ବୁଶ୍ଙ୍କୁ ଜୋତାମାଡ଼

  • 17/09/2015

ଜର୍ଜ ଡବ୍ଲୁ୍ୟ ବୁଶ୍ ଆମେରିକାର ବିଦାୟୀ ରାଷ୍ଟ୍ରପତି । ଚଳିତମାସ ସେ ତାଙ୍କ ପଦବୀରୁ ଅବ୍ୟାହତି ନେବେ । ତାଙ୍କ ଗାଦିରେ ଓବାମା ବସିବେ । ବିଦାୟ ନେବା ପୂର୍ବରୁ ବୁଶ୍ ତାଙ୍କର ଇରାକ୍ କୀର୍ତ୍ତି ପରିଦର୍ଶନରେ ଯିବା ସ୍ୱାଭାବିକ । ତାହା ହିଁ ସେ କରିଥିଲେ । କିନ୍ତୁ ସେଠାରେ ଘଟଣା ଘଟିଲା ଅସ୍ୱାଭାବିକ । ଯେଉଁ ସାମ୍ବାଦିକ ସମ୍ମିଳନୀ ଆହୂତ ହୋଇଥିଲା – ତାଙ୍କର କୀର୍ତ୍ତି ଶୁଣାଇବା ପାଇଁ – ସେହି ସମ୍ମିଳନୀରେ ଉପସ୍ଥିତ ଆଲ୍ ବାଗଦାଦିଆ ଟି.ଭି. ଚ୍ୟାନେଲର ସାମ୍ବାଦିକ ମୁନ୍ତାଦର ଆଲ୍ ଜାଇଦି (Muntadar Al Zaidi) ଗୋଟିଏ ପରେ ଗୋଟିଏ ତାଙ୍କର ଦୁଇପଟ ଜୋତାକୁ ବୁଶ୍ଙ୍କ ଉପରକୁ ଫୋପାଡ଼ିଲେ । ଏହା ଆଜି ଏକ ବହୁଳପ୍ରଦର୍ଶିତ ଦୃଶ୍ୟ । ଖେଳ ତିଆରି କମ୍ପାନୀ ଏହାକୁ ଆଧାର କରି ଏକ ଖେଳ ଇଣ୍ଟରନେଟ୍ରେ ଛାଡ଼ିଲେଣି । ଏହି ଖେଳରେ ବୁଶ୍ଙ୍କୁ ଲକ୍ଷ୍ୟକରି ୩କୋଟିରୁ ଅଧିକ ଜୋତାମାଡ଼ ହେଲାଣି ବୋଲି ସମ୍ବାଦ ସରବରାହରୁ ଜଣାପଡ଼ିଛି । ଏହାକୁ ବୁଶ୍ଙ୍କ ଉପରେ ସାଧାରଣ ଲୋକର ପୁଞ୍ଜିଭୂତ କ୍ରୋଧ ଓ ଘୃଣାର ଏକ ଚରମ ଅଭିବ୍ୟକ୍ତି । ବିଦିତ ସଦ୍ଧାମ ହୁସେନଙ୍କର ପ୍ରତିମୂର୍ତ୍ତିକୁ ଭୂଲୁଣ୍ଠିତ କରି ତାଙ୍କ ଉପରେ ଜୋତାମାଡ଼ କରିଥିବାର ଦୃଶ୍ୟର ପୃଷ୍ଠଭୂମିରେ ବିଦାୟୀ ବୁଶ୍ଙ୍କ ଜୀବନ୍ତ ଶରୀର ଉପରେ ଜୋତା ଫୋପଡ଼ାର ଦୃଶ୍ୟ ଅନେକଙ୍କ ପାଇଁ ଅପ୍ରତ୍ୟାଶିତ ମନେହେଉଥିବ । କିନ୍ତୁ ପୃଥିବୀର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟକୁ ଯେ ଜୋତା ଫୋପଡ଼ା ଯାଇପାରେ-ତାହାର ଦୃଷ୍ଟାନ୍ତ ଭାବେ ଏହି ଘଟଣା ସବୁଦିନ ପାଇଁ ଇତିହାସରେ ରହିଯିବ । ସ୍ୱାଭାବିକ ଏହିଭଳି ଐତିହାସିକ ଘଟଣା ପଛରେ ଥିବା ମୁନ୍ତାଦର ଆଲ୍ ଜାଇଦି-ଆଜି ଆରବବିଶ୍ୱର ସାଧାରଣ ମଣିଷ ପାଇଁ ହିରୋ ହୋଇଛନ୍ତି । ଏହି ଘଟଣାର ସମ୍ମୁଖୀନ ହୋଇ ବୁଶ୍ ମହାଶୟ ହୃଦୟଙ୍ଗମ କରୁଥିବେ ସେ କେତେ ଘୃଣ୍ୟ । ଆମେରିକାବାସୀ ଲଜ୍ଜିତ ଅନୁଭବ କରୁଥିବେ ଯେ ଇରାକ ଯୁଦ୍ଧ ପରେ, ସେମାନେ ଦ୍ୱିତୀୟଥର ପାଇଁ ବୁଶ୍ ମହାଶୟଙ୍କୁ ରାଷ୍ଟ୍ରାଧ୍ୟକ୍ଷ ଭାବେ ନିର୍ବାଚିତ କରିଥିଲେ ।

Print Friendly, PDF & Email