୧-୧୬ ଜୁଲାଇ ୨୦୦୭
ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀତ୍ୱକୁ ନେଇ ଚାଲିଥିବା ବିତର୍କରେ ରାଷ୍ଟ୍ରପତି ଏ.ପି.ଜେ. କାଲାମ ମଧ୍ୟ ଟାଣି ହୋଇପଡ଼ିଛନ୍ତି । କଂଗ୍ରେସ ନେତୃତ୍ୱାଧିନ ଉପା, ବି.ଜେ.ପି. ନେତୃତ୍ୱାଧିନ ଏନ୍.ଡି.ଏ. ଯଥାକ୍ରମେ ପ୍ରତିଭା ପାଟିଲ ଓ ଭୈରୋସିଂହ ଶେଖାୱତଙ୍କୁ ରାଷ୍ଟ୍ରପତି ପଦ ପାଇଁ ସେମାନଙ୍କର ମନୋନୀତ ପ୍ରାର୍ଥୀ ଭାବେ ପେଶ୍ କଲାବେଳେ ଚନ୍ଦ୍ରବାବୁ ନାଇଡୁ, ମୁଲାୟମ ସିଂହ ଆଦିଙ୍କ ନେତୃତ୍ୱରେ ତୃତୀୟ ସାମୁଖ୍ୟ ଏ.ପି.ଜେ. ଅବଦୁଲ୍ କାଲାମଙ୍କୁ ନିଜର ପ୍ରାର୍ଥୀ ଭାବେ ପେଶ୍ କରିବାକୁ ଚାହିଁଲେ । ଯାହା ସଭିଙ୍କୁ ବିସ୍ମିତ କରିଛି ତାହା ହେଉଛି ଭୈରୋସିଂହ ଶେଖାୱତଙ୍କର ଘୋଷଣା ଯେ, ଏ.ପି.ଜେ. ଅବଦୁଲ କାଲାମଙ୍କୁ ସେ ରାଷ୍ଟ୍ରପତି ପଦ ପାଇଁ ସମର୍ଥନ କରୁଛନ୍ତି ଓ ତାଙ୍କ ସମର୍ଥନରେ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀତ୍ୱରୁ ଓହରି ଯିବାକୁ ପ୍ରସ୍ତୁତ ଅଛନ୍ତି । କାଲାମଙ୍କ ନାଁକୁ ନେଇ ଏଭଳି ଚର୍ଚ୍ଚା ଚାଲୁଥିବା ବେଳେ କାଲାମ ଯଦିଓ କିଛି ବିବୃତ୍ତ ଦେଇନାହାନ୍ତି-ତେବେ ତାଙ୍କର ପ୍ରାର୍ଥୀତ୍ୱକୁ ସମର୍ଥନ କରୁଥିବା ତୃତୀୟ ସାମୁଖ୍ୟ ତରଫରୁ କୁହାଗଲା ଯେ, କାଲାମ ଯଦି ତାଙ୍କର ବିଜୟ ସୁନିଶ୍ଚିତ ବୋଲି ପ୍ରତିଶ୍ରୁତି ପାଆନ୍ତି ତା’ହେଲେ ସେ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବେ । ଏହା ପୂର୍ବରୁ ପ୍ରଚାର ହୋଇଥିଲା ଯେ, କାଲାମଙ୍କ ପ୍ରତି ସବୁ ଦଳର ସହମତି ଥିଲେ ସେ ରାଷ୍ଟ୍ରପତି ହେବା ପ୍ରସ୍ତାବକୁ ଆଗ୍ରାହ୍ୟ କରିବେ ନାହିଁ । ତେଣୁ ସବୁ ଦଳର ସହମତି ସେ ହିଁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବାକୁ ରାଜି ହୋଇଥିବା କାଲାମ, ବିଜୟ ସୁନିଶ୍ଚିତ ହେଲେ ପ୍ରାର୍ଥୀ ହେବେ ବୋଲି କହିବା ନିଶ୍ଚିତ ଭାବରେ ପଦବୀ ପାଇଁ ତାଙ୍କର ମୋହକୁ ସୂଚିତ କରେ । ତେଣୁ ଯେତେବେଳେ ସେ କହୁଛନ୍ତି ଯେ, ‘ଯଥେଷ୍ଟ ହୋଇଗଲା’ (enough is enough)-(The Statesman 24th June, 2007) ଓ ସେ ଆଗ୍ରହୀ ନୁହନ୍ତି ଦ୍ୱିତୀୟଥର ପାଇଁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବାକୁ, ସେତେବେଳେ ତାଙ୍କର ହିସାବ କରିବାର ଶକ୍ତି ଯେ ଖୁବ୍ ପ୍ରଖର ତାହା ଜଣାପଡ଼ୁଛି । ସେ ଠିକ୍ ହିସାବ କରିଛନ୍ତି ଯେ ଉପାର ଅଂଶୀଦାର ଦଳଗୁଡ଼ିକ ଭିତରୁ ସମର୍ଥନ ନ ପାଇଲେ ତାଙ୍କର ବିଜୟ କଦାପି ସୁନିଶ୍ଚିତ ହୋଇନପାରେ । ଏବଂ ଉପାର ଅଂଶୀଦାରଦଳଗୁଡ଼ିକ ତାଙ୍କୁ ସମର୍ଥନ କରିବେ ନାହିଁ ବୋଲି ସେ ରାଷ୍ଟ୍ରପତି ପଦ ପାଇଁ ବିତର୍କ ଭିତରେ ହିଁ ବୁଝିଗଲେ । ତେଣୁ ‘ଲୋକଙ୍କ ରାଷ୍ଟ୍ରପତି ଭାବେ ମୋତେ ମନେ ରଖାଯାଉ’ (ଧରିତ୍ରୀ,୨୪ ଜୁନ୍,୨୦୦୭) । ଏହିଭଳି ଏକ ଶେଷଇଚ୍ଛା ବ୍ୟକ୍ତ କରି ସେ ମନସ୍ଥ କରିନେଲେ ଯେ, ସେ ଆଉ ରାଷ୍ଟ୍ରପତି ହେବେନାହିଁ ।
ଲୋକଙ୍କ ରାଷ୍ଟ୍ରପତି! ଏହିଭଳି ଏକ ପ୍ରୟୋଗ କରି କାଲାମ କ’ଣ କହିବାକୁ ଚାହାନ୍ତି ଯେ, ଅନ୍ୟମାନେ ଲୋକଙ୍କ ରାଷ୍ଟ୍ରପତି ନଥିଲେ ବା ଭବିଷ୍ୟତରେ ଯିଏ ହେବେ ସେ କେବଳ ଗୋଟିଏ ଦଳ ବା ଗୋଷ୍ଠୀର ହିଁ ହେବେ? କାଲାମ ଜଣେ ବୁଦ୍ଧିମାନ ବ୍ୟକ୍ତି ନିଶ୍ଚୟ । କିନ୍ତୁ ସେ ସାଧାରଣ ଜନତାର ସ୍ମରଣଶକ୍ତିକୁ ଲଘୁଦୃଷ୍ଟିରେ ଦେଖିବାର ଭୁଲ କରି ବସିଛନ୍ତି । ସାଧାରଣ ଜନତା ମନେରଖିଛି ଯେ, ପାଞ୍ଚବର୍ଷ ତଳେ ସେ ଏନ୍.ଡି.ଏ.ର ହିଁ ପ୍ରାର୍ଥୀ ଥିଲେ ଓ ଭାରତର ସ୍ୱାଧୀନତା ପାଇଁ ଲଢ଼ିଥିବା ଲକ୍ଷ୍ମୀ ସେହେଗାଲଙ୍କ ବିରୁଦ୍ଧରେ ପ୍ରାର୍ଥୀ ହୋଇଥିଲେ । ସେତେବେଳେ ସେ ସହମତିର ପ୍ରଶ୍ନ ଉଠାଇ ନଥିଲେ-ଯଦିଓ ସୁନିଶ୍ଚିତ ବିଜୟର ପ୍ରତିଶ୍ରୁତି ଫଳରେ ହିଁ ସେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଲୋକଙ୍କ ରାଷ୍ଟ୍ରପତି ବୋଲି କାଲାମଙ୍କ ମନରେ ଜମାଟ ବାନ୍ଧିଥିବା ଧାରଣାର ଭିତ୍ତ କ’ଣ? ମୁଲାୟମସିଂହ ଯାଦବ ଟି.ଭି. କ୍ୟାମେରା ସାମ୍ନାରେ କହିଲେ ଯେହେତୁ ଭାରତର ସଂଖ୍ୟାଧିକ ଲୋକେ କାଲାମଙ୍କୁ ରାଷ୍ଟ୍ରପତି ଭାବେ ଦେଖିବାକୁ ଚାହାନ୍ତି-ତେଣୁ ଆମେ ତୃତୀୟ ସାମୁଖ୍ୟ ତରଫରୁ ତାଙ୍କର ପ୍ରାର୍ଥୀତ୍ୱ ଚାହୁଁଛୁ । କେଉଁଠି ଦେଖିଲେ ମୁଲାୟମ ସିଂହ? ଟି.