ବିଶ୍ୱରେ ଖାଦ୍ୟାଭାବ ଚହଳ ପକାଇଛି । କାହିଁକ ଏପରି ହେଲା – ତା’ର କାରଣ ଖୋଜା ଚାଲିଛି । ପରିବେଶଗତ, ଜୈବଇନ୍ଧନ ପାଇଁ ଖାଦ୍ୟଶସ୍ୟର ବ୍ୟବହାର ଇତ୍ୟାଦିକୁ କାରଣ ଦର୍ଶାଯାଉଥିବା ବେଳେ ମାର୍କିନ ରାଷ୍ଟ୍ରପତି ଜର୍ଜବୁଶ ଭାରତ ଓ ଚୀନ୍ରେ ଇତ୍ୟବସରରେ ପ୍ରକଟିତ ହୋଇଥିବା ସମୃଦ୍ଧ ଜନସମୁଦାୟର ବର୍ଦ୍ଧିଷ୍ଣୁ ଆହରଣକୁ କାରଣ ବୋଲି ଚିହ୍ନଟ କରିଛନ୍ତି । ଏହା ସ୍ୱାଭାବିକ ଭାରତୀୟ ମଧ୍ୟମବର୍ଗକୁ କ୍ଷୁବ୍ଧ କରିଛି । ଓଡ଼ିଆ ଖବରକାଗଜ ଧରିତ୍ରୀ ‘ବୁଶ୍ଙ୍କୁ ଜବାବ’ ଶିରୋନାମାରେ ସମ୍ପାଦକୀୟ ଲେଖିଛି (ଦ୍ରଷ୍ଟବ୍ୟ – ଧରିତ୍ରୀ, ୫ମେ, ୨୦୦୮)ଓ ଏହା ଆମେରିକାର ନିଜ ସହ ସମସ୍କନ୍ଧ କୌଣସି ରାଷ୍ଟ୍ରକୁ ସହ୍ୟ ନକରିପାରିବାର ଏକ ବ୍ୟାପକ ମାନସିକତାର ପ୍ରତିଫଳନବୋଲି ଅଭିଯୋଗ କରିଛି – ‘କେବଳ ଖାଦ୍ୟ କ୍ଷେତ୍ର ବୋଲି ନୁହେଁ, ସବୁକଥାରେ ଆମେରିକାର ଉଦେ୍ଧଶ୍ୟ ରହି ଆସିଛି ଯେ ଅନ୍ୟକୌଣସି ଦେଶ ଯେପରି ତାହାର ସମସ୍କନ୍ଧ ନ ହୋଇ ସବୁବେଳେ ନୁ୍ୟନରେ ରହିଥିବ ।’ ସେହିଭଳି ଇଂରାଜୀ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆ (ମଇ ୫, ୨୦୦୮)ରେ ବୁଶ୍ଙ୍କର ଏତାଦୃଶ ମନ୍ତବ୍ୟର ଆଧାରହୀନତା ଦେଖାଇବାକୁ ଯାଇ ଆମେରିକା ଓ ଭାରତ ମଧ୍ୟରେ ଖାଦ୍ୟଶସ୍ୟ ଆହରଣର ଏକ ତୁଳନାତ୍ମକ ଚିତ୍ର ଦିଆଯାଇଛି । ଆମେରିକାର ଖାଦ୍ୟଶସ୍ୟର ଆହରଣ ବାର୍ଷିକ ମୁଣ୍ଡପିଛା ୧୦୪୬କି.ଗ୍ରା. ହୋଇଥିବା ବେଳେ ଭାରତରେ ଏହା ମାତ୍ର ୧୭୮କି.ଗ୍ରା ଓ ଚୀନ୍ରେ ଏହା ୨୯୧କି.ଗ୍ରା ବୋଲି ଆମେରିକା ସରକାରଙ୍କ କୃଷି ସୂତ୍ରରୁ ଉଦ୍ଧାର କରାଯାଇଛି । ଆଉ ଏକ ଇଂରାଜୀ ଖବରକାଗଜ ଦି.ଷ୍ଟେଟସମ୍ୟାନ (The Statesman) (୯ମଇ, ୨୦୦୮)ରେ ଜଣେ ସ୍ତମ୍ଭକାର ବୁଶ୍ଙ୍କୁ ସ୍ମରଣ କରାଇ ଦେଇଛନ୍ତି ଯେ ଭାରତୀୟମାନେ ସମୁଦାୟ ବିଶ୍ୱପାଇଁ ଉପଲବ୍ଧ ଖଣିଜତୈଳର ମାତ୍ର ଶତକଡ଼ା ୩ଭାଗ ହିଁ ବ୍ୟବହାର କରିଥାନ୍ତି । ଭାରତରେ ମୁଣ୍ଡପିଛା ବାର୍ଷିକ ବ୍ୟବହାର ୧୧୭ କି.ଗ୍ରା ହୋଇଥିବାବେଳେ ଆମେରିକାରେ ଏହା ୩୪୨୯ କି.ଗ୍ରା, ଜାପାନରେ ଏହା ୨୦୧୨କି.ଗ୍ରା, ୟୁରୋପରେ ୧,୧୧୩ କି.ଗ୍ରା ଓ ପଶ୍ଚିମ ଏସିଆରେ ୧,୬୧୮କି.ଗ୍ରା (୨୦୦୬-୦୭ପରିସଂଖ୍ୟାନ ଅନୁସାରେ) ବୋଲି ଦର୍ଶାଇଛନ୍ତି । ବିଶ୍ୱସ୍ତରୀୟ ଏହି ହାର ୯୨୫କି.ଗ୍ରା । ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, ୨୦୦୨ମସିହାରେ ଅଣବିଶୋଧିତ ଖଣିଜତୈଳର ମୂଲ୍ୟ ବ୍ୟାରେଲ୍ ପିଛା ୨୩ ଡଲାର ଥିବାବେଳେ ଭାରତ ବିଶ୍ୱ ତୈଳ ଉପôାଦନର ମାତ୍ର ଶତକଡ଼ା ୩ଭାଗ ହିଁ ବ୍ୟବହାର କରୁଥିଲା- ବର୍ତ୍ତମାନ ଯେତେବେଳେ ମୂଲ୍ୟ ବ୍ୟାରେଲ୍ ପିଛା ୧୨୨ଡଲାର , ସେତେବେଳେ ଭାରତବର୍ଷରେ ଏହି ଅଂଶ ଶତକଡ଼ା ୩.୧କୁ ବୃଦ୍ଧିପାଇଛି । ସ୍ତମ୍ଭକାର ପ୍ରଶ୍ନ କରିଛନ୍ତି ଯେ ମାତ୍ର ୦.୧%ବୃଦ୍ଧି କ’ଣ ତୈଳମୂଲ୍ୟରେ ଏତେ ବିରାଟ ପରିବର୍ତ୍ତନ ଆଣିପାରେ? ତାଙ୍କମତରେ କେବଳ ନିର୍ବୋଧ ହିଁ ଏହା କହିପାରେ । ସେ କିନ୍ତୁ ଆଉ ଏକ ଉଲ୍ଲେଖଯୋଗ୍ୟ ତଥ୍ୟ ଦେଇଛନ୍ତି ଯାହା ଦର୍ଶାଉଛି ଯେ, ୨୦୦୨-୦୩ରୁ ୨୦୦୭-୦୮ମଧ୍ୟରେ ଭାରତରେ ଖଣିଜତୈଳ ଓ ଉପôାଦିତ ଦ୍ରବ୍ୟର ବ୍ୟବହାର ୧୦କୋଟି୪୦ଲକ୍ଷ ମେଟ୍ରିକ ଟନ୍ରୁ ବୃଦ୍ଧି ପାଇ ୧୨କୋଟି ୧୯୨ଲକ୍ଷ ମେଟି୍ରକ୍ ଟନ୍ ହୋଇଥିବା ବେଳେ ବିଶ୍ୱ ଉପôାଦନ ୩୫୬କୋଟି ୩୦ଲକ୍ଷ ମେଟ୍ରିକ୍ଟନରୁ ୩୮୯ କୋଟି ମେଟି୍ରକ୍ ଟନ୍କୁ ବୃଦ୍ଧି ପାଇଛି ।
