ଗ୍ରୀନ୍ପିସ (Greenpeace) ନାମରେ ଏକ ଆନ୍ତର୍ଜାତିକ ପରିବେଶ ସଚେତନ ସଂସ୍ଥାର ଭାରତୀୟ ଶାଖା ଦ୍ୱାରା ପ୍ରକାଶିତ ରିପୋର୍ଟ ‘Biodiversity Assessment of Dhamra Port Site and Surrounding Areas, Orissa’ ଓଡ଼ିଶାର ଶାସନ ଦାୟିତ୍ୱରେ ଥିବା ଅମଲା ଓ ରାଜନୈତିକ ବ୍ୟକ୍ତିମାନଙ୍କର ରୋଷର ଶିକାର ହୋଇଛି । ଏହି ରିପୋର୍ଟଟି ଏକ ସୀମିତ ଅଧ୍ୟୟନ – ଧାମରା ମୁହାଣରେ ବନ୍ଦର ହେଲେ ସେ ଅଞ୍ଚଳର ସମ୍ବେଦନଶୀଳ ପରିବେଶ ଉପରେ ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ । ଏହି ଅଧ୍ୟୟନ ପାଇଁ ଗ୍ରୀନ୍ପିସ୍ ସାହାଯ୍ୟ ନେଇଥିଲେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ ପ୍ରଫେସର ସୁଶୀଳକୁମାର ଦତ୍ତ ଓ ତାଙ୍କର ସହଯୋଗୀ ଗବେଷକବୃନ୍ଦଙ୍କର । ଏହି ରିପୋର୍ଟର ଶେଷ ଅଧ୍ୟାୟରେ ଯେଉଁ ଛ’ଟି ପଦକ୍ଷେପ ସୁପାରିଶ କରାଯାଇଛି ତାର ଷଷ୍ଠ ସୁପାରିଶଟି ଅବିକଳ ଏଇୟା:
Pending Completion of the studies mentioned above, and their collation into comprehensive, impartial and scintifically accurate document, there should be no interference with the existing ecology of the port site on the mainland or of the marine ecology offshore. This would mean that the mega-project currently being executed by Tatas and Larsen and Toubro be stopped immediately. ଅର୍ଥାତ ପ୍ରସ୍ତାବିତ ବନ୍ଦର ଅଞ୍ଚଳରେ ପରିବେଶ ସମ୍ପର୍କିତ ଅଧ୍ୟୟନ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଏହାର ପରିବେଶ ଉପରେ କୌଣସି ପ୍ରକାର ହସ୍ତକ୍ଷେପ ନହେଉ ଯାହାର ଅର୍ଥ ପ୍ରସ୍ତାବିତ ବୃହତ ପ୍ରକଳ୍ପର କାର୍ଯ୍ୟ ତତ୍କ୍ଷଣାତ୍ ବନ୍ଦ କରାଯାଉ । ନିଶ୍ଚିତ ଭାବରେ ଏହିଭଳି ଏକ ସୁପାରିଶ ପ୍ରକଳ୍ପପଛରେ ଥିବା ଟାଟା ଓ ଲାର୍ସନ୍ ଟୁବ୍ରୋ ଭଳି ବଡ଼ କମ୍ପାନୀମାନଙ୍କୁ ସୁହାଇବ ନାହିଁ କିନ୍ତୁ ସେମାନେ କୌଣସି ପ୍ରତିକ୍ରିୟା ପ୍ରକାଶ କରିବା ପୂର୍ବରୁ (ଅବଶ୍ୟ ସାଧାରଣରେ ବା ଗଣମାଧ୍ୟମରେ) ଆମର ସରକାରୀ ଅମଲାମାନେ ଓ କ୍ଷମତାସୀନ ରାଜନୈତିକ ବ୍ୟକ୍ତିମାନେ ବେଶ ବିଚଳିତ ହୋଇ ପଡ଼ିଛନ୍ତି ଓ ଗଣମାଧ୍ୟମକୁ ସିଧାସଳଖ ଲମ୍ଫ ଦେଇ ଏହି ଅଧ୍ୟୟନଟିକୁ ସନେ୍ଦହର ବଳୟ ଭିତରକୁ ଆଣିବା ପାଇଁ ଅଭିନବ କୌଶଳଟିଏ ବାଛି ନେଇଛନ୍ତି । ସେମାନେ ସୁଶୀଳ ଦତ୍ତ ମହୋଦୟଙ୍କର ଅଧ୍ୟୟନକୁ ଗ୍ରୀନପିସ ବଦଳାଇ ଦେଇଛି ବୋଲି ଅଭିଯୋଗ କରିଛନ୍ତି ଓ ଏହି ଅମଲାମାନଙ୍କର