷ, ସଠିକ୍ ଖବର ପାଇବାର ସମ୍ଭାବନା ସଙ୍କୁଚିତ ହେବାରେ ଲାଗିଲାଣି । ଏହା ଏକ ଅସହନୀୟ ଅବସ୍ଥାରେ ନିଶ୍ଚିତ ପହଞ୍ଚôଲାଣି ବୋଲି ମନେହୁଏ-ତା’ହେଲେ ଦି ଷ୍ଟେଟ୍ସମ୍ୟାନ (The Statesman) ଭଳି ଏକ ଜାତୀୟ ଦୈନିକର ସମ୍ପାଦକ ‘ଗଣମାଧ୍ୟମର ସ୍ୱାଧୀନତାକୁ ନେଇ ଉଦ୍ବେଗ ପ୍ରକାଶ କରିନଥାନ୍ତେ ଓ ଏକ ପ୍ରବନ୍ଧ ଲେଖିନଥାନ୍ତେ (ଦ୍ରଷ୍ଟବ୍ୟ : Whate Price a free press? The Sunday Statesman, 21st Dec 08) । ଏହି ପ୍ରବନ୍ଧର ଉପସଂହାରରେ ସେ ଯାହା ଲେଖିଛନ୍ତି ତାହା ଖବରକାଗଜରେ ପ୍ରକାଶିତ ସମ୍ବାଦଉପରେ ବିଶ୍ୱାସରଖି ଆମୁଳଚୂଳ ପଢ଼ୁଥିବା ଉତ୍ସାହୀ ପାଠକମାନଙ୍କ ପାଇଁ ଅନ୍ତର୍ଦାହୀ ହୋଇପାରେ । ସେ ଲେଖିଛନ୍ତି, ‘ଖବରକାଗଜ ପ୍ରକାଶକମାନେ ଖୁସି ହେଉଥିବେ ଯେ ଭାରତ ଏକମାତ୍ର ରାଷ୍ଟ୍ର ଯେଉଁଠାରେ ଖବରକାଗଜ ବିତରଣରେ ବୃଦ୍ଧି ରେକର୍ଡ଼ଛୁଅାଁ ହୋଇଛି । ମାତ୍ର ଗତ ପନ୍ଦରବର୍ଷରେ ଆମେ ଆମର ଆତ୍ମାକୁ ବିଜ୍ଞାପନଦାତାଙ୍କୁ ବିକି ଦେଇଛୁ ।’ (And -while our publishers may rejoice at India being the only country in the World to have recorded circulation growth in the past decade, we have in the past 15years sold our souls to the advertisers)
ଏହା ନ ହୋଇଥିଲେ ଆମେ ଖବରକାଗଜର ପ୍ରଥମପୃଷ୍ଠାରେ ସମ୍ବାଦ ନଦେଖି ବିରାଟ ବିରାଟ ବିଜ୍ଞାପନ ଦେଖନ୍ତେ ନାହିଁ । ବିଜ୍ଞାପନ ଦେଉଥିବା ସଂସ୍ଥାଗୁଡ଼ିକର ମାଲିକମାନଙ୍କର ଫଟୋ, ତାଙ୍କ ପ୍ରତିଷ୍ଠାନ ସମ୍ପର୍କରେ ବଢ଼େଇ ଚଢ଼େଇ ସମ୍ବାଦ ନିୟମିତ ପ୍ରକାଶ ପାଉଥିବାର ଦେଖନ୍ତେ ନାହିଁ । ଏହି ସଂସ୍ଥାଗୁଡ଼ିକର ଭିତର ହଳାହଳକୁ ପ୍ରକାଶ କରିବା ଯେ ସମ୍ଭବ ନୁହେଁ-ଏହା ଆମେ ସମ୍ବାଦପତ୍ରର ସାମ୍ବାଦିକମାନଙ୍କଠାରୁ ଶୁଣନ୍ତେ ନାହିଁ । ସଠିକ୍, ନିରପେକ୍ଷ ସମ୍ବାଦ ପରିବେଷଣ କ୍ଷେତ୍ରରେ ସାମ୍ବାଦିକମାନଙ୍କର ଅସହାୟତା ଦେଖନ୍ତେ ନାହିଁ । ବିଜ୍ଞାପନ ଉପରେ ସମ୍ବାଦପତ୍ରର ଅସ୍ତିତ୍ୱ ଏପରି ଭାବରେ ନିର୍ଭରଶୀଳ ହୋଇପଡ଼ିଛି ଯେ ସମ୍ବାଦପତ୍ରର ବିଜ୍ଞାପନ ବିଭାଗ ନିଷ୍ପତ୍ତ ନେଉଛି କେଉଁପ୍ରକାର ସମ୍ବାଦ ପ୍ରକାଶ ପାଇବ ବା କେଉଁ ପ୍ରକାର ସମ୍ବାଦ ପ୍ରକାଶ ପାଇବନାହିଁ । ଅନେକ ସମୟରେ ଭ୍ରମ ହେଉଛି ଯେ ଆମେ ଖବରକାଗଜ ପଢ଼ୁଛୁ ନା ପ୍ରଚାରପତ୍ର ପଢ଼ୁଛୁ । ବିଜ୍ଞାପନଦାତା ଯେତେବେଳେ ସର୍ତ୍ତ ରଖୁଛି ଯେ ସମ୍ବାଦ ବିଜ୍ଞାପନର ଅନୁପାତ କେତେ ହେବ – କେଉଁ କେଉଁ ସ୍ଥାନରେ ତାଙ୍କର ବିଜ୍ଞାପନ ବାହାରିବ, ସେମାନଙ୍କର ପ୍ରେସ ଇସ୍ତାହାରକୁ ନିଶ୍ଚିତ ପ୍ରକାଶ କରିବ, ଇତ୍ୟାଦି-ସେତେବେଳେ ଏହି ସର୍ତ୍ତକୁ ମାନିନେଉଥିବା ସମ୍ବାଦପତ୍ରଗୁଡ଼ିକ ବିଜ୍ଞାପନଦାତାଙ୍କର ପ୍ରଚାରପତ୍ରର ଭ୍ରମ ସୃଷ୍ଟି କରିବା ଅସ୍ୱାଭାବିକ ନୁହେଁ ।
ଏବେ ଯେଉଁ ବିଜ୍ଞାପନଗୁଡ଼ିକ ଖୁବ୍ ଦୃଷ୍ଟି ଆକର୍ଷଣକାରୀ ହୋଇଛି-ତାହାହେଲା ବୈଷୟିକ, ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକର ବିଜ୍ଞାପନ । ଏହି ସଂସ୍ଥାମାନଙ୍କରେ ବିଜ୍ଞାପନର ଆୟତନ ଦେଖିଲେ-ଏହା ଯେକୌଣସି ବ୍ୟବସାୟିକ ସଂସ୍ଥାର ବିଜ୍ଞାପନକୁ ମାତ୍ ଦେବ । ଶିକ୍ଷାର ବ୍ୟବସାୟୀକରଣ ଯେ କେତେ ଲାଭଜନକ, ତାହାହିଁ ଏହି ବିଜ୍ଞାପନଗୁଡ଼ିକର ଆକାର ଆୟତନରୁ ଜଣେ ଅନୁମାନ କରିପାରିବ । ଆମେ ଭାରତର ପ୍ରତିଷ୍ଠିତ ଶିକ୍ଷାପ୍ରତିଷ୍ଠାନ ଆଇ.ଆଇ.ଟି. (I.I.T), ଆଇ.ଆଇ.ଏମ୍. (I.I.M) ଆଉ ଆଇ.ଆଇ.ଏସ୍.ସି (I.I.S.C) ବା ସରକାରଙ୍କର ପୃଷ୍ଠପୋଷକତାରେ ଚାଲିଥିବା ବିଶ୍ୱବିଦ୍ୟାଳୟ ଗୁଡ଼ିକର ଏପରି ବିରାଟ ବିରାଟ ବିଜ୍ଞାପନ ଦେଖୁନା । ଅଥଚ ବହୁଳଭାବରେ ବିଜ୍ଞପିତ ଏହି ବୈଷୟିକ ଘରୋଇ ଶିକ୍ଷାପ୍ରତିଷ୍ଠାନଗୁଡ଼ିକ ସଫଳ ହେଉଛନ୍ତି ତାଙ୍କ ପରିସରକୁ ସମାଜର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ କ୍ଷମତାସୀନ ନେତୃତ୍ୱଙ୍କୁ ଆଣିବାରେ, ଯାହା ଫଳରେ ଅନ୍ତର୍ନିହିତ ଦୁର୍ବଳତାକୁ ଲୋକଲୋଚନକୁ ଆଣିବା ସମ୍ଭବ ହେଉନାହିଁ । ଏହାର ଯେ ଭବିଷ୍ୟତରେ ପରିଣତି ଅତ୍ୟନ୍ତ ଭୟଙ୍କର, ତାହା ସତ୍ୟମ୍ କମ୍ପାନୀର ମାଲିକ ବି.