କ୍ଷମତାସୀନ ୟୁପିଏ ସରକାରଙ୍କୁ ବାହାରୁ ସମର୍ଥନ ଯୋଗାଉଥିବା ସି.ପି.ଏମ୍. ଦଳ ବୁଶ୍ଙ୍କର ଏତାଦୃଶ ମନ୍ତବ୍ୟକୁ ହାସ୍ୟାସ୍ପଦ ବୋଲି ଅଭିହିତ କରିଛି (ଦ୍ରଷ୍ଟବ୍ୟ-The Statesman, 9 May, 2008) । ଯେଉଁଠି ଶତକଡ଼ା ୭୮ଭାଗ ଲୋକ ଦୈନିକ ୨୦ଟଙ୍କାରୁ କମ୍ ରୋଜଗାର କରନ୍ତି, ଯେଉଁଠି ଗତ ୮ବର୍ଷ ଭିତରେ (୧୯୯୭-୨୦୦୫) ୧,୩୬,୩୨୪କୃଷକ ଆତ୍ମହତ୍ୟା କରିଛନ୍ତି, ଯେଉଁଠି ଖାଦ୍ୟଶସ୍ୟର ମୁଣ୍ଡପିଛା ଆହରଣ୧୫ବର୍ଷ ଭିତରେ ୪୬୮ ଗ୍ରାମ (୧୯୯୦-୯୧)ରୁ ୪୧୨ଗ୍ରାମ (୨୦୦୫-୦୬)କୁ ଖସି ଆସିଛି – ସେଠି ଭାରତର ସମୃଦ୍ଧିକୁ ବିଶ୍ୱ ଖାଦ୍ୟାଭାବ ପାଇଁ ଦାୟୀ କରିବା ସି.ପି.ଏମ୍ ପାଇଁ ହାସ୍ୟାସ୍ପଦ ନିଶ୍ଚୟ ।
ଉପରୋକ୍ତ ପରିସଂଖ୍ୟାନଗୁଡ଼ିକୁ ବିଶ୍ଳେଷଣ କଲେ ଜଣାପଡ଼ୁଛି ଯେ, ବିଶ୍ୱସ୍ତରରେ ୨୦୦୨-୦୩ରୁ ୨୦୦୭-୦୮ମଧ୍ୟରେ ତୈଳ ଉପôାଦନ ୯ଭାଗ ବଢ଼ିଛି ସେତେବେଳେ ଏହି ସମୟକାଳ ମଧ୍ୟରେ ଭାରତବର୍ଷରେ ତେଲର ବ୍ୟବହାର ଶତକଡ଼ା ୨୪.୨ଭାଗ ବୃଦ୍ଧିପାଇଛି । ଉପôାଦନ ତୁଳନାରେ ଆହରଣର ଏତାଦୃଶ ବୃଦ୍ଧି କ’ଣ ସୂଚିତ କରୁଛି? ସେହିଭଳି ତେଲର ମୂଲ୍ୟ ବୃଦ୍ଧି ସତ୍ତ୍ୱେ (୨୩ଡଲାରରୁ ୧୨୨ଡଲାର) ତୈଳ ବ୍ୟବହାର ଅଂଶ ବୃଦ୍ଧି (୩%ରୁ ୩.୧%) ସୂଚିତ କରୁନାହିଁ କି ସମୃଦ୍ଧଙ୍କ ସଂଖ୍ୟା ଭାରତରେ ବଢ଼ିଛି । ପୁନଶ୍ଚ ମୁଣ୍ଡପିଛା ହିସାବରେ ଭାରତର ସେ ଶତକଡ଼ା ୭୮ଭାଗ ଲୋକ ମଧ୍ୟ ଅଛନ୍ତି ଯେଉଁମାନଙ୍କର ଆହରଣ ପ୍ରକ୍ରିୟାରେ ନାମମାତ୍ର ଭାଗୀଦାରୀ । କିନ୍ତୁ ଏହି ମାନ ହିଁ ଦାୟୀ ମୁଣ୍ଡପିଛା ହିସାବକୁ କମାଇ ଦେବାରେ । ଏମାନଙ୍କୁ ବାଦ୍ ଦେଲେ ଶସ୍ୟ ଆହରଣର ମୁଣ୍ଡପିଛା ହିସାବ ୧୭୮କି.ଗ୍ରାରୁ ନିଶ୍ଚିତ ବଢ଼ିବ ବା ଖଣିଜ ତୈଳର ବ୍ୟବହାର ୧୧୭କି.ଗ୍ରାରୁ ନିଶ୍ଚିତ ବଢ଼ିବ । କିନ୍ତୁ ତାହା ଆମେରିକାର ମୁଣ୍ଡପିଛା ହିସାବର କେତେ ପାଖାପାଖି ହେବ, ତାହା ବେଶ୍ ଗବେଷଣାସାପେକ୍ଷ । କହିବା ବାହୁଲ୍ୟ ଯେ ବୁଶ୍ଙ୍କ ମନ୍ତବ୍ୟ ବିରୁଦ୍ଧରେ ଯୁକ୍ତି ଅଧିକ ବଳିଷ୍ଠ ତଥ୍ୟ ଓ ଅନୁଶୀଳନ ଅପେକ୍ଷା କରେ ।
