ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନାମରେ ଏକ ବୃତ୍ତ ଦିଆଯିବ ବୋଲି କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ସେଣ୍ଟ ଜନ୍ସ୍ କଲେଜ (St.John’s College)ର କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ଏହି ବୃତ୍ତର ପ୍ରସ୍ତାବ ମନମୋହନ ସିଂହଙ୍କୁ ୨୦୦୪ମସିହାରୁ ଦିଆଗଲାଣି ବୋଲି ସମ୍ବାଦପତ୍ରରୁ ଜଣାପଡ଼ୁଛି ଯାହା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ନୈଶ୍ୟ ଭୋଜି ସମାବେଶରେ ପରବର୍ତ୍ତୀ ସମୟରେ ଗୁରୁତ୍ୱର ସହିତ ଆଲୋଚିତ ହୋଇଥିଲା । (ଦ୍ରଷ୍ଟବ୍ୟ -The Statesman, 23/11/2007, ୨୩/୧୧/୨୦୦୭) । କିନ୍ତୁ କଲେଜ କର୍ତ୍ତୃପକ୍ଷଙ୍କ ମନରେ ଏହି ପ୍ରସ୍ତାବକୁ ବାସ୍ତବ ରୂପ ଦେବା ପାଇଁ ସଂକଳ୍ପ ଦୃଢ଼ୀଭୂତ ହେଲା ୨୦୦୬ମସିହାରେ, ଯେତେବେଳେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କେମ୍ବ୍ରିଜ ଗସ୍ତରେ ଯାଇ St. John’s Collegeରେ ତାଙ୍କର ରହଣିକୁ ବର୍ଣ୍ଣନା କରି ସମସ୍ତଙ୍କୁ ଅଭିଭୂତ କରିଦେଲେ । ତାଙ୍କର ଜଣେ ଅଧିକାରୀଙ୍କ ଭାଷାରେ, ‘ଆମେ ଯେତେବେଳେ ଯାଇ ଜାଣିଲୁ ଯେ ଡକ୍ଟର ସିଂହ ଏ ଜାଗାକୁ କେତେ ଭଲ ପାଆନ୍ତି ।’ (It was then that we realised just how fond Dr. Singh was of the place’) ସେଠି ମନମୋହନ ସିଂହ ତାଙ୍କର ଅଭିଭାଷଣରେ କହିଥିଲେ ‘ପ୍ରଥମ ବିଶ୍ୱଯୁଦ୍ଧ ପୂର୍ବରୁ ଜଣେ ଯୁବକ ଆଲ୍ହାବାଦରୁ ହ୍ୟାରୋ ଦେଇ ଟ୍ରିନିଟି ଆସିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏକ ସାଧାରଣ ଭାରତୀୟ ଯୁବକ ପଞ୍ଜାବର ଏକ ଅପାଂକ୍ତେୟ ବିଶ୍ୱବିଦ୍ୟାଳୟରୁ ସେଣ୍ଟ ଜନ୍ସ୍କୁ ଆସିଥିଲେ । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଉଭୟଙ୍କୁ ଆଲିଙ୍ଗନ କରିଥିଲା ।’ କହିବାବାହୁଲ୍ୟ ଯେ, ଆଲ୍ହାବାଦରୁ ଆସିଥିବା ଯୁବକ ଥିଲେ ଜବାହରଲାଲ ନେହେରୁ ଓ ପଞ୍ଜାବରୁ ଆସିଥିବା ଯୁବକ ଥିଲେ ମନମୋହନ ସିଂହ ନିଜେ । ଏହି ସମୟରେ ବ୍ରିଟିଶ ଶାସନର ମଧ୍ୟ ସେ ବହୁଳ ପ୍ରଶଂସା କରିଥିଲେ – ଯାହା ଭାରତୀୟମାଟିରେ ତାଙ୍କୁ କିଛିଟା ବିତର୍କିତ କରିଥିଲା । ଏହିଭଳି ପ୍ରଶଂସାରୁ ବୋଧହୁଏ ମନମୋହନଙ୍କର ଆନୁଗତ୍ୟର ଗନ୍ଧ ସେମାନେ ପାଉଥିଲେ -ତେଣୁ ମନମୋହନଙ୍କୁ ପୁରସ୍କୃତ କରିବାର ଏକ ଉପାୟ ଭାବେ ସେମାନେ ତାଙ୍କ ନାମରେ ବୃତ୍ତଟି ପ୍ରତିଷ୍ଠା କଲେ ଏବଂ ଘରୋଇକରଣ, ଉଦାରୀକରଣ ଓ ଜଗତୀକରଣର ଏକନିଷ୍ଠ ସେବକ ମନମୋହନଙ୍କ ନାମରେ ବୃତ୍ତ ପାଇଁ ପାଣ୍ଠି ଯେ, ବିଶାଳକାୟ ଘରୋଇ ପ୍ରତିଷ୍ଠାନ ବ୍ରିଟିଶ ପେଟ୍ରୋଲିୟମ (British Petroleum), ଟାଟା (TATA) ଓ ରୋଲ୍ସ ରଏସ୍ (Rolls Royce) ଯୋଗାଇ ଦେଲେ ତାହା ଏକ ସଂଯୋଗ ମାତ୍ର ନୁହେଁ ।
ତେବେ St.John’s collegeର ଘୋଷଣା ଅନୁସାରେ ଏହି ବୃତ୍ତର ଉଦେ୍ଧଶ୍ୟ ହେଉଛି ବିଜ୍ଞାନ ଓ ନିଯୁକ୍ତି ବିଦ୍ୟା, ଅର୍ଥନୀତି ଓ ସମାଜବିଜ୍ଞାନ କ୍ଷେତ୍ରରେ ନେତୃତ୍ୱ ନେଇ ପାରୁଥିବା ଭାରତୀୟ ସୃଷ୍ଟି କରିବା । (Develop potential Indian leaders in the Fields of Science and technology, economics and Social Sciences) ମନମୋହନ ସିଂହ ମଧ୍ୟ ପଚାଶଦଶକରେ ଏହି କଲେଜରେ ଅର୍ଥନୀତିରେ ଗବେଷଣା କରୁଥିଲେ ଓ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ପି.ଏଚ୍.ଡି. ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ସେ ତ ଆଜି ଭାରତର ପ୍ରଧାନମନ୍ତ୍ରୀ! ଏହା ପୂର୍ବରୁ ଏହି ବିଶ୍ୱବିଦ୍ୟାଳୟରୁ ଜବାହରଲାଲ ନେହେରୁ ଓ ରାଜୀବ ଗାନ୍ଧୀ ମଧ୍ୟ ହୋଇଥିଲେ ଭାରତର ପ୍ରଧାନମନ୍ତ୍ରୀ । ଭାରତକୁ ପ୍ରଧାନମନ୍ତ୍ରୀ ଯୋଗାଇବାରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଏଭଳି ଏକ ପରମ୍ପରା ଏହି ବୃତ୍ତ ଦ୍ୱାରା କାଏମ ରହିବ ବୋଲି St.John’s Collegeର କର୍ତ୍ତୃପକ୍ଷ ନିଶ୍ଚିତ ଆଶା କରୁଥିବେ । ଏହି ବୃତ୍ତ ପାଇ ଯେଉଁ ୩ଜଣ ପି.ଏଚ୍.ଡି. କରିବାର ସୁଯୋଗ ପାଇବେ – ସେମାନଙ୍କ ଭିତରୁ କେତେଜଣ ଭାରତର ପ୍ରଧାନମନ୍ତ୍ରୀ ଭବିଷ୍ୟତରେ ହେବେ ତାହା ଦେଖିବାକୁ ରହିଲା । କିନ୍ତୁ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଭାରତୀୟ ପ୍ରଧାନମନ୍ତ୍ରୀଙ୍କଠାରୁ ଅଧିକ ଶକ୍ତିଶାଳୀ ବ୍ୟକ୍ତି ଭାରତୀୟ ରାଜନୀତିକୁ ଦେଇପାରେ ତାହା ସୋନିଆ ଗାନ୍ଧୀ ପ୍ରମାଣ କରିଦେଇଛନ୍ତି । ତେଣୁ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ତରଫରୁ ଆଉ ଏକ ବୃତ୍ତର ପ୍ରତିଷ୍ଠାକୁ ଅପେକ୍ଷା କରାଯିବା ଅସ୍ୱାଭାବିକ ନୁହେଁ ।