ବାଲୁକାର ଟାଣ

  • 17/09/2015

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶା ଛାଡ଼ିବାକୁ ଧମକ ଦେଲେଣି । ସେ ବାଲୁକାଶିଳ୍ପୀ ଭାବେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ହୋଇଛନ୍ତି । ଏହା କେହି ଅସ୍ୱୀକାର କରିବେ ନାହିଁ । ସେ ବିଭିନ୍ନ ଆନ୍ତର୍ଜାତିକ ଖ୍ୟାତି ପାଇବା ଫଳରେ ଓଡ଼ିଶାର ପରିଚିତି ଯେ ବ୍ୟାପକ ହୋଇଛି, ଏଥିରେ ମଧ୍ୟ ସନେ୍ଦହ ନାହିଁ । ତେଣୁ ସ୍ୱାଭାବିକ ଯେ ତାଙ୍କର ଓଡ଼ିଶା ସରକାରଙ୍କଠାରୁ ପୃଷ୍ଠପୋଷକତା ପାଇବା ପାଇଁ ଆଗ୍ରହ ବୃଦ୍ଧିପାଇଛି । ଗତାନୁଗତିକତାକୁ ସମ୍ମାନ ଦେଇ ସରକାରୀ ସ୍ତରରୁ ପ୍ରତିଶ୍ରୁତି ମିଳିଛି । ଏପରିକି ମୁଖ୍ୟମନ୍ତ୍ରୀ ମଧ୍ୟ ତିନି ତିନି ବାର ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶିଳ୍ପୀ ସୁଦର୍ଶନ ଦାବି କରନ୍ତି । ଏହି ପ୍ରତିଶ୍ରୁତି କାର୍ଯ୍ୟକାରୀ ନହେବା କିନ୍ତୁ ଆଦୌ ଅପ୍ରତ୍ୟାଶିତ ମନେ ହୁଏନାହିଁ । ତେଣୁ ୧୦ବର୍ଷ ଧରି ଧାଁ ଧପଡ଼ ସତ୍ତ୍ୱେ ସେ ଖଣ୍ଡେ ଜାଗା ପାଇନାହାନ୍ତି ବାଲୁକା ଶିଳ୍ପର ପାର୍କ କରିବାପାଇଁ ବା ଚାକିରିଟିଏ ପାଇନାହାନ୍ତି । ଏତେ ଏତେ ସଂଖ୍ୟାରେ ଶିଳ୍ପପତି ଆସୁଛନ୍ତି-ବୁଝାମଣା ପତ୍ର ଦସ୍ତଖତ କରୁଛନ୍ତି; ଜଳ,ଜଙ୍ଗଲ,ଜମି ଉପରେ ମାଲିକାନା ସାବ୍ୟସ୍ତ କରୁଛନ୍ତି – ଅଥଚ କେହି ସୁଦର୍ଶନଙ୍କୁ ପୃଷ୍ଠପୋଷକତା ଯୋଗାଇ ନାହାନ୍ତି – ଚାକିରିଟିଏ ଦେଇ । ତେଣୁ ସେ ବିଭିନ୍ନ ରାଷ୍ଟ୍ରାଧ୍ୟକ୍ଷଙ୍କୁ ଲେଖିଲେଣି । ବାରାକ ହୁସେନ ଓବାମାଙ୍କୁ ମଧ୍ୟ ଲେଖିଛନ୍ତି ପତ୍ର । ତାଙ୍କ ପ୍ରତି ଅବହେଳାକୁ ସେ ମର୍ମେ ମର୍ମେ ଅନୁଭବ କଲେଣି ନିଶ୍ଚୟ ଓ ଏହା ଅସହ୍ୟ ସ୍ତରରେ ପହଞ୍ଚôଲାଣି, ଯାହାର ପରିଣାମସ୍ୱରୂପ ସେ ଏହି ମାଟି ଛାଡ଼ିବାପାଇଁ ମାନସିକ ପ୍ରସ୍ତୁତି ଆରମ୍ଭ କଲେଣି ।
ଏହିଭଳି ଆନ୍ତର୍ଜାତିକ ଖ୍ୟାତି ପାଇଥିବା ଶିଳ୍ପୀଙ୍କୁ ରାଜ୍ୟ ସରକାର ବା କେନ୍ଦ୍ର ସରକାର ପୃଷ୍ଠପୋଷକତା ଯୋଗାଇବା ଉଚିତ । କିନ୍ତୁ ଏହି ପୃଷ୍ଠପୋଷକତା ଯଦି ଜଳ, ଜଙ୍ଗଲ, ଜମିକୁ ଧ୍ୱଂସ କରୁଥିବା,ସାଧାରଣ ମଣିଷକୁ ତା’ର ଜୀବନ ଜୀବିକାରୁ ବିସ୍ଥାପିତ କରୁଥିବା କମ୍ପାନୀଠାରୁ ଆସେ, ତାହାକୁ ଶିଳ୍ପୀ ସୁଦର୍ଶନ ଗ୍ରହଣ କରିବେ କି?
ଏ ପ୍ରଶ୍ନ କେବଳ ଶିଳ୍ପୀ ସୁଦର୍ଶନଙ୍କୁ ନୁହେଁ-ଏହି ପ୍ରଶ୍ନ ସେ ସମସ୍ତ ଓଡ଼ିଶାର ଶିଳ୍ପୀ କଳାକାରମାନଙ୍କୁ ଯେଉଁମାନେ ସରକାରୀ ଅବହେଳା ଦ୍ୱାରା ପୀଡ଼ିତ ।

Print Friendly, PDF & Email