ଅଶୋକ ଦାସ

  • 17/09/2015

୧୬-୩୧ ଜାନୁଆରୀ, ୨୦୦୯

ଅଶୋକ ଦାସ ଓଡ଼ିଶା ରାଜନୀତିରେ ଏକ ସୁପରିଚିତ ନାମ, ବିଜୁବାବୁଙ୍କ ବ୍ୟକ୍ତିତ୍ୱର ଯଥାର୍ଥ ପ୍ରତିଫଳନ । ଏକ ପ୍ରଚଣ୍ଡ ଦାମ୍ଭିକ ବ୍ୟକ୍ତିତ୍ୱର ଅଧିକାରୀ । ୨୦୦୮ବିଦାୟ ନେଉନେଉ-ସେ ମଧ୍ୟ ଏ ପୃଥିବୀରୁ ବିଦାୟ ନେଇଯାଇଛନ୍ତି । ତାଙ୍କର ରାଜନୀତି ସହ ଏକମତ ହେଉନଥିବା ବ୍ୟକ୍ତି ମଧ୍ୟ ସ୍ୱୀକାର କରିବ ଯେ ସେ କଦାପି ସୁବିଧାବାଦୀ ରାଜନୀତି କରିନାହାନ୍ତି । ଆଜିର ରାଜନୈତିକ ବାୟୁମଣ୍ଡଳରେ ରାଜନୈତିକ ସୁବିଧାବାଦ ଯେତେବେଳେ ଏକ ଆଦର୍ଶ ହୋଇଛି, ସେତେବେଳେ ସ୍ୱାଭାବିକ ସେ ଏକାକୀ ହୋଇଯାଇଛନ୍ତି – ବହୁ ସହକର୍ମୀ, ସହଯୋଗୀ ଓ ସହଯୋଦ୍ଧା ତାଙ୍କଠାରୁ ଦୂରେଇ ଯାଇଛନ୍ତି । କିନ୍ତୁ ସେ ବିଚଳିତ ହୋଇନାହାନ୍ତି । କ୍ଷମତାରେ ରହିବାର ବ୍ୟାକୁଳତା ତାଙ୍କୁ ଆକ୍ରାନ୍ତ କରିନାହିଁ । ମନ୍ତ୍ରୀ ହୋଇନାହାନ୍ତି; ବରିଷ୍ଠତାରେ, ବହୁ ଉପରେ ଥାଇମଧ୍ୟ । କହିବା ବାହୁଲ୍ୟ ଯେ, ରାଜନୈତିକ ସୁବିଧାବାଦ ଊଦ୍ଧ୍ୱର୍ରେ ରହିଥିବା ଯେଉଁ କେତେଜଣ ସକ୍ରିୟ ରାଜନୈତିକ ବ୍ୟକ୍ତି ଏଯାବତ୍ ଓଡ଼ିଶାର ରାଜନୈତିକ ପରିବେଶରେ ଦେଖାଯାଇଛନ୍ତି, ତାଙ୍କ ଭିତରେ ଅଶୋକ ଦାସ ଏକ ଉଜ୍ଜ୍ୱଳ ଉଦାହରଣ ହୋଇରହିବେ ।
ଜୀବନବ୍ୟାପୀ ସେ ରହିଲେ କଂଗ୍ରେସ ରାଜନୀତିର ବିରୋଧରେ-ବିଜୁଙ୍କ ନେତୃତ୍ୱରେ ପରିଚାଳିତ ଜନତା ଦଳରେ । ବିଜୁଙ୍କ ମହାପ୍ରୟାଣ ପରେ ଗଠନହେଲା ବିଜୁ ଜନତାଦଳ । କିନ୍ତୁ ଅଶୋକ ଦାସ ରହିଲେ ଜନତା ଦଳରେ । ଧର୍ମନିରପେକ୍ଷତାରେ ବିଶ୍ୱାସୀ ଅଶୋକ-ଭାରତୀୟ ଜନତା ପାର୍ଟିର ସହଯୋଗୀ ହେବାକୁ ଗ୍ରହଣ କରନ୍ତେ କିପରି? ସେ ବିରୋଧୀ ହୋଇ ହିଁ ରହିଲେ । ପରବର୍ତ୍ତୀ କାଳରେ ବିଜୁ ଜନତାଦଳର ନିର୍ବାଚନୀ ସଫଳତା ତାଙ୍କୁ ମଧ୍ୟ ପ୍ରଲୋଭିତ କରିପାରି ନାହିଁ – ନିଜେ ନିର୍ବାଚନରେ ଅସଫଳ ହେଲା ପରେ ମଧ୍ୟ ।
ଏହା ପ୍ରକୃତରେ ଏକ ଅଦ୍ଭୂତ ସଂଯୋଗ ଯେ ତାଙ୍କ ପୁଅ ଯେତେବେଳେ ବିଜୁ ଜନତା ଦଳରେ ଯୋଗ ଦେଉଛି , ସେତେବେଳେ ସେ ମୃତୁ୍ୟ ଶଯ୍ୟାରେ । ଏହି ଅବସରରେ ନବୀନ ବାବୁଙ୍କର ସହାସ୍ୟ ମନ୍ତବ୍ୟ ଯେ ତାଙ୍କ ଦଳକୁ ଫେରିବାର ପଥ ଅଶୋକବାବୁଙ୍କ ପାଇଁ ସବୁବେଳେ ଉନ୍ମୁକ୍ତ -ଅପୂରଣ ରହିଗଲା । ସ୍ୱାଭିମାନୀ,ଦାମ୍ଭିକ ଅଶୋକ ବେସାଲିସ ରାଜନୀତିରେ ବିଶ୍ୱାସ କରୁଥିବା ସମସ୍ତଙ୍କୁ ଆଶ୍ୱସ୍ତ କରି,ବହୁ ରାଜନୈତିକ ବ୍ୟକ୍ତିଙ୍କୁ ନାମମାତ୍ର କରିଦେଇଥିବା ନବୀନବାବୁଙ୍କୁ ନିରାଶ କଲେ । ସତେଯେମିତି ଅଦୃଷ୍ଟ ମଧ୍ୟ ଚାହିଁଲା ଯେ ଏଭଳି ଏକ ଉଦାହରଣ ଓଡ଼ିଶାର ଜନଜୀବନ ଆଗରେ ରହିବା ଉଚିତ ।

Print Friendly, PDF & Email