ଉପସ୍ଥିତିରେ ଗଣମାଧ୍ୟମ ସମ୍ମୁଖରେ ସୁଶୀଳଦତ୍ତ ମହୋଦୟ ଏହିଭଳି ଅଭିଯୋଗକୁ ପ୍ରାୟ ସମର୍ଥନ କରିଛନ୍ତି । ଯାହା ବିଶେଷ ଉଲ୍ଲେଖଯୋଗ୍ୟ ତାହା ହେଉଛି ଏହିଭଳି ସମର୍ଥନ ବ୍ୟକ୍ତ କଲାବେଳେ ସୁଶୀଳ ଦତ୍ତ ମହୋଦୟଙ୍କର କୁଳପତିଙ୍କର ଉପସ୍ଥିତି । କହିବାବାହୁଲ୍ୟ ଯେ, ସୁଶୀଳଦତ୍ତଙ୍କର ବୃତ୍ତକୁ ପରୋକ୍ଷରେ ବା ପ୍ରତ୍ୟକ୍ଷରେ ନିୟନ୍ତ୍ରଣ କରୁଥିବା ଅଧିକାରୀମାନଙ୍କର ଉପସ୍ଥିତିରେ ହିଁ ଦତ୍ତ ମହୋଦୟ ଏହିଭଳି ଏକ ଅଭିଯୋଗକୁ ସମର୍ଥନ କରିଛନ୍ତି । ଦତ୍ତ ମହୋଦୟ ଯଦି ଗ୍ରୀନପିସ ଦ୍ୱାରା ରିପୋର୍ଟ ପ୍ରକାଶ ପାଇବା ପରେ ପରେ ସ୍ୱତଃପ୍ରବୃତ୍ତ ହୋଇ ଗଣମାଧ୍ୟମରେ ଏହିଭଳି ଅଭିଯୋଗ ଆଣିଥାନ୍ତେ-ତା’ହେଲେ ବଳପ୍ରୟୋଗ -ପୂର୍ବକ କ୍ଷମତାସୀନ ଅମଲା ଓ ଅଧିକାରୀମାନେ ଦତ୍ତ ମହୋଦୟଙ୍କଠାରୁ ଅଭିଯୋଗ ସପକ୍ଷରେ ସମର୍ଥନ କଢ଼ାଇ ନେଉଛନ୍ତି ବୋଲି ସମ୍ବାଦ ସର୍ବସାଧାରଣକୁ ଯାଇ ନଥାନ୍ତା ।
ଅପର ପକ୍ଷରେ ନିୟମଗିରିର ପରିବେଶକୁ ବେଦାନ୍ତ ଆଲୁମିନା ଶିଳ୍ପ ଧ୍ୱଂସ କରିଦେବ ବୋଲି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପରିବେଶବିତ୍ମାନେ ଯେଉଁଭଳି କଠୋର ମନ୍ତବ୍ୟ କରିଛନ୍ତି ତାହା ତୁଳନାରେ ଗ୍ରୀନପିସ ରିପୋର୍ଟରେ ସୁପାରିଶ ଅତ୍ୟନ୍ତ ନିରୀହ ମନେହୁଏ । ଅଥଚ ଆମ ରାଜ୍ୟର ଅମଲାମାନେ ଗ୍ରୀନପିସ୍ର ଏହି ରିପୋର୍ଟ ଉପରେ ଯେଉଁ ଔଦ୍ଧତ୍ୟ ଜାହିର କରିବାର ଆସ୍ପର୍ଦ୍ଧା କରିଲେ ତାହା ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ପରିବେଶବିତ୍ ମାନଙ୍କର ରିପୋର୍ଟ ଉପରେ କରିବାର ସାହସ କରିପାରି ନାହାନ୍ତି । କାରଣ ଅତ୍ୟନ୍ତ ସ୍ପଷ୍ଟ । ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ପରିବେଶବିତ୍ମାନେ ଏହି ଅମଲାମାନଙ୍କର ପ୍ରତ୍ୟକ୍ଷ ବା ପରୋକ୍ଷ ନିୟନ୍ତ୍ରଣରେ ବୃତ୍ତଭୋଗୀ ନୁହନ୍ତି – ଉପରନ୍ତୁ ସେମାନେ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ।
ଅବଶ୍ୟ ଗ୍ରୀନପିସର ଏହି ରିପୋର୍ଟକୁ ଅମଲାମାନେ ବିତର୍କିତ କରିଦେଇ ସେମାନଙ୍କ ଅଜାଣତରେ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଛନ୍ତି – ପରିବେଶବିତ୍ ଓ ସଚେତନ ନାଗରିକମାନେ ଯଦି ସୁପ୍ରିମକୋର୍ଟ ଦ୍ୱାରା ଏକ ଉଚ୍ଚକ୍ଷମତା ସମ୍ପନ୍ନ ପରିବେଶବିତ୍ମାନଙ୍କର ଏକ କମିଟି ଧାମରା ବନ୍ଦର ଅଞ୍ଚଳର ପରିବେଶ ଅଧ୍ୟୟନ ପାଇଁ ନିଯୁକ୍ତ କରାଇଦେଇ ପାରିବେ, ତା’ହେଲେ ଏହି ଅମଲାମାନଙ୍କର ଔଦ୍ଧତ୍ୟ ସ୍ଥମିତ ହୋଇପାରିବ ଓ ଓଡ଼ିଶାର ଉପକୂଳୀୟ ପରିବେଶ ଉପରେ ଯେଉଁଭଳି ଆକ୍ରମଣ ଆରମ୍ଭ ହୋଇଛି ତାହାକୁ ଅଟକାଇ ଦିଆଯାଇ ପାରିବ ।