୧-୧୬ ଡିସେମ୍ବର, ୨୦୦୮
ଅନେକ ଓଡ଼ିଆ ଆମେରିକା ଗଲେଣି ଓ ରହିଲେଣି । ଆଇଟି.ଶିଳ୍ପରେ କାମକରୁଥିବା ଲୋକେ ତ ଯିବାଆସିବା କରୁଛନ୍ତି । ବିଶ୍ୱୀକରଣର ଏହା ଏକ ବଡ଼ ସୁବିଧା । ବିଦେଶ ଯିବାପାଇଁ ବ୍ୟାକୁଳତା ଚରିତାର୍ଥ ହେବା ବେଶ୍ ସହଜ ହୋଇଯାଇଛି । ଯେଉଁମାନେ ସେଠାରେ ଘରଦୁଆର କରି ରହିଗଲେଣି ଅଥଚ ଓଡ଼ିଶା ମାଟିର ମୋହ ଛାଡ଼ିପାରୁନାହାନ୍ତି ସେମାନେ ଓଡ଼ିଶା ଆସିବାର କୌଣସି ସୁଯୋଗକୁ ହାତଛଡ଼ା କରୁନାହାନ୍ତି । କଲିକତାରେ ଚାକିରି କରୁଥିବା ଓଡ଼ିଆଙ୍କ ପାଇଁ ଗାଁକୁ ଆସିବାର ଉପାୟ ଥିଲା ଏକଦା ରଜ । ଏବେ ଆମେରିକାରୁ ଓଡ଼ିଆ ଆସନ୍ତି ଡିସେମ୍ବର ମାସରେ । ଏହି ସମୟରେ ଆମେରିକାରେ ବଡ଼ଦିନ ଛୁଟି । ସ୍ୱାଭାବିକ ଏହାର ସୁଯୋଗ ନିଅନ୍ତି ଆମେରିକାରୁ ଓଡ଼ିଶାମୁହାଁ ଓଡ଼ିଆ । ଏହି ସମୟରେ ଯଦି କୌଣସି ସେମିନାର, କନଫେରେନ୍ସରେ ଯୋଗଦାନ ସମ୍ଭବ ହୁଏ, ତା’ହେଲେ ଯିବାଆସିବା ଖର୍ଚ୍ଚ ଆଉ ହାତରୁ ବାଜେନା । ଓଡ଼ିଶାରେ ଏହି ସମୟରେ ସେମିନାର-କନଫେରେନ୍ସର ସଂଖ୍ୟା ବୃଦ୍ଧିପାଇବା ଦେଖାଯାଉଛି । ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ଏହିଭଳି ସେମିନାର କନଫେରେନ୍ସ ଆୟୋଜନ କରାଇ ବିଦେଶରୁ ବିଶେଷଜ୍ଞମାନଙ୍କୁ ଆକୃଷ୍ଟ କରିପାରୁଛନ୍ତି ବୋଲି ବାହାବା ନେଉଛନ୍ତି । ଏହିଭଳି ଆୟୋଜନ ମାଧ୍ୟମରେ ବା ଏହା ବାହାରେ ଆସୁଥିବା ଆମେରିକାରୁ ଓଡ଼ିଆଙ୍କ ଭିତରେ ଓଡ଼ିଶାକୁ ଆମେରିକା ଭଳି ଏକ ଉନ୍ନତ ଭୌଗଳିକ ଖଣ୍ଡରେ ପରିଣତ କରିଦେବାର ବ୍ୟାକୁଳତା ଦେଖାଯିବା ସ୍ୱାଭାବିକ । ଏହି ବ୍ୟାକୁଳତା କେତେକଙ୍କଠାରେ ପାଗଳାମୀର ରୂପ ନେବା ମଧ୍ୟ ବିଚିତ୍ର ନୁହେଁ । ଓଡ଼ିଶାର ଶିଳ୍ପୀକରଣ ବା ବେଦାନ୍ତ ବିଶ୍ୱବିଦ୍ୟାଳୟ ସ୍ଥାପନ ସପକ୍ଷରେ ଆମେରିକାରୁ ଓଡ଼ିଆଙ୍କର ଯୁକ୍ତି ଏହି ପାଗଳାମୀର ହିଁ ଦୃଷ୍ଟାନ୍ତ । ଯେପରି ବେଦାନ୍ତ ବିଶ୍ୱବିଦ୍ୟାଳୟ ହେଲେ ଓଡ଼ିଶାର ରୂପରେଖ ବଦଳିଯିବ । ପୁରୀ-ଭୁବନେଶ୍ୱର-କଟକ ଜ୍ଞାନର ପୀଠସ୍ଥଳୀ ହୋଇଯିବ, ପୁନା -ବାଙ୍ଗାଲୋରକୁ ଟପିଯିବ । ଅନୀଲ ଅଗ୍ରୱାଲ ଜଣେ ଦାମୀବ୍ୟକ୍ତି- ତାଙ୍କର ଦାମ ୩୦,୦୦୦କୋଟି ଟଙ୍କାରୁ (୬ବିଲିୟନ ଡଲାର) ଅଧିକ-ତେଣୁ ତାଙ୍କର ଉଦେ୍ଧଶ୍ୟ ମହତ୍ ହେବ । ବିଶ୍ୱବିଦ୍ୟାଳୟର ଏତେ ପରିମାଣରେ (୮୦୦୦ଏକର) ଜମିର ଆବଶ୍ୟକତା ଯଥାର୍ଥ କାରଣ ବିଶ୍ୱବିଦ୍ୟାଳୟ ସହ ଆଠଟି ସହରର ପ୍ରତିଷ୍ଠା ହେବ ଯାହା ବିଶ୍ୱବିଦ୍ୟାଳୟ ଚଳାଇବା ପାଇଁ ରାଜସ୍ୱ ଯୋଗାଇବ, ଇତ୍ୟାଦି ।
ଏହିଭଳି ଯୁକ୍ତି ସବୁ ଦେବାବେଳେ ବୋଧହୁଏ ଆମେରିକାରୁ ଓଡ଼ିଆ ଭାବେ ଯେ ଯେଉଁମାନଙ୍କୁ ସେ ଛାଡ଼ି ପଳାଇଛି ସେମାନେ ନିର୍ବୋଧ ଓ ସେମାନେ ତା’ର ଯୁକ୍ତିକୁ ଗ୍ରହଣ କରିନେବେ । ଅବଶ୍ୟ ଏହିଭଳି ମାନସିକତାରେ କିଛି ନୂତନତ୍ୱ ନାହିଁ । ଏକଦା କଲିକତାରେ ଥିବା ଓଡ଼ିଆମାନେ ଗାଁରେ ଛାଡ଼ି ଯାଇଥିବା ଓଡ଼ିଆଙ୍କୁ ଏହିଭଳି ଭାବୁଥିଲେ । ବୋଧହୁଏ ଏହା ବଡ଼ସହରରେ ରହୁଥିବା ବା ବଡ଼ସହରକୁ ଦେଖିଥିବା ଛୋଟସହରର ଲୋକମାନଙ୍କର ମାନସିକତା, ଯେଉଁ ଲୋକମାନେ ବାସ୍ତବ ସ୍ଥିତିକୁ ବୁଝିବାରେ ଦୁର୍ବଳ ବା ଆସ୍ଫାଳନ ପ୍ରିୟ ।
ଏହିଭଳି ମାନସିକତାରୁ-ଏହି ଓଡ଼ିଆମାନେ ମୁକ୍ତ ହେବା ଉଚିତ । କାରଣ ପ୍ରଯୁକ୍ତିବିଦ୍ୟା ବା ଟୋକ୍ନାଲୋଜି ବିଶ୍ୱକୁ ଖୁବ୍ ସଙ୍କୁଚିତ କରିଦେଇଛି । ସୂଚନା ପାଇବା ଆଉ ଅସାଧ୍ୟ ହୋଇ ରହିନାହିଁ । ଆମେରିକାରେ ଥିବା ଓଡ଼ିଆ ଓ ଓଡ଼ିଶାରେ ଥିବା ଓଡ଼ିଆ ସୂଚନା ପାଇବା ଦୃଷ୍ଟିରୁ ପ୍ରାୟ ସମାନ ସ୍ଥିତିରେ ଆଜି । ବରଂ ଓଡ଼ିଶାରେ ଥିବା ସଚେତନ ଓଡ଼ିଆ ନୂଆପଡ଼ାରୁ ନୁ୍ୟୟର୍କ ଯାଏ, ଚିକାପାରରୁ ଚିକାଗୋ ଯାଏଁ, କାଶୀପୁରରୁ କାଲିଫର୍ଣ୍ଣିଆ ଯାଏଁ ଖବର ରଖିପାରେ, ଯାହାକୁ ହୁଏତ ନୁ୍ୟୟର୍କ, ଚିକାଗୋ, କାଲିଫର୍ଣ୍ଣିଆର ଚାକଚକ୍ୟରେ ବିଭୋର ଆମେରିକାରେ ଥିବା ଓଡ଼ିଆ ଗୁରୁତ୍ୱ ନଦେଇପାରେ ।
