ନକଲି

  • 17/09/2015

୧୬-୩୦ଅଗଷ୍ଟ, ୨୦୦୭

ନକଲି ଔଷଧ ପ୍ରସଙ୍ଗ ଯେପରି ଓଡ଼ିଶାରେ ହଇଚଇ ସୃଷ୍ଟି କରିଛି- ନକଲି ପରୀକ୍ଷାର୍ଥୀ ପ୍ରସଙ୍ଗ ସେପରି ପଶ୍ଚିମବଙ୍ଗରେ ହଇଚଇ ସୃଷ୍ଟି କରିଛି । ଉଭୟ ଯେ ସ୍ୱାସ୍ଥ୍ୟସେବା ସମ୍ପର୍କିତ- ତାହା କ’ଣ କେବଳ ଏକ ସଂଯୋଗ? ପଶ୍ଚିମବଙ୍ଗ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଆବେଦନକାରୀ ନିଜେ ପରୀକ୍ଷାରେ ନବସି, ଅନ୍ୟଜଣକୁ ବସାଇ ଓ ସେହି ଅନ୍ୟଲୋକଟିର ସଫଳତାକୁ ଭିତ୍ତକରି ମେଡିକାଲ କଲେଜମାନଙ୍କରେ ଆଡ଼୍ମିଶନ୍ ନେବାରେ ସକ୍ଷମ ହୋଇଛନ୍ତି । ହିନ୍ଦୀ ଚଳଚ୍ଚିତ୍ର “ମୁନ୍ନାଭାଇ ଏମ୍.ବି.ବି.ଏସ୍”ରେ ଏହିବାଟରେ ଜଣେ ଗୁଣ୍ଡାମି କରୁଥିବା ଯୁବକ ( ଭାଇ) ଏମ୍.ବି.ବି.ଏସ୍ର ପ୍ରବେଶିକା ପରୀକ୍ଷାରେ ସଫଳ ହୋଇ କିପରି ଡାକ୍ତରୀ ପଢ଼ୁଛନ୍ତି, -ତାହା ସେହି ଚଳଚ୍ଚିତ୍ର ଦେଖିଥିବା ପାଠକମାନେ ସ୍ମରଣ କରିପାରନ୍ତି । ଏହି ଚଳଚ୍ଚିତ୍ର ଏକ ସଫଳ ଚଳଚ୍ଚିତ୍ର ଭାବେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆଦୃତ ହୋଇଛି । ଏପରିକି ମେଡିକାଲ ଶିକ୍ଷା ଦେଉଥିବା ପ୍ରତିଷ୍ଠାନଗୁଡ଼ିକ ଏହି ଚଳଚ୍ଚିତ୍ରକୁ ଶିକ୍ଷାଦାନର ଏକ ଅଂଶବିଶେଷ କରିବାକୁ ଆଗ୍ରହ ଦେଖାଇଛନ୍ତି ।
ଡାକ୍ତରୀବୃତ୍ତରେ ସରି ସରି ଆସୁଥିବା ରୋଗୀ ପ୍ରତି ଏକ ସମ୍ବେଦନଶୀଳ ମନୋଭାବର ଆବଶ୍ୟକତାକୁ ଏହି ଚଳଚ୍ଚିତ୍ରରେ ଅଗ୍ରାଧିକାର ଦିଆଯାଇଛି ଓ ଏପରି ମନୋଭାବ ଯେ ଚଞ୍ଚକତା କରି ଡାକ୍ତରୀ ପାଠ୍ୟକ୍ରମରେ ପ୍ରବେଶ କରିଥିବା ଏକ ଗୁଣ୍ଡା (ଭାଇ) ଭିତରେ ରହିଛି, ତାହା ଚଳଚ୍ଚିତ୍ରର ନାଟକୀୟତାକୁ ନିଶ୍ଚିତ ଶାଣିତ କରିଛି । ସଠିକ୍ଭାବରେ ଡାକ୍ତରୀ ପାଠ୍ୟକ୍ରମରେ ପ୍ରବେଶ କରିଥିବା ବ୍ୟକ୍ତିପାଖରେ ଏହା ଦର୍ଶାଇଥିଲେ ହୁଏତ ଚଳଚ୍ଚିତ୍ର ଏତେ ସଫଳ ହୋଇନଥାନ୍ତା!
