ଏହା ୩୮ବର୍ଷ ବୟସ୍କ ଭାରତର ଭାବି ପ୍ରଧାନମନ୍ତ୍ରୀଭାବେ କଂଗ୍ରେସ ଦଳରୁ ପ୍ରାର୍ଥୀ ସୋନିଆ ଗାନ୍ଧୀଙ୍କ ପୁତ୍ର ସାଂସଦ ରାହୁଲ ଗାନ୍ଧୀଙ୍କର ସଂସଦ ଗୃହରେ ଆହ୍ୱାନ । ଯାହାକୁ ସ୍ୱାଭାବିକ କଂଗ୍ରେସ ଦଳର ସାଂସଦମାନେ ଟେବୁଲ ବାଡ଼େଇ ସ୍ୱାଗତ କରିଛନ୍ତି (ଞଷର ଋମକ୍ଟଦ୍ଭକ୍ଟଜ୍ଞସମ ଞସଜ୍ଞରଗ୍ଦ, ୨୩/୭/୨୦୦୮) । ଏଥିରୁ ଜଣାପଡ଼ୁଛି ଯେ ରାହୁଲ ପ୍ରଧାନମନ୍ତ୍ରୀ ହେଲେ ସେ ଭାରତକୁ ବହୁ ଅଜଣାଅଞ୍ଚଳ ଭିତରକୁ ନିର୍ଭୟରେ ନେଇଯିବେ । କିନ୍ତୁ ଏହି ଆହ୍ୱାନ ସେ ଯେତେବେଳେ ଅଣୁଚୁକ୍ତିର ପ୍ରସଙ୍ଗରେ ଦେଇଛନ୍ତି – ସେତେବେଳେ ଜଣାପଡ଼ୁଛି ଯେ ଅଣୁଚୁକ୍ତି ତାଙ୍କ ପାଇଁ ମଧ୍ୟ ଏକ ଅଜଣା ବିଷୟ ହୋଇଥିବା ସତ୍ତ୍ୱେ ସେ ଯଦି ଭୟ କରୁନାହାନ୍ତି-ତା’ହେଲେ ଅନ୍ୟ ସଦସ୍ୟମାନେ ଭୟକରିବା ଉଚିତ ନୁହେଁ ।
ଶିଶୁଟିଏ ହିଂସ୍ର ଜୀବଜନ୍ତୁଙ୍କ ନିକଟକୁ ଆଗେଇ ଯିବା ଓ ଏହା ଦେଖି ବୟସ୍କ ଲୋକ ତାକୁ ଟାଣି ଆଣିବାର ଦୃଶ୍ୟ ଏକ ଅତି ସାଧାରଣ ଦୃଶ୍ୟ । ଯଦି ଏହି ଶିଶୁଟି କଥା କହିପାରୁଥାନ୍ତା – ତା’ହେଲେ ହୁଏତ ସେ ବୟସ୍କମାନଙ୍କୁ ରାହୁଲ ଗାନ୍ଧୀଙ୍କ ଭାଷାରେ କୁହନ୍ତା ‘ଅଜଣାକୁ ଭୟ କରନାହିଁ ।’
ରାହୁଲ ଗାନ୍ଧୀଙ୍କ ପାଇଁ ଅଣୁଚୁକ୍ତି ଅଜଣା ବିଷୟ ହୋଇପାରେ କିନ୍ତୁ ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି – ସେମାନଙ୍କ ପାଇଁ ଏହା ଅଜଣା ବିଷୟ- ଏକଥା ରାହୁଲ ଗାନ୍ଧୀ ଭାବିବାକୁ ତାଙ୍କର ପରିପକ୍ୱତାକୁ ଦର୍ଶାଏ ନାହିଁ । ଯେଉଁ ପ୍ରଶ୍ନଗୁଡ଼ିକ ଅଣୁଚୁକ୍ତି ବିରୋଧରେ ଉଠିଛି ବା ଉଠୁଛି – ତାହାକୁ ଗୋଟି ଗୋଟି କରି ଯଦି ରାହୁଲ କାଟିବାପାଇଁ ଅନ୍ତତଃ ଚେଷ୍ଟା କରିଥାନ୍ତେ -ତା’ହେଲେ ଅଣୁଚୁକ୍ତି ବିରୋଧୀଙ୍କୁ କେତେ ଜଣା ବା ଅଜଣା ତାହାର ଆକଳନ ହୋଇପାରିଥାନ୍ତା । କିନ୍ତୁ ରାହୁଲ ଏ କାର୍ଯ୍ୟ କଲେନାହିଁ । ସେ କଲେଜ ଡିବେଟିଂ ସୋସାଇଟିରେ ଅଂଶଗ୍ରହଣ କରୁଥିବା ସ୍ମାର୍ଟ ଛାତ୍ରଟିଏ ପରି ତାଙ୍କର ବକ୍ତବ୍ୟଟି ରଖିଲେ । କିନ୍ତୁ ସଂସଦ ଗୋଟିଏ ଡିବେଟିଂ ସୋସାଇଟି ନୁହେଁ ବା ଦେଶ ଗୋଟିଏ ଯାତ୍ରୀଶୂନ୍ୟ ଏକକଚାଳକ ବିଶିଷ୍ଟ ଜାହାଜ ନୁହେଁ । ଅଜଣା ଅଞ୍ଚଳକୁ ପଶିଗଲେ ଦୁର୍ଘଟଣା ହେଲେ ସାରା ଦେଶ ଉପରେ ପ୍ରତିକୂଳପ୍ରଭାବ ପଡ଼ିବ ବୋଲି ପରିପକ୍ୱ ଲୋକେ ଆଶଙ୍କା କରି ସତର୍କ କରାଇଥାନ୍ତି । ସତର୍କ ରହିବା ଭୟ ନୁହେଁ । କିନ୍ତୁ ଯୌବନର ଔଦ୍ଧତ୍ୟରେ ସତର୍କତାକୁ ଭୟ ବୋଲି କହିଦିଆ ହୁଏ । ଯୁବ ସାଂସଦ ରାହୁଲ ଗାନ୍ଧୀ ଏଥିରୁ ବାଦ୍ ପଡ଼ନ୍ତେ କିପରି?