ଭାରତୀୟ ଗଣମାଧ୍ୟମରେ ବୁଶଙ୍କର ମନ୍ତବ୍ୟ ବିରୁଦ୍ଧରେ ପ୍ରତିକ୍ରିୟା ତ ଲୁଚାଇ ଦେଇପାରିବ ନାହିଁ ଯେ,ଭାରତୀୟ ମୁକେଶ ଅମ୍ବାନୀ ପୃଥିବୀର ସବୁଠାରୁ ଧନୀ-ଯାହାଙ୍କର ୨୭ ମହଲା ବିଶିଷ୍ଟ ବାସଗୃହ-ପୃଥିବୀର ସବୁଠାରୁ ଦାମୀ ୯୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବାସଗୃହ । ଏ ପ୍ରତିକ୍ରିୟା ମଧ୍ୟ ଲୁଚାଇ ଦେଇପାରିବ ନାହିଁ ଯେ, ଅର୍ଥନୈତିକ ବୈଷମ୍ୟର ଆକାରରେ ବୃଦ୍ଧି । ଅପରପକ୍ଷରେ ଖାଦ୍ୟବସ୍ତୁର ଅପଚୟ ସମୃଦ୍ଧିର ଏକ ଆବଶ୍ୟକୀୟ ପରିଣତି ହୋଇଥିବା ବେଳେ ଖାଲି ଭାରତ ଓ ଚୀନ୍ଦେଶର ସମୃଦ୍ଧ ଲୋକ କାହିଁକି, ସାରାବିଶ୍ୱର ସମୃଦ୍ଧ ଲୋକମାନେ ଖାଦ୍ୟାଭାବ ପାଇଁ କହିବା ଅସମୀଚୀନ ହେବ ନାହିଁ । ବିଲାତ ଦେଶରେ ଏକ ଅଧ୍ୟୟନରୁ ଜଣାଯାଇଛି ଯେ, ମନୁଷ୍ୟ ପାଇଁ ଉପôାଦିତ ଖାଦ୍ୟଦ୍ରବ୍ୟର ଏକ ତୃତୀୟାଂଶ ଫୋପାଡ଼ି ଦିଆଯାଏ । ପ୍ରତ୍ୟେକ ବିଲାତ ଦେଶର ନାଗରିକ ବାର୍ଷିକ ୪୨୦ପାଉଣ୍ଡ ଷ୍ଟର୍ଲିଂ ମୂଲ୍ୟର ଖାଦ୍ୟ ନଷ୍ଟ କରିଥାଏ । ପ୍ରତ୍ୟେକ ଦଶବର୍ଷରେ ଖାଦ୍ୟଦ୍ରବ୍ୟର ଅପଚୟ ଶତକଡ଼ା ୧୫ଭାଗ ବୃଦ୍ଧି ପାଉଛି ବୋଲି ବି.ବି.ସି.ର କଷ୍ଟିଂ ଦି. ଆର୍ଥ (Casting the Earth) ଆକଳନ କରିଛି ।
ଶୁଦ୍ରକ ମତରେ ତେଣୁ ବୁଶ୍ ସାହେବ ଭାରତ ଓ ଚୀନର ସମୃଦ୍ଧ ଲୋକଙ୍କ ପ୍ରତି ଇଙ୍ଗିତ କରି ସାରା ବିଶ୍ୱର ସମୃଦ୍ଧ ଗୋଷ୍ଠୀ ଯେ ଖାଦ୍ୟାଭାବ ପାଇଁ ଦାୟୀ, ତାହା ତାଙ୍କର ଅଜାଣତରେ ସୂଚନା ଦେଇଛନ୍ତି । ଆମେ ଏଥିପାଇଁ ବୁଶ୍ ସାହେବଙ୍କୁ ଧନ୍ୟବାଦ ଦେଇ ଏହି ସମୃଦ୍ଧ ଗୋଷ୍ଠିଟିର ଆହରଣ ଉପରେ କିପରି ଅଙ୍କୁଶ ଲଗାଯାଇପାରିବ – ତାହା ଚିନ୍ତା କରିବାକୁ ହେବ ।