କିନ୍ତୁ ଏହି ଚଳଚ୍ଚିତ୍ରର ଯେଉଁ ସମ୍ବାଦ ଉଚ୍ଚାକାଂକ୍ଷୀ ଯୁବକ ଯୁବତୀ ଓ ସେମାନଙ୍କର ଅଭିଭାବକ ନିକଟକୁ ଯାଇଛି- ତାହା ହେଉଛି ଯେକୌଣସି ଉପାୟରେ ଡାକ୍ତରୀବୃତ୍ତରେ ପ୍ରବେଶ । ତେବେ ଚଳଚ୍ଚିତ୍ରରୁ ଲୋକେ ଏପରି ଉପାୟ ଶିଖିଲେ, କି ଏପରି ଉପାୟ ପ୍ରକୃତ କ୍ଷେତ୍ରରେ ଅବଲମ୍ବିତ ହେଉଛି ବୋଲି ଚଳଚ୍ଚିତ୍ର ଦର୍ଶାଇଲା ଓ ପ୍ରଚାରିତ କଲା- ତାହା ଏଠାରେ ଆଲୋଚନାର ବିଷୟ ନୁହେଁ । ତେବେ ଏହି ଉପାୟ ଅବଲମ୍ବନ କରି ଡାକ୍ତର ହୋଇପାରେ ଓ ସମ୍ବେଦନଶୀଳତା ହିଁ ଡାକ୍ତରୀ ବୃତ୍ତରେ ଏକ ଅବିସମ୍ବାଦିତ ଆବଶ୍ୟକତା- “ମୁନ୍ନାଭାଇ ଏମ୍.ବି.ବି.ଏସ୍” ଚଳଚ୍ଚିତ୍ରର ଏହି ସମ୍ବାଦର ପୃଷ୍ଠଭୂମିରେ ମେଡିକାଲ ପ୍ରବେଶିକା ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ପ୍ରସଙ୍ଗକୁ କେଉଁଭାବେ ଦେଖାଯାଇପାରେ ? ନକଲି ଔଷଧର ବ୍ୟବସାୟ ମଣିଷର ବିଶ୍ୱାସ ଉପରେ ଏକ କୁଠାରାଘାତ ନିଶ୍ଚୟ ଓ ଏହା ଅସଲି ଔଷଧର ବ୍ୟବସାୟକୁ ଖର୍ବ କରେ । କିନ୍ତୁ ନକଲି ଔଷଧ ସମ୍ପର୍କରେ ଜାଗ୍ରତ ଜନତା ଅସଲି ଔଷଧ ଭିତରେ କେତେ ନିଷିଦ୍ଧ ଔଷଧ ଅଛି, ସେ ସମ୍ପର୍କରେ ସଚେତନ ହେବା ଉଚିତ ଓ ସେହିଭଳି ଔଷଧଗୁଡ଼ିକୁ ତାଲିକାରୁ ବାହାର କରିବା ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଉଚିତ । କାରଣ ନିଷିଦ୍ଧ ଔଷଧ ମଣିଷର ଶରୀର ପାଇଁ କମ୍ ମାରାତ୍ମକ ନୁହେଁ । ପ୍ରଭାବଶାଳୀ ଔଷଧ କମ୍ପାନୀମାନେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ – ବିକଶିତ ରାଷ୍ଟ୍ରମାନଙ୍କରେ ନିଷିଦ୍ଧ ହୋଇଥିବା ଔଷଧଗୁଡ଼ିକୁ ଯେ ସେମାନଙ୍କର ପ୍ରଭାବ ଦ୍ୱାରା ଚଳାଇଥାନ୍ତି, ତାହା ଆଜି ଅଛପା ନାହିଁ । ତେଣୁ ନକଲି ଔଷଧ ବିରୁଦ୍ଧରେ ବିରୋଧ ସ୍ୱର ଉଠାଇଥିବା ବ୍ୟକ୍ତିମାନେ ଏହି ନିଷିଦ୍ଧ ଔଷଧଗୁଡ଼ିକ ବିରୁଦ୍ଧରେ ମଧ୍ୟ ବିରୋଧର ସ୍ୱର ଉଠାଇବେ ବୋଲି ବିଶ୍ୱାସ କରାଯାଇପାରେ ।

Print Friendly, PDF & Email