ଓଡ଼ିଶାର ବିକାଶ ସମ୍ପର୍କରେ ଯେଉଁମାନେ ଚିନ୍ତିତ – ସେମାନେ ସେହି ବିକାଶ ଉପରେ ଗୁରୁତ୍ୱ ଦିଅନ୍ତୁ ଯେଉଁ ବିକାଶ ସ୍ଥାନୀୟ ବୈଷମ୍ୟକୁ ହ୍ରାସକରିବ । ବୈଷମ୍ୟ ବୃଦ୍ଧିପାଇଲେ ସମାଜରେ ହିଂସା ବଢ଼ିବ ଓ ହିଂସା ବଢ଼ିଲେ କୌଣସି ଉଦ୍ୟମ ଲୋକଭିତରେ ସଫଳ ହେବନାହିଁ । ଯେଉଁ ଅର୍ଥନୀତି ବା ବିକାଶ ବୈଷମ୍ୟକୁ ବୃଦ୍ଧିକରିବ – ତା’ର ଚରିତ୍ର ହିଂସ୍ର ବୋଲି ଆମକୁ ସ୍ୱୀକାର କରିବାକୁ ହେବ । ଯେତେବେଳେ ସବୁଜ ବିପ୍ଳବର ଡାକରା ଦିଆଯାଇ କୃଷିରେ ସାର, କୀଟନାଶକର ବ୍ୟବହାର ପାଇଁ ପ୍ରବଳ ପ୍ରଚାର ହେଲା-ସେତେବେଳେ ଗାଁରେ ଥିବା ପୁରୁଣା ଲୋକମାନେ ଏହିଭଳି କୃଷିର ଭବିଷ୍ୟତ ଉପରେ ପ୍ରଶ୍ନ ଉଠାଇଥିଲେ । ଏହାଦ୍ୱାରା ଜମି ନଷ୍ଟ ହୋଇଯିବ, ଊର୍ବରା ଶକ୍ତି ହରାଇବ ବୋଲି ସାବଧାନ କରିଦେଇଥିଲେ । ସେତେବେଳେ ଏହି ‘ମୁର୍ଖ’ ପୁରୁଣାଲୋକଙ୍କୁ, ଆମେ ତଥାକଥିତ ବୈଜ୍ଞାନିକ ଚାଷପ୍ରଣାଳୀର ଦ୍ୱାହି ଦେଇ ଚୁପ୍ କରାଇ ଦେଇଥିଲୁ । ତାଙ୍କର ଆଶଙ୍କାରେ କୌଣସି ବୈଜ୍ଞାନିକ ଭିତ୍ତ ନାହିଁ ବୋଲି ଯୁକ୍ତି ବାଢ଼ୁଥିଲୁ । ଆଜି ପ୍ରାୟଃ ୪ଦଶକ ପରେ ସମସ୍ତେ ବୁଝିଲେଣି ସବୁଜ ବିପ୍ଳବ କି ପ୍ରକାର ଦୁର୍ଯୋଗ ଆଣିଛି । ଏହାକୁ ସବୁଜ ବିପ୍ଳବର ହିଂସା ବୋଲି ଅନେକେ କହୁଛନ୍ତି । ଏଠାରେ ସ୍ମରଣ କରାଯାଇ ପାରେ ଯେ, ସବୁଜବିପ୍ଳବ ଆମେରିକାରୁ ଆସିଥିବା ‘ବୈଜ୍ଞାନିକ’ମାନଙ୍କର ପ୍ରରୋଚନାରେ ହିଁ ହୋଇଥିଲା-ଅବଶ୍ୟ ସରକାରୀ ପୃଷ୍ଠପୋଷକତାରେ ।
ତେଣୁ ଆମେରିକାରୁ ଓଡ଼ିଆଙ୍କର ଓଡ଼ିଶା ପ୍ରତି ବ୍ୟାକୁଳତା ରହିଥାଉ । କିନ୍ତୁ ଏହା ସାଧାରଣ ମଣିଷର ଜୀବନ-ଜୀବିକା ଉପରେ କୁଠାରାଘାତ କରୁଥିବା ବା କରିବାର ସମ୍ଭାବନାଥିବା ପ୍ରକଳ୍ପଗୁଡ଼ିକ ସପକ୍ଷରେ ବ୍ୟବହୃତ ନହେଉ । ଆମେରିକାରୁ ଏହି ଓଡ଼ିଆମାନେ କମ୍ପାନୀଙ୍କ ସପକ୍ଷରେ ବିଜ୍ଞାପନରେ ମାତିଛନ୍ତି ବୋଲି ଧାରଣା ସେମାନେ ଛାଡ଼ିଯାଇଥିବା ଓଡ଼ିଆଙ୍କ ମନରେ ସୃଷ୍ଟିନହେଉ । ସେମାନେ ଓଡ଼ିଶାର ଜମି,ଜଳ,ଜଙ୍ଗଲ ଓ ଖଣିକୁ ଆଖେଇଥିବା କମ୍ପାନୀମାନଙ୍କର ପ୍ରତିଶ୍ରୁତି ଉପରେ ବିଶ୍ୱାସ ନକରି ସାଧାରଣଲୋକର ପ୍ରତିକ୍ରିୟାକୁ ଗମ୍ଭୀରଭାବରେ ନେବାପାଇଁ ମାନସିକ ପ୍ରସ୍ତୁତି କରନ୍ତୁ । ତା’ହେଲେ ବହୁ ହାସ୍ୟାସ୍ପଦ ପ୍ରସ୍ତାବଦେବାରୁ ସେମାନେ ନିବୃତ୍ତ ହୋଇପାରିବେ ।