୧-୧୬ ଜୁଲାଇ ୨୦୦୭
ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । ଏହିଭଳି ବାସଗୃହ ଦେଖିବାର ସୌଭାଗ୍ୟ ଅଚିରେ ଭାରତୀୟଙ୍କୁ ମିଳିବ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବିପୁଳ ଅର୍ଥ ବ୍ୟୟରେ ଏକ ବାସଗୃହ ନିର୍ମାଣ କରିବାକୁ ଯାଉଛନ୍ତି ଯେଉଁଠାରେ ତାଙ୍କ ପରିବାରର ଛଅଜଣ ଓ ସେମାନଙ୍କ ସେବାରେ ଛଅଶହ ପରିଚାରକ ଓ ପରିଚାରିକା ରହିବେ । ଏବେ ରହୁଥିବା ୧୪ତଳ ବିଶିଷ୍ଟ ବାସଗୃହ ଛାଡ଼ି ସେମାନେ ଏହି ନୂତନ ବାସଗୃହକୁ ଆସିବେ ।
ଅନେକେ ଭାବୁଥିବେ ୧୪ତଳବିଶିଷ୍ଟ ବାସଗୃହରେ ରହୁଥିବା ମୁକେଶ ଅମ୍ବାନୀ ଏତେ ବ୍ୟୟ କରି ପୁଣି ଗୋଟିଏ ନୂଆ ଘରକୁ ଯିବାର ଯଥାର୍ଥତା କ’ଣ? ମନେରଖନ୍ତୁ ସେ ଇତ୍ୟବସରରେ ହୋଇଯାଇଛନ୍ତି ଏକ ଲକ୍ଷ କୋଟି ଟଙ୍କା ସମ୍ପତ୍ତର ମାଲିକ । ଯେଉଁ ବାସଗୃହର ପରିକଳ୍ପନା ସେ କରୁଛନ୍ତି ତାହା ତାଙ୍କ ସମୁଦାୟ ସମ୍ପତ୍ତ ମୂଲ୍ୟର ମାତ୍ର ଶତକଡ଼ା ୪ଭାଗ । ଏହା ତାଙ୍କପାଇଁ ଆଦୌ ବଡ଼ଖର୍ଚ୍ଚ ନୁହେଁ । ଏହା ଭିତରେ ସେ ପୁଣି ମାଲିକ ହେବାକୁ ଯାଉଛନ୍ତି ବିରାଟ ବିରାଟ ଭୂଖଣ୍ଡର ଯାହାକୁ ବିଶେଷ ଅର୍ଥନୈତିକ ଅଞ୍ଚଳ (SEZ) କହି ଆମ ସରକାର ତାଙ୍କ ହାତକୁ ଟେକିଦେବାକୁ ବସିଛନ୍ତି । ଏହି ଅଞ୍ଚଳ ଗୁଡ଼ିକର ସେ ହିଁ ହେବେ ଅଧିଶ୍ୱର, ଠିକ୍ ସ୍ୱାଧୀନତା ପୂର୍ବ ଭାରତରେ ରାଜା ମହାରାଜାଙ୍କ ପରି । ତେଣୁ ଯେତେବେଳେ ପରିଚିତିରେ ଏହିଭଳି ଏକ ପରିବର୍ତ୍ତନ ଆସନ୍ନ-ସେତେବେଳେ ନୂତନ ବାସଗୃହ (ବା ରାଜପ୍ରାସାଦ)ର ପରିକଳ୍ପନା ମନକୁ ଆସିବା ସ୍ୱାଭାବିକ । ମୁକେଶ ଅମ୍ବାନୀଙ୍କର ଏହା ହିଁ ହୋଇଛି ।
ତେବେ ଏହି ଅଟ୍ଟାଳିକାଟି ଠିଆ ହୋଇଗଲେ (ଯାହା ୨୭ତଳ ହେବ ବୋଲି ସୂଚନା ମିଳୁଛି) ବୈଷମ୍ୟ ବୃଦ୍ଧିର ଉଦାହରଣ ଖୋଜିବାକୁ ଆଉ ପରିଶ୍ରମ କରିବାକୁ ପଡ଼ିବ ନାହିଁ-ଭାରତ ଭୂଇଁରେ । ବିଶ୍ୱବ୍ୟାଙ୍କର ଏକ ରିପୋର୍ଟ (Global Economic Prospect (୨୦୦୭) Managing The New Wave of Globalisation)) ଅନୁସାରେ ପୃଥିବୀର ଯେକୌଣସି ଅଞ୍ଚଳ ତୁଳନାରେ ଭାରତବର୍ଷରେ ଆୟଭିତ୍ତକ ବୈଷମ୍ୟ କ୍ଷୀପ୍ରଗତିରେ ବୃଦ୍ଧିପାଉଛି । ଏହି ବୃଦ୍ଧିର ନଜିର ଦେଇ ଏହି ରିପୋର୍ଟ କହେ ‘ଯେଉଁ ଦେଶରେ ଲକ୍ଷ ଲକ୍ଷ ଲୋକ ଭୋକଉପାସରେ ରୁହନ୍ତି, ବିଭିନ୍ନ ରୋଗବ୍ୟାଧିରେ ପୀଡ଼ିତ ହୁଅନ୍ତି ସେହି ଦେଶରେ ସର୍ବୋଚ୍ଚ ୩୬ଜଣ ଧନୀ ବ୍ୟକ୍ତିଙ୍କର ସମୁଦାୟ ସମ୍ପତ୍ତର ମୂଲ୍ୟ ୨୦୦୬ ମସିହାରେ ହୋଇଥିଲା ୧୯ହଜାର ୧୦୦କୋଟି ଡଲାର ବା ସାତ ଲକ୍ଷ ଚଉଷଠି ହଜାର କୋଟି ଟଙ୍କା ।’ ନିଶ୍ଚିତ ଭାବରେ ଏହାଠାରୁ ଅଧିକ ଆଖିଦୃଶିଆ ଉଦାହରଣ ହେବ ମୁକେଶ ଅମ୍ବାନୀଙ୍କର ୪୦୦୦କୋଟି ଟଙ୍କାର ବାସଗୃହ ।
ବିଡ଼ମ୍ବନା ଯେ, ଯେଉଁ ବିଶ୍ୱବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଅର୍ଥନୈତିକ ସଂସ୍କାର ଫଳରେ ଆଜି ଏପରି ବୈଷମ୍ୟ ସୃଷ୍ଟି ହୋଇଛି ଓ ବୃଦ୍ଧିପାଇଛି ସେମାନେ ହିଁ ବୈଷମ୍ୟ ବୃଦ୍ଧିଆଡ଼କୁ ଆମର ଦୃଷ୍ଟି ଆକର୍ଷଣ କରୁଛନ୍ତି । ଠିକ୍ ସେହିପରି ଯେଉଁ ମନମୋହନ ସିଂହ ଭାରତର ଅର୍ଥମନ୍ତ୍ରୀ ଭାବେ ଏହି ଆର୍ଥିକ ‘ସଂସ୍କାର’କୁ ଅନୁଗତ ପ୍ରାୟ କାର୍ଯ୍ୟକାରୀ କଲେ – ସେହି ମନମୋହନ ସିଂହ ଆଜି ପ୍ରଧାନମନ୍ତ୍ରୀ ଭାବେ ଶିଳ୍ପପତି ଓ ଧନୀକବର୍ଗଙ୍କୁ ଏହି ବୈଷମ୍ୟ ବୃଦ୍ଧିର କୁପରିଣତି ସମ୍ପର୍କରେ ସତର୍କ କରାଇବା ଦେଖାଯାଉଛି । ଆୟ ଓ ସମ୍ପତ୍ତରେ ବୃଦ୍ଧି ପାଉଥିବା ବୈଷମ୍ୟ ସାମାଜିକ ବିଶୃଙ୍ଖଳା ସୃଷ୍ଟି କରିବ ଯଦି ରାଷ୍ଟ୍ରର ଜନସାଧାରଣଙ୍କର ଆୟ ଅନୁରୂପ ନ ବଢ଼େ । ସେ ମଧ୍ୟ ଆହୁରି କୁହନ୍ତି ଯେ, ଐଶ୍ୱର୍ଯ୍ୟର ଅସଭ୍ୟ ପ୍ରଦର୍ଶନ ଅଳ୍ପରେ ଥିବା ମଣିଷର ଦାରିଦ୍ର୍ୟକୁ ଉପହାସ କରେ । ଏହିଭଳି ମନ୍ତବ୍ୟ ପଛରେ ମନମୋହନ ସିଂହଙ୍କର ଆନ୍ତରିକତା କେତେ ତାହାକୁ ଯଦି ଆମେ ସନେ୍ଦହ ନକରୁ-ତା’ହେଲେ ମନମୋହନ ସିଂହଙ୍କର ଏହିଭଳି ମନ୍ତବ୍ୟ ପରେ ପରେ ମୁକେଶ ଅମ୍ବାନୀ ୪୦୦୦ କୋଟି ଟଙ୍କାର ବାସଗୃହ ନିର୍ମାଣ କରିବାର ଇଚ୍ଛା ସର୍ବସାଧାରଣରେ ପ୍ରକାଶ କରିବା-ମନମୋହନ ସିଂହଙ୍କର ଆହ୍ୱାନ ପ୍ରତି ଏକ ଉପହାସ ନୁହେଁ ତ ଆଉ କ’ଣ?