ରାମଲିଙ୍ଗ ରାଜୁଙ୍କର ଉଦାହରଣରୁ ଆମେ ବୁଝିବା ଉଚିତ । ସତ୍ୟମ୍ କମ୍ପାନୀର ମାଲିକ ରାମଲିଙ୍ଗ ରାଜୁ ଯେ ଜଣେ ବିରାଟ ଜାଲିଆଲୋକ ଏହା ଜଣାପଡ଼ିବା ପୂର୍ବରୁ ଯେଉଁ ବ୍ୟକ୍ତିତ୍ୱର ଅଧିକାରୀ ବୋଲି ତାଙ୍କର ପ୍ରଚାର ହେଉଥିଲା, ସେଥିରେ ଗଣମାଧ୍ୟମର ଏକ ଭୂମିକା ଥିଲା, ଏହାକୁ ସ୍ୱୀକାର କରିବାକୁ ହେବ । ଏହି ପ୍ରଚାର ଫଳରେ ତାଙ୍କୁ ଓ ତାଙ୍କ ସଂସ୍ଥାକୁ ଯେଉଁଭଳି ପୃଷ୍ଠପୋଷକତା କ୍ଷମତାସୀନ ମାନଙ୍କଠାରୁ ଓ ବଡ଼ ବଡ଼ ବୁଦ୍ଧିଜୀବୀମାନଙ୍କଠାରୁ ଉପଲବ୍ଧ ହେଲା ଓ ପୁଣି ଏହାର ଯେପରି ପ୍ରଚାର କରାଗଲା – ତାହା ନିଶ୍ଚିତ ଭାବରେ ରାମଲିଙ୍ଗ ରାଜୁଙ୍କୁ ବେପରୁଆ ଜାଲିଆତି କରିବା ପାଇଁ ମାନସିକ ଶକ୍ତି ଯୋଗାଇଥିବ । ଏହି ପ୍ରଚାରର ପ୍ରଭାବରେ କିଏ ବା କାହିଁକି ସତ୍ୟମ୍ ସଂସ୍ଥା ବା ରାମଲିଙ୍ଗ ରାଜୁଙ୍କୁ ସନେ୍ଦହ ଚକ୍ଷୁରେ ଦେଖନ୍ତା? ଏହି ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଆମରାଜ୍ୟର ବୁଦ୍ଧିଜୀବୀ ଓ କ୍ଷମତାସୀନ ବ୍ୟକ୍ତିମାନେ ସତର୍କ ହେବା ଉଚିତ; ଭବିଷ୍ୟତରେ ସେମାନଙ୍କ ପ୍ରତି କେହି ଯେପରି ଅଙ୍ଗୁଳି ନିଦେ୍ର୍ଧଶ ନକରୁ ଯେ ସେମାନେ କୌଣସି ପ୍ରବନ୍ଧକଙ୍କୁ ପୃଷ୍ଠପୋଷକତା ଯୋଗାଇଥିଲେ ବୋଲି । ଖବରକାଗଜକୁ ବିଜ୍ଞାପନ ଦେଇ ବ୍ୟକ୍ତିତ୍ୱ ତିଆରି କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ସାବଧାନ ରହିବା ଓ ଏତେ ପରିମାଣର ବିଜ୍ଞାପନ ପଛରେ ଉଦେ୍ଧଶ୍ୟକୁ ପ୍ରଶ୍ନ କରିବା ପାଇଁ ବୋଧହୁଏ ପ୍ରତ୍ୟେକ ବୁଦ୍ଧିଜୀବୀର ଏକ ନୈତିକ ଦାୟିତ୍ୱ ବୋଲି ମନେ ହେଉଛି ।

Print Friendly, PDF & Email