ଭି.ରେ ହେଉଥିବା ଏସ୍.ଏମ୍.ଏସ୍. କର୍ତ୍ତୃକ ଜନମତ ସଂଗ୍ରହରୁ । ଏସ୍.ଏମ୍.ଏସ୍. ସେହିମାନେ କରିପାରିବେ ଯେଉଁମାନଙ୍କର ମୋବାଇଲ ଫୋନ ଥିବ । ଭାରତବର୍ଷରେ ଏକ ପରିସଂଖ୍ୟାନ ଅନୁସାରେ ୧୨କୋଟି ଲୋକ ହିଁ ମୋବାଇଲ ବ୍ୟବହାର କରନ୍ତି(source: Internet and Mobile association of India) ଅର୍ଥାତ୍ ସମୁଦାୟ ଜନସଂଖ୍ୟାର ଶତକଡ଼ା ୧୦ଭାଗ । ଏହା ଭିତରୁ କେତେଜଣ ଏହି ଜନମତରେ ଅଂଶଗ୍ରହଣ ବା କରୁଥିବେ-ତା ଭିତରୁ ଏକ ଅଂଶ (ହୋଇପାରେ ବଡ଼ ଅଂଶ) କାଲାମଙ୍କୁ ରାଷ୍ଟ୍ରପତି ଭାବରେ ଯଦି ଚାହେଁ ତା’ହେଲେ ତାହା ସମୁଦାୟ ଜନସଂଖ୍ୟାର କେତେ ବା ପ୍ରତିଶତ ହେବ? ଏହି ପରିସଂଖ୍ୟାନକୁ ଭିତ୍ତକରି ଯଦି ମୁଲାୟମ କାଲାମଙ୍କୁ ଲୋକଙ୍କ ରାଷ୍ଟ୍ରପତି ବୋଲି ବିଚାର କରନ୍ତି ଓ କାଲାମ ନିଜେ ଏହାକୁ ବିଶ୍ୱାସ କରନ୍ତି ତା’ହେଲେ ଏହାଠାରୁ ବିଡ଼ମ୍ବନା ଆଉ କିଛି ହେବନାହିଁ । ଏହା ଅବଶ୍ୟ ଠିକ୍ ଯେ, ଭାରତବର୍ଷର ସୁବିଧାବାଦୀ ମଧ୍ୟମବର୍ଗର ସମର୍ଥନ କାଲାମଙ୍କ ପ୍ରତି ରହିଛି । ତଥାପି ଯେତେବେଳେ କାଲାମ ନିଜକୁ ଲୋକଙ୍କ ରାଷ୍ଟ୍ରପତି ଭାବେ ବିଶ୍ୱାସ କରୁଛନ୍ତି ଓ ଚାହୁଁଛନ୍ତି ଯେ, ଭାରତର ଲୋକେ ତାଙ୍କୁ ଏହିଭଳି ମନେରଖନ୍ତୁ-ସେତେବେଳେ ରାଷ୍ଟ୍ରପତି ଭାବେ ତାଙ୍କ କାର୍ଯ୍ୟର ଏକ ନିରପେକ୍ଷ ସମୀକ୍ଷା ଅପରିହାର୍ଯ୍ୟ ମନେହୁଏ । କେତେ ଲୋକାଭିମୁଖୀ ନୀତିକୁ ସେ ସ୍ୱୀକୃତି ଦେଇଛନ୍ତି, କେତେ ଲୋକବିରୋଧୀ ନୀତିକୁ ସେ ବିରୋଧ କରିଛନ୍ତି କେତେ ନିର୍ବାଚିତ ସରକାରଙ୍କୁ ସେ ଭାଙ୍ଗି ନିଜର ଶାସନ ଜାରି କରିଛନ୍ତି, ସାଧାରଣ ଲୋକଙ୍କ ସହ ଯାଇ କେତେ ମିଶିଛନ୍ତି; ଶିକ୍ଷା, ସ୍ୱାସ୍ଥ୍ୟ, କଳା ସବୁକୁ ବ୍ୟବସାୟ କରି ଦେଉଥିବା ଘରୋଇ ପ୍ରତିଷ୍ଠାନର ମାଲିକମାନଙ୍କ ସହ କେତେ ମିଶିଛନ୍ତି ଏସବୁର ଏକ ନିରପେକ୍ଷ ଆକଳନ ହୋଇପାରିଲେ ଯାଇ ‘ଲୋକଙ୍କର ରାଷ୍ଟ୍ରପତି’ ବୋଲି ଦାବି କରିବା ଫମ୍ପା କି ନିଦା ଜଣାପଡ଼ିବ ।