ଉଦାରୀକରଣ ତା’ର ରଙ୍ଗ ଦେଖାଇବା ଆରମ୍ଭ କରିଛି । ଯେଉଁମାନେ ଏହାର ଏକଦା ଥିଲେ ସମର୍ଥକ ଓ ପ୍ରବର୍ତ୍ତକ-ସେମାନେ ମଧ୍ୟ ଏହି ରଙ୍ଗ ଦେଖି ବିଚଳିତ ହୋଇଗଲା ପରି ମନେ ହେଉଛନ୍ତି । ଉଦାରୀକରଣକୁ ସମ୍ପୂର୍ଣ୍ଣ ଉପଭୋଗ କରୁଥିବା ବର୍ଗଟି ଆଜି ଏହି ପ୍ରବର୍ତ୍ତକମାନଙ୍କର ବୋଲ ମଧ୍ୟ ମାନୁନାହିଁ । ଉଦାରୀକରଣ ପର୍ଯ୍ୟାୟରେ ଲଜ୍ଜା ଅଭିଧାନରେ ସବୁଠାରୁ କମ ବ୍ୟବହୃତ ଶବ୍ଦରେ ପରିଣତ ହୋଇଛି । ନିର୍ଲଜ୍ଜ ହେବାପାଇଁ, ଅସଭ୍ୟ ହେବାପାଇଁ, ଅଶାଳୀନ ହେବାପାଇଁ ଧନୀବର୍ଗ ପାଇଛି ସମସ୍ତ ସ୍ୱାଧୀନତା । ଏହି ଧନୀବର୍ଗର ଉଚ୍ଛେଦ ମାର୍କ୍ସବାଦର ମୂଳକଥା ଥିଲା ଦିନେ-ଯେତେବେଳେ ଗାନ୍ଧୀ ଏହି ଧନୀବର୍ଗଠାରୁ ଆଶା କରୁଥିଲେ ବ୍ୟକ୍ତିଗତ ଜୀବନରେ ସରଳତା ଓ ସାଧାରଣ ଚଳଣି । ଗାନ୍ଧୀଙ୍କର ଆଶା ତ କେବେଠାରୁ ମଉଳି ଯାଇଛି । ମାର୍କ୍ସବାଦର ଦ୍ୱାହି ଦେଇ ରାଜନୀତି କରୁଥିବା ଦଳମାନେ ଇତ୍ୟବସରରେ ଧନୀବର୍ଗକୁ କୋଳେଇ ନେଲେଣି-ତେଣୁ ମୁକେଶ ଅମ୍ବାନୀ ୪୦୦୦କୋଟି ଟଙ୍କାର ବାସଗୃହଟିଏ ନିର୍ମାଣ କରିବା ପାଇଁ ସାହସ କରିଛନ୍ତି ଓ ଗରିବ, ବିପନ୍ନ ଜନତାଙ୍କ ପାଇଁ କଥା କହୁଛନ୍ତି ବୋଲି ଦାବି କରୁଥିବା ରାଜନୈତିକ ଦଳମାନଙ୍କୁ ଏକ ବୈଷମ୍ୟହୀନ ସମାଜ ଗଠନ ପାଇଁ ଲାଗିଥିବା ସଙ୍ଗଠନମାନଙ୍କୁ ବୃଦ୍ଧାଙ୍ଗୁଳି ଦେଖାଇଛନ